Niharika Sahu

Inspirational

3  

Niharika Sahu

Inspirational

କାନଫୁଲ

କାନଫୁଲ

3 mins
13.6K


ସକାଳୁ ସବିତା ଆସୁ ଆସୁ ଗୁଡିଏ ଗାଳି ଶୁଣେଇ ସାରିଲେଣି ଲିଲି ମଡାମ୍ । ଛୋଟ ଛୋଟ କଥାରେ ଆଜି ମେଞ୍ଚେ ମେଞ୍ଚେ ଗାଳି । ଘରକମ୍ପୁଚି କହିଲେ ଚଳେ । କାରଣ ଏୟା ନୁହେଁ ଯେ ଆଜି ତାଙ୍କ ଚାକରାଣୀ ସବିତା ଡେରିରେ ଆସିଛି କି, କିଛି ଭୂଲ କରିଛି, କାରଣଟା ଯାଇଆଉ ଗୋଟେ ଜାଗାରେ । ଆଜିର କଥା ନୁହେଁ। ବାବୁ ବାବୁଆଣିଙ୍କର ଜଦି କିଛି ଖିଟି ପିଟି ହୋଇଯାଇଥିବ, ତେବେ ସବିତା ଆସିଲେ ମେଞ୍ଚେ ଗାଳି ଖାଇବ । ଏହାକୁ ମଣିଷ ତାର ପ୍ରକୃତି କରିସାରିଛି ଯେ ଜଣଙ୍କର ରାଗ ଆଉ ଜଣଙ୍କ ଉପରେ ସୁଝାଇଲେ ମନ ଶାନ୍ତି । କିନ୍ତୁ ତାଙ୍କ ଚାକରାଣୀକୁ ସେ ଯେତିକି ଶୁଣାନ୍ତି , ସେତିକି ଶୁଣନ୍ତି । ମାନେ ସବିତା ବି କମ ନୁହେଁ, କଥାରେ ଜବାବ ନଦେଇ ରହିପାରେନା । ଏମିତିକି ସହରରେ ବାବୁ ମାନଙ୍କ ସଂଖ୍ୟା ଯେତେ ବଢ଼ିବାରେ ଲାଗିଛି,ଚାକରାଣୀଙ୍କ ଚାହିଦା ତ ବଢୁଛି , ତେବେ କଉ ଚାକିରି ମିଳୁନି ଯେ ଡ଼ରିବ । ଏମିତି ବାବୁଆଣୀ ଚାକରାଣୀ କଳି ଦିଆଦୁଇ ହୁଅନ୍ତି । ଦିନସବୁ ଏଇମିତି ଚାଲେ । ମଡାମ୍ ଙ୍କ ମୁଡ଼ ଆଜି ପୁରା ଖରାପ । କଣରେ ବସି କାନ୍ଦ କାନ୍ଦଣୀଆ ମୁଁହ କରୁଛନ୍ତି, ଟିଭି ବି ଦେଖୁନାହାନ୍ତି ,ତାଙ୍କୁ କିଛି କହିଲେ ଚିଡି ଚିଡି ହୋଇ କଥା କହୁଛନ୍ତି ,କଳି କରୁଛନ୍ତି । ଆଜି କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ସବିତା ଅନ୍ୟ ଦିନ ପରି ଜବାବ ଦଉନି, ରାଗୁନି ଯାହା କହିଲେ ଖୁସିରେ କରିଦେଉଛି ,ଗୁଣୁଗୁଣୁ ହୋଇ କଣ ଗୁଡ଼େ ଗାଉଛି, ମୁଚୁ ମୁଚୁ ହସୁଛି । ତେବେ ମଡାମ୍ ଏତେ ରଗିଛାନ୍ତି କାହିଁକି ? କଥାଟା ହେଲା "ଉପହାର" । ଅର୍ଥାତ ଗତ କାଲି ତାଙ୍କର ଜନ୍ମଦିନ ଥିଲା । ବାବୁ ତ କିଛି ଉପହାର ଦେବେନା ? ମଡାମ୍ ଙ୍କର ବରାଦ ଥିଲା ଏଥର ଗୋଟେ ହୀରାମୁଦି ଦେବେ ବୋଲି, ବାବୁ ରାଜି ବି ହୋଇଥିଲେ । ମାସେ ହେଲା ବ୍ୟବସାୟ ଆଗେଇବାକୁ ଯାଇ ପଇସା ଲଗାଇଛନ୍ତି ତ ହୀରା ମୁଦି ପାଇଁ ପଇ଼ସା କମ ପଡିଲା ତେଣୁ latest ଡ଼ିଜ଼ାଇନର କାନଫୁଲଟେ ଆଣିଦେଇଛନ୍ତି । ବାହାଘରରେ ବାପା ତାଙ୍କର ଅଜସ୍ର ଧନ ସମ୍ପତ୍ତି ଦେଇଥିଲେ ଯୋଗ୍ୟ ଜ୍ୱାଇଁପାଇଁ ହେଲେ ସ୍ତ୍ରୀ ପାଇଁ ହୀରା ମୁଦିଟିଏ ଆଣି ପାରିଲେନି, ସ୍ତ୍ରୀ କଥା ରଖିବାର ସାମର୍ଥ୍ୟ ନାହିଁ ତାଙ୍କର । ବର୍ଷକରେ ତ ଗୋଟିଏ ଜନ୍ମଦିନ ପଡୁଚି। ସେଥିରେ ପୁଣି ତାଙ୍କ ମନ ବୁଝିଲାପରି giftଟେ ଆଣି ପାରିଲେନି ।ଏମିତି କେତେ କଥା ନେଇ ବାବୁଆଣି ଅନେକ ଅପ୍ରୀତିକର କଥା ବାଢିଦେଲେ ବାବୁଙ୍କ ଆଗରେ । ପ୍ରଥମେ ତ ବାବୁ ବହୁତ ବୁଝେଇଲେ,"ତୁମପାଇଁ ବାଛି ବାଛି ଆଣିଛି ଏ କାନଫୁଲ,ଆର ଥର ନିହାତି ଆଣିଦେବି",ଇତ୍ୟାଦି ଇତ୍ୟାଦି ହେଲେ ବାବୁଆଣି କଉ ଶୁଣନ୍ତେ ? ତା ପରେ ବାବୁ ଭାରି ରାଗିଗଲେ । ସକାଳୁ କିଛି ନଖାଇ ଅଫିସ ଚୁପଚାପ ଚାଲିଗଲେ । ମଡାମ୍ ଵି ବସିଛନ୍ତି ସେମିତି ରାଗ ଗର ଗର ହୋଇ । ହୀରା ମୁଦି ଆସିଲାନି ବଡ଼ କଥା ନୁହଁ,ବଡ଼ କଥା ହେଲା ତାଙ୍କ kitty partyରେ ଅନ୍ୟ ମାନଙ୍କୁ ଜଳେଇବକୁ ବାବୁ ହୀରା ମୁଦି ଦେବେ ବୋଲି କହି ଦେଇଛନ୍ତି । ଖାଲି ସେତିକି ନୁହଁ ତାଙ୍କ ଭଉଣି ମାନଙ୍କୁ ଵି କହି ଦେଇଛନ୍ତି, ଏବେ ସମସ୍ତଙ୍କୁ କଣ କହିବେ? ସେମାନେ କଣ କମ ଦେଖେଇ କି କହିବେ,ସବୁ ଗଡ଼ବଡ଼ ହୋଇଗଲା । ହେଲେ ସବିତା ଏତେ ଖୁସି କାହିଁକି? ଦର୍ପଣରେ ମୁହଁ ଦେଖୁଛି, ଉଡୁଥିବା ଚୁଟିକୁ ବାର ବାର ନେଇ କାନ ପଛରେ ଖୋସୁଚି । ବାୟାଣୀ ! "ତୁ କଣ ପାଇଛୁ ଲୋ ଆଜି, ଖାଲି ହସୁଚୁ ମନେ ମନେ କଣ ?" ବାବୁଆଣି ପଚାରିଲେ । ସବିତା କହିଲା "ଦିଦି, ଲାଜ ଲାଗୁଚି ମ..ସେମିତି କିଛି ନାଇ "। ମଡାମ୍ ଚିଡିଗଲେ " ବେକାର ଛଇ ଦେଖାଉଛୁ କାହିଁକି ?" ଏବେ ସବିତା କହିଲା "ଦିଦି, କାଲି ମୋର ଜନ୍ମ ଦିନ ଥିଲା ଯେ ଜୁଲି ବାପା ମୋ ପାଇଁ ଏଇ କାନଫୁଲ ହଳକ ଆଣି ଦେଇଥିଲେ । କେଡେ ସୁଂଦର ହଳକ । ଫୁଲ ଵି ଆଣିଥିଲେ ମୋ ଖୋସାରେ ଖୋସିଦେଲେ ।" ଏତିକି କହି ମେଞ୍ଚାଏ ହସି ପକାଇଲା ସବିତା । "ଦେଖି ଦେଖି" କହି ମଡାମ୍ ଦେଖିଲେ ତା କାନଫୁଲ ।"ଏଇ କାନ ଫୁଲ, ଏ ତ ସୁନାର ନୁହଁ କି guaranteed ଵି ନୁହଁ, ଅତି ବେଶୀରେ 200 ଟଙ୍କା ତ ପଡିଥିବ, ତୁ ତ ଏମିତି ହସୁଛୁ ଯେମିତି ଦି' ଲକ୍ଷର କାନଫୁଲ ଆଣି ଦେଇଛି ତୋ ସ୍ୱାମୀ ।" ଏ କଥାରେ ରାଗିଗଲା ସବିତା ।" କହି ଦଉଚି ଦିଦି, ଏମିତି କହିବନି । କେତେ ସରାଗରେ ତାଙ୍କ ଝାଳବୁହା ପଇସାରୁ ଆଣିଛନ୍ତି ସେ,ତମ ପାଇଁ ଦି ଲକ୍ଷ ବଡ଼ ହୋଇଥାଉ ଏଇଟା ଦି' ଶହ କଣ ଦି' ଟଙ୍କାର ଵି ହୋଇଥିଲେ ଏତିକି ଖୁସି ହୋଇଥାନ୍ତି ମୁଁ ।" ଏତିକି କହି ଗରଗର ହୋଇ ଚାଲିଗଲା ସବିତା। ଲିଲି ମଡାମ୍ ଙ୍କ ଚେତାରେ କଥାଟା ଝାଉଁ କି ବାଜିଲା । "ଗରିବ ଲୋକଟା ଦି'ଶହ ଟଙ୍କା କାନ ଫୁଲରେ କେତେ ଖୁସି ହୋଇ ପାରୁଛି ହେଲେ ମୁଁ ଲକ୍ଷେ ଟଙ୍କାର କାନଫୁଲ ପାଇ ଖୁସି ହେବା ଦୂରର କଥା, ଦଶ ପଦ ଶୁଣେଇଛି ସ୍ୱାମୀଙ୍କୁ ଯାହା ମନ ତାହା କହି । ଏତେ ସମୟ ସମସ୍ୟାର ସମାଧାନ କେତେ ସହଜରେ ସବିତା ଠାରୁ ପାଇଗଲି ।" ରୁମକୁ ଯାଇ ରାଗି ଫୋପାଡ଼ି ଦେଇଥିବା କାନ ଫୁଲକୁ ଆଣି ଦେଖିଲେ । ରାଗରେ କଣ ଆଗରୁ ଦେଖିଥିଲେ ? ଆରେ ବାଃ, ଭାରି ସୁନ୍ଦର ତ ! Partyରେ ପିନ୍ଧିକି ଗଲେ ସବୁ ଚାହିଁ ରହିବେ । ଏମିତି କାନଫୁଲ ସେ ଏଯାଏ ଦେଖିନଥିଲେ ।"ସତରେ କେତେ ଖୋଜି ଖୋଜି ଆଣିଥିବେ ଇୟେ । ମୁଁ ଜିନିଷ ଦେଖୁଥିଲି, ତା ଭିତରର ସରାଗ, ଭଲପାଇବାକୁ ଜମା ଦେଖୁନଥିଲି...." ଏମିତି କେତେ କଣ ଭାବି ଭାଵି ନିଜ ଭାବନାର କଳା ଦାଗ ଧୋଇ ଚାଲୁଥାନ୍ତି ଲିଲି ମଡାମ୍ ।

ନିହାରିକା ସାହହୁ


Rate this content
Log in

Similar oriya story from Inspirational