ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଲେଖା ଦିଲ୍ଲୀ ଫେରିଯାଇଥିଲେ. ସେଠି ତାଙ୍କର ମନ ଲାଗୁନଥିଲା କିନ୍ତୁ ସ୍ୱାମୀ ଅଖିଳେଶ ବୁଝେଇଥିଲେ ଧାନକ୍ଷେତ, ଜମିରେ ଢେଉ ଉଠୁଥିବା ଫସଲ,ମାଟିମଟାଳ ମଣିଷ ବ୍ୟତିରେକେ ଅନେକ ପ୍ଲଟ ଅଛି ଲେଖା. ମୋ ସାଙ୍ଗରେ ଦିଲ୍ଲୀର ଏହି ଜିବି ରୋଡ଼ରେ ରହିଯାଅ କିଛି ଦିନ ତୁମ ଗଳ୍ପ, କବିତା ଲେଖିବା ପାଇଁ ଅନେକ ପ୍ଲଟ ପାଇଯିବ. ଲେଖା ଅବିଶ୍ୱାସ ଆଖି ନେଇ କହୁଥିଲେ ତୁମେ ଜଣେ ପୋଲିସ ଅଫିସର ହୋଇ ଏଠି? ଆରେ ଏଠି ମୋର ପରିଚୟ ପୋଲିସ ଅଫିସର ନୁହେଁ ବରଂ ମୋର ଏଠି ପରିଚୟ ଅନ୍ୟ ରକମ. ତା ପରେ ପରେ ଲେଖାଙ୍କ ସ୍ୱାମୀଙ୍କ ପାଖକୁ ଫୋନ ଆସୁଥିଲା ଗୋଟିଏ ନମ୍ବରରୁ ବାରମ୍ବାର. ଆଶ୍ଚର୍ଯ୍ୟ ଅଭିଭୂତ ରେଖାଙ୍କର ସ୍ୱାମୀଙ୍କ ପ୍ରତି ସନ୍ଦେହ ବଢୁଥିଲା. ସ୍ୱାମୀଙ୍କ ନମ୍ବରକୁ ଆସୁଥିବା ନମ୍ବରକୁ ଟ୍ୟାପ କରି ଲେଖା ଜାଣିବାକୁ ପାଇଲେ କେହି ଜଣେ ଦଲାଲ ଝିଅ ବିକିବାକୁ ଚାହୁଁଛି. ଝିଅ ତ ନୁହେଁ ବରଂ ଗାଁରୁ ଭୁଲାଇ ଆଣିଥିବା କୌଣସି କିଶୋରୀକୁ ଭୁଲାଇ ଆଣି ମିଛ ବିବାହ କରିସାରିବା ପରେ ତିନିଲକ୍ଷ ଟଙ୍କାରେ ପୁଣି ବିକିଦେବାକୁ ଚାହୁଁଛି. ବ୍ୟସ୍ତ ବିବ୍ରତ ଲେଖା ପ୍ରଥମେ ସ୍ୱାମୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ କିନ୍ତୁ ସେ ସେହି ଦଲାଲମାନଙ୍କୁ ଧରିବାକୁ ଆସିଛନ୍ତି ଜାଣି ତାଙ୍କର ଏକ ଉପନ୍ୟାସ ପାଇଁ ପ୍ଲଟ ଗୋଟାଇବାକୁ ଯାଇ ଚୁପ ହୋଇଗଲେ.ପଚାରି ବସିଲେ ଝିଅଟିର କଥା. ଝିଅଟି ଏସବୁ ବିଷୟରେ ଅନଭିଜ୍ଞା ଥିଲା.
ଗାଁ କିଶୋରୀ ମନରେ ଛନ୍ଦ କପଟ ନଥାଏ. ଥିଲେ ସେ ଆଦିତ୍ୟକୁ ବିଶ୍ୱାସ କରି ଘରୁ ଗୋଡ଼ କାଢିନଥାନ୍ତା. ଆଜି ତାକୁ ବୁଲିବାକୁ ଯିବା କହି ବିକ୍ରି କରିବାକୁ ଆଣୁଥିବା ସ୍ୱାମୀ ଆଦିତ୍ୟ ଓ ସ୍ୱାମୀର ବନ୍ଧୁ ଦୀନେଶକୁ ତାର ଅବିଶ୍ୱାସ କରିବାର କିଛି ନଥିଲା. ନିର୍ଦ୍ଦିଷ୍ଟ ଦିନ ସ୍ତ୍ରୀକୁ ବିକିଦେବା ପାଇଁ ଭୁଲାଇ ଆଣି ହାଜର ହେଲା ଅଖିଳେଶଙ୍କ ପାଖରେ. ଆଗରୁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ଥିଲେ ପୋଲିସ ଅଫିସର ଅଖିଳେଶ ତ ଧରା ପଡିଲେ ଆଦିତ୍ୟ ଓ ଦୀନେଶ. ଖାଲି ସେହି ଦୁଇଜଣ ନୁହଁନ୍ତି ଅନେକ ଦଲାଲ ଧରା ହୋଇ ଜେଲ ଯିବା ପରେ ଲେଖା ସେଠାରେ ଦାମକୁ ଦେଖି ଚମକି ପଡିଲେ. ଝିଅଟି ଦାମର ଝିଅହିଁ ଥିଲା. ଦାମ କାନ୍ଦୁଥିଲା ଭୋ ଭୋ. ଝିଅ ଫୁଲ କିଛି କିଛି ବୁଝିପାରୁଥିଲେ ବି ଅନେକ ଅବୁଝା ଆଖିରେ ଚାହୁଁଥିଲା. ଲେଖାଙ୍କର ମନେ ପଡୁଥିଲା ତାଙ୍କ ବାନ୍ଧବୀ ସଳିତାଙ୍କ ଘର ଗାଁରେ ଦାମ ବିଲରେ କାମ କରୁଥିବା ବେଳେ ଅନେକ ଥର ମାତୃହୀନା ଝିଅଟି ବାପା ପାଇଁ ଭାତ ଧରି ବିଲକୁ ନେଇଆସିବା ଦୃଶ୍ୟ. ଖାଲି ସେତିକି ନୁହେଁ ବାପା ନିଜ ଜମିରେ ହଳ କରୁଥିଲା ବେଳେ ଝିଅଟି ପିତା ଓ ମଦରଙ୍ଗା ଶାଗ ତୋଳୁଥାଏ ହିଡ଼ରୁ. ସେହି ସବୁ ଦୃଶ୍ୟକୁ ଲେଖା ଯେବେ ଫଟୋରେ ତୋଳି ନେଉଥିଲା ବେଳେ ଦାମ କହେ ମାଆ ମୋ ଝିଅକୁ ସହରରେ ତୁମ ପରି ବାବୁଆଣି କରିବାକୁ ଖୁବ ଇଛା ଯେ ପାଠ ତ ଦି ଅକ୍ଷର ପଢିଲାନି. ନବମ ଶ୍ରେଣୀରୁ ପାଠ ଛାଡି ଝିଅ ଯେ ଗାଁ ପୁଅ ଆଦିତ୍ୟର ପ୍ରେମ ଜାଲରେ ପଡିଛି ଏକଥା ଜାଣିବା ବୁଝିବା ପୂର୍ବରୁ ଆଦିତ୍ୟର ମିଠା ମିଠା କଥାରେ ଫୁଲ ସିନା ଛାଡିଦେଲା ବାପା ପରି ସରଳ ଚାଷୀ ମଣିଷଟାକୁ ଆଉ ତା ସହିତ ବିଲରେ ଲହଡି ଭାଙ୍ଗୁଥିବା ସୁନାକ୍ଷେତର ଦୃଶ୍ୟକୁ କିନ୍ତୁ ଏବେବି ଫୁଲ ଭାବୁନଥିଲା ସେ ଫସି ଯାଇଛି. ବିଶ୍ୱାସ କରୁନଥିଲା ତା ସ୍ୱାମୀ ହୋଇ ତିନିମାସ ରହିଥିବା ଆଦିତ୍ୟ ତାକୁ ତିନିଲକ୍ଷରେ ବିକି ଧୋକା ଦେଇଛି ବରଂ ଅଖିଳେଶ ବାବୁ ଓ ଲେଖା ମାଆଙ୍କ ଗୋଡ଼ତଳେ ପଡି କାକୁତି ମିନତି କରୁଥିଲା ସ୍ୱାମୀଙ୍କୁ ତାର ଜେଲରୁ ଖଲାସ କରିବାକୁ.ଦାମ ମଧ୍ୟ ଗୋଡ଼ ଧରୁଛି ବାବୁ ମାଆଙ୍କର. ଝିଅର ସାତଖୁଣ ଭୁଲକୁ ମାଫ କରି ଝିଅ ସେହି ଦୋଷୀର ସ୍ତ୍ରୀ ହୋଇ ରହିବାକୁ ଅନୁନୟ ବିନୟ ହୋଇ ହାତ ଯୋଡୁଛି. ଏଇତ ସରଳ ଗାଁ ମଣିଷର ଭୋକର ନିଆରା ପଣ.
କୋର୍ଟକୁ ଯିବା ପୂର୍ବରୁ ଓକିଲ ପରାମର୍ଶ କଲେ ଅଖିଳେଶ ଓ ଲେଖା. ବାପା ଦାମ ଓ ଝିଅ ଫୁଲ ରାଜି. ଆଦିତ୍ୟ ଯଦି ତାର ଭୁଲ ସ୍ୱୀକାର କରି ଫୁଲକୁ ପୁଣି ସ୍ତ୍ରୀ ରୂପେ ଗ୍ରହଣ କରେ ତେବେ ଫୁଲ ହିଁ ସାକ୍ଷୀ ପଡି ସତ୍ୟକୁ ମିଥ୍ୟାରେ ପରିଣତ କରିବ. ଏ କେଶ ଜିତିଥିଲେ ଅଖିଳେଶଙ୍କର ପ୍ରମୋଶନ ହୋଇଥାଆନ୍ତା. ଆଜିପର୍ଯ୍ୟନ୍ତ ତାଙ୍କ ଗୁଣ ଗାରିମା ପ୍ରକାଶ କରି ଖବର କାଗଜର ଶିରୋନାମାକୁ ଭୁଲ ପ୍ରମାଣିତ କରି ଫୁଲ ସାକ୍ଷୀ ଦେଲା ମୋ ସ୍ୱାମୀ ମତେ ବୁଲେଇ ଆଣିଥିଲେ ଅଖିଳେଶ ବାବୁଙ୍କ ଘରକୁ. ଲେଖା ମଧ୍ୟ ସ୍ୱୀକାର କଲେ କାଠଗଡା଼ରେ. ଜେଲରୁ ମୁକୁଳି ଆଉଥରେ କୋର୍ଟରେ ବିବାହ କଲାବେଳେ ଦାମ ନୁହେଁ ବରଂ ଅଖିଳେଶ ହିଁ ପିତା ଓ ଲେଖାଙ୍କୁ ମାତା ରୂପେ ଦସ୍ତଖତ ଦେବାକୁ ପଡିଥିଲା. ଓକିଲ ମୋହରିରଙ୍କ ଉପସ୍ଥିତିରେ ସେହିଅନୁଯାୟୀ ଦଲିଲ ପ୍ରସ୍ତୁତ ହୋଇଥିଲା. ଗାଁ ରୁ ସଳିତା ଫୋନ କରି କହୁଥିଲେ ତୁ ଶେଷରେ ଜିତିଗଲୁ ଲେଖା. ଲେଖାଙ୍କ ଉତ୍ତର ଥିଲା ଗାଁର ସେହି ଦୋଳାୟିତ ଫସଲର ଢେଉରେ ପରା ଏ ବାପ ଝିଅଙ୍କ ଦସ୍ତଖତ . ସେଇଥିପାଇଁ ବିଭୋର ମନ ମୋର ମତେ ଏମିତି କରିବାକୁ ବାଧ୍ୟ କଲା. ତୋ ସାହିତ୍ୟିକ ଭାବନାର ଭାଷା ତତେ ବୁଝାପଡୁଥିବ ମତେ ନୁହେଁ କହି ସଳିତା ଫୋନ ରଖିଥିଲେ . ଦାମ କିନ୍ତୁ ବୁଝିସାରିଥିଲା ଲେଖା ମାଆଙ୍କ ଉଦାର ମନ ଯୋଗୁଁ ଅଖିଳେଶବାବୁ ନିଜ ପ୍ରମୋସନ ଭୁଲି ଏସବୁ କରିବାକୁ ସମର୍ଥ ହେଲେ.ଫୁଲ କହୁଥିଲା ସ୍ୱାମୀଙ୍କୁ ଫେରିପାଇବା ସହ ନିଜ ପିତାଙ୍କ ସହ ଆଉ ଦୁଇ ପିତା ମାତା ପାଇଥିବାରୁ ସେ ଏ ବର୍ଷ ରଥ ଯାତ୍ରାରେ ନିଶ୍ଚୟ ରଥ ଦଉଡି ଭିଡି ଗୁଣ୍ଡିଚା ମନ୍ଦିର ଯିବ.ସମସ୍ତେ କହୁଥିଲେ ଜୟ ଜଗନ୍ନାଥ.
,
