DR SAMIR RANJAN BEHERA

Tragedy Inspirational

4.1  

DR SAMIR RANJAN BEHERA

Tragedy Inspirational

ଜୀବନ ଯାତ୍ରା

ଜୀବନ ଯାତ୍ରା

10 mins
395


" ମାସ୍କ ନେବେ ମାସ୍କ.... ଗୋଟେ ନେଲେ କୋଡିଏ ଟଙ୍କା.. ଶହେ ଟଙ୍କାରେ ଛଅଟା l ମାସ୍କ ନେବେ ବାବୁ ମାସ୍କ l"

" ଆରେ ନନି ଏକ ଶହ ଟଙ୍କାରେ ଛଅଟା କାଣ ଆଠଟା ଦେ ୱ l"

"ନାଇଁ ବୋଉ କହିଛି ଶହେ ଟଙ୍କାରେ ଛଅଟା l"

"ଦେ ୱ, ସୁନା ରୂପା ନା କାଣ ଯେ, ତୁଇ ନନି ଏନ୍ତା ହଉଛୁ, ଖଣ୍ଡେ କନାଟା ଯେ କେତେ ନବରଙ୍ଗୀ ଦେଖାଉଛୁ l"

"ନାଇଁ ବାବୁ ଏଇଟା କନା ନୁହଁ, ମୋ ବୋଉ କହିଛି, ଏ ମାସ୍କ କରୋନାରୁ ରକ୍ଷା କରିବ l ଆମେ ସମସ୍ତେ ମାସ୍କ ପିନ୍ଧିବା କଥା l "

"ଆଉ କାଣ କାଣ ତୋର ମାଆ କହିଛେଁ l"

"ଦୂରତା ରକ୍ଷା କରିବ l ହାତ ସାବୁନରେ ଧୋଇବ l "

"ଏତିକି ଛୋଟ ନନିଟା କେତେ କଥା କହୁଛୁ ୱ l ହୋଏ ଧର ଶହେ ଟଙ୍କା l" ଲୋକଟି ଆଠଟା ମାସ୍କ ନେଇ ପଳେଇଲା l

" ନାଇଁ ବାବୁ ଆଉ ଚାଳିଶ ଟଙ୍କା ଦିଅନ୍ତୁ" କହି ଝିଅଟା ପଛେ ପଛେ ଦୌଡ଼ି ଗଲା, ହେଲେ ଲୋକଟା ବାଇକରେ ପଳେଇଲା l

ସମ୍ବଲପୁର ଷ୍ଟେସନ ବାହାରେ ସବୁଦିନ ଦେଖେ ଝିଅଟାକୁ, ମୁଁ ରେଲୱେରେ ଚାକିରୀ କରିଥାଏ, ଏବେ ଲାକଡାଉନ ପାଇଁ ସ୍କ୍ରିନିଙ୍ଗ କାଉଣ୍ଟରରେ ମୋ ଡିଉଟି, ଷ୍ଟେସନ ମେନ ଗେଟ ପାଖରେ l ତେଣୁ ଷ୍ଟେସନ ବାହାରେ ପ୍ରାୟ ସବୁ ଦେଖିପାରେ l ସକାଳୁ ନଅଟାରେ ଡିଉଟି ଯାଏ, ଚାରିଟାରେ ଫେରେ l ସବୁଦିନେ ମୋର ରହିବାର ସମୟ ଯାକ ଝିଅଟା ନଜରରେ ଥାଏ, ରଙ୍ଗ ବେରଙ୍ଗର କପଡା ମାସ୍କ ଏଠୁ ସେଠି, ସେଠୁ ଏଠି ଦୌଡ଼ି ଦୌଡ଼ି ମାସ୍କ ମାସ୍କ ଚିଲେଇ ଚିଲେଇ ବିକୁ ଥାଏ l ଛୋଟ ପିଲାଟା ବୋଲି ବହୁତ ଜଣ ଠକେଇ ଧମକେଇ ଅଧିକା ମାସ୍କ ନେଇ ଯାଉଥାନ୍ତି, ହେଲେ ବିଚରାଟା କଣ କରିବ l କେତେବେଳେ ମୁହଁ ଶୁଖେଇ ଦେଉଥାଏ, ତ କେତେବେଳେ ନିରବ ରହୁଥାଏ l

ସେଦିନ ସ୍କ୍ରିନିଂ କାଉଣ୍ଟର ମୁଁ ବସିଥାଏ, ପ୍ରାୟ କେହି ଲୋକ ନଥିଲେ ସମୟ ସାଢେ ଦଶଟା ପାଖାପାଖି ହେବ, ଲାକଡାଉନ ପାଇଁ ଫାଙ୍କା ଥାଏ ଆଉଟ ଷ୍ଟେସନ l ଦେଖିଲି ଜଣେ ଲୋକ ଜୋରରେ ସେ ଝିଅ ଶହ ବାରଗେନିଙ୍ଗ କରୁଥିଲା l ସିଏ ଶହେ ଟଙ୍କା ଦେଇ ବାରଟା ନେବା ପାଇଁ ଧମକୁଥାଏ l 

ଝିଅଟା ନା ନା କହୁଥାଏ l

ମୁଁ ଆଉ ସହିପାରିଲିନି, ଗଲି ପାଖକୁ l

" ହଇଓ ବାବୁ, ଏଇ ମାସ୍କ ସୋ ରୁମକୁ ଦୋକାନ ଯାଇ ତିରିଶ ଟଙ୍କାରେ କିଣିବ , ସେଠି ତ ବାରଗେନିଙ୍ଗ କରିପାରୁନ l ଏ ନିରୀହ ଛୋଟ ଝିଅ ଦେଖି ବହୁତ ମଜାରେ ବାରଗେନିଙ୍ଗ କରିଦେଉଛ ନୁହଁ, ଆରେ ଏ ଛୋଟ ଝିଅଟି ଏଠି ଖରା ବର୍ଷାକୁ ଖାତିର ନକରି ଆପଣମାନଙ୍କୁ ଶସ୍ତାରେ ମାସ୍କ ଦେଉଛି ନିଜ ପେଟ ପାଇଁ, ବିଲଡିଂ ପିଟିବା ପାଇଁ ନୁହଁ l" 

ଠିକ ଏତିକି ବେଳେ ସେ ଝିଅର ଟଙ୍କା ବ୍ୟାଗଟାକୁ ଜୋର ସେ ଟାଣିନେଇ ଦୌଡିବାକୁ ଲାଗିଲା ସେ ଲୋକଟି l ମୁଁ ସେ ଲୋକ ପିଛା କଲି, ହେଲେ ସେ ଏତେ ଜୋରରେ ଦୌଡିଲା ଯେ ମୁଁ ତାକୁ ଧରିପାରିଲିଣି l ଫେରି ଦେଖିଲି ଝିଅଟା ତଳେ ପଡିଯାଇଛି, ମାସ୍କ ଗୁଡା ଛିନ୍ନ-ବିଛିନ୍ନ ହେଇ ତଳେ ପଡିଥାଏ l ଝିଅ ତାର ଗୋଡ ଛିଣ୍ଡି ରକ୍ତ ବାହାରୁଥାଏ, ମୁଣ୍ଡଟା ବି ଟିକେ ଫାଟି ଯାଇଥାଏ l

ସଂଗେ ସଂଗେ ଝିଅଟାକୁ ଉଠେଇ ଆମ ଅଫିସ ପାଖକୁ ନେଇ ଫାଷ୍ଟ ଏଡ଼ କରିଦେଲି l ତାକୁ ବସେଇଲି l ଘନ ଘନ ନିଃଶ୍ୱାସ ମାରୁଥାଏ l

" ଆରେ ମାଆ ତୋ ନାମ କଣ l"

"ଖୁସି "

"ତୋ ଘରେ କିଏ ଅଛନ୍ତି l"

"ମୋ ବୋଉ ଏକା l"

"ବାପା"?? 

"ସେ ମରିଗଲେ l"

ହଠାତ ମୁଁ ଶଙ୍କି ହେଇ ଉଠିଲି, ହୃଦୟଟା ମୋର ଆହୁରି ତରଳି ଉଠିଲା l

" କେମିତି ତୋ ବାପା ମରିଲେ ଖୁସି l"

"ବା ଟ୍ରେନ ଲାଇନରେ ଆସୁଥିଲା, ଟ୍ରେନ ମାରିଦେଲା l"

ହଠାତ ହୃଦୟଟା ମୋର ଥରି ଉଠିଲା, ତା ମାନେ ମାସେ ତଳେ ଯେଉଁ ଟ୍ରେନ ଦୁର୍ଘଟଣାରେ ଷୋହଳ ଜଣ ଦାଦନ ମରିଯାଇଥିଲେ, ତା ଭିତରେ କଣ ଖୁସିର ବାପା ବି ଥିଲେ ????? 

"ଖୁସିରେ ତୋ ଘର କେଉଁଠି" 

"ଏଇ ପାଖ ବସ୍ତି ପାଖରେ l"

"ଚାଲ ତୋ ବୋଉ ପାଖରେ, ଛାଡି ଦେଇ ଆସିବି l"

"ନାଇଁ ମୁଁ ଏକା ଚାଲିଯିବି, ବୋଉ ନହେଲେ ମାରିବ, ସେ ମୋତେ କହିଛି କାହା ସଂଗେ ଆସିବୁନି, ଏବେ କରୋନା ସମୟ l"

"ଆରେ ନାଇଁ ମାଆ, ମୋତେ କରୋନା ନାହିଁ, ଚାଲ ତୋ ବୋଉ ପାଖରେ ଛାଡ଼ିଦେବି , ହେଇ ତ ମାସ୍କ ସବୁ ଧର l"

"ଆଉ ମୋ ପଇସା ମୁଣି l"

" ସେ ଚୋରଟା ବହୁତ ଜୋରରେ ଦୌଡ଼ି ଦୌଡ଼ି ନେଇଗଲାରେ ତାକୁ ମୁଁ ଧରି ପାରିଲିନି, ତୁ ଜମା ବ୍ୟସ୍ତ ହେନା, ସେ ଚୋରକୁ ଯେମିତି ହେଲେ ଧରିବା l"

ଖୁସିକୁ ଗାଡ଼ିରେ ବସେଇ ନେଇଗଲି ତା ଘର ପାଖକୁ l ଦୁଇ କିଲୋମିଟର ଯାଇଛି ବୋଧହୁଏ, ମହାନଦୀ କୂଳରେ ଗୋଟେ ବସ୍ତି 

" ବାବୁ ଏଇଠି ଏଇଠି ରଖ, ମୋ ଘର ଆସିଗଲା l"

ଛୋଟ ବସ୍ତିଟେ, ନୁଆଁଣିଆ ଆଜବେଷ୍ଟ ଘରଟେ l ହେଲେ ସଫା ସୁତୁରା ଥିଲା l ଗାଡି ଶବ୍ଦ ଶୁଣି ବୋଧହୁଏ ଖୁସିର ବୋଉ ବାହାରିଆସିଲା l ଅଳ୍ପ ବୟସ ପଚିଶ କି ତିରିଶ ଭିତରେ l ଫିକା ଶାଢ଼ୀଟେ ପିନ୍ଧିଥିଲା l

""ଖୁସି ଖୁସି ତୋର କଣ ହେଲା l ତୋ ମୁଣ୍ଡ କେମିତି ଫାଟିଲା l

ଏ ବାବୁ କିଏ l"

"ବାବୁ କଣ ହେଇଛି ମୋ ଝିଅର l" ଅତି ବ୍ୟସ୍ତ ବିବ୍ରତ ହେଇ ଉଠିଲେ ଖୁସିର ବୋଉ କାବେରୀ l

"ନାଇଁ ଭଉଣୀ, ଖୁସି ଆମ ଷ୍ଟେସନ ଆଗରେ ମାସ୍କ ବିକ୍ରି କରୁଥିଲା ବେଳେ, ହଠାତ ଗୋଟେ ଚୋର ପଇସା ବ୍ୟାଗ ଟାଣି ନେଇ ପଳେଇବା ସମୟରେ ଖୁସି ପଡ଼ିଗଲା ରାସ୍ତାରେ l ଯେ ଆପଣ ବ୍ୟସ୍ତ ହୁଅନ୍ତୁନି ଭଉଣୀ ମୁଁ ତାର ଫାଷ୍ଟ ଏଡ଼ କରିଦେଇଛି l କିଛି ମେଡ଼ିସିନ ରଖନ୍ତୁ l ଖୁସିକୁ ଖୁଏଇ ଦେବେ l ଶୀଘ୍ର ଘାଆ ବି ଶୁଖିଯିବ ପେନ ବି କମିଯିବ l"

" ଆଚ୍ଛା ଭଉଣୀ ଖରାପ ଭାବିବେନି, ଖୁସିର ବାପା ନାମ କଣ l"

" କୃଷ୍ଣ ପ୍ରଧାନ " ଆଖି ତାର ଛଳ ଛଳ ହେଇ ଆସିଲା l

"ସରି ଭଉଣୀ ଆପଣଙ୍କୁ କଷ୍ଟ ଦେଲି, ଖରାପ ଭାବିବେନି l"

ଇତଃସ୍ତତ ହେଇ ମୁଁ ଅଫିସ ପହଂଚି ଆଗ ମେ ମାସର ଔରାଙ୍ଗବାଦ ଆକ୍ସିଡେଣ୍ଟ ଫାଇଲ ଖୋଲିପକେଇଲି, ଏଗାର ନମ୍ବରରେ "କୃଷ୍ଣ ପ୍ରଧାନ " ନାମ ଦେଖି ଚମକି ପଡିଲି l ହୃଦୟଟା ମୋର ଥରି ଉଠିଲା l କେଉଁ ଏକ ଅଜଣା ଭାବ ମୋ ମନକୁ ବିବ୍ରତ କରିଦେଉଥିଲା l

ସେଦିନ ରାତିରେ ଆଉ ଶୋଇପାରିଲିନି l ଖୁସିର ମୁହଁ, ତା ମାସ୍କ ଯେମିତି ତା ଆଗରେ ଭାସି ଯାଉଥିଲା, ଆଉ ଆଙ୍କି ଦେଉଥିଲା ଏକ ଦୁଃଖମୟ ଇତିହାସ l ସତେ ବିଳାପ କରିଉଠୁଥିଲେ ସେଇ ମୃତ ଆତ୍ମା ମାନେ ଯେଉଁମାନେ ଯାନ୍ତ୍ରିକ ଦାନବର ବର୍ବରୋଚିତର ଶୀକାର ହେଇଥିଲେ l ଆଉ ତା ଭିତରେ ଚିତ୍କାର କରୁଥିଲା କୃଷ୍ଣ ପ୍ରଧାନ ଛାଡିଦେଇଯାଇଥିବା ନିଜର ଅଧୁରା ସ୍ୱପ୍ନର ସଂସାର ପାଇଁ l

ସକାଳ ହେଲା l ଡିଉଟି ବାହାରିଗଲି l କିନ୍ତୁ ସେଦିନ ଆଉ ଖୁସିକୁ ଷ୍ଟେସନ ଆଗରେ ପାଇଲିନି l ଟିକେ ବ୍ୟସ୍ତ ଲାଗିଲା l କିଛି ପ୍ରୋବ୍ଲେମ ହେଲା କି ଖୁସିର l ମନଟା କାହିଁକି ଭଲ ଲାଗିଲାନି l

ଲଞ୍ଚ ସମୟ ହେଲା ମୁଁ ଆଉ ଲଞ୍ଚ ନକରି ସିଧା ଖୁସି ରହୁଥିବା ଜାଗାକୁ ପହଂଚିଗଲି l

ଗାଡିଟା ପାର୍କିଂ କରିଦେଇ ଦୂରରୁ ଦେଖିଲି ଖୁସି ବୋଉ ମାସ୍କ ସିଲୋଉ ଥାଏ, ଖୁସି ବସି ରହି ମାସ୍କକୁ ପ୍ୟାକିଂ କରିବାରେ ଲାଗୁଥାଏ l

" ଖୁସି ମାଆ ଖୁସି କେମିତି ଅଛୁ l" ଡାକି ଡାକି ଦ୍ୱାର ପାଖକୁ ଗଲି l

" ବାବୁ ଆପଣ" !!!!! ପାଖରେ ଚେୟାରଟା ଦେଇ ବସିବାକୁ କହିଲେ l

" ନାଇଁ ମନଟା ଭଲ ଲାଗୁନଥିଲା ତ, ସେଇଥିପାଇଁ ଟିକେ ଖୁସିକୁ ଦେଖିବା ପାଇଁ, ପଳେଇଆସିଲି, ହେଲେ ଭଉଣୀ ଗୋଟେ କଥା ଖରାପ ଭାବିବେନି, ଆପଣ ଖୁସିକୁ ଏକା କାହିଁକି ଛାଡ଼ୁଛନ୍ତି l ଛୋଟ ପିଲାଟା, କେତେ ଲୋକ ଧମକେଇ ଚମକେଇ ତା ଠୁଁ ମାସ୍କ ନେଇ ଯାଉଛନ୍ତି l ଠିକ ସେ ପଇସା ଦେଉନାହାନ୍ତି l କାଲି ପୁଣି ଡକାୟତର ଶୀକାର ହେଲା l"

"କଣ କରିବି ବାବୁ ମୁଁ ମାସ୍କ ସିଲାଇ, ବ୍ୟାଗ ସିଲାଇ ଆଉ ଛୋଟ ମୋଟ କାମ କଲେ ଘର ଚଳେ, ପେଟକୁ ଦିଟା ଦାନା ଯାଏ l ଆଉ ଖୁସି, ପ୍ରକାଶ ଭାଇ ସେଗୁଡିକୁ ବିକନ୍ତି l ଆଉ ମାଲିକ ପାଖରେ ପଇସା ସବୁ ଦେଲେ, ସେ ଆମକୁ କମିଶନି ସ୍ୱରୂପ କିଛି ପଇସା ଦିଅନ୍ତି l ଦିନକୁ ହଜାରେ ଟଙ୍କାର ମାସ୍କ ବିକିଲେ ମାଲିକ ଦୁଇଶହ ଟଙ୍କା ଦିଏ, ଆଉ ସେଇଥିରେ ଆମ ଚୁଲିରେ ନିଆଁ ଜଳେ l"

"ପ୍ରକାଶ ଭାଇ କିଏ, ମାଲିକ??? କମିଶନି?? କିଛି ବୁଝି ହେଲାଣି 

ଭଉଣୀ, ତୁମ ଘର କେଉଁଠି, ଏଠି କାହିଁକି ଅଛ??? "

ଏକ ଦୀର୍ଘ ନିଃଶ୍ୱାସ ମରି କାବେରୀ ଆରମ୍ଭ କଲେ ତାଙ୍କ ଅତୀତର ସେହି ହୃଦୟ ବିଦାରକ କାହାଣୀ...... 

"" ସେ ବହୁତ କଥା ବାବୁ l ଛୋଟ ମୋର ପରିବାର, ମୋ ସ୍ୱାମୀ କୃଷ୍ଣ ପ୍ରଧାନ ଝିଅ ଖୁସି, ଆଉ ମୁଁ l ବହୁତ ଖୁସିରେ ଚାଲୁଥିଲା ମୋ ସଂସାର ବାବୁ l

ଆମ ଘର ଗଞ୍ଜାମ ଜିଲ୍ଲାର ଆସିକାରେ l ସାତ ବର୍ଷ ତଳେ ଆମେ ଭଲ ପାଇ ବାହା ହେଇଥିଲୁ l ଜାତିରେ ମୁଁ ହରିଜନ ଥିଲି ବୋଲି ୟାଙ୍କ ବାପା ଆମକୁ ବାସନ୍ଦ କରିଦେଲେ l ୟାଙ୍କୁ ତ୍ୟେଜ ପୁତ୍ର କରିଦେଲେ l ଏପରିକି ମୋତେ ଜୀବନରୁ ମାରିଦେବା ପାଇଁ ବି ଧମକ ଦେଲେ l ଆଖିରେ ଆଖିଏ ଲୁହ ଛାତିରେ ଛାତିଏ କୋହକୁ ଚାପି ଧରି ଆମେ ସେଦିନ ଘରୁ ବାହାରି ଆସିଥିଲୁ l ପାଦ ଯୁଆଡେ କଡେଇନେଲା ଚାଲିଲୁ l ଶେଷରେ ଆମେ ଗୋଟେ ଅଜଣା ଟ୍ରେନରେ ଚଢ଼ିଗଲୁ l ଆଉ ଆମେ ପହଂଚିଗଲୁ ସୁରଟରେ l ସେଇ ଅଜଣା ଜାଗା ଆମର ବାପା ମାଆ ବନିଗଲା l ତିନି ଦିନ ଭୋକ ଉପାସରେ ଚାକିରୀ ଖୋଜୁ ଖୋଜୁ ପ୍ରକାଶ ଭାଇ ସହ ଭେଟ ହେଲା, ସିଏ ୟାଙ୍କ ପିଲାବେଳର ସାଙ୍ଗ, ସୁରଟରେ ଦାଦନ ଖଟେ l ମୁଁ ଟେଲରିଂ ଶିଖିଥିଲି ବୋଲି ମୋତେ ନେଇ ଗୋଟେ ସୁତା କାରଖାନାରେ ପ୍ରକାଶ ଭାଇ ପୁରେଇ ଦେଲା l ମୋତେ ସେଠି ଗୋଟେ ଭଲ ଚାକିରୀ ମିଳିଗଲା, ବ୍ୟାଗ ସିଲେଇବା, କପଡା ସିଲେଇବା ଭଳି ସବୁ କାମ କରୁଥିଲି l ମୋ ସ୍ୱାମୀଙ୍କୁ ବି ସେଠି ଡେଲି ଲେବର ହିସାବରେ କାମ ମିଳିଲା l ମୋତେ ଦଶ ହଜାର ଦରମା ମିଳୁଥିଲା, ତାଙ୍କୁ ପାଞ୍ଚ ହଜାର ମିଳୁଥିଲା l ଆମେ ପାଖରେ ଗୋଟେ ଭଲ ଘର ଭଡା ନେଇ ରହୁଥିଲୁ l ପ୍ରକାଶ ଭାଇ ଆମର ଭଗବାନ ଭଳିଆ ସୁଖ ଦୁଃଖରେ ସାଥୀ ହେଉଥିଲେ l

ଏମିତି ଖୁସିର ସଂସାର ଆମର ଅତିବାହିତ ହେଇଯାଉଥିଲା l ଆମେ କିଛି ପଇସା ସଂଚୟ କରୁଥିଲୁ l ବାପା ମାଆଙ୍କର ଏତେ କୁତ୍ସିତ ବ୍ୟବହାର ପରେ ବି କର୍ତ୍ତବ୍ୟ କରିବାକୁ ଯାଇ କେତେଥର ବି ସେ ବାପାଙ୍କ ପାଖକୁ ପଇସା ବି ପଠାଉଥିଲେ l 

ସେଇ ଖୁସି ଭିତରେ ବର୍ଷେ ପରେ ଖୁସି ଆସିଲା ଆମ ଜୀବନକୁ ଆଉ ଆମ ଖୁସିକୁ ବହୁତ ବଢ଼େଇଦେଲା l ଖୁସି ବଡ ହେଲା ଆମ ଅଶାର ଆଲୋକ ହେଇ l ତାକୁ ପାଖ ସ୍କୁଲରେ ନାମ ବି ଲେଖେଇଲୁ l କପାଳ ଲିଖନ କେ କରିବ ଆନ ବାବୁ, ଖୁସିର ସଂସାରର ଜୁଆର ନେଇ ଆସିଲା କରୋନା l ଲକ ଡାଉନ ପରେ ଆମ କମ୍ପାନୀ ବନ୍ଦ ହେଇଗଲା l ଏପ୍ରିଲ ମାସରେ ପୁଣି ଯେତେବେଳେ ଲକଡାଉନ ବଢିଲା, କମ୍ପାନୀ ଆଉ ପଇସା ଦେଲାନି l କରୋନାର ତାଣ୍ଡବ ଦିନକୁ ଦିନ ଭୟଙ୍କର ରୂପ ନେଲା ସୁରଟରେ ସବୁ କିଛି କମ୍ପାନୀ ଦୋକାନ ବଜାରରେ ତାଲା ପଡିଗଲା l ମେ ମାସରେ କମ୍ପାନୀ ବି ଆମକୁ ଲମ୍ବା ଛୁଟି ଦେଇ ଛଟେଇ କରିଦେଲା l ପାଖରେ ଯାହା ବି ପଇସା ଥିଲା ସରି ଆସିଥିଲା l କଣ କରିବା ବାବୁ ମୁଣ୍ଡ କିଛି କାମ କଲାଣି l

ଆମର ସାଙ୍ଗ ସାଥୀ ସବୁ ସାଇକେଲ, ଗାଡି, ଚାଲିଚାଲି, ଡ଼ଙ୍ଗାରେ ଯିଏ ଯେଉଁଥିରେ ପାରିଲେ ଗଲେ l ହେଲେ ଆମେ ତ ବାସନ୍ଦ ଥିଲୁ କୁଆଡେ ଯିବୁ ଜାଣିପାରୁନଥିଲୁ l 

ମେ ତିନ ତାରିଖ ମୋ ସ୍ୱାମୀ ବାପାଙ୍କୁ ଫୋନ କଲେ, ବାପା ପୁତ୍ର ପ୍ରତି ସ୍ନେହ ଦୁର୍ବଳତା ଦେଖାଇ ଘରକୁ ପଳେଇଆସିବାକୁ କହିଲେ l ଆମେ ବହୁତ ଖୁସି ହେଇଗଲୁ l ଆଉ ମେ 8 ତାରିଖରେ ଆମେ ଆମର ଯାତ୍ରା ଆରମ୍ଭ କଲୁ l

ସକାଳୁ ସକାଳୁ ଜଗନ୍ନାଥକୁ ସୁମରଣ କରି ଆମେ ସାଇକେଲରେ ବାହାରିଲୁ ଓଡିଶା ଅଭିମୁଖେ l ସାଥିରେ ପ୍ରକାଶ ଭାଇ ବି ସାଇକେଲରେ ବାହାରିଲେ l ଅଜଣା ରାସ୍ତା ସତେ ଆମର ଅଜଣା ବନ୍ଧୁ ପାଲଟି ଯାଇଥିଲା l ପଚାରି ପଚାରି ଚାଲିଥିଲୁ ଆଗକୁ ଆଗକୁ , କେଉଁଠି ସ୍କୁଲ ପିଣ୍ଡାରେ ତ କେଉଁଠି ଗଛ ମୂଳେ ପୁଣି କେଉଁଠି ମନ୍ଦିରରେ ରାତିହେଲେ ମୁଣ୍ଡ ଗୁଂଜାଉଥିଲୁ l

ସେଦିନ 10 ତାରିଖ ଦିନ ଆମେ ଔରାଙ୍ଗବାଦ ପାଖା ପାଖି ଗୋଟେ ଗାଁର ଗୋଟେ ମସଜିଦ ପଖରେ ରାତି କଟାଉଥିଲୁ l ସକାଳୁ ଉଠିଦେଖିଲୁ ଆମ ସାଇକେଲ ଚୋରି ହେଇଯାଇଥିଲା l ଉପାୟ ଆଉ କିଛି ନଥିଲା l ଭାଗ୍ୟକୁ ଆଦରି ଆମେ ଚାଲି ଚାଲି ଆମ ଗନ୍ତବ୍ୟ ପଥରେ ଆଗେଇ ଚାଲିଲୁ l ଅମଡ଼ା ବାଟରେ ଚାଲୁ ଚାଲୁ ଥକି ପଡୁଥିଲା ଖୁସି l କେତେବେଳେ ମୁଁ ତ କେତେବେଳେ ତା ବାପା ପୁଣି କେତେବେଳେ ପ୍ରକାଶ ଭାଇ ଖୁସିକୁ କାନ୍ଧରେ ବସି ବସି ଚାଲୁଥିଲୁ l ମୋତେ ବି ଚାଲିବା ବହୁତ କଷ୍ଟ ହେଉଥିଲା ବାବୁ କାରଣ ମୁଁ ଚାରିମାସର ଗର୍ଭବତୀ ଥିଲି l 

ଜୀବନ ଯାତ୍ରାରେ ଆଗେଇ ଚାଲୁ ଚାଲୁ ଆମେ ଆଉ କିଛି ଅଜଣା ବନ୍ଧୁ ଆମ ସାଥ ଦିଅନ୍ତି l ସେମାନେ ବି ଆଗେଇ ଚାଲିଥିଲେ ତାଙ୍କ ଜୀବନ ଯାତ୍ରାରେ l ଭୋକରେ ପେଟ ଜଳି ଯାଉଥାଏ l ପାଖରେ ଯାହା ସବୁ ଥିଲା କେବଳ ଜୀବନ ବଂଚେଇବା ପାଇଁ ଉଦ୍ଧିଷ୍ଟ ଥିଲା ସିନା ହେଲେ, ପେଟ ପୁରେଇବା ପାଇଁ ନଥିଲା l ପୁଣି ଆମେ କେଉଁ ଏକ ଜଙ୍ଗଲୀ ରାସ୍ତାରେ ଚାଲୁଥିଲୁ l ଯେମିତି ଆମକୁ ବାଟ ଭୁଲିଯିବା ଭଳି ଲାଗିଲା, ଲାଗୁଥିଲା କେଇଁ ଏକ ଅଜଣା ରାଇଜକୁ ଆମେ ଯାଉନୁ ତ???

ହଠାତ ଏକ ଟ୍ରେନ ଲାଇନ ଦେଖା ଦେଲା ଆମେ ଭାବିଲୁ ଏଇ ଟ୍ରେନ ଧାରଣା କଡେ କଡେ ଗଲେ ଆମକୁ ନିଶ୍ଚୟ ଠିକ ରାସ୍ତା ମିଳିଯିବ l ତାପରେ ଏବେ ତ ଲକଡାଉନ ପାଇଁ ଟ୍ରେନ ଚଳାଚଳ ବନ୍ଦ ଅଛି, ତେଣୁ ଟ୍ରେନଲାଇନରେ ଚଳିବାଟା ବି ଏତେ ଅସୁରକ୍ଷିତ ମନେ କଲୁନି l ରାତି ଆଠଟା ପାଖାପାଖି ହେଲାଣି, ପାଦ ଥକି ପଡୁଛି, ଚାଲିବାକୁ ବଳ ପାଉନି, ଭୋକରେ ଦେହ କଣ ହେଇଯାଉଛି l କିଟିମିଟିଆ ଅନ୍ଧାର ଭିତରେ ଚାଲୁଥାଉ l ଆମେ ସେତେବେଳେ ଔରାଙ୍ଗବାଦ ଠୁଁ ପାଖାପାଖି 30 40 କିମି ପଳେଇଆସିଥିଲୁ, ହଠାତ ଗୋଟେ ଲାଇଟ ଦେଖାଗଲା, ସେଠି ଗୋଟେ ବୋର୍ଡ଼ରେ ଲେଖା ଥିଲା, କର୍ମଡ଼କୁ ରାସ୍ତା.... 

ଆମ ଛାତିରେ ଟିକେ ଦମ ପଶିଲା, ସେଠି ଏତେ ଜଙ୍ଗଲିଆ ଭଳି ବି ଲାଗୁନଥିଲା, ଆମେ ସ୍ଥିର କଲୁ କିଛି ରନ୍ଧାରନ୍ଧି କରି ଖାଇ ଏଇଠି ରାତିଟା କାଟିଦେବା l ଭାତ ଆଉ ଡାଲି କରି ଆମେ କୋଡିଏ ଜଣ ପାଖା ପାଖି ପେଟେ ପେଟେ ଖାଇଲୁ l ଟ୍ରେନ ଲାଇନ ପାଖା ପାଖି ବହୁତ ସନ୍ତ ସନ୍ତିଆ ହେଇଥିବାରୁ ଆମେ ରନ୍ଧା ରନ୍ଧି ଖିଆ ପିଆ ସବୁ ଟ୍ରେନ ଲାଇନରେ କଲୁ ,  କାରଣ ଆମର ଧାରଣା ଥିଲା କି କରୋନା ପାଇଁ ଲକଡାଉନରେ ଟ୍ରେନ ଚଳାଚଳ ବନ୍ଦ ଅଛି l ପେଟକୁ ଖାଦ୍ୟ ଗଲା ପରେ ଆମେ ସେଇ ଟ୍ରେନ ଲାଇନରେ ବହୁତ ଶାନ୍ତିରେ ଗପୁଥିଲୁ l

ଗପୁ ଗପୁ କେତେବେଳେ ଆଖିକୁ ନିଦ ହେଇଯାଇଥିଲା , କିନ୍ତୁ ସେଇ ନିଦ ଯେ କାଳ ନିଦ୍ରା ଥିଲା ଆମେ ଜାଣିପାରିନଥିଲୁ l

ଭୋର ଚାରିଟା କି ପାଞ୍ଚଟା ହେବ, ମୋ ନିଦ ଭାଙ୍ଗି ଯାଇଥାଏ ସୁଲୁସୁଲିଆ ଥଣ୍ଡା ପବନ ବୋହୁଥାଏ l ଶରୀରର ଆଳସ୍ୟ ଆହୁରି ବଢ଼ି ଯାଇଥାଏ , ଉଠିବାକୁ ଇଛା ନଥିଲେ ବି ମୁଁ ତାଙ୍କୁ ଡାକୁ ଥାଏ

"ଏଇ ଏଇ ଉଠ, ଆଉ କେତେ ଶୋଇବ ଯେ l ଚାଲ ପୁଣି ଆମ ଜୀବନ ଯାତ୍ରା ଆରମ୍ଭ କରିବା l"

"ରୁହ କାବେରୀ ମୋତେ ଆଉ ଟିକେ ଶୋଇବାକୁ ଦିଅ, ଦୁଇଦିନ ହେଲା ତମ ମାଆ ଝିଅକୁ ଜଗି ଜଗି ଭଲକି ଟିକେ ସୋଇନି l"

ହଠାତ ବିକଟାଳ ଗର୍ଜନ କରି ଭୟଙ୍କର ଵେଗରେ କିଛି ମାଡିଆସିଲା, ମୋ ମୁଣ୍ଡ କିଛି କାମ କଲାଣି, ଇତଃସ୍ତତ ହେଇ ଖୁସିକୁ ଟାଣିଆଣି, ତାଙ୍କୁ ଟାଣି ଆଣୁଥିଲି , କିନ୍ତୁ...........

ତାପରେ ସବୁ ଶେଷ ହେଇଗଲା ବାବୁ l କ୍ଷଣିକ ଭିତରେ ସବୁ କିଛି ସମାପ୍ତ ହେଇଗଲା l ତାଙ୍କର କେବେଳ ହାତଟା ମୋ ହାତରେ ଥିଲା ଆଉ ଶରୀର............

କାବେରୀ ଭୋ ଭୋ ହେଇ କାନ୍ଦିଉଠୁଥିଲା l ଏକଦମ ବାଷ୍ପରୁଦ୍ଧ ହେଇଯାଇଥିଲା ତା ସ୍ୱର l

ମୁଁ ପୁରା ନିରବ ଥିଲି l ଦୁଃଖର କଷଟି ସତେ କେତେ ଭୟଙ୍କର ହେଇପାରେ, ସେଇ କଥା ମୋ ହୃଦୟ ପ୍ରାଣକୁ ଖିନ ଭିନ କରିଦେଉଥିଲା l

"ତାପରେ ବାବୁ ମୋର ସେନ୍ସ ଚାଲି ଯାଇଥିଲା l ଚେତା ଫେରିଲା ପରେ ପ୍ରକାଶ ଭାଇଙ୍କ କୋଳରେ ମୋ ମୁଣ୍ଡ ଥାଏ, ଖୁସି ମୋ ଗୋଡକୁ ଆଉଁସି ଆଉଁସି କାନ୍ଦୁ ଥାଏ.......

ସବୁ ସରିଗଲା ବାବୁ ମୋର ଖୁସି, ମୋର ସଂସାର, ଆଉ କେଉଁ ମୁହଁ ନେଇ ଘରକୁ ଫେରିବି l ଭାବିଲି ଆତ୍ମହତ୍ୟା କରିଦେବି, କିନ୍ତୁ ଖୁସିର ନିଷ୍ପାପ ମୁହଁଟି ମୋତେ ଅଟକି ଦେଇଥିଲା l"

ଘରକୁ ଯିବାର ବାଟ ବି ମୋ ପାଇଁ ବନ୍ଦ ହେଇଯାଇଥିଲା l ପୁତ୍ର ଚାଲି ଯିବାର ଖବରରେ ବାପା ମୋ ପ୍ରତି ପୁଣି ହିଂସ୍ର ହେଇ ଉଠିଲେ l ପ୍ରକାଶ ଭାଇ ମୋତେ ଆଶ୍ୱାସନା ଦେଇ ମୋ ପାଇଁ ଦେବଦୂତ ହେଇଗଲେ l ତାଙ୍କ ଭରଷାରେ ଆଜି ଏହି ବସ୍ତିରେ ମୁଁ ଅଛି ବାବୁ l ପ୍ରକାଶ ଭାଇ ତାଙ୍କ ମାଲିକ ପାଖରୁ ଏଇ ମେସିନଟା ଆଣିଦେଇଛନ୍ତି l ଆଉ ସେଇଟା ଆଜି ମୋ ବଞ୍ଚିବାର ରାହା ପାଲଟି ଯାଇଛି l"""

ନିରବରେ ଅପଲକ ନୟନରେ କାବେରୀକୁ ଅନେଇ ରହିଥିଲି l

ଆଖିର ଅମାନିଆ ଲୁହ କେତେ ଯେ ଓଠ ପିଇଯାଇଥିଲା, ତାର ହିସାବ ନଥିଲା, ଜୀବନଟା ମୋତେ ଶୂନ୍ୟ ଶୂନ୍ୟ ଲାଗୁଥିଲା l

ମୋର କିଛି କହିବା ପାଇଁ କି ଆଶ୍ୱାସନା ଦେବା ପାଇଁ ଭାଷା ନଥିଲାl

" ଭଉଣୀ ଏତେ ବଡ ଦୁନିଆରେ ନିଜକୁ ଏକୁଟିଆ କେବେ ଭାବିବନି, ଭଗବାନ କେଉଁଠି ନା କେଉଁଠି ଆଶାର ଆଲୋକ ଖଞ୍ଜି ଦେଇଥାନ୍ତି l ଏ ଦୁଇହଜାର ଟଙ୍କା ରଖ l କେବେ କିଛି ଅସୁବିଧା ହେଲେ ଏ ଭାଇଟାକୁ ମନେ ପକେଇବ l"

ଆଡ୍ରେସ ଦେଇ ପଳେଇ ଆସିଲି.... 

ଖୁସି ଆଉ ତାର ବୋଉ ସେମିତି ସନ୍ତର୍ପଣ ଦୃଷ୍ଟିରେ ଅନେଇଥାନ୍ତି 

ମୁଁ ଗାଡି ଷ୍ଟାର୍ଟ ମାରି ଧୀରେ ଧୀରେ ଆସୁଥିଲି.... 

ଖୁସି ଆଉ ତାର ବୋଉ ସେମିତି ଅନେଇଥାନ୍ତି l

ସତେ ଦୂରଦିଗବଳୟର ଅସ୍ତମିତ ସୂର୍ଯ୍ୟ କେଉଁ ଏକ ଅଜଣା ଆଶାର ଆଲୋକରେ ଉଲ୍ଲସିତ ହେଇ ଉଠୁଥିଲା l

ଦୃଶ୍ୟର ଅନ୍ତରୋଳରେ ଲିଭି ଯାଉଥିଲା ଧୀରେ ଧୀରେ.......

ଆଉ ମାନସ ପଟକୁ ବାରମ୍ବାର ବିଦାରିତ କରୁଥିଲା ସଂଘର୍ଷମୟ ସମୟର ଜୀବନ ଯାତ୍ରା l

 



Rate this content
Log in

Similar oriya story from Tragedy