Anita Jena

Tragedy Inspirational

4.0  

Anita Jena

Tragedy Inspirational

ଜୀବନ ରାସ୍ତା

ଜୀବନ ରାସ୍ତା

4 mins
268



ସେଦିନ ରୂପାକୁ ବଜାରରେ ଗୋଟିଏ ପୁଅ ସହ ବୁଲିବା ଦେଖି ସୁରେଶ୍ ଖୁବ୍ ଜୋରରେ ରାଗି ଗଲେ । ଘରକୁ ଆସି ପତ୍ନୀ ସୁଜାତାଙ୍କ ଉପରେ ଚିଲେଇବାକୁ ଲାଗିଲେ । କହିଲେ ମାଆ ହେଇଛ, ଝିଅ କୁଆଡ଼େ ଯାଉଛି,କଣ କରୁଛି କିଛି ଜାଣି ପାରୁନ । ଝିଅକୁ ଶାସନ ନ କରି ମୁଣ୍ଡରେ ବସେଇ ରଖିଛ । ଆଗକୁ ଯାହା ହବ ମୋତେ କିଛି କହିବ ନାହିଁ । ସୁଜାତା ଝିଅ ରୂପା ବିଷୟରେ ସବୁ ଶୁଣି ଟିକିଏ ଚୁପ୍ ରହିଲେ ଆଉ ସୁରେଶଙ୍କୁ କହିଲେ ତମେ ରାଗ ନାହିଁ ସେ ଆଜି ଘରକୁ ଆସୁ ମୁଁ ତା ସହିତ କଥା ହେବି । ପିଲା ଲୋକ କଣ ଭୁଲ କରି ଦେଇଛି । ସୁରେଶ୍ କହିଲେ ପିଲା ଲୋକ ? ଆସିକି ଅଠର ବର୍ଷର ଝିଅ ହେଲାଣି ତମେ କହୁଛ ପିଲା ଲୋକ । 

 ସୁଜାତା ରୂପା ବିଷୟରେ ଏ ସବୁ ଶୁଣି ଟିକିଏ ଚିନ୍ତାରେ ପଡି ଗଲେ । ରୂପାର ଫେରିବା ବାଟକୁ ଅନେଇ ବସିଲେ । ଘଣ୍ଟାଏ ପରେ ରୂପା ଘରକୁ ଫେରିଲା ସୁଜାତା ତାକୁ ଖାଇବା ପାଇଁ ଦେଇ ତା ପାଖରେ ବସିଲେ । ରୂପା ଖାଇ ସାରିବା ପରେ ସୁଜାତା କହିବା ଆରମ୍ଭ କଲେ - ଜାଣିଛୁ ମାଆ ମୁଁ ବି ଦିନେ ତୋ ଭଳି ଏମିତି ବୟସରେ ଥିଲି । ତୋ ଅଜା ମୋତେ ବହୁତ୍ ଭଲ ପାଉ ଥିଲେ । ତୋ ଅଜା ମୋତେ କେବେ ମୋ ନାଆଁ ଧରି ଡାକୁ ନ ଥିଲେ ସବୁବେଳେ କହୁ ଥିଲେ ତୁ ମୋର କଣ୍ଢେଇ, ଆମେ ତିନି ଭଉଣୀ ଥିଲୁ ଆଉ ବାପା ମୋତେ କହୁଥିଲେ ତୁ ହଉଛି ମୋ ତିନି କଣ୍ଢେଇ ଭିତରେ ରାଣୀ । ବାପା ମୋତେ ବେଶୀ ଭଲ ପାଉଥିଲେ । ମୋର ସବୁ ଇଚ୍ଛା ମୁତାବକ ଜିନିଷ ମୁଁ ଖୁବ୍ ସହଜରେ ପାଇ ଯାଉଥିଲି । ଏ ଯୌବନ ବୟସ ଯେ କେତେବେଳେ କାହାକୁ ବଞ୍ଚିବା ଶିଖେଇ ଦିଏ ତ ଆଉ କାହାକୁ ଭୁଲ ରାସ୍ତାରେ ନେଇ ଯାଏ । ଜୀବନର ପଥ ବହୁତ୍ ସଂକୀର୍ଣ୍ଣ, ଦେଖି ଚାହିଁ ଚାଲିବାକୁ ପଡ଼େ । ଯଦି ନେଡି ଗୁଡ କହୁଣିକୁ ବୋହି ଯାଏ ନା ତାହେଲେ କେବଳ ପଶ୍ଚାତାପ କରିବା ଛଡା ଆଉ କିଛି ଉପାୟ ମିଳେ ନାହିଁ। 

  ଏବେ ତୁ ସବୁ ଜାଣିବା ଉଚିତ୍ । ଆଗରୁ ତତେ ଏ ସବୁ କହି ଦେଇଥିଲେ ହୁଏତ ଭଲ ହେଇ ଥାଆନ୍ତା । ଜାଣିଛୁ ମୁଁ ତୋ ଅଜାଙ୍କ ଭଲ ପାଇବାର ଫାଇଦା ଉଠେଇଲି । ଘରେ ମିଛ କହି ବୁଲିବା ପାଇଁ ଗଲି ବାହାରକୁ ପୁଅ ସାଙ୍ଗମାନଙ୍କ ସହିତ । ଏଇଟା ସତ ଯେ କାହା ସହିତ ମୋର କିଛି ଅଲଗା ସମ୍ପର୍କ ନ ଥିଲା କେବଳ ସାଙ୍ଗମାନଙ୍କ ସହିତ ବୁଲିବା ପାଇଁ ଯାଉ ଥିଲି । ନିଜ ସ୍ଵାଧୀନରେ ବଞ୍ଚିବା ପାଇଁ କେତେ କଣ କରୁଥିଲି। ଅନ୍ୟ ମାନେ କଣ କହିବେ କଣ ଭାବିବେ ଏଥି ପ୍ରତି ମୋର ଜମା ବି ନିଘା ନ ଥିଲା । ମୁଁ ଗୋଟିଏ ସମାଜରେ ରହୁଛି ଆଉ ପରିବାର ମୋ ପାଇଁ ଦିନେ ଅସୁବିଧାରେ ପଡ଼ିବ ମୋର ଏ କାମ ପାଇଁ ଏ କଥା ମୁଁ କେବେ ଭାବି ନ ଥିଲି । ହେଲେ ଏ ସମାଜ ମୋତେ ସେଥିପାଇଁ ଅନେକ କିଛି କହିଲା, ଲୋକଙ୍କ କଥା ଶୁଣି ବାପା ଭାଙ୍ଗି ପଡ଼ିଲେ । ମୋତେ ଅବିଶ୍ୱାସ କଲେ, ତାଙ୍କ ମନରେ ମୋ ପ୍ରତି ଆଉ ଆଗ ଭଳି ଭଲ ପାଇବା ରହିଲା ନାହିଁ। ମୋ ବାପା ମୋର ପାଠ ପଢା ବନ୍ଦ୍ କରିଦେଲେ । ବଡ଼ ଦି ଭଉଣୀଙ୍କ ବିବାହର ବର୍ଷେ ନ ପୁରୁଣୁ ମୋର ବିବାହ ସ୍ଥିର କରିଦେଲେ । 

 ଦିନେ ଯାହା ପାଇଁ ମୁଁ କଣ୍ଢେଇ ରାଣୀ ଥିଲି ତାଙ୍କ ପାଇଁ ମୁଁ ଜୀବନ କଣ୍ଢେଇ ନାଚରେ ପଛରେ ରହିଗଲି । ମୋତେ ବିଦା ଦେବା ଦିନ ବାପା ବହୁତ୍ କାନ୍ଦିଲେ ଆଉ କହିଲେ ଯଦି ତୁ ଯଦି ଅନୁଶାସନ ଭିତରେ ରହି ନିଜ ଜୀବନ ବଞ୍ଚିଥାନ୍ତୁ ତାହେଲେ ହୁଏତ ମୋତେ ଏ କଠୋର ନିଷ୍ପତ୍ତି ନେବାକୁ ପଡିନଥାନ୍ତା। ଜୀବନରେ ସବୁବେଳେ ଆମେ ନିଜ ହିସାବରେ ବଞ୍ଚିବାର ରାସ୍ତା ଆପଣେଇ ନେବା ଯେ ଠିକ୍ ଏ କଥା ଭାବିବା ଭୁଲ । କାହିଁକି ନା ଅଧିକାର ଅଛି ଆମର ନିଜ ହିସାବରେ ଜୀବନ ବଞ୍ଚିବା ପାଇଁ ହେଲେ ସବୁ କିଛି ପାଇବା ଆଶାରେ ଆମେ ଭୁଲି ଯାଉ ଯେ ଆମର ଗୋଟିଏ ପରିବାର ଅଛି, ଆମର କିଛି ନିଜ ଲୋକ ବି ଅଛନ୍ତି ଆଉ ସେମାନେ ଆମ ଠାରୁ କିଛି ଆଶା ରଖନ୍ତି । 

 ଆମକୁ ସେ ଅସରନ୍ତି ଭଲ ପାଇବା ଦିଅନ୍ତି ଆଉ ତା ବଦଳରେ ଚାହାଁନ୍ତି ଆମେ ବି କିଛି ଏମିତି କାମ କରୁ ଯାହା ତାଙ୍କୁ ସେତିକି ଗର୍ବିତ କରେଇବ ସମାଜ ଆଗରେ । ନିଜ ଜୀବନ ନିଜ ହିସାବରେ ବଞ୍ଚିବା ଭୁଲ କଥା ନୁହେଁ, ହେଲେ ଭୁଲ ରାସ୍ତା ବାଛି ନେବା ବିପଦ ଆଣି ପାରେ । 

 ଶୁଣୁ ରୂପା ତୋ ବାପା ଆଜି ଯାଏଁ କେବେ ବି କୋଉଠି ମୁଣ୍ଡ ନୁଆଇଁ ନାହାଁନ୍ତି, ତୁ ଆମର ଗୋଟିଏ ସନ୍ତାନ ସେ ନିଜ ଖୁସିକୁ ଆଡେଇ ଦେଇ ଦିନ ରାତି ପରିଶ୍ରମ କରୁଛନ୍ତି କେବଳ ତୋ ମୁହଁରେ ଟିକେ ହସ ଦେଖିବା ପାଇଁ । ତୋତେ ଗୋଟିଏ ବଡ଼ ମଣିଷ କରିବା ତାଙ୍କର ସ୍ୱପ୍ନ । ତୁ ମୋତେ କଥା ଦେ ତୁ ଜୀବନରେ ଏମିତି କିଛି ଭୁଲ କରିବୁ ନାହିଁ ଯାହା ତୋ ବାପାଙ୍କୁ ବାଧ୍ୟ କରିବ କିଛି ଅଲଗା ନିଷ୍ପତ୍ତି ନେବାକୁ । ଯଦି କିଛି ଭୁଲ କରିଛୁ ତେବେ ତାକୁ ଠିକ୍ କରିବାର ସୁଯୋଗ ନେଇ ଆଜି ଠାରୁ ବଦଳି ଯା । ମୁଁ ତୋର ମା, ତତେ ଭଲ ମନ୍ଦ ଶିଖେଇବା ମୋ ଦାୟିତ୍ଵ ହେଲେ ସବୁ ପରେ ବି ମୁଁ ଗୋଟିଏ ଝିଅ । ଆଉ ମୁଁ ଭଲ ଭାବେ ଜାଣିଛି ଥରେ କଳଙ୍କ ଲାଗିଲେ ତାହା ଲିଭିବା କେତେ କଷ୍ଟ । ।

 ମାଆଙ୍କର ଏମିତି ସବୁ କଥା ଶୁଣି ରୂପା ବୁଝି ପାରୁଥିଲେ ଯେ ଆଜି ସେ ବୁଲିବା ବେଳେ ନିହାତି ଭାବେ ମାଆ ଦେଖି ଦେଇଛନ୍ତି । ସେ ଭାବିଲା ସତରେ ମାଆ ଯାହା ଯାହା ସବୁ କହିଲେ ସେ ସବୁ ଶତ ପ୍ରତିଶତ ଠିକ୍ । ଜୀବନରେ ନିଜ ହିସାବରେ ବଞ୍ଚିବା ପାଇଁ ଅନେକ ସମୟ ବାକି ଅଛି ଏବେ ତାକୁ ତା ଭବିଷ୍ୟତ ଆଉ ତା ବାପାଙ୍କ ସ୍ଵପ୍ନ ବିଷୟରେ ଧ୍ୟାନ ଦେବା ଜରୁରୀ । ରୂପା ସୁଜାତାଙ୍କ ଆଡକୁ ଅନୁତପ୍ତ ଚାହାଣୀରେ ଚାହିଁ ଶୋଇ ପଡ଼ିଲା ତାଙ୍କ କୋଳରେ । ସୁଜାତା ବୁଝି ପାରିଲେ ଯେ ରୂପା ବୁଝି ଠିକ୍ ବୁଝି ପାରିଛି ତାଙ୍କ ମନର ଆନ୍ଦୋଳନକୁ ଆଉ ଠଉରେଇ ପାରିଛି ତାର ଭୁଲକୁ । । । 




Rate this content
Log in

Similar oriya story from Tragedy