STORYMIRROR

Basant Kumar Mohapatra

Inspirational

3  

Basant Kumar Mohapatra

Inspirational

ଜନ୍ମଭୂମି

ଜନ୍ମଭୂମି

2 mins
80


ଶୀତୁଆ ସଞ୍ଜବେଳେ।ସେଦିନ ଚାରିଟା ବେଳେ ସ୍କୁଲରୁ ଫେରିଲା ବେଳେ ଆକାଶରେ ପଲପଲ ପକ୍ଷୀମାନେ ପଶ୍ଚିମ ଆକାଶରେ ଉଡ଼ିବା ଦେଖି ମନକୁ ମନ ସ୍ଵତଃ ପ୍ରଶ୍ନଟିଏ ଉଙ୍କି ମାରିଲା। ଏ ପକ୍ଷୀମାନେ କେତେ ସ୍ବତନ୍ତ୍ର ସ୍ୱାଧୀନ ସତେ । 

ସୂର୍ଯ୍ୟଙ୍କ ଅସ୍ତମିତ ଆଭାର ଲାଲିମା, ପଶ୍ଚିମ ଅମ୍ବରର ଦିଗବଳୟରେ ସ୍ଵର୍ଣ୍ଣରୌପ୍ୟରୁ ତାମ୍ରରଙ୍ଗରେ ଧୀରେ ଧୀରେ ରଙ୍ଗେଇଦେଇ କହୁଛି ପୁଣି କାଲି...।

ବୁଝି ହେଲାନି କଥାଟା...।ଦଣ୍ଡେ ସ୍ଥିରହୋଇ ଗହୀରମାଳର ପଗଦାଣ୍ଡି ହୁଡ଼ାରେ ଛିଡ଼ା ହୋଇ ଟିକେ ନିରେଖି ଚାହିଁବା ପାଇଁ ଇଚ୍ଛା ହେଲା।

ସତରେ ତ! ପୁଣି କାଲି ଏଇ ଭଳି ହେବ। ଏଇ ଆକାଶ ଥିବ।ଏଇ ସୂର୍ଯ୍ୟନାରାୟଣ ଥିବେ।ଏଇମିତି ପୁଣି କାଲି ସନ୍ଧ୍ୟାରେ ସୁନ୍ଦର ସୂର୍ଯ୍ୟାସ୍ତ ହେବ। ପକ୍ଷୀ ମାନେ ଏଇମିତି ଲୋହିତ ନୀଳ ଗଗନ ରେ ଉଡ଼ି ଉଡ଼ି ବାହୁଡ଼ିବେ ନୀଡ଼କୁ।

ପ୍ରତିଦିନର ଦୈନିକ କାର୍ଯ୍ୟଚକ୍ର ଗୁଡ଼ିକ ସ୍ଵତଃ ଅନୁଶାସିତ ତାଙ୍କର। ସୂର୍ଯ୍ୟୋଦୟ ପୂର୍ବରୁ ଆହାର ଅନ୍ୱେଷଣରେ ଅନେକ ଦୂର ଉଡ଼ି ଉଡ଼ି ଯାଆନ୍ତି।ଆଉ ପୁଣି ସନ୍ଧ୍ୟାରେ ଉଡ଼ି ଉଡ଼ି ନୀଡ଼କୁ ଫେରନ୍ତି।ଜନ୍ମ ଭୂମିକୁ ଫେରିବା,ତାହା ପୁଣି ପ୍ରତିଦିନ ସତରେ କେତେ ଆନନ୍ଦମୟ!

ଋତୁ ପରିବର୍ତ୍ତନ ଚକ୍ରରେ ହଜାର ହଜାର ମାଇଲ, ମହାଦେଶର ପାହାଡ଼-ପର୍ବତ, ଝରଣା,ନଦୀ,ଗ୍ରାମ-ନଗ୍ରଦେଶ ଇତ୍ୟାଦି ଅତିକ୍ରମ କରି ସୁନ୍ଦର ହ୍ରଦର ଜଳରାଶି ମଧ୍ୟକୁ ଚାଲି ଆସନ୍ତି କିଛି ମାସ ପାଇଁ।ପୁଣି ଋତୁ ପରିବର୍ତ୍ତନ ସରିଲେ, ଉଡ଼ି ଉଡ଼ି ଲଂଘି ଯାଆନ୍ତି ହଜାର ହଜାର ମାଇଲ ଆକାଶରେ ନିଜ ବାସ ସ୍ଥାନର ନୀଡ଼ ମଧ୍ୟକୁ।

ଭାବନାର ରାଜ୍ୟରୁ ଫେରି, ପ୍ରକୃତିସ୍ଥ ହେଲା ବେଳକୁ ସନ୍ଧ୍ୟା ହେଇ ସାରିଲାଣି। ମନ୍ଦିରର ଘଣ୍ଟ ଘଣ୍ଟା ନାଦରେ ଈଶ୍ୱରୀୟ ଦୈବିକ ସୁନ୍ଦର ମନମୋହକ ପରିସ୍ଥିତିରେ ବିମୋହିତ ହେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଅଗ୍ରସର ହେବାକୁ ହେଲା।

ମାନସରେ ଗୋଟିଏ ପ୍ରଶ୍ନ, ଯାହା ସମାଧାନ ଖୋଜୁଥାଏ।ତାହା ହେଲା.. କ'ଣ ଏପରି ସମ୍ଭବ ହେଇପାରିବ କି ? ଭବିଷ୍ୟତରେ ଅନ୍ନ- ବସ୍ତ୍ରର ଯୋଗାଡ଼ରେ ଦୂରକୁ ଅନେକ ଦୂରକୁ ଯାଇ ପୁଣି ସୂର୍ଯ୍ୟାସ୍ତ ସମୟରେ ଗୃହକୁ ଫେରି ଆତ୍ମୀୟ ସ୍ୱଜନ, ପରିଚିତ ମାନଙ୍କୁ ଦେଖିହେବ।

ଯଦି ଏପରି ସମ୍ଭବ ହୁଏ,ତେବେ କେତେ ଦୂର ... ଯାଇ ପୁଣି ଫେରି ହେବ?ଗ୍ରାମରୁ ଅନ୍ୟ ଗ୍ରାମକୁ,ଗ୍ରାମରୁ ଜିଲ୍ଲା ମୁଖ୍ୟାଳୟ,ଅନ୍ୟ ଜିଲ୍ଲାକୁ, ଅନ୍ୟ ପ୍ରଦେଶକୁ, ଅନ୍ୟ ଦେଶକୁ ଇତ୍ୟାଦି ଇତ୍ୟାଦି...।

ପକ୍ଷୀ ମାନଙ୍କ ପରି ଡେଣା ଦି'ଟା ଥିଲେ, ଏପରି ସମ୍ଭବ ହୋଇପାରନ୍ତା ।ନିତ୍ୟ ଜନ୍ମଭୂମିକୁ ଫେରିବାର ଅସୀମ ଆନନ୍ଦ ଉପଭୋଗ କରି ହୁଅନ୍ତା।


ଏଇ ସାଙ୍ଗସାଥୀ ଖେଳ।ଏଇ ଭିଟାମାଟି ନଡ଼ା ଛପର ଘର।ଏଇ କୋଳାହଳ।ଏଇ ପୋଖରୀ ନଈତୁଠ।ଏଇ ସ୍କୁଲ।ଏଇ ଗାଆଁ ଦାଣ୍ଡ।ଏଇ ମନ୍ଦିର ଯାନିଯାତ୍ରା ପର୍ବପର୍ବାଣୀ ପିଠାପଣା।ଏଇ ପ୍ରାକୃତିକ ଶୋଭା। ପ୍ରିୟ ଜନ୍ମଭୂମି। ସତରେ ସବୁ ନିକଟରେ ରହିବ ତ!ଯାହାକୁ ଆଖି ପୁରେଇ ଦେଖି ହେବ ସବୁବେଳେ ବିନା ଦ୍ବିଧାରେ...।


"ପ୍ରବାସର ଦୁଃଖ ପ୍ରବାସୀ ବୋଲଇ,

   ଜନ୍ମଭୂମି ଠାରୁ ଦୁରେ।

ଆତ୍ମୀୟ ସ୍ୱଜନ ଜ୍ଞାତି ପରିଜନ,

   ନାଚନ୍ତି ଚକ୍ଷୁ ମଧ୍ୟରେ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational