ଜବାନ
ଜବାନ


ବନ୍ଧୁକ ,ଗୁଳି ,ଡିନାମାଇଟ ,ବୋମା ........ସବୁ ଯେମିତି ତା ପାଇଁ ଥିଲା ଅଷ୍ଟମ ଆଶ୍ଚର୍ଯ୍ୟ । ପ୍ରତି ମୁହୂର୍ତ୍ତରେ ଉଦବେଳିତ କରି ତାର କୋମଳ ଛାତିକୁ ଯେମିତି ଚିରି ପକାଉଥିଲା ଏହି ଆଗ୍ନେୟ ଜିନିଷ ସବୁ। ହେଲେ କାହିଁକି ? ନାଚି ଉଠୁଥିଲା ସନ୍ତ୍ରାସବାଦର ମର୍ମନ୍ତୁଦ ଆକ୍ରମଣ ତାର ମାନସ ପଟରେ।ମାଘ ମାସ ଜାଡ ପରି ଲୋମ ଶିହରଉ ଥିଲା ଆଖିରେ ଦେଖୁଥିବା ପୁଞ୍ଜା ପୁଞ୍ଜା ଶିରାଳ ମର ଶରୀର ।
ମନରେ ଅସୁମାରି ପ୍ରଶ୍ନ । ସେ କ'ଣ ଦୂରେଇ ପାରିବ ପ୍ରକୃତିର ରକ୍ତିମ ଦୃଶ୍ଯକୁ? ???
ଫେରେଇ ପାରିବ ମାଆର ଦୁଃଖ ?? ହେତୁ ପାଇବା ଦିନଠୁ ଅସରନ୍ତି ପ୍ରଶ୍ନ ଦିନରେ ବି ସ୍ବପ୍ନ ଦେଖାନ୍ତି ମନୋଜକୁ। ଠିଆ ଠିଆ ବହୁତ କଥା ଭାବି ଦିଏ ଯେମିତି ପାର୍ଲିଆମେଣ୍ଟ ଠାରୁ ରାଷ୍ଟ୍ରପତି ଭବନ ଯାଏଁ ସଙ୍ଗେ ସଙ୍ଗେ । ମନେମନେ କଷ୍ଟ ପାଏ ପୁଣି ଭାରତ ବର୍ଷର ବୀର ସଂଗ୍ରାମୀ ମାନଙ୍କୁ ମନେ ପକାଇ ଦୀର୍ଘ ଶ୍ବାସ ଛାଡେ।
ପ୍ରାଇମେରୀରୁ ମହାବିଦ୍ୟାଳୟର ଜୀବନକୁ ତିଳେ ତିଳେ ଅନୁଭବ କରିଛି ମନୋଜ । ସେହି ନିଷ୍ଠୁର ମାନଙ୍କ ହାତରେ ଯାଇଛି ତା ବାପାଙ୍କ ଜୀବନ। ଅଭାବ ପରିସୀମାକୁ ଡେଇଁବାକୁ ଅନରତ ଚେଷ୍ଟା । ଛାତି ମାଙ୍କଡା ପଥର ପ୍ରଥମେ ପ୍ରାୟ ଦୁଃଖ ଭାରରେ।
ହେଲେ ତାର ନିଶା ବନ୍ଧୁକ ଧରିବ ସେ ପୁଣି ସରକାରି ଛାପ ବାଲା। ଆଉ ଶେଷ କରିଦେବ ଆତଙ୍କବାଦର ବହ୍ନି । ମୁଣ୍ଡରେ ଟୋପି ଆଉ ମାଟିଆ ପୋଷାକକୁ ଚାତକ ପରି ଚାହିଁ ଚାହିଁ ବହୁ ପରିଶ୍ରମ ପରୀକ୍ଷା ପରେ ମନୋଜ ପାଇଲା ଜବାନ ପଦବୀ ।ପୁଣି ଭାରତ ମାତାର। ସେ ହେବ ଦେଶର ରକ୍ଷକ। ସୁରକ୍ଷା ଦେବ ମାଟି ମାଆକୁ। ବହୁ ଅପେକ୍ଷିତ ପଦବୀକୁ ନେଇ ମନୋଜ ଚାଲିଗଲା କାଶ୍ମୀର ।
ମାଆ ସହିତ ଗାଆଁ ଲୋକେ ମଧ୍ଯ ଭଲପାଆନ୍ତି ମନୋଜକୁ।ମନୋଜ ପାଖରେ ଆଜି ବନ୍ଧୁକ, ଗୁଳି, ଡିନାମାଇଟ, ବୋମା , ବିସ୍ଫୋରଣ ସବୁ ଚିହ୍ନା । ଅପାଠୋଇ ମାଆ ପାଖକୁ ଆସେ ମନୋଜର ପ୍ରେମ ଭରା ଚିଠି।ଲେଖାଥାଏ ମନୋଜର ଭଲ ମନ୍ଦ ପ୍ରଶ୍ନ ଥାଏ "ବୋଉ ତୁ ଭଲରେ ଅଛୁ ତ ? ମୁ ମୋ ସ୍ବପ୍ନର ଜୀବନ ପାଇଯାଇଛି ।ଆତଙ୍କରୁ ମୁ ମୋ ମାଟି ମାଆକୁ ରକ୍ଷା କରିବି । " ଏମିତି ଅନେକ କିଛି । ଖୁସିହୁଏ ମାଆ । ଝରିପଡେ ପୁଅପାଇଁ ଦୁଇଟୋପା ଲୁହ । ହେଲେ ସେ କାନ୍ଦେନି କାଳେ ମନୋଜର ଅମଙ୍ଗଳ ହେବ ?
କିଛିଦିନ ପରେ ଆଉ ଗୋଟେ ଚିଠି। ଲେଖାଥିଲା"ମାଉସୀ ମୋର ପ୍ରଣାମ ଗ୍ରହଣ କରିବେ । ମୁଁ ମନୋଜର ବନ୍ଧୁ ସାଗର ।ମନୋଜ ଆଉ ଏ ଦୁନିଆରେ ନାହିଁ ।ସେ ଦେଶପାଇଁ ସାଜିଛି ଶହିଦ ।ହଁ ମରିବା ପୂର୍ବରୁ ଶେଷ କରିଦେଇଛି କିଛି କ୍ରୁର ଆତଙ୍କବାଦୀଙ୍କୁ।।"
ପ୍ରଣାମ ମାଉସୀ ।ଜୟ ହିନ୍ଦ୍ ।।
କିଛି ଘଣ୍ଟା ପରେ ପହଞ୍ଚିଲା ମନୋଜର ଶହିଦ ଶରୀର । ଆଉ ଦୂରରୁ ଶୁଭୁଥିଲା "ୟେ ମେରେ ବତନ କି ଲୋଗୋଂ ଜରା ଆଂଖମେ ଭରଲୋ ପାନି..........।