STORYMIRROR

MANAS KUMAR KAR

Tragedy

4  

MANAS KUMAR KAR

Tragedy

ଜୀବନର ଶେଷ ମୁହୂର୍ତ୍ତ

ଜୀବନର ଶେଷ ମୁହୂର୍ତ୍ତ

4 mins
654


ଖଟଟା ଉପରେ ପଡି ବୁଢା ଜୁଳୁଜୁଳୁ କରି ଚାହିଁଛି ଉପରକୁ। ତା ପେଜୁଆ ଶେଥା ଆଖିରେ।ବେଳେବେଳେ ଡୋଳା ବୁଲେଇ ଦେଖୁଛି ଏପାଖ ସେପାଖ କରି।ଶିରାଳ ହାତଗୋଡ଼ ସବୁ ଅବଶ ହୋଇ ପଡିଛନ୍ତି ଶେଯରେ। ହଲଚଲ ନାହିଁ।ଛାତିଟା ଖାଲି ଯାହା ଦୁକ୍ ଦୁକ୍ ହେଉଛି।


ଘରଲୋକ ମାନେ ମଝିରେ ମଝିରେ ଆସି ଖାଲି ଚାହିଁ ଦେଇ ଯାଉଛନ୍ତି ବୁଢାକୁ।ଆଉ ଆଲୋଚନା କରୁଛନ୍ତି ନିଜ ନିଜ ଭିତରେ।ବୁଢାର ସିନା ହଲଚଲ ହୋଇ ପ୍ରତିକ୍ରିୟା ଦେବାକୁ ଜୁ ନାହିଁ କିନ୍ତୁ କାନ ତ ସବୁ ଶୁଣୁଛି ନା ।


ଏହି ଭିତରେ ପଡିଶା ଘର ରତନା ମା' ଆସିଲା ବୁଢାକୁ ଦେଖିବାକୁ।ବୁଢୀ ବସିଥିଲା ଦୁଆର ମୁହଁରେ। ବୁଢ଼ୀକୁ କହିଲା .... ଆଲୋ ମୁଁ କ'ଣ ଶୁଣିଲି ଡାକ୍ତର ଫେରେଇ ଦେଲା ଆଜି ଶଙ୍କର ବାପାଙ୍କୁ।କହିଛି ପୁଣି ଦିନେ ଦୁଇ ଦିନ ଭିତର କଥା ବୋଲି।କହିସାରି ଖଣ୍ଡେ ଦୂରରେ ଠିଆ ହୋଇ ମୁହଁରେ ଲୁଗାକାନିକୁ ଚାପି ଚାହିଁଲା ବୁଢାକୁ।


ପୁଣି କହିଲା ..... ଆଲୋ ଆଲୋ.... ଡାକ୍ତର ଠିକ କହିଛନ୍ତି ଲୋ ଶଙ୍କର ବୋଉ।ହେଇ ଶୁଣୁନୁ କଫ ଘଡ଼ଘଡ଼ ହେଲାଣି ପରା।ମୁହଁ ନାକ ବଙ୍କା ବି ଦିଶିଲାଣି। ଆଉ କାମ ନୁହେଁ। ଆଜି ରାତିଟା କଟିଗଲେ ବଡ଼ କଥା।


ଡାକପାରି ବାହୁନା ପକେଇଲା ବୁଢ଼ୀ।ବୁଢ଼ୀ କାନ୍ଦ ଶୁଣି ରୋଷେଇ ଘରୁ ଧାଇଁ ଆସିଲା ବଡ଼ବୋହୁ।ବଡ଼ବୋହୂକୁ କୁଣ୍ଢେଇ ଆହୁରି ଜୋରରେ ବାହୁନିଲା ବୁଢ଼ୀ ...


     

*ଶଙ୍ଖା ଚୁଡି ଆଉ ସାଜିବ ନାଇଁ ଟି ..... ମୋ ମାଆଆ ....*

    

*ରଙ୍ଗ ଶାଢ଼ୀ ଆଉ ପିନ୍ଧିବି ନାହିଁଟି .... ମୋ ମାଆଆ ....*

    

*ସିନ୍ଥିରେ ସିନ୍ଦୁର ନାଇବି ନାହିଁଟି .... ମୋ ମାଆଆ ....*

      

ବୋହୁ ବୋଧ ଦେଲା ବୁଢ଼ୀକୁ। କହିଲା ବୋଉ ... ବାପା ତ ବଞ୍ଚିଛନ୍ତି , ଆଉ ଆପଣ କାନ୍ଦୁଛନ୍ତି ଯେ ...


ବୁଢ଼ୀ ସାଙ୍ଗେ ସାଙ୍ଗେ ଆଖିରୁ ଲୁହକୁ ପୋଛି କହିଲା .... ଆଲୋ ବଞ୍ଚିଛନ୍ତି କ'ଣ ? ଆଜି କି କାଲି ଭିତରେ ଚାଲିଯିବେ ପରା।ଦେଖୁନୁ କେତେ ଜୋରରେ କଫ ଘଡ଼ଘଡ଼ କଲାଣି।ଡାକ୍ତର ଯାହା କହିଥିଲା , ରତନା ମା' ବି ସେଇଆ କହିଲା।ତୁ ଯା' ମା , ଯେତିକି ଦରକାର ସେତିକି ଲୁଗାପଟା ବାହାରେ ରଖି ଆଉ ସବୁକୁ ସେ ଠାକୁରଘର ପାଖ ବଖରାରେ ରଖି ବନ୍ଦ କରିଦେ। ସବୁ ଘଣ୍ଟାଘଣ୍ଟି ହୋଇଗଲେ ପୁଣି ଦଶତୁଠ ଦିନ ଧୋଇ ଧୋଇ ପ୍ରାଣ ଯିବ।


ହଁ ହଁ ଯାଉଛି କହି ବୋହୁ... ବୁଢା ଆଖି ଆଗରେ ସବୁ ଲୁଗାପଟା , କନ୍ଥା , କମ୍ବଳ , ଚାଦରକୁ ଗଣ୍ଠିଲି ବାନ୍ଧି ଆଡ କରି ଅଲଗା ଘରେ ରଖିଦେଲା।ତା ପରେ ଆସିଲା ସାନବୋହୁ।ବୁଢ଼ାର ଖଟ ପାଖରେ ଠିଆ ହୋଇ କହିଲା ,


" ହେଇଟି ଅପା ... ଦେଖୁଛ ଟି , ବାପାଙ୍କ ଖଟରେ ଭଲ ଭଲ କନ୍ଥା ତିନିଖଣ୍ଡ ଆଉ ସୋଲାପୁରୀ ଦାମିକା ଚାଦର ବେଡ଼ସିଟ ଗୁଡା ପଡିଛି । ବାପା ୟା ଉପରେ ଶୋଇକି ମଲେ ଏଗୁଡା ବି ମୁର୍ଦ୍ଦାର ସାଙ୍ଗରେ ମଶାଣୀ ପଳେଇବ ଯେ। ୟାକୁ ବଦଳେଇ ଦେଲେ କେମିତି ହୁଅନ୍ତା?


ତା ପରେ ଦି ବୋହୁ ମିଶି ବୁଢାକୁ ଟେକାପକା କରି ତା ଖଟ ଉପରୁ କନ୍ଥା ଚାଦର ଗୁଡାକ ଘୋଷାଡି ଆଣିଲେ ସବୁ। ଆଉ ପୁରୁଣା ଚାଦର ବେଡ଼ସିଟ ବିଛେଇ ଦେଲେ।


ଲୁଗାପଟା , କନ୍ଥା କମ୍ବଳ ଆଡ କରି ସାରି ବୋହୁ ମାନେ ଡାକ ପକେଇଲେ ଖିଆପିଆ କରିବା ପାଇଁ।


-- ଜଲଦି ଜଲଦି ଖିଆପିଆ ସାର।କେତେବେଳେ କୋଉ କଥା । ଏବେ ଯଦି ବାପା ଚାଲିଯିବେ ନା ... ଦିନଯାକ ଉପାସ ପଡିବା କଥା।ପୋଡ଼ାପୋଡି ସରିଲେ ସିନା ଗାଧେଇ ପାଧେଇ ଖାଇଵ।ସେ ପୁଣି ଚୁଡା କଦଳୀ।


ଖାଇବା ପିଇବା ଆରମ୍ଭ ହେଲା।ଖାଇବା ମଝିରେ ସାନପୁଅ କହିଲା ... ଆଜି ଭଲ ଆଇଁଷିଆ ବାରଟା ଅଛି। ରାତିରେ ଟିକେ ଭଲକି ରୋଷେଇ କର। ଲାଲ ଲାଲ ରାଗୁଆ ଚିଙ୍ଗୁଡ଼ି ଝୋଳକୁ ଗରମ ଗରମ ଭାତ। ଆଃ ..... ବଢିଆ । ଆଜି ଟିକେ ମନ ଭରି ଖାଇବା ସବୁ। ନହେଲେ କିଏ ଜାଣେ କାଲିଠାରୁ ଏବେ ଦଶବାର ଦିନ ଯାଏ ବେଳିକିଆ ଭାତକୁ ଅଣଫୁଟା ସିଝା ପରିବା ଖାଇବାକୁ ପଡିବ । କଣ କହୁଚ ସବୁ ??


ବଡ଼ପୁଅ କହିଲା .... ଯିଏ ଯାହା କରୁଛ କର । ମୁଁ ଯାଉଛି ଖାଇ ସାରି ଘଣ୍ଟାଏ ଦିଘଣ୍ଟା ବିଶ୍ରାମ ନେଇଯିବି ଟିକେ।ରାତି ଅଧରେ ବାପା ମରିବେ ଯଦି ନା ... ପୁରା ରାତି ଅନିଦ୍ରା ହେବାକୁ ପଡିବ। ମୋର ପୁଣି ବେଶୀ କଷ୍ଟ । ମୁଖାଗ୍ନି ଦେଇ କ୍ରିୟା ଧରିବି ନା ।


ବୁଢା ଖଟରେ ଶୋଇ ସବୁ ଶୁଣୁଥିଲା। ତାକୁ ସନ୍ଦେହ ହେଲା ଟିକେ ନିଜ ସ୍ଥିତି ଉପରେ।ମୁଁ ବଞ୍ଚିଛି ତ !! ନା ମରିଗଲିଣି !!! ମୁଁ ଏବେ ଜୀବିତ ନା ଗୋଟେ ମୂର୍ଦ୍ଦାର ?? ନା ...ତ , ମୁଁ ତ ବଞ୍ଚିଛି।ହେଇ ତ ଆଗ ପରି ସେମିତି ଯନ୍ତ୍ରଣା ହେଉଛି ଛାତି ଭିତରେ।ଆଖିରେ ବେଳେବେଳେ ଲୁହ ବି ଜକେଇ ଆସୁଛି।


ପୁଅ , ବୋହୁ , ସ୍ତ୍ରୀ , ସମସ୍ତଙ୍କ କଥା ଶୁଣି ପାରୁଛି ମୁଁ। ସବୁ ଦେଖି ପାରୁଛି ମୁଁ। କିନ୍ତୁ ଏ ପ୍ରାଣ ଯାଉନି କାହିଁକି ?? ଏପରି ମୋ ପରିବାର।ଯେଉଁ ମାନଙ୍କ ପାଇଁ ମୁଁ ଏତେ କଷ୍ଟ କରିଥିଲି।ମୋ ପାଇଁ ସମୟ କାହାପାଖରେ ନାହିଁ।ଅପେକ୍ଷା କରିଛନ୍ତି କେତେବେଳେ ମରିଗଲେ,ଏମାନେ ମୋତେ ନେଇଁ ପୋଡି ଦେଲେ ନିଜ କର୍ତ୍ତବ୍ଯ ସରିଯିବ।


ସେଦିନର ରାତି ପାହିଲା। ସାନ ବୋହୁ ଆଉ ବଡ଼ବୋହୁ ଉଭୟ ଆସିଲେ ବୁଢା ରୁମକୁ। ବଡ଼ବୋହୁ କହିଲା , " ରହ ମୁଁ ଟିକେ ଆଗ ବାପାଙ୍କୁ ଦେଖିଦିଏ।ତା ପରେ ଭାତ ହାଣ୍ଡି ବସେଇବା। ନହେଲେ ସବୁ ନଷ୍ଟ ହେବ।"


ବୋହୁ ବୁଢା ପାଖକୁ ଯାଇ ହଲେଇ ଦେଲା ଟିକେ। ଡାକିଲା , ବାପା ..... ବାପା ....। ବୁଢା ଆଖିପତା ଖୋଲିଲା ଧୀରେ ଧୀରେ ଆଉ ଆଖିରେ ଠାରିଲା ତା ପାଟିରେ ପାଣି ଟୋପେ ଦେବାପାଇଁ।ବଡ଼ବୋହୁ ବୁଢା ପାଟିରେ ପାଣି ଦେଉ ଦେଉ ସାନ ବୋହୂକୁ କହିଲା , " ଆଲୋ ବାପା ବଞ୍ଚିଛନ୍ତି ଲୋ।ଯା ଯା ସଅଳ ସଅଳ ଭାତ ପାଣି ବସା । ଜଲଦି ରୋଷେଇ ସାରି ଖିଆପିଆ କରିବା।"


ଏମିତି ଖିଆପିଆ , କଥାବାର୍ତ୍ତା , ଆଲୋଚନା ଭିତରେ ଦିନ ଯାଇ ସନ୍ଧ୍ୟା ହେଲା।ପୁଅ ଦୁଇଜଣ ଅଫିସରୁ ଫେରିଲେ। ଫେରୁ ଫେରୁ ଉଭୟଙ୍କ ପାଟିରେ ଗୋଟିଏ କଥା ..." ବାପା ଭଲ ଅଛନ୍ତି "? ସେ " ଭଲ ଅଛନ୍ତି " ଭିତରେ ବୁଢା ସ୍ପଷ୍ଟ ଶୁଣିପାରେ ... " ବାପା ବଞ୍ଚିଛନ୍ତି ଆହୁରି !!!"


ରାତିରେ ସେଦିନ ବୁଢ଼ାର ଉର୍ଦ୍ଧ୍ବଶ୍ଵାସ ଉଠିଲା।ବଡ଼ପୁଅ କହିଲା ସାନ ପୁଅକୁ .... ଦେଖିଲୁ ଦେଖିଲୁ , ବାପା ଏଇ ଯେଉଁ ଭିତର ଘରଟାରେ ଶୋଇଛନ୍ତି, ମଲାପରେ ତ ବହୁତ ଅସୁବିଧା ହେବ ଏ ଘରୁ ମୂର୍ଦ୍ଦାର କାଢ଼ିବା ପାଇଁ।ହଜାରେ ବାହାର ଲୋକ ଆସି ଘର ଭିତରେ ପଶିବେ ଲାସ୍ ଦେଖିବା ପାଇଁ। ବାପାଙ୍କୁ ସେ ଦାଣ୍ଡଘରେ ଶୁଆଇ ଦେଲେ କେମିତି ହୁଅନ୍ତା ?ସେଇଠୁ ସେଇଠୁ ମଶାଣି ନେବା ପାଇଁ ସୁବିଧା ହୁଅନ୍ତା।ଗୋଟେ ଦି ଦିନର କଥା ତ।


ଦୁଇ ପୁଅ ମିଶି ବୁଢାକୁ ଟେକି ଟେକି ନେଇ ଶୁଆଇଦେଲେ ଦାଣ୍ଡ ଘରେ ଗୋଟେ ଖଟିଆ ଉପରେ ବେଡ଼ସିଟ ଖଣ୍ଡେ ପକେଇ ଦେଇ।


ରାତିର ନିର୍ଜନତା ସହ ବଢ଼ୁଥିଲା ଘର ଭିତରର ନୀରବତା।କେହି କୁଆଡେ ନାହିଁ। ଯିଏ ଯୁଆଡେ ଶୋଇଲେଣି।ମଝିରେ ମଝିରେ ରହି ରହି ଶୁଭୁଛି କଫର ଘଡ଼ଘଡ଼ ଶବ୍ଦ। ବୁଢା ଆଖି ମିଟିମିଟି କରି ଡୋଳା ବୁଲେଇଲା ସବୁଆଡେ। ମୁଣ୍ଡ ଉପରେ ଫ୍ୟାନଟା ଘୁରୁଛି ଘିର୍ ଘିର୍ ହୋଇ। କାନ୍ଥରେ ଟଙ୍ଗା ହୋଇଥିବା କ୍ୟାଲେଣ୍ଡରଟା ଫ୍ୟାନ ପବନରେ ଫଡଫଡ ଶବ୍ଦ କରି ପିଟି ହେଉଛି କାନ୍ଥରେ।


ବୁଢା ଚାହିଁଲା କ୍ୟାଲେଣ୍ଡରକୁ। କ୍ୟାଲେଣ୍ଡରରେ ଶ୍ରୀକୃଷ୍ଣଙ୍କ ଫୋଟୋ। ହାତରେ ବଇଁଶୀ। ଆଖିରେ ବାଙ୍କ ଚାହାଣୀ।ଆଉ ଓଠରେ ରହସ୍ୟମୟ ମନଜିଣା ହସ। ବେଳେବେଳେ କ୍ୟାଲେଣ୍ଡରଟି ଉଡ଼ିଗଲେ ଶ୍ରୀକୃଷ୍ଣଙ୍କ ମୁହଁଟି ଲୁଚି ଯାଉଛି। ପୁଣି ଦିଶି ଯାଉଛି। ବୁଢାକୁ ଲାଗିଲା ପ୍ରଭୁ ଯେମିତି ତା ସହ ଲୁଚକାଳି ଖେଳୁଛନ୍ତି।


ଆଖି ବନ୍ଦ କଲା ବୁଢା। ମନ ଭିତରେ ସ୍ମରଣ କଲା ସେଇ ଭୁବନମୋହନ ରୂପକୁ। ଆଉ କହିଲା ... ଆହୁରି କେତେ ପାଖରୁ ମୋତେ ମରଣକୁ ଦେଖେଇବ ପ୍ରଭୁ !! ଆଉ ଲୁଚକାଳି ଖେଳନି ମୋ ସହ। ଦେଖାଦିଅ ଏ ପାପୀକୁ। ନେଇ ଯାଅ ମୋତେ। ମୋତେ ନେଇ ଯା ......ଅ ...... ଚିର ଦିନ ପାଇଁ ଆଖି ବୁଜିଦେଲେ ବ୍ରୁଦ୍ଧ ଜଣକ।

                



Rate this content
Log in

Similar oriya story from Tragedy