STORYMIRROR

Manoj Pattnaik

Horror

4  

Manoj Pattnaik

Horror

ଜୁରିଆ ନନାର ଅନୁଭୂତି - ୧

ଜୁରିଆ ନନାର ଅନୁଭୂତି - ୧

4 mins
249


ସତ୍ୟ ଯୁଗର ହରିଶ୍ଚନ୍ଦ୍ରଙ୍କ ବିଷୟ ଆମେମାନେ ସମସ୍ତେ ଶୁଣିଛନ୍ତି କିନ୍ତୁ, ଆମ ଗାଁ ର ହରିଶ୍ଚନ୍ଦ୍ର ଯିଏ କି ଶହେ ଦେଢ଼ ଶହ ହେବ ଶବ ପୋଡ଼ି ସାରିଛନ୍ତି, ସେ ହେଲେ ଜୁରିଆ ନନା । ଗ୍ରାମରେ ଯିଏ ବି ମରୁ ନା କାହିଁକି ତାଙ୍କ କର୍ତ୍ତବ୍ୟ ଭାବି ମଶାଣିରେ ଶବ ଦାହ କରନ୍ତି ଜୁରିଆ ନନା । ତାଙ୍କର ଏହି ମହତ ଓ ସାହସିକତା ବିଷୟରେ ଦିନେ ଗ୍ରାମର ପିଲାମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ବସିଲେ। ଜୁରିଆ ନନା ସବୁ ଉତ୍ତର ଦେବା ସହ ତାଙ୍କର ଏକ ଭିନ୍ନ ଅନୁଭୂତିକୁ ବଖାଣିଲେ ।


    ସେଦିନ ଅମାବାସ୍ୟା ଥିଲା, ରାତି ଗ୍ରାମରେ ଜଣେ ଗର୍ଭବତୀ ସ୍ତ୍ରୀ ଲୋକ ମରିଗଲା । ସବୁ ଲୋକମାନଙ୍କ ସହିତ ମୁଁ ମଧ୍ୟ ମଶାଣିକୁ ଗଲି ।ହେଲେ ଗର୍ଭବତୀ ସ୍ତ୍ରୀ ଲୋକ ମଲେ ତା ପେଟ ଚିରି ପିଲାକୁ କାଢି ଓ ଦୁହିଁଙ୍କୁ ଅଲଗା କରି ଯଥାବିଧି ଶବ ସଂସ୍କାର କରିବାକୁ ହୁଏ । ତେଣୁ ମଶାଣି ପାଖ ଜଙ୍ଗଲର ଏକ ନିଛାଟିଆ ଯାଗା ଦେଖି ଶବ ସଂସ୍କାର ହେଲା । ଗ୍ରାମୀଣ ନିୟମ ଅନୁଯାୟୀ ସେମାନଙ୍କ ବିଧି ପୁଣି ଅଲଗା । ଯାହାହେଉ ମୁଁ କିଛି ଲୋକଙ୍କ ଉପସ୍ଥିତିରେ ସେ କାମ ସାରି ସେଦିନ ଗ୍ରାମକୁ ଫେରି ଆସିଲି । 


   ଆଉ କିଛି ଦିନପରେ ଗ୍ରାମରେ ଅନ୍ୟ ଏକ ଲୋକ ମରିଗଲା ।ତାକୁ ନେଇ ଗ୍ରାମବାସୀ ମାନଙ୍କ ସହ ମିଶି ମୁଁ ମଶାଣି ଅଭିମୁଖେ ଚାଲିଲି ।ହେଲେ, ସେଦିନ ବର୍ଷା ହେଉଥିଲା ଓ ରାତ୍ରିର ଅମା ଅନ୍ଧାର ମଧ୍ୟରେ ବିଲୁଆ ଏବଂ କୁକୁର ମାନେ ଭୁକି ଉଠୁଥିଲେ । ନିଶା ଗର୍ଜୁ ଥିଲା ଯେ ମୁହଁକୁ ମୁହଁ ଦିଶୁନଥିଲା । ସମସ୍ତଙ୍କ ମନରେ ଭୟ ଜାତ ହେଉଥିଲା । ସେହି ପରିପ୍ରେକ୍ଷୀରେ ମଶାଣିରେ ମଧ୍ୟ ଶବ ଦାହ କରିବା କଷ୍ଟ ସାଧ୍ୟ ହେଉଥିଲା । କେବଳ ମୋ ଭରସାରେ ଲୋକେ ମଶାଣିକୁ ମୁହାଁଇ ଥିଲେ ଓ ତାହା ହିଁ ହେଲା । ସମସ୍ତେ ମଶାଣିରେ ପହଞ୍ଚି ଶବକୁ ଦାହ କରିବା ପାଇଁ କାଠ ବିଛାଉ ଥିଲେ ସତ କିନ୍ତୁ ଅନ୍ଧାର ମଧ୍ୟରେ ବିଜୁଳି ଘଡ଼ଘଡ଼ି ଶବ୍ଦରେ କମ୍ପି ଉଠୁଥିଲେ । ଯାହାହେଉ ଶବକୁ ଦାହ ପାଇଁ ଯୋଗାଡିଲେ ଓ ମୁଖାଗ୍ନି ଦେଲା ପରେ କିରୋସିନି, ଲୁଣ ଇତ୍ୟାଦି ଦେଇ ମୋ ସହିତ ଅନ୍ୟ ଜଣେ ସହଯୋଗୀ କୁ ଛାଡ଼ି ଅନ୍ୟମାନେ ଗ୍ରାମକୁ ଫେରିଗଲେ। ସମସ୍ତଙ୍କ ମନରେ ଭୟ ଥିଲା ସତ କିନ୍ତୁ କିଏ କାହାକୁ କହି ପାରୁନଥିଲେ । ମଶାଣିରେ ଶବ ଦାହ ଚାଲିଛି ମୋର ଧ୍ୟାନ ଶବ ଆଡେ ଥାଏ । କାହିଁକି ନା ଶବ କେତେବେଳେ ହାତ ଟେକୁଛି ତ କେତେବେଳେ ଗୋଡ଼ । ଆଉ ବେଳେବେଳେ ଅଣ୍ଟାରୁ ଭାଙ୍ଗି ଯାଇ ବସିଲା ଭଳି ଦିଶୁଥାଏ। ଏଗୁଡ଼ିକୁ ଦେଖି ଲୁଣ ମାରି ବାଉଁଶରେ ବାଡେଇ ମୁଁ ଠିକ୍ କରୁଥାଏ । ଠିକ୍ ସେତେବେଳେ ମୋର ଧ୍ୟାନ ଭଙ୍ଗ କରି କିଏ ଜଣେ ବାପା ବାପା ବୋଲି ଡାକ ଦେଲା । ପାଖରେ ଥିବା ସହଯୋଗୀ ଅନାଇ ଦେଖିଲା ମଶାଣି ନିକଟ ବଣରେ ଯେଉଁ ଗର୍ଭବତୀ ମହିଳାର ଶବ ସଂସ୍କାର କରାଯାଇଥିଲା ସେ ବଣ ଆଡୁ ଡାକ ଆସୁଛି ଓ ଏକ ଭୟଙ୍କର ନିଆଁ ତା ମଧ୍ୟରେ ଜଳୁଛି । ସଙ୍ଗେ ସଙ୍ଗେ ଭୟଭୀତ ହୋଇ ସହଯୋଗୀ ମୋ ନିକଟକୁ ଚାଲି ଆସିଲା ଓ କହିଲା ଭାଇ ଦେଖିଲୁ ସେଠି କଣ ଏମିତି ନିଆଁ ଜଳୁଛି ଆଉ କିଏ ବସିକି ବାପା ବାପା ଡାକୁଛି। ମୁଁ ତାହା ଦେଖି ବୁଝିଗଲି ଓ ତାକୁ କହିଲି ତୁ ଡରିଗଲୁ କି, ତୁ ଡର ନା । କିଛି ହେବନି ସିଏ ଆମକୁ ଡରାଉଛି । ସେଇ ଦିଗକୁ ଅନାଇ ପଚାରିଲି କଣ ହେଲା ତୋର, କାହିଁକି ଡାକୁଛୁ ? ତା ଉତ୍ତରରେ ସେ କହିଲା ତେଲ ଟିକେ ଦେ ପିଲାକୁ ସେକିବି। ମୁଁ ପ୍ରତି ଉତ୍ତରରେ କହିଲି - ଚୋପା ପିଲା, ପିଲା ଫିଲା କିଛି ନାହିଁ । ତୁ ପିଲା ଲୋଭ ଛାଡ଼ି ତୋ ରାସ୍ତାରେ ଯା । ଆମକୁ ହଇରାଣ କରନା । ସେ ପିଲା ସେକା ଡାହାଣୀ ଅଭିମାନ କରି କହିଲା, ତେଲ ଦେଲେ ଛାଡ଼ିବି ନଚେତ୍ କାହାକୁ ଛାଡିବିନି।


    ତାର ଏକଥା ଶୁଣି ଦୁଇ ଜଣ ଯାକ ଭୟଭୀତ ହୋଇ କହିଲୁ ଆମ ପାଖରେ ତେଲ ନାହିଁ କି କିଛି ନାହିଁ। ତୁ ଯିବୁ ନା ଦେଖିବୁ । ଏହା କହି ମୁଁ ଆଉ ମୋ ସହଯୋଗୀ ତା ଆଡକୁ ମୁହାଁଇଲୁ । ଶବ ତ ଅଧାରୁ ଅଧିକ ପୋଡ଼ି ଯାଇଥାଏ ତେଣୁ ଆଉ ଭୟ ନଥାଏ । କେବଳ ଲୁଣ ମାରି ଆଉ ଟିକେ ବାଉଁଶରେ ବାଡେଇ ଶବକୁ ଛାଡ଼ି, ପିଲା ସେକା ଡାହାଣୀ ଆଡ଼କୁ ଚାଲିଲୁ । 


    ଏତେ ଦିନ ଶବ ପୋଡା ମଧ୍ୟରେ ଏମିତି ଘଟଣା ମୋ ପାଇଁ ନୂଆଁ ଥିଲା । ତଥାପି ମନରେ ଦମ୍ଭ ଧରି ମୁଁ ତା ପାଖକୁ ଗଲି ଓ ସହଯୋଗୀକୁ କହିଲି, ଗ୍ରାମକୁ ଯାଇ ଧଳା ସୋରିଷ ଓ ରାଶି ତେଲ ଟିକେ ଆଣିକି ତୁ ଆସେ। ସହଯୋଗୀଟି ଡରି ଡରି ଅନ୍ଧାରରେ ଗ୍ରାମକୁ ଗଲା । ବିଜୁଳି ଗର୍ଜୁ ଥାଇ, ଝିପି ଝିପି ବର୍ଷାରେ ସେ ଡାହାଣୀ କେମିତି ତା ନିଆଁ ଜଳାଇ ଥାଏ ତାକୁ ଜଣା ।କିନ୍ତୁ, ତାର ଭୟଭୀତ ଚେହେରା ଓ ବାଳ ମୁକୁଳା ମୁହଁକୁ ବଡ଼ ବଡ଼ ଆଖିର ତେଜ ଦେଖାଇ ମତେ ଯେଉଁ ତେଲ ମାଗୁଥାଏ ସେଥିରେ ମନର ସବୁ ଦମ୍ଭ ପାଣି ଫାଟି ଯାଉଥାଏ । ତଥାପି ମୁଁ ଜଗି ବସିଥାଏ ଧଳା ସୋରିଷ ଆସିଲେ ଟିକେ ମନ୍ତୁରାଇ ପକାଇ ଦେଲେ ଯାଇ ସେ ମୋତେ ଛାଡ଼ିବ, ନହେଲେ ମୁଁ ଘରକୁ ଯାଇ ପାରିବି ନାହିଁ ।

    ସେହି ଅନ୍ଧାରରେ ତାର ଭୟଙ୍କର ମୁହଁ ଦେଖି ଦେଖି ମୁଁ ସେଠାରେ ବସିଥାଏ । କେତେ ସମୟ ପରେ ମୋ ସହଯୋଗୀ ଭୟଭୀତ ଅବସ୍ଥାରେ ଧଳା ସୋରିଷ ଓ ତେଲ ଆଣି ସେଠାରେ ପହଞ୍ଚିଲା । ପ୍ରଥମେ ତେଲ ନେଇ ଡାହାଣୀ ତା ପିଲାକୁ ତେଲ ମାରି ଗୋଡ଼ ଆଡୁ ଧରି ନିଆଁରେ ସେକୁଥାଏ । ମୁଁ ସେ ସୁଯୋଗ ଦେଖି ଧଳା ସୋରିଷ ଟିକେ ମନ୍ତୁରାଇ ତା ଉପରକୁ ଛାଟି ଦେଲି ଯେତେ ବେଳେ, ଡାହାଣୀ ରାଗିଯାଇ କ୍ରୋଧରେ ମୋ ଆଡ଼କୁ ମାଡ଼ି ଆସିଲା । କିନ୍ତୁ, ମୁଁ ବନ୍ଧନ କରିଥିବା ଜାଗା ମଧ୍ୟକୁ ସିଏ ପଶି ପାରି ନଥିଲା । ଗୋଟିଏ ଭୟଙ୍କର ଗର୍ଜନ କରି ଫେରିଗଲା ଓ ଦେଖିଦେବି କହି ପିଲାଟାକୁ ଧରି ସେଠାରୁ ଚାଲିଗଲା ପୂର୍ବରୁ ମୁଁ ସୋରିଷ ମନ୍ତୁରାଇ ଆଉ ଥରେ ତା ଉପରକୁ ଫିଙ୍ଗିଦେଲି । ସେଇ ସୋରିଷ ତା ଦେହରେ ପଡ଼ିବା ଆଗରୁ ସଙ୍ଗେ ସଙ୍ଗେ ଡାହାଣୀ ତା ପିଲାକୁ ଧରି ନିଆଁ ହୁଳା ଗଲା ଭଳି ଉପରକୁ ଯାଇ ଉଲକା ପିଣ୍ଡ ସଦୃଶ୍ୟ ମୋ ଆଗରୁ କୁଆଡେ ଚାଲିଗଲା। ସେତେବେଳେ ପାଖରେ ଥିବା ଗୋଟେ ପୁରୁଣା ବଡ ଗଛ ହୁ ହୁ ଜଳି ଉଠିଲା । ଏ ସବୁ ଦେଖି ମନରେ ବହୁତ ଭୟ ଜାତ ହେଉଥିଲା ସତ କିନ୍ତୁ, ନିରୁପାୟ ହୋଇ ଅଣ୍ଟା ବଳ କୁ ଆଶ୍ରୟ କରି ସବୁ କିଛି ଆପଣାଇ ନେଲି । ସେତେବେଳେ ଜୀବନ ବଞ୍ଚାଇବା ପାଇଁ ଅନ୍ୟ କିଛି ବିକଳ୍ପ ପନ୍ଥା ନଥିଲା । ଯା'ହେଉ, ସେ ଦିନ ଜୀବନ ବଞ୍ଚାଇ ଘରକୁ ଫେରିଥିଲୁ । ସେଦିନର ଅନୁଭୂତି ଓ ଭୟର ଏକ ଲୋମ ଟାଙ୍କୁରା ପରିସ୍ଥିତି କୁ ତୁମ ନିକଟରେ ପ୍ରକାଶ କରିବାକୁ କୁଣ୍ଠିତ ହେଲେ ମଧ୍ୟ ତୁମ ମାନଙ୍କର ଆଗ୍ରହ ଦେଖି ମୁଁ ଆଜି ଏସବୁ କହିଲି।


    ପିଲାମାନେ ତୁମେ ଜାଣି ରଖ ଯେ, ମଣିଷ ଯେପରି ଦିନରେ ଯାତାୟାତ କରି ରାତ୍ରୀରେ ଶୁଏ, ସେଭଳି ଅଶରିରୀ ମାନେ ରାତିରେ ଯାତାୟାତ କରିଥାନ୍ତି । ତାକୁ ବିଜ୍ଞାନ ମାନୁ ନମାନୁ ପ୍ରତ୍ୟେକ ଘଟଣାର କିଛି ନା କିଛି ସତ୍ୟାସତ୍ୟ ନିଶ୍ଚିନ୍ତ ଅଛି । ତାକୁ ତୁମେ ଜାଣିବା ଲକ୍ଷ୍ୟରେ ନିଜ ଜୀବନକୁ ବିପଦ ଆଡକୁ ଅଗ୍ରସର କରାଇବା ଏକ ମୂର୍ଖାମିର ପରିଚୟ ଅଟେ । ତେଣୁ ଏହାକୁ ପାଳନ କରି ଜୀବନକୁ ସୁରକ୍ଷିତ ରଖିବା ଏକ ବୁଦ୍ଧିମାନର କର୍ତ୍ତବ୍ୟ।


  ଆଜି ଏଇ ଜୁରିଆ ନନା ର କଥା ତୁମ ପାଇଁ ଏତିକି, ସମୟ ମିଳିଲେ ଆଉ ଦିନେ ଆଉ କିଛି ।


   



Rate this content
Log in

Similar oriya story from Horror