STORYMIRROR

Binaya Bhusan Panigrahi

Children Stories Inspirational Others

4  

Binaya Bhusan Panigrahi

Children Stories Inspirational Others

ମହତ ଭାବନା ଫଳ ମଧୁର

ମହତ ଭାବନା ଫଳ ମଧୁର

6 mins
286


ପିଲାମାନେ, ମୁଁ ଯେଉଁ ସମୟର କଥା କହୁଛି ସେ ସମୟରେ ଗଛଲତା ଓ ପଶୁପକ୍ଷୀ ମାନେ ମଧ୍ୟ ଠିକ ମଣିଷ ମାନଙ୍କ ଭଳି ପରସ୍ପର ଭିତରେ କଥାଭାଷା ହେଉଥିଲେ। ଅବଶ୍ୟ ମଣିଷ ମାନେ ସେସବୁ ଶୁଣି ପାରୁନଥିଲେ କି ବୁଝିପାରୁନଥିଲେ। ଏବେ କଥାଟି କହୁଛି, ମନଦେଇ ଶୁଣ।


  ଗୋଟିଏ ବଗିଚାରେ ଦୁଇଟି ଆମ୍ବଗଛ ଥିଲା।ସେଥିରୁ ଗୋଟିଏ ଗଛ ବହୁତ ବୁଢ଼ା ହେଇଯାଇଥିଲା ଯେଉଁଥିରେ ପ୍ରତିବର୍ଷ ଅତିବେଶୀରେ ଗଣ୍ଡାଏ-ଦି'ଗଣ୍ଡା ଆମ୍ବ ଫଳୁଥିଲା। ମାତ୍ର, ସେଇ ଆମ୍ବ ଗୁଡ଼ିକ ଆକାରରେ ବଡ଼ ହେଉଥିଲେ ଏବଂ ସେଗୁଡିକର ସ୍ୱାଦ ମହୁପରି ମିଠା ହେଉଥିଲା। ତେଣୁ,ବଗିଚା ର ମାଲିକ ସେଇ ଗଛଟିକୁ ବହୁତ ଭଲ ପାଉଥିଲେ ଆଉ,ଆମ୍ବ ଗୁଡିକ ପୁରାପୁରି ପାଚିବା ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ। ଆମ୍ବ ପାଚିଲେ ଗଛକୁ ମୁଣ୍ଡିଆ ମାରି ଗଛ ଉପରକୁ ଚଢି ଅତି ଯତ୍ନ ସହକାରେ ସେଗୁଡିକ ତୋଳିନେଇ ଗ୍ରାମ ଦେବତୀଙ୍କ ପାଖରେ ଭୋଗ ଲଗାଉଥିଲେ।


ଅପରପକ୍ଷରେ, ଅନ୍ୟ ଗଛଟି କମ ବୟସର ହେଇଥିବାରୁ ଖୁବ ହୃଷ୍ଟପୁଷ୍ଟ ହେବା ସହ ସେଥିରେ ଏତେବେଶୀ ଆମ୍ବ ଫଳୁଥିଲା ଯେ ଫଳ ଭାରାରେ ଡାଳ ସବୁ ତଳକୁ ନଇଁ ଆସୁଥିଲେ। କିନ୍ତୁ, ବିଧିର ବିଡମ୍ବନା, ସେଇ ଆମ୍ବ ଗୁଡିକ ଅତିରିକ୍ତ ଖଟା ହେଇଥିବାରୁ ବଗିଚାର ମାଲିକ ଆମ୍ବ ସବୁ ପାଚିବା ଆଗରୁ ବାଉଁଶ ଫାଳିଆରେ ବାଡେଇ ଗଛକୁ ଝାଡ଼ି ଦେଇ,ଆମ୍ବତକ ନେଇ ସାଇପଡ଼ିଶାରେ ବାଣ୍ଟି ଦେବାପରେ ଯଦି ଅଳ୍ପକିଛି ବଳିପଡୁଥିଲା ତେବେ ସେଗୁଡିକୁ କାଟି ଖରାରେ ଶୁଖାଇ ଆମ୍ବୁଲ କରିଦେଉଥିଲେ। 


  ମାଲିକଙ୍କର ଏଭଳି ପାତର ଅନ୍ତର ନୀତି ଯୋଗୁଁ ଖଟା ଆମ୍ବଗଛଟି ମିଠା ଆମ୍ବଗଛକୁ ଦାୟୀ କରୁଥିଲା।ସେଥିପାଇଁ ତା ମନରେ ମିଠା ଆମ୍ବଗଛ ପ୍ରତି ଈର୍ଷାଭାବ ଏବଂ କ୍ରୋଧ ହେଉଥିଲା। ତେବେ, ସେଇ ଏକାକଥାକୁ ନେଇ ମିଠା ଆମ୍ବଗଛ ମଧ୍ୟ ଅତ୍ୟନ୍ତ ଦୁଃଖିତ ହେଉଥିଲା। ସେ ଭାବୁଥିଲା, କଞ୍ଚାବେଳେ କେତେକ ଗଛର ଫଳ ଖଟା କିମ୍ବା କଷା ହେଇଥାଏ ସତ ମାତ୍ର, ପାଚିଗଲେ ତହିଁରୁ ଅଧିକାଂଶ ଗଛର ଫଳ ଖୁବ ମଧୁର ହେଇ ଯାଇଥା'ନ୍ତି। ହେଲେ, ମାଲିକ କୌଣସି ବର୍ଷ ସେଇ ଗଛର ଆମ୍ବତକ ପାଚିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ନାହିଁ। ଏହା ସେଇ ସ୍ଵଳ୍ପବୟସ୍କ ଆମ୍ବଗଛଟି ପ୍ରତି ଏକ ପ୍ରକାର ଅବିଚାର ଥିଲା। ମାତ୍ର,ମାଲିକ ଗଛବୃକ୍ଷ ମାନଙ୍କର ଭାଷା ବୁଝିପାରୁନଥିବାରୁ ଏକଥା ସେ ତାଙ୍କୁ କହିପାରୁନଥିଲା।


   ସବୁଦିନ ପରି ସେଦିନ ମଧ୍ୟ ,ଖଟା ଆମ୍ବଗଛ କ୍ରୋଧ ସମ୍ବରଣ ନ କରିପାରି ମିଠା ଆମ୍ବଗଛକୁ କହିଲା,"ଏ ବୁଢା,ବୟସ ତ ଶହେ ପାରିହେଲାଣି,ଅଧା-ବାରଣା ଲଣ୍ଡା ହେଲୁଣି,ବରସ ଶେଷକୁ କୋଉବର୍ଷ ଗଣ୍ଡେ ଫଳୁଛି ତ କୋଉବର୍ଷ ନାହିଁ,ତଥାପି ତୁ ମରୁନୁ କାହିଁକି ଯେ? ଏତେ ଝଡବାତ୍ୟା ହେଉଛି,କେତେ ଗଛ ଉପୁଡି ପଡୁଛନ୍ତି ହେଲେ,ତୁ କେମିତି ଉପୁଡି ଯାଉନାହୁଁ ସେଇକଥା ଭାବୁଛି। ତୋ ମରଣ ନହେଲାଯାକେ ସେ ମୂର୍ଖ ମାଲିକ ମୋ କୁଳ ରକ୍ଷା କରିବାପାଇଁ ମୋର ଗୋଟିଏ ବି ଫଳ ପାଚିବାକୁ ଦେବନାହିଁ। ଛିଃ, ଏ ଦୁନିଆରେ ତୋ'ପରି ସ୍ୱାର୍ଥପର ଗଛ ଆଉ କୋଉଠି ହେଲେ କୋଉଠି ଗୋଟେ ମଧ୍ୟ ନଥିବ। ଠାକୁରଙ୍କୁ ଡାକୁଛି ,ମାଲିକ ତା'ଝିଅ ବାହାଘର ବେଳେ ଯୌତୁକ ଦେବାପାଇଁ ଖଟ-ପଲଙ୍କ ବନେଇବା ବେଳକୁ ତୋତେ କାଟି ପଟା ଚିରେଇ ଦିଅନ୍ତେ କି।"


  ମନରେ ବହୁତ ଦୁଃଖ ହେଲେମଧ୍ୟ ମିଠା ଆମ୍ବଗଛ ସବୁଯାକ କଥା ଚୁପଚାପ ଶୁଣିଲା ମାତ୍ର, ଓଲଟି କିଛି କହିଲା ନାହିଁ। କାରଣ, ବୟସ୍କ ହେଇଥିବା ଦୃଷ୍ଟିରୁ ତା'ର ଅଭିଜ୍ଞତା, ବୋଧଶକ୍ତି ଏବଂ ସହ୍ୟଶକ୍ତି ମଧ୍ୟ ବହୁତ ଅଧିକ ଥିଲା। ତେଣୁକରି ସେ ଦୁଖୀ ଖଟା ଆମ୍ବଗଛର ମାନସିକ ଯନ୍ତ୍ରଣା କୁ ଭଲଭାବରେ ବୁଝିପାରୁଥିଲା। ସେଦିନ ରାତିରେ ସେ ଗ୍ରାମଦେବତୀଙ୍କୁ ପ୍ରାର୍ଥନା କରି ମନେ ମନେ କହିଲା," ମାଆଲୋ, ଜୀବନରେ ପ୍ରଥମ ଥର ଫଳିବା ପରଠାରୁ ଆଜି ପର୍ଯ୍ୟନ୍ତ ଏତେବର୍ଷ ଧରି ତୋର ସେବା କରି ଆସିଛି,ବଦଳରେ କେବେ କିଛି ମାଗିନାହିଁ। ବୁଢ଼ା ହେଲିଣି,ବଉଳ ବଞ୍ଚାଇ ରଖିବାର ସାମର୍ଥ୍ୟ ଗଲାଣି। ମୋତେ ଆଉ ଲାଗୁନାହିଁ ଯେ ଆସନ୍ତା ବର୍ଷକୁ ମୋ ଡାଳରେ ତୋ ସେବାପାଇଁ ଗୋଟିଏ ବି ଆମ୍ବ ଫଳିବ ବୋଲି। ଡାଳ ଭାଙ୍ଗିଲେ ନୂଆ ଡାଳପତ୍ର ବାହାରୁନାହିଁ। ଥୁଣ୍ଟା ଗଛ ବୋଲି କାଉ କି କୋଇଲିଟିଏ ମଧ୍ୟ ବସା ବାନ୍ଧୁନାହାନ୍ତି। ଗଛ ହେଇ ଯଦି ଫଳ,ଛାଇ କିମ୍ବା ଆଶ୍ରୟ ପ୍ରଦାନ କରି ନପାରୁଛି ତେବେ ମୋ ବଞ୍ଚି ରହିବାର କିଛି ମୂଲ୍ୟ ନାହିଁ। ତେଣୁ,ଆସନ୍ତା ବଉଳ ପୁନେଇଁ ଆଗରୁ ଦୟାକରି ମୋତେ ମୃତ୍ୟୁ ଦେଇ ଏ ଅଲୋଡା ଜୀବନରୁ ମୁକ୍ତ କରିଦେ ମା।"


   ଯେଉଁମାନଙ୍କର ଆତ୍ମା ପବିତ୍ର ଏବଂ ଭାବନା ମହାନ ସେମାନଙ୍କ ପ୍ରାର୍ଥନା କେବେହେଲେ ବୃଥା ଯାଏନାହିଁ। ଠିକ ତା'ର ଦୁଇଦିନ ପରେ ବଗିଚା ମାଲିକଙ୍କ ଏକମାତ୍ର ଅଲିଅଳି ଝିଅର ବିବାହ ପାଖ ଗ୍ରାମ ଜମିଦାରଙ୍କ ପୁଅ ସହ ଧାର୍ଯ୍ୟ ହେଇଗଲା। ବିବାହରେ ଯାନିଯୌତୁକ ଦେବାପାଇଁ ମାଲିକ ପୂର୍ବରୁ ସବୁକିଛି ପ୍ରସ୍ତୁତ କରି ରଖିଥିଲେ। କେବଳ କାଠ ନିର୍ମିତ ଆସବାବପତ୍ର ତିଆରି ଚାଲିଥିଲା। ସେଇ ସମୟରେ କାଠମିସ୍ତ୍ରୀ ଆଉକିଛି ଅଧିକ କାଠ ପଟାର ଆବଶ୍ୟକତା ପଡୁଛି ବୋଲି କହିବାରୁ ସେଇଦିନ ଉପରଓଳି ବଗିଚା ମାଲିକ ତାଙ୍କ ବଗିଚାରେ ଥିବା ଖଟା ଆମ୍ବଗଛଟିକୁ କାଟିବା ପାଇଁ ମନରେ ସ୍ଥିର କରି ଜଣେ କାଟୁରିଆକୁ ସାଙ୍ଗରେ ନେଇ ବଗିଚାରେ ପହଞ୍ଚିଗଲେ। ଏସବୁ ଦେଖି , ତାର ଇଛା ପୂରଣ ହେବାକୁ ଯାଉଛି ଭାବି ଖଟା ଆମ୍ବଗଛ ବହୁତ ଖୁସି ହେଇଗଲା । ମାତ୍ର, ଉପରକୁ ମୁହଁ ଶୁଖାଇ ମିଛ ଦରଦଭରା ସ୍ୱରରେ ମିଠା ଆମ୍ବଗଛକୁ କହିଲା, " ମୁଁ ସିନା ମିଛରେ ତୋ ଉପରେ ରାଗେ ଆଉ ଇଆଡୁସିଆଡୁ କଥା କହେ ହେଲେ, ସତରେ ମୋ ମନ ଭିତରେ ସେମିତି କିଛି ମନ୍ଦ ଉଦ୍ଦେଶ୍ୟ ନଥାଏ। ମୁଁ ଯଦି ଜାଣିଥା'ନ୍ତି ଯେ ମୋ ମିଛିମିଛିକା ଅଭିଶାପ ସତ ହେଇଯିବ ବୋଲି ତାହେଲେ ମୁଁ କେବେବି ତୋତେ ଅଭିଶାପ ଦେଇନଥା'ନ୍ତି।" 

ଯେଉଁମାନେ ନିଃସ୍ୱାର୍ଥପର ଭାବେ ଅନ୍ୟର ମଙ୍ଗଳ କାମନା କରୁଥାନ୍ତି ସେମାନେ ତାଙ୍କପ୍ରତି ଅନ୍ୟ ମାନଙ୍କର ନିନ୍ଦା-ପ୍ରଶଂସା ଓ ମାନ-ଅପମାନ ଇତ୍ୟାଦିକୁ ଦେହକୁ ନିଅନ୍ତି ନାହିଁ। ଯେଉଁଥିପାଇଁ ତାଙ୍କର ନିନ୍ଦୁକମାନେ ଭୁଲବଶତଃ ସେମାନଙ୍କୁ ନିର୍ବୋଧ ବୋଲି ଭାବିନିଅନ୍ତି। ମିଠା ଆମ୍ବଗଛ ଏଥର ମଧ୍ୟ ସବୁକଥା ଶୁଣି ନିରୁତ୍ତର ରହିବା ଦେଖି ନିର୍ବୋଧ ଖଟା ଆମ୍ବଗଛ ମନେମନେ ଖୁବ୍ ହସିଲା।


   କିଛି ସମୟ ପରେ ବଗିଚାରୁ ଘେରାଏ ବୁଲି ଆସି ଗଛ କଟାଳି ଓ ବଗିଚା ମାଲିକ ମିଠା ଆମ୍ବଗଛ ମୂଳେ ଠିଆହେଲେ। ତାପରେ, ମାଲିକ ଖଟା ଆମ୍ବଗଛ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେଇ ଗଛଟିକୁ କାଟିଦେବାପାଇଁ କହିବାଦେଖି ଖଟା ଆମ୍ବଗଛର ପିଳେହି ପାଣି ହେଇଗଲା। ସେ ଭୟରେ ଥରିବାକୁ ଲାଗିଲା । ଏବେ ସେ ବୁଝିପାରିଲା ଯେ ଅକାରଣରେ ମିଠା ଆମ୍ବଗଛ ର ଅମଙ୍ଗଳ କାମନା କରି ତାକୁ ଦେଇଥିବା ଅଭିଶାପ ତା ନିଜ ଆଡକୁ ଫେରିଆସିଛି। ତେବେ, ମୃତ୍ୟୁ ସୁନିଶ୍ଚିତ ଜାଣି ସେ ପଶ୍ଚାତାପ କରିବା ସହିତ ତା ଅକ୍ଷମଣୀୟ ପାପର ଯଥାସମ୍ଭବ ପ୍ରାୟଶ୍ଚିତ କରିବାକୁ ଯାଇ ଯୋଡହସ୍ତ ରେ ମିଠା ଆମ୍ବଗଛକୁ କହିଲା," ବନ୍ଧୁ,ମୁଁ ଏବେ ମୋ ଭୁଲକୁ ବୁଝିପାରିଛି। ଅଯଥାରେ ଅନେକ ସମୟରେ ଅନେକ କଷ୍ଟଦାୟକ କଥାମାନ କହି ତମ ମନରେ ଗଭୀର ଆଘାତ ଦେଇଛି। ତମେ ସବୁ ଶୁଣିଛ ହେଲେ କେବେ ଦିନେ ପ୍ରତିବାଦ କରିନାହଁ କିମ୍ବା ମୋର ଅମଙ୍ଗଳ କାମନା କରିନାହଁ। ପ୍ରକୃତରେ ତମେ ମହାନ। ମୃତ୍ୟୁ ପୂର୍ବରୁ ମୁଁ ତମର ମହାନତା ଆଗରେ ମୁଣ୍ଡ ନୁଆଁଇ କ୍ଷମା ପ୍ରାର୍ଥନା କରୁଛି, ପାରିଲେ ତମ ବଡପଣରେ ମୋତେ କ୍ଷମା କରିଦେବ।"


 ପୂର୍ବର ପ୍ରତିଥର ପରି ଏଥର ମିଠା ଆମ୍ବଗଛ ନୀରବ ନରହି ଶାନ୍ତ ଏବଂ ମଧୁର ସ୍ୱରରେ କହିଲା,"ପ୍ରିୟବନ୍ଧୁ ମୋର, ତମେ ମୋଠାରୁ କାହିଁ କେତେ ସାନ। ପୁନଶ୍ଚ, ମୁଁ ତମ ମନ ତଳର ଦୁଃଖକୁ ଭଲକରି ବୁଝିପାରେ।ତେଣୁ ମୁଁ ତମର କୌଣସି ଆକ୍ଷେପ କିମ୍ବା ଅଭିଶାପ କୁ ନେଇ ବ୍ୟସ୍ତ-ବିବ୍ରତ କିମ୍ବା ପ୍ରତିକ୍ରିୟାଶୀଳ ହେଇନାହିଁ। ସାନ ମାନେ ସର୍ବଦା ସ୍ନେହ ଓ ଶୁଭେଛାର ପାତ୍ର। ତେଣୁକରି ତମ ପ୍ରତି ମୋର କିଛି କର୍ତ୍ତବ୍ୟ ରହିଛି ବୋଲି ମୁଁ କେମିତି ପାଶୋରି ଦେଇଥାନ୍ତି ! ମୁଁ ତ ମୋ ଜୀବନକୁ ବେଶ ବଂଚିସାରିଛି, ତମର ଜୀବନ ମୋରି ଆଖି ଆଗରେ ଏଇମାତ୍ର ଆରମ୍ଭ ହେଇଛି। ମୁଁ ବଂଚି ଥାଉଥାଉ ଆଖି ସାମ୍ନାରେ ମୁଁ କଣ ତମର ଅକାଳ ମୃତ୍ୟୁ ଦେଖି ସହ୍ୟ କରିପାରିବି ? ଜୀବନସାରା ଗ୍ରାମ ଦେବତୀଙ୍କୁ ସୁମିଷ୍ଟ ଆମ୍ବ ସେବା କରାଇ ଥିବାରୁ ସେ ମୋ ଉପରେ ପ୍ରସନ୍ନ ଥିଲେ ଜାଣି ତମ ଉପରେ ଥିବା ବିପଦରୁ ତମକୁ ରକ୍ଷା କରିବା ନିମନ୍ତେ ତାଙ୍କୁ ପ୍ରାର୍ଥନା କରିଥିଲି। ମୋ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମୋ ପ୍ରାଣ ବିନିମୟରେ ଆଜି ତମର ପ୍ରାଣ ନିଶ୍ଚୟ ରକ୍ଷା କରିବେ ବୋଲି ଭରସା ଦେଇଛନ୍ତି। ମୁଁ ଉପୁଡି ପଡିଲେ ମାଲିକଙ୍କର ଆବଶ୍ୟକତା ପୂରଣ ହେଇଯିବ। ତେଣୁ,ବିନା ଆବଶ୍ୟକତାରେ ସେ ତମକୁ କାଟିଦେଇ ବଗିଚାକୁ ଆମ୍ବଗଛ ଶୁନ୍ୟ କରିବାକୁ କଦାପି ଚାହିଁବେନାହିଁ। ଏଇମାତ୍ର ଅଳ୍ପ କେଇ ମୁହୂର୍ତ୍ତ ଭିତରେ ମୋର ପ୍ରାର୍ଥନା ଫଳବତୀ ହେବାକୁ ଯାଉଛି। ତେବେ, ସ୍ୱଇଚ୍ଛାରେ ପ୍ରାଣ ତ୍ୟାଗିବା ପୂର୍ବରୁ ତମକୁ ମୋର ଗୋଟିଏ ଛୋଟିଆ ଅନୁରୋଧ ରହିଛି, ପାଳନ କରିବ ବୋଲି ସତ୍ୟକଲେ କହିବି।" 


  ମିଠା ଆମ୍ବଗଛ ମୁହଁରୁ ଏଇସବୁ କଥା ଶୁଣୁଥିବାବେଳେ ଖଟା ଆମ୍ବଗଛ ପଶ୍ଚାତାପର ଯନ୍ତ୍ରଣା ସହ୍ୟ କରି ନପାରି ଦୟନୀୟ ଭାବେ ରୋଦନ କରୁଥିଲା। ସମ୍ମାନ ଓ ଭକ୍ତିରେ ଶିର ନତ କରି ସମ୍ମତି ପ୍ରଦାନ କଲାରୁ ମିଠା ଆମ୍ବଗଛ ଆଶ୍ୱସ୍ତି ସୂଚକ ସ୍ୱରରେ କହିଲା," ଆଜିଠାରୁ ଶପଥ ନିଅ ଯେ ବାକି ଜୀବନକାଳ ଭିତରେ ମନରେ ସର୍ବଦା ମଧୁର ଭାବନା ପୋଷଣ କରିବା ସହ ନିଜ ସବୁବେଳେ ନିଃସ୍ୱାର୍ଥପର ଭାବରେ ତମଠାରୁ କିଛି ଭଲ ଆଶା ରଖୁଥିବା ପ୍ରତ୍ୟେକଙ୍କ ମନୋବାଞ୍ଛା ପୂରଣ କରିବାପାଇଁ ଆପ୍ରାଣ ଚେଷ୍ଟା କରିବ। ଫଳ ସ୍ୱରୂପ ତମର ସର୍ବାଙ୍ଗ ଓ ଆତ୍ମା ରେ ଭରି ରହିଥିବା ଖଟାପଣ ଦୂରରେ ଯିବ ଏବଂ ତମର ପ୍ରତ୍ୟେକ ଫଳ ମହୁପରି ମିଠା ହେଇଯିବ। ତାପରେ, ତମେ ମିଠା ଆମ୍ବଗଛ ହୋଇ ମାଲିକଙ୍କର ପ୍ରିୟପାତ୍ର ହୋଇ ତାଙ୍କ ହୃଦୟ ଭିତରେ ମୋ ଅଭାବ ଜନିତ ଦୁଃଖକୁ ମଧ୍ୟ ଦୂର କରିପାରିବ।" 


  ଆକାଶର ଉତ୍ତର-ପୂର୍ବ କୋଣରୁ ଉପରକୁ ଉଠି ସାରା ଆକାଶକୁ କବଳିତ କରିବାକୁ ଦ୍ରୁତ ଗତିଶୀଳ ହେଉଥିବା ଘନ କଳାବାଦଲକୁ ଦେଖିବା ସହ ସୁ-ସୁ ଗର୍ଜ୍ଜନ କରି ମାଡି ଆସୁଥିବା ପବନର ଭୟଙ୍କର ଶବ୍ଦ ଶୁଣି ଖଟା ଆମ୍ବଗଛଟି ମିଠା ଆମ୍ବଗଛ କଥାର ସତ୍ୟତାକୁ ହୃଦୟଙ୍ଗମ କରି ସାମାନ୍ୟତମ କାଳ ବିଳମ୍ବ ନକରି ମିଠା ଆମ୍ବଗଛର ଉପଦେଶ କୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ସତ୍ୟ କରିବାର ଠିକ ପରମୁହୂର୍ତ୍ତରେ ହଠାତ ଅତି ଦ୍ରୁତ ବେଗରେ ପବନ ବୋହିବା ଆରମ୍ଭ କରିଦେଲା। ଅଦିନିଆ ମେଘ-ପବନକୁ ଦେଖି ବଗିଚା ମାଲିକ ଓ କାଠ କଟାଳି ଅତର୍ଛିଆ ଘରମୁହାଁ ଧାଇଁଲେ। ଖଟା ଆମ୍ବଗଛ ଦେଖିଲା , ମହାନ ସେଇ ମିଠା ଆମ୍ବଗଛ ପବନର ବେଗକୁ ପ୍ରତିହତ କରିବାର କୌଣସି ପ୍ରୟାସ କରିବା ପରିବର୍ତ୍ତେ ଗ୍ରାମଦେବତୀଙ୍କ ଉଦ୍ଦେଶ୍ୟରେ କରଯୋଡିଲା ଏବଂ ଧପାସ କରି ଉପୁଡି ପଡି ଭୁଇଁରେ ଲୋଟିଗଲା। 


   ମିଠା ଆମ୍ବଗଛଟି ଉପୁଡି ପଡିବାର କେଇ କ୍ଷଣ ପରେ ନିଆଁରେ ପାଣି ଢାଳିଦେଲା ପରି ଶାନ୍ତ ହେଇଗଲା ତୋଫାନ, ସାରା ଆକାଶକୁ ମୁକ୍ତ କରି ଅପସରିଗଲା କଳାମେଘ ଏବଂ ମାଟିକୁ ଆଦରି ଶୋଇଯାଇଥିବା ମିଠା ଆମ୍ବଗଛର ଡାଳ ଓ ପତ୍ର ଉପରେ ଲେପି ହେଇଗଲା ଅସ୍ତଗାମୀ ସୂର୍ଯ୍ୟର ମେଞ୍ଚାଏ ଈଷତ ଲାଲ କିରଣ । ଶ୍ରଦ୍ଧାଞ୍ଜଳି ସ୍ୱରୂପ ଖଟା ଆମ୍ବଗଛର ଆଖିରୁ ବୋହିଚାଲିଥିଲା ଅନୁତାପର ଅବାରିତ ଅଶ୍ରୁଧାର।


Rate this content
Log in