STORYMIRROR

Manoja Behera

Abstract Classics Inspirational

3  

Manoja Behera

Abstract Classics Inspirational

କାମିକା ଏକାଦଶୀ ବ୍ରତ: ପାପରୁ ମୁକ୍ତି ଓ ବୈକୁଣ୍ଠ ପ୍ରାପ୍ତ

କାମିକା ଏକାଦଶୀ ବ୍ରତ: ପାପରୁ ମୁକ୍ତି ଓ ବୈକୁଣ୍ଠ ପ୍ରାପ୍ତ

2 mins
393

ଦ୍ୱାପର ଯୁଗର କଥା, ଏକଦା ଧର୍ମରାଜ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, “ହେ ମାଧବ! ଶ୍ରାବଣ ମାସର କୃଷ୍ଣ ପକ୍ଷର ଏକାଦଶୀର ନାମ କ’ଣ? ଏହାର ମହିମା କ’ଣ? ଏହି ଦିନ କେଉଁ ଦେବତାଙ୍କ ପୂଜା କରାଯାଏ?”

ଶ୍ରୀକୃଷ୍ଣ କହିଲେ, “ହେ ଧର୍ମରାଜ! ଏହି ଏକାଦଶୀର ନାମ କାମିକା ଏକାଦଶୀ। ଏହା ସମସ୍ତ ପାପକୁ ନାଶ କରି ଭକ୍ତଙ୍କୁ ଭଗବାନ ବିଷ୍ଣୁଙ୍କ କୃପା ଏବଂ ବୈକୁଣ୍ଠ ପ୍ରାପ୍ତିର ପଥ ପ୍ରଶସ୍ତ କରେ।”

ଏହାର ମହିମା ବର୍ଣ୍ଣନା କରି ଶ୍ରୀକୃଷ୍ଣ ଏକ ପ୍ରାଚୀନ କାହାଣୀ କହିଲେ।

ପୂର୍ବକାଳରେ ଜଣେ ବ୍ରାହ୍ମଣ ଅଜାଣତରେ ଏକ ମହାପାପର ଭାଗୀ ହୋଇଥିଲେ। ସେହି ପାପର ଅନୁତାପରେ ସେ ସଦା ଦୁଃଖୀ ରହୁଥିଲେ। ପାପମୁକ୍ତି ପାଇଁ ସେ ଅନେକ ତୀର୍ଥଯାତ୍ରା କଲେ, ଯଜ୍ଞ ଓ ଦାନ କଲେ, କିନ୍ତୁ ମନରେ ଶାନ୍ତି ପାଇଲେ ନାହିଁ।

ଶେଷରେ ସେ ଜଣେ ମହର୍ଷିଙ୍କ ଶରଣାପନ୍ନ ହେଲେ। ମହର୍ଷି କହିଲେ, “ହେ ବିପ୍ର! ଶ୍ରାବଣ ମାସର କୃଷ୍ଣ ପକ୍ଷର କାମିକା ଏକାଦଶୀ ବ୍ରତ ନିଷ୍ଠା ଓ ଭକ୍ତିର ସହିତ ପାଳନ କର। ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ତୁଳସୀ ପତ୍ର ଅର୍ପଣ କର, ସାରାଦିନ ଉପବାସ ରଖ ଏବଂ ରାତିରେ ଭଜନ-କୀର୍ତ୍ତନ କରି ଜାଗରଣ କର।”

ବ୍ରାହ୍ମଣ ମହର୍ଷିଙ୍କ ଉପଦେଶ ଅନୁସାରେ ସମ୍ପୂର୍ଣ୍ଣ ନିଷ୍ଠାର ସହ ବ୍ରତ ପାଳନ କଲେ। କାମିକା ଏକାଦଶୀର ପବିତ୍ର ପ୍ରଭାବରେ ତାଙ୍କର ସମସ୍ତ ପାପ ନଷ୍ଟ ହୋଇଗଲା। ଶେଷରେ ସେ ଦିବ୍ୟ ବିମାନରେ ଆରୋହଣ କରି ବୈକୁଣ୍ଠଧାମକୁ ଗମନ କଲେ।

ତା’ପରେ ଶ୍ରୀକୃଷ୍ଣ କହିଲେ, “ହେ ଯୁଧିଷ୍ଠିର! ଯେଉଁ ବ୍ୟକ୍ତି କାମିକା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରେ, ସେ ହଜାର ଗାଈ ଦାନର ସମାନ ପୁଣ୍ୟ ଲାଭ କରେ। ଯେ ଏହି ଦିନ ବ୍ରତ ପାଳନ କରି ଭଗବାନଙ୍କ ନାମ ଜପ କରେ, ତାଙ୍କର ପିତୃପୁରୁଷମାନେ ମଧ୍ୟ ଉତ୍ତମ ଗତି ପ୍ରାପ୍ତ କରନ୍ତି।”

ତେଣୁ କାମିକା ଏକାଦଶୀ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଆରାଧନା, ପାପକ୍ଷୟ, ଆତ୍ମଶୁଦ୍ଧି ଓ ଭକ୍ତିଭାବ ବୃଦ୍ଧିର ଏକ ପବିତ୍ର ଓ ମହାପୁଣ୍ୟମୟ ଦିବସ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି।

- ମନୋଜ କୁମାର ବେହେରା -


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract