STORYMIRROR

Binaya Bhusan Panigrahi

Children Stories

4  

Binaya Bhusan Panigrahi

Children Stories

କଞ୍ଜୁସିର ସଫଳ ଉପଚାର

କଞ୍ଜୁସିର ସଫଳ ଉପଚାର

7 mins
406

ବହୁତଦିନ ତଳର କଥା। ଶଙ୍କରପୁର ଗାଆଁରେ ଦିନାନାଥ ନାମରେ ଜଣେ ବଇଦ ଥିଲେ। ସେ ନିକଟସ୍ଥ ଜଙ୍ଗଲରୁ ବିଭିନ୍ନ ପ୍ରକାରର ଔଷଧୀୟ ଚେରମୁଳିକା ସଂଗ୍ରହ କରି ବିଭିନ୍ନ ରୋଗ ଭଲ କରିବା ପାଇଁ ଔଷଧପତ୍ର ପ୍ରସ୍ତୁତ କରନ୍ତି। ଆଖପାଖ ପାଞ୍ଚ-ସାତଖଣ୍ଡ ମୌଜାର ରୋଗୀମାନେ ତାଙ୍କ ଉପରେ ନିର୍ଭର କରନ୍ତି। ଯେତେ ସାଙ୍ଘାତିକ ରୋଗ ହେଇଥାଉନା କାହିଁକି, ବଇଦେ ସେସବୁକୁ ଖୁବ କମ ସମୟରେ ଭଲ କରିଦିଅନ୍ତି। ରୋଗୀମାନଙ୍କର ଆର୍ଥିକ ଅବସ୍ଥାକୁ ବିଚାର କରି ପାଉଣା ନିଅନ୍ତି ବୋଲି ଥିଲାବାଲା-ନଥିଲାବାଲା ସମସ୍ତେ ତାଙ୍କୁ ଶ୍ରଦ୍ଧା କରନ୍ତି ଏବଂ ସମ୍ମାନ ମଧ୍ୟ ଦିଅନ୍ତି।

  ନିକଟସ୍ଥ ଗ୍ରାମ ହରିଦାସପୁରରେ ଧନିରାମ ନାମକ ଜଣେ ସୁଧଖୋର ସାହୁକାର ରହୁଥିଲେ। ଅଚଳାଚଳ ସମ୍ପତ୍ତିର ଅଧିକାରୀ ହେଇ ସୁଦ୍ଧା ସ୍ୱଭାବରେ ସେ ଅତିରିକ୍ତ କଞ୍ଜୁସ ଥିଲେ। ଏମିତିକି ଅର୍ଥ ଖର୍ଚ୍ଚ ହେଇଯିବ ବୋଲି ଭଲ ମନ୍ଦ ଖାଇବାକୁ ଇଚ୍ଛା ହେଲେ ସେଦିନ ସେ କିଛି ନା କିଛି ଓଷା ବ୍ରତ ବାହାନା କରି ଉପାସରେ ରହିଯାଉଥିଲେ। ତାଙ୍କ ହେତୁ ହେଲା ପରଠାରୁ ସେ କେବେ ନିଜ ପଇସାରେ ନୂଆ ପୋଷାକ କିଣି ପିନ୍ଧି ନଥିଲେ। ତାଙ୍କର ଏ ପ୍ରକାର କଞ୍ଜୁସପଣ ବିଷୟରେ ପାଖାପାଖି ଦଶଖଣ୍ଡ ମଉଜାର ପ୍ରତ୍ୟେକ ଲୋକଙ୍କୁ ଜଣାଥିଲା। ସେଥିପାଇଁ ଗାଆଁକୁ କେହି ଭିକାରି ଆସିଲେ ଦିନ ଅଶୁଦ୍ଧ ହେଇଯିବ ବୋଲି ଧନିରାମଙ୍କ ଦୁଆର ଆଡ଼କୁ ଆଡଆଖିରେ ଅନାନ୍ତି ନାହିଁ।

  ଦିନେ କାଳେ ଧନିରାମର ଦେହପା ଖରାପ ହେବାର କେହି କେବେ ଶୁଣିନଥିଲେ । ତେଣୁ ଲୋକେ କୁହାକୁହି ହୁହନ୍ତି, 'କଞ୍ଜୁସ ମାନଙ୍କର କିଛି ଅସୁବିଧା ହୁଏନାହିଁ।' ମାତ୍ର, ବୟସ ବଢ଼ିବା ସଙ୍ଗେସଙ୍ଗେ ଧନିରାମ ଧୀରେଧୀରେ ଦୁର୍ବଳ ହେବାକୁ ଲାଗିଲେ। କିଛି ଦିନ ପରେ ତାଙ୍କର ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ସବୁବେଳେ ଇଚ୍ଛା ହେଲା। ନିଜ ମନକୁ ଯେତେ ପ୍ରକାରେ ବୁଝାଇଲେ ମଧ୍ୟ ଖାଦ୍ୟ ପ୍ରତି ଲୋଭ କମିବା ପରିବର୍ତ୍ତେ ବଢିବାକୁ ଲାଗିବାରୁ ସେ ବଡ଼ ବିବ୍ରତ ବୋଧକଲେ। କାରଣ, ସେ ଚିନ୍ତା କଲେ, ମନ ଚାହୁଁଥିବା ପଦାର୍ଥ ସବୁ କିଣି କରି ଖାଇଲେ ଗୁଡ଼ାଏ ଅର୍ଥ ଖର୍ଚ୍ଚ ହେଇଯିବ ଏବଂ ସେ ଧୀରେ ଧୀରେ ଗରିବ ହେଇ ଶେଷରେ ଦିନେ କାଙ୍ଗାଳ ହେଇଯିବେ। ସେ ଭାବିଲେ ସୁସ୍ୱାଦୁ ଖାଦ୍ୟ ପ୍ରତି ତାଙ୍କ ମନରେ ଜାତ ହେଉଥିବା ଅବଦମିତ ଲାଳସାର କାରଣ କୌଣସି ଏକ ଭୟାନକ ରୋଗ ନିଶ୍ଚୟ।

  ତାଙ୍କର ହୃଦବୋଧ ହେଲା, ଦିନାନାଥ ବୈଦ୍ୟଙ୍କ ପାଖକୁ ନଗଲେ ଏରୋଗ ଭଲ ହେବନାହିଁ। ବୈଦ୍ୟଙ୍କ ପାଖକୁ ଗଲେ ତାଙ୍କୁ ପାଉଣା ଦେବାକୁ ପଡିବ। ଦିନାନାଥ ବହୁତ ଦୂର ଗାଆଁ ଲୋକ ହେଇଥିଲେ କଥା ଭିନ୍ନ ପ୍ରକାର ହେଇଥାନ୍ତା। ପାଖାପାଖି ମୌଜାର ଲୋକ ଥିଲେ ଏବଂ ଚିକିତ୍ସା ପାଇଁ ତାଙ୍କର ଏଇ ଗାଆଁକୁ ବହୁତ ସମୟରେ ଆସୁଥିଲେ। ତେଣୁ, ଧନିରାମଙ୍କ ବୃତ୍ତିବାଡି ଓ ସମ୍ପତ୍ତି ବିଷୟରେ ତାଙ୍କୁ ଭଲ କରି ଜଣାଥିବ। ତେଣୁ, ନିଜକୁ ଦରିଦ୍ର ଲୋକଟିଏ ବୋଲି କହିଲେ ସେ ପରତେ ଯିବେ ନାହିଁ କି ପାଉଣାରୁ ପାହୁଲାଏ ମଧ୍ୟ କମେଇବେ ନାହିଁ। ଏ ପ୍ରକାର ବିଷମ ପରିସ୍ଥିତିରେ ସେ କଣ କରିବେ କିଛି ସ୍ଥିର କରିପାରିଲେ ନାହିଁ। ଏଣୁ ମାଇଲେ ଗୋହତ୍ୟା ତେଣୁ ମାଇଲେ ବ୍ରହ୍ମହତ୍ୟା। ସେ ମନକୁ ମନ କହିଲେ,' ଏମିତି କିଛି ଗୋଟାଏ ଉପାୟ ପାଞ୍ଚିବାକୁ ପଡିବ ଯେମିତିକି ସାପ ମରିଯିବ ମାତ୍ର ବାଡ଼ି ଭାଙ୍ଗିବ ନାହିଁ।'

  ବହୁତ ଭାବିଲା ପରେ ଧନିରାମଙ୍କ ମୁଣ୍ଡକୁ ଏକ ଉପାୟ ଜୁଟିଲା। ସେ ଦିନସାରା ଲାଗିପଡି ଘରେ ଥିବା ସବୁଯାକ ସ୍ୱର୍ଣ୍ଣମୁଦ୍ରା ଏବଂ ସୁବର୍ଣ୍ଣ ଗହଣା ଆଦିକୁ ଚାରୋଟି ଗଣ୍ଠିଲିରେ ବାନ୍ଧି ଥୋଇଦେଲେ। ରାତିଅଧରେ ସେଇ ଗଣ୍ଠିଲି ସବୁକୁ ନେଇ ଗୋଟିଏ ରଶିରେ ବାନ୍ଧି ବାରି ପଛପଟ କୂଅ ଭିତରକୁ ପକାଇଦେଇ ସକାଳ ହେବାକୁ ଅପେକ୍ଷା କଲେ। ସକାଳ ହେବାମାତ୍ରେ ଦାଣ୍ଡ ମଝିରେ ଗଡ଼ିଗଡ଼ି ଖୁବଜୋରରେ ଚିତ୍କାର କରିବାକୁ ଲାଗିଲେ। ତାଙ୍କ କାନ୍ଦ ବୋବାଳି ଶୁଣି ଗାଆଁଟା ଯାକର ଲୋକ ରୁଣ୍ଡ ହେଇଗଲେ। ଗାଆଁ 'ର ମୁଖିଆ ଧନିରାମଙ୍କ ନିକଟକୁ ଯାଇ ପଚାରିଲେ, ' ସାହୁକାରେ, କଣ ହେଇଛି ଆଗେ କୁହ କିଛି ଗୋଟେ ସମାଧାନର ପନ୍ଥା ବାହାର କରିବା । ' ଧନିରାମ କାନ୍ଦ ବୋବାଳି ବନ୍ଦ କରି କହିଲେ, ' କଣ ଆଉ ହେବ ଆଜ୍ଞା, ଜୀବନ ସାରା ନଖାଇ ନପିଇ ବାର୍ଦ୍ଧକ୍ୟ କାଳ ପାଇଁ ଯାହା କିଛି ଧନ ସଞ୍ଚି ରଖିଥିଲି ସବୁତକ ଚାଲିଗଲା। କାଲି ରାତିରେ ଚୋରମାନେ ପଶି ଘରେ କଳାକନା ବୁଲେଇ ଦେଇଛନ୍ତି। ବଇଦ ପାଉଣା ଦେବାକୁ ବି କଣା କଉଡିଟେ ଛାଡି ନାହିଁ। ମୁଁ ଏବେ କଣ କରିବି। ଆଠ ଦିନ ହେଲାଣି ଦେହ ଭଲନାହିଁ। ଭାବିଥିଲି ଆଜି ଦିନାନାଥ ବୈଦ୍ୟଙ୍କ ପାଖକୁ ଟିକେ ଯିବି ବୋଲି। ସେତକ ବି ଆଉ ସମ୍ଭବପର ହେବନାହିଁ। '

  ମୁଖିଆ ବୃଦ୍ଧ ହେଲେ କଣ ହେବ, ମଣିଷ ଚିହ୍ନିବାରେ ଏବଂ କଥାର ସତ୍ୟାସତ୍ୟ ଅନୁମାନ କରିବାରେ ତାଙ୍କର ବେଶ ଦକ୍ଷତା ଥିଲା। ତେଣୁ, ସେ ଧନିରାମଙ୍କୁ ଉପର ଦେଖାଣିଆ ସମବେଦନା ଜଣାଇଲେ ଏବଂ ଆଶ୍ୱାସନା ଦେବାକୁ ଯାଇ କହିଲେ, 'ତମେ ଆଦୌ ବ୍ୟସ୍ତ ଏବଂ ନିରାଶ ହୁଅନାହି ଧନି, ଯାହା ତ ହେବାର ଥିଲା ହେଇଗଲାଣି। କାନ୍ଦିଲେ କି ମୁଣ୍ଡ କଚାଡ଼ିଲେ ଚୋରମାନେ କଣ ନେଇଥିବା ଧନ ଫେରାଇଦେବେ? ସବୁଠାରୁ ମୂଲ୍ୟବାନ ସମ୍ପଦ ହେଉଛି ତମ ନିଜର ସ୍ୱାସ୍ଥ୍ୟ। ଆସନ୍ତାକାଲି ମୁଁ ନିଜେ ତମକୁ ସାଥିରେ ନେଇ ଦିନାନାଥ ବୈଦ୍ୟଙ୍କ ପାଖକୁ ଯିବି। ପାଉଣା ପାଇଁ ଜମାରୁ ଚିନ୍ତା କରନାହିଁ। '

 ମୁଖିଆଙ୍କ ମୁହଁରୁ କଥା ସରିଛି କି ନାହିଁ ଧନିରାମ ଝାଡ଼ିଝୁଡ଼ି ହେଇ ଉଠି ପଡିଲେ ଏବଂ ଆଖିର ମିଛ ଲୁହକୁ ଗାମୁଛାରେ ପୋଛିଦେଇ କହିଲେ, 'ଆପଣ କେତେ ମହାନ ସତରେ ! କପର୍ଦକ ଶୁନ୍ୟ ହେଇଗଲା ପରେ ମୁଁ ତ ଭାବିଥିଲି ରୋଗ ଦାଉରେ ପ୍ରାଣ ଚାଲିଯିବା ସୁନିଶ୍ଚିତ ବୋଲି। ଆପଣଙ୍କ ଭରସା ମିଳିଲା ପରେ ମୋତେ ଲାଗୁଛି ମୁଁ ଆଉ କିଛି ବର୍ଷ ବଞ୍ଚିଯାଇପାରିବି। '

  ତହିଁ ଆରଦିନ ମୁଖିଆ ଧନିରାମଙ୍କୁ ସାଥିରେ ଧରି ବଇଦଙ୍କ ପାଖକୁ ଗଲାବେଳେ ପଚାରିଲେ, 'ଆଚ୍ଛା ଧନିବାବୁ, ଆପତ୍ତି ନଥିଲେ ତମକୁ ଯେଉଁ ରୋଗଟି ହେଇଛି ସେ ବିଷୟରେ ମୋତେ ଟିକେ ଚୁମ୍ବକରେ କହିଲେ ମୁଁ ସେ ବିଷୟରେ ବଇଦଙ୍କ ସହ ଟିକେ ବିଶଦ ଭାବରେ ଆଲୋଚନା କରି ସବୁଠାରୁ ଭଲ ଔଷଧ ଦେବାପାଇଁ ଅନୁରୋଧ କରନ୍ତି।' ମୁଖିଆଙ୍କ ମୁହଁରୁ ଏକଥା ଶୁଣିଦେଇ ଧନିରାମ ଅତ୍ୟନ୍ତ ଉତ୍ସାହିତ ହେଇ ଉଠିଲେ। ଭାବିଲେ, 'ରୋଗ ବିଷୟରେ ବଇଦଙ୍କୁ ମୁଁ ବଖାଣିଲେ ସେ ହୁଏତ ପରତେ ନଯାଇପାରନ୍ତି। ସେମିତି ହେଲେ ସେ ଆଡୁସାଡୁ ଗୁଡ଼ାଏ ପ୍ରଶ୍ନ ବି ପଚାରିପାରନ୍ତି। ପ୍ରଶ୍ନର ଉତ୍ତର ଦେଲାବେଳେ କଥା ଏପାଖ ସେପାଖ ହେଇଗଲେ ଅସଲ କଥା ଯଦି ପଦାରେ ପଡିଯାଏ ତେବେ କଥା ସରିଲା। ରୋଗ ବିଷୟରେ ମୁଖିଆଙ୍କୁ କହିଦେଲେ ସେ ଅଡ଼ୁଆଟି ମଧ୍ୟ ମେଣ୍ଟିଯିବ। ତେଣୁ, ସେ ତାଙ୍କ ରୋଗ ବିଷୟରେ ମୁଖିଆଙ୍କୁ ଭଲକରି ବୁଝେଇକି କହିଦେଲେ। 

ଏବେ ମୁଖିଆଙ୍କ ମୁଣ୍ଡରେ ପଶିଲା ଯେ କାହିଁକି ଧନିରାମ ତା ଘରେ ଚୋରି ହେଇଯିବାର ନାଟକ କରୁଥିଲେ। ବଇଦଙ୍କ ସହ ପୂର୍ବ ପରାମର୍ଶ ଅନୁସାରେ ତାଙ୍କର ଏପରି ଧୂର୍ତ୍ତତା ଓ କଞ୍ଜୁସି ଛଡାଇ ଉଚିତ ଶିକ୍ଷା ଦେବାକୁ ସେ ନିଶ୍ଚୟ କରିଥିଲେ।

  ବଇଦଙ୍କ ଘରକୁ ଯିବା ପାଇଁ ଦୁଇଟି ବାଟ ଥିଲା। ପ୍ରଥମ ରାସ୍ତାରେ ଘଡ଼ିଏ ଲାଗୁଥିଲା ବେଳେ ଦ୍ୱିତୀୟ ରାସ୍ତାରେ ପାଖାପାଖି ଓଳିଏ ଲାଗୁଥିଲା। ମୁଖିଆ ଧନିରାମଙ୍କୁ କହିଲେ, 'ବୁଝିଲ ଧନି, ସେପଟ ରାସ୍ତାରେ ଯାଇଥିଲେ ଆମେ ସଅଳ ପହଞ୍ଚିଯାଇଥାନ୍ତେ। ମାତ୍ର, କାଠପୋଲଟି ଭାଙ୍ଗି ଯାଇଥିବାରୁ ଆମକୁ ଜଙ୍ଗଲ ଭିତର ଦେଇ ଯାଇଥିବା ଏଇ ଦ୍ୱିତୀୟ ରାସ୍ତାରେ ଯିବାକୁ ପଡ଼ିବ। ଯଦିଓ ଟିକେ ଅଧିକ ସମୟ ଲାଗିବ ତେବେ ଆମେ ସବୁ କାମ ସାରି ସନ୍ଧ୍ୟା ସୁଦ୍ଧା ନିଶ୍ଚୟ ଗାଆଁକୁ ଫେରିଆସିଥିବା। ' ବାଧ୍ୟହୋଇ ହଁ ଭରିବା ବ୍ୟତିରେକ ଧନିରାମଙ୍କ ନିକଟରେ ଅନ୍ୟ ଚାରା ନଥିଲା। ଅର୍ଦ୍ଧାଧିକ ବାଟ ଗଲାପରେ ମୁଖିଆ ମଧ୍ୟ ଜାଣିଶୁଣି ପାଦ ଦରଜର ବାହାନା କରି ଚାଲିବାର ଗତିକୁ ମନ୍ଥର କରିଦେଲେ।

  ଉଭୟ ଯାଇ ଦିନାନାଥଙ୍କ ଘରେ ପହଞ୍ଚିବା ବେଳକୁ ବେଳ ବୁଡିବାକୁ ବସିଲାଣି। ବଇଦେ ସେତେବେଳେ ଚିକିତ୍ସାଳୟରେ ନଥିଲେ, ଘରେ ବିଶ୍ରାମ ନେଉଥିଲେ। ଧନିରାମଙ୍କୁ ରୋଗୀ ଦେଖା ଘରେ ବସାଇଦେଇ ମୁଖିଆ କହିଲେ, ' ଭଲ ହେଲା ସେ ଘରେ ଅଛନ୍ତି। ତମେ ଦଣ୍ଡେ ଏଇଠି ବସି ଗୋଡ଼ ସଳଖି ନିଅ, ମୁଁ ଯାଇ ବଇଦଙ୍କୁ ଡାକି ଆଣୁଛି। '

 କିଛି ସମୟ ପରେ ବଇଦେ ଆସି ପହଞ୍ଚିଲା ପରେ ଧନିରାମଙ୍କର ବ୍ୟସ୍ତତା ଦେଖି କହିଲେ,' ସାହୁକାରେ, ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଖିଆ ଆଜ୍ଞା ମୋତେ ଆପଣଙ୍କ ରୋଗ ବିଷୟରେ ସମ୍ପୂର୍ଣ୍ଣ ଅବଗତ କରେଇଛନ୍ତି। ଯଦିବା ଏହା ଏକ ସାଙ୍ଘାତିକ ରୋଗ ତେବେ ମୋ ଔଷଧ ଖାଇଲେ ଆପଣଙ୍କ ସେ ରୋଗ ଦୁଇତିନି ଦିନ ଭିତରେ ଭଲ ହେଇଯିବ। ତେବେ, ରୋଗର ଲକ୍ଷଣ ବିଷୟରେ ଭଲକରି ଅନୁଧ୍ୟାନ କରିବାକୁ ପଡିବ। ତେଣୁ ଆପଣଙ୍କୁ ଆଜି ରାତିଟା ଏଇଠି ରହିବାକୁ ପଡିବ। ଭାବୁଛି, ଆପଣଙ୍କର କୌଣସି ଆପତ୍ତି ନଥିବ।'

ବଇଦଙ୍କର ଏକଥା ଶୁଣି ଧନିରାମ ଅତିରିକ୍ତ ବ୍ୟସ୍ତ ହେଇ କହିଲେ, ' ନାଇଁ ଆଜ୍ଞା, ମୁଁ ବରଂ ଆଉ ଦିନେ ଆସିବି ଆଜି ରାତିରେ ମୋର ଘରେ ରହିବା ନିହାତି ଜରୁରୀ। ଅନ୍ୟଥା ସେଇ ଚୋରମାନେ ପୁଣି ଥରେ ଆସିପାରନ୍ତି। '

  ବଇଦେ ହାଲକା ହସ ହସି କହିଲେ, ' କିଛି ନଥିବା ଘରକୁ ଚୋର ଆସି ପାଇବେ କଣ? ଆଉ ଯଦି ଆସିବେ ତ ଆସନ୍ତୁ। ବାକି କଣ ଅଛି ଯେ ଲୁଟିନେବେ ବୋଲି ଅଯଥାରେ ଡରୁଛନ୍ତି? ତେଣୁ, ଆପଣଙ୍କୁ ଆଜି ଏଠାରେ ରାତ୍ରିଯାପନ କରିବାକୁ ପଡିବ। କାଲି ସକାଳୁ ସକାଳୁ ସପ୍ତାହକ ପାଇଁ ଔଷଧ ପଥି ନେଇ ଚାଲିଯିବେ। ଦାମୀ ଔଷଧ ହେଇଥିଲେ ମଧ୍ୟ ଆପଣଙ୍କୁ ସେଥିପାଇଁ କୌଣସି ପାଉଣା ଦେବାକୁ ପଡିବନାହିଁ। '

ଏ କଥା ଶୁଣି ଧନିରାମଙ୍କର ହୋସ ଉଡିଯିବା ଭଳି ଲାଗିଲା। ତାଙ୍କ ଅଜାଣତରେ ତାଙ୍କ ମୁହଁରୁ ବାହାରି ଆସିଲା, ' ହେ ପ୍ରଭୁ, ମୁଁ କେଡ଼େବଡ଼ ଭୁଲଟାଏ କରିଦେଲି !' ତାଙ୍କ କଥା ନସରୁଣୁ ବଇଦେ ଏବଂ ମୁଖିଆ ଏକସଙ୍ଗେ ପ୍ରଶ୍ନକଲେ, ' କି ଭୁଲ କରିଦେଲେ କି ଧନିରାମ ? କିଛି ଗୋପନ ନରଖି ସମୟ ଥାଉଥାଉ ଖୋଲି କହିଦେଲେ ହୁଏତ ସମସ୍ତେ ମିଶି ସେଇ ଭୁଲର ସଂଶୋଧନ କରିଦେଇପାରିବା। ଧନିରାମ ଦେଖିଲେ, ଏବେ ଯଦି ସେ ସବୁଯାକ ସତ କଥା ନକହିଦେବେ ତେବେ ସତକୁ ସତ ତାଙ୍କର ସବୁ ଧନ ଚୋରିହେଇଯିବ ଏବଂ ସେ ଦାଣ୍ଡର ଭିକାରୀ ହେଇଯିବେ। ଅନନ୍ୟୋପାୟ ହେଇ ଧନିରାମ ଗୋଟିଗୋଟି କରି ମୂଳରୁ ଶେଷ ପର୍ଯ୍ୟନ୍ତ ସବୁଯାକ କଥା ବଖାଣି ଗଲେ ଏବଂ ନିଜର ଧୂର୍ତ୍ତତା ଓ କଞ୍ଜୁସି ପାଇଁ ହାତ ଯୋଡି କ୍ଷମା ପ୍ରାର୍ଥନା କଲେ।

 ଧନିରାମଙ୍କ ସ୍ୱୀକାରୋକ୍ତି ଶୁଣିସାରି ମୁଖିଆ କହିଲେ, 'ପ୍ରିୟ ଧନିରାମ, ତମର ଘର ଚୋରି ହେଇଯିବାର ନାଟକ ବାବଦରେ ମୁଁ ପୂର୍ବରୁ ଜାଣିଥିଲି। କେବଳ ଜାଣିବାକୁ ଚାହୁଁଥିଲି ଯେ ତମେ କାହିଁକି ଏମିତି କରୁଛ। ଦି'ଦିନିଆ ଏଇ ଜୀବନରେ ସବୁ ଥାଇ ମଧ୍ୟ କାହିଁକି ନିଜ ପ୍ରତି ଏତେ ଅବିଚାର କରୁଛ। ମୁଁ ତମର ଏ ନାଟକ ବିଷୟରେ କେମିତି ଅବଗତ ହେଲି କହୁଛି ଶୁଣ। ପହରଦିନ ରାତିରେ ବିଦ୍ୟାଧରପୁର ଗ୍ରାମରେ ଏକ ଗଣ୍ଡଗୋଳର ମୀମାଂସା କରିବାକୁ ଯାଇଥିଲି। ମୀମାଂସା ସରିଲାବେଳକୁ ସନ୍ଧ୍ୟା ହେଇଗଲାରୁ ରାତିଟା ସେଠି ରହିଯାଇ ସକାଳୁ ବହାରିଆସିବାପାଇଁ ଗ୍ରାମବାସୀଏ ଅନୁରୋଧ କରୁଥିଲେ। ମାତ୍ର, ସକାଳେ କିଛି ଜରୁରୀ ବ୍ୟକ୍ତିଗତ କାର୍ଯ୍ୟ ଥିବାରୁ ମୁଁ ସେମାନଙ୍କୁ କୌଣସିମତେ ବୁଝାଇସୁଝାଇ ଗାଆଁ ଅଭିମୁଖେ ବାହାରିପଡ଼ିଲି। ଗାଆଁ 'ରେ ପହଂଚିବା ବେଳକୁ ମଧ୍ୟରାତ୍ର ସମୟ। ଗାଆଁ ଭିତରକୁ ପଶି ତମ ଘରପାଖ ଦେଇ ଗଲା ବେଳକୁ ଜହ୍ନ ଆଲୁଅରେ ଦେଖିଲି ତମେ ରଶିରେ ବାନ୍ଧି କିଛି ପଦାର୍ଥକୁ କୂଅ ଭିତରକୁ ପକାଇଦେଇ ରଶିକୁ କୂଅ ଖୁମ୍ବରେ ବାନ୍ଧିଦେଲ ଏବଂ ଘର ଭିତରକୁ ଯାଇ ଦୁଆର କିଳିଦେଲ। ତମେ କବାଟ ବନ୍ଦ କଲାପରେ ମୁଁ ଧିରେ ଧିରେ କୂଅ ନିକଟକୁ ଗଲି। ରଶିକୁ ଟାଣି ଗଣ୍ଠିଲିରେ ବନ୍ଧାଥିବା ସୁବର୍ଣ୍ଣ ମୋହର ଓ ଅଳଙ୍କାର ଆଦିକୁ ଦେଖି ସାରିବାପରେ ଜାଣିପାରିଲି ଯେ ଏମିତି କରିବା ପଛରେ ତମର ନିଶ୍ଚେ କିଛି ଭିନ୍ନ ହୀନ ଉଦ୍ଦେଶ୍ୟ ରହିଛି। ତା'ପରେ ରଶିକୁ ପୂର୍ବବତ କୂଅ ଭିତରକୁ ଖସେଇଦେଇ ଘରକୁ ଆସି ଅଳ୍ପ ସମୟ ବିଶ୍ରାମ ନେବାପରେ ପ୍ରଭାତ ହେଇଗଲା। ସେଇ ସମୟରେ ତମର ମିଛ କାନ୍ଦ ବୋବାଳି ଶୁଣି ସେଠାରେ ପହଞ୍ଚିବା ପରେ ସବୁକଥା ବୁଝିପାରିଲି। ତମର ମିଛ ଚୋରି ଉପାଖ୍ୟାନ ଯୋଗୁଁ ମୋ ମନରେ କ୍ରୋଧ ପରିବର୍ତ୍ତେ ତମ ଉପରେ ଭୀଷଣ ଦୟାହେଲା। ଭାବିଲି, କିଛି ନଥିଲା ଲୋକମାନେ କେତେ ଆନନ୍ଦରେ ଦିନ ବିତାଉଛନ୍ତି।ଅଥଚ, ତମର ସବୁକିଛି ଥାଇ ସୁଦ୍ଧା ତମେ ଜୀବନରେ ଟିକେବୋଲି ଆନନ୍ଦ ପାଇପାରୁନାହଁ। ଏ କଞ୍ଜୁସପଣରୁ ତୁମକୁ ମୁକ୍ତ ନକଲେ ଜୀବନର ବାକିଥିବା ଦିନ ତକ ଏଇମିତି ହୀନସ୍ତାରେ ବଞ୍ଚି ଦିନେ ନା ଦିନେ ମୃତ୍ୟୁବରଣ କରିବ । ଅର୍ଥାତ, ତମର ଶ୍ରମ ଅର୍ଜିତ ଧନସମ୍ପଦରୁ କଉଡ଼ିଏ ତୁମର କିଛି କାର୍ଯ୍ୟରେ ଆସିବନାହିଁ। ସବୁ ସମ୍ପତ୍ତି ଅନ୍ୟମାନେ ଭୋଗଦଖଲ ଲରିବେ। ବେଳ ଥାଉଥାଉ ତୁମର ଆଖି ଖୋଲିଦେବା ପାଇଁ ବୈଦ୍ୟଙ୍କ ସହ ଆଲୋଚନା ଓ ବିଚାର ବିମର୍ଷ କରି ଆମେ ଦୁହେଁ ଏପରି ଯୋଜନା କରିଥିଲୁ। '

 ବଇଦେ ଏ ପର୍ଯ୍ୟନ୍ତ ଚୁପ ହେଇ ବସି ସ୍ମିତ ହସୁଥିଲେ। ଏବେ ସେ କହିଲେ, 'ମୋର ଗୋଟିଏ କଥା ମନେ ରଖିବେ ଧନିରାମ, ଥିଲାବାଲା ଲୋକମାନେ ଅର୍ଜିତ ଧନକୁ ଖର୍ଚ୍ଚ ନକଲେ ସେମାନେ ନିଜେ ଦୁଃଖ ଭୋଗ କରିବା ସଙ୍ଗେ ସଙ୍ଗେ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ମନ୍ଥର ଏବଂ ରୁଗଣ କରିଦିଅନ୍ତି। ଯାହାଦ୍ୱାରା ବଜାରରେ ମୁଦ୍ରାର କୃତ୍ରିମ ଅଭାବ ଦେଖାଦିଏ ଏବଂ ଗରିବ ତଥା ଖଟିଖିଆ ଶ୍ରେଣୀର ଲୋକମାନେ ବହୁ ପରିଶ୍ରମ କରି ମଧ୍ୟ ଖୁବ କମ ଅର୍ଥ ଆୟ କରିବା କାରଣରୁ ନାନାବିଧ ଦୁଃଖ-ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି। ସେମାନଙ୍କର ଅଭିଶାପ ଯୋଗୁଁ ସମାଜର ଧନିକବର୍ଗର ଲୋକମାନେ ବିଭିନ୍ନ ପ୍ରକାର ଯାତନା ଭୋଗ କରିଥାନ୍ତି। ତେଣୁ, ଧନ ଅର୍ଜନ କରିବା ଖରାପ ନୁହେଁ ମାତ୍ର,ଅର୍ଜିତ ଧନର ସଦୁପଯୋଗ ନକରିବା ବହୁତ ଖରାପ। '

  ଦୁଇଜଣଙ୍କ କଥା ଶୁଣିସାରିଲାବେଳକୁ ଧନିରାମଙ୍କ ଭିତରେ ରହୁଥିବା କଞ୍ଜୁସ ଆତ୍ମାର ଦେହାନ୍ତ ହେଇସାରିଥିଲା। ତାଙ୍କ ଭିତରେ ଜନ୍ମ ନେଇସାରିଥିଲା ଜଣେ ଅଭିଜ୍ଞ,ପରୋପକାରୀ ତଥା ଉଦାର ହୃଦୟ ସମ୍ପନ୍ନ ଧନିରାମ। ସେ କୃତ୍ୟକୃତ୍ୟ ହେଇ କହିଲେ, ' ଆପଣ ମାନେ ମୋର ଅନ୍ଧ ଆଖିରେ ଦିବ୍ୟ ଆଲୋକ ଭରିଦେଲେ ଆଜ୍ଞା। ଆଜିଠାରୁ ମୋର ସକଳ ସମ୍ପତ୍ତି ଜନକଲ୍ୟାଣ ମୂଳକ କାର୍ଯ୍ୟରେ ଲାଗିବ ଯେମିତିକି ମୋର ମୃତ୍ୟୁପରେ ମଧ୍ୟ ଲୋକମାନେ କହିବେ, ଧନିରାମ କଞ୍ଜୁସ ନଥିଲେ,ଲୋକପରି ଲୋକ ଜଣେ ଥିଲେ। '

 ତା'ପରେ ବଇଦେ ଉଭୟଙ୍କୁ ବିଦାୟ ଦେଉଦେଉ କହିଲେ, 'ଆଜ୍ଞା,ଆପଣ ଭଲ ଲୋକ ବୋଲି ଆପଣଙ୍କର ଭୟଙ୍କର ରୋଗଟି ବିନା ଔଷଧରେ ମାତ୍ର କେଇକ୍ଷଣ ଭିତରେ ସମ୍ପୂର୍ଣ୍ଣ ଭଲ ହେଇଗଲା। ପରମେଶ୍ୱରଙ୍କ ଆଶୀର୍ବାଦରୁ ଏବଂ ଲୋକମାନଙ୍କ ଶୁଭେଚ୍ଛାରୁ ଆପଣଙ୍କର ବାକି ଜୀବନ ମହା ଆନନ୍ଦରେ ବିତୁ। '



Rate this content
Log in