ABADHOOT PANDA

Abstract

4  

ABADHOOT PANDA

Abstract

ହନୁ ମାଙ୍କଡ଼ ଓ କାଠୁରିଆ

ହନୁ ମାଙ୍କଡ଼ ଓ କାଠୁରିଆ

3 mins
419


ଥରେ ଗୋଟିଏ ହନୁ ମାଙ୍କଡ଼ ଗାଁ ମୁଣ୍ଡରେ ଥିବା ଏକ ଆମ୍ବ ଡାଳରେ ମସ୍ତି କରୁଥାଏ l ଗଛ ମୂଳେ ଜଣେ କାଠୁରିଆ ତାର ଏକ କାଠ ଗଣ୍ଡିକୁ ଦିଫାଳ କରି ହାଣି କୁରାଢ଼ୀଟିକୁ ମଝିରେ ରଖି ଖରାବେଳେ ଘରକୁ ଭାତ ଖାଇବାକୁ ଗଲା l ଉଦୁ ଉଦିଆ ଖରା ବେଳ l ଗଛ ଉପରେ ଗରମ ଲାଗିବାରୁ ଗେଧ ( ଅଣ୍ଡିରା ହନୁ ମାଙ୍କଡ଼ ) ଟି ତଳକୁ ଡେଇଁ ଗଛ ଗଣ୍ଡି ଉପରେ ବସିଲା l ଗୋଟାଏ ପାଚିଲା ଆମ୍ବ ଧରି ଖାଇବାକୁ ଲାଗିଲା l


ମାଙ୍କଡ଼ ସ୍ଵଭାଵ ଖୁଜୁ ବୁଜିଆ l ଗୋଟାଏ ଜାଗାରେ ଚୁପ ଚାପ ବସି ପାରନ୍ତିନି l ଚେଁ ଚାଁ ଖେଂ ଖାଁ ହେଇ ଏ ଡାଳରୁ ସେଡାଳ ଡେଇଁ ବୁଲନ୍ତି l ତେଣୁ ହନୁ ମାଙ୍କଡ ତାର ମାଂକେଡ଼ିଆ ବୁଦ୍ଧି ବା କେମିତି ଛାଡ଼ି ପାରିବ? ପାଖା ପାଖି ଦୁଇ ଘଣ୍ଟା ପରେ କାଠୁରିଆ ଖାଇ ପିଇ ଟିକେ ବିଶ୍ରାମ କରି କାମକୁ ଫେରିଲା l ହନୁମାଙ୍କଡ଼କୁ ଦେଖି ତାକୁ କାଠ ଗଣ୍ଡି ଉପରୁ ଡରେଇ କି ହଟାଇ ବାକୁ ତଳୁ ଗୋଟାଏ ଢେଲା ଉଠାଇଲା l ତାର ଛାଇ ରେ ବସିବାରେ ବାଧା ହେବାରୁ କଳାମୁହାଁ ଗେଧ ଖୁବ ରାଗି ଗଲା l କାଠୁରିଆ କୁ ଡରାଇବାକୁ କାଠ ଗଣ୍ଡି କୁ ଖୁବ ଜୋର ରେ ହଲାଇ ଦାନ୍ତ କଡ଼ ମଡ଼ କରିବାକୁ ଲାଗିଲା l ମାଙ୍କଡ଼ କୁ ଭଗେଇବା ପାଇଁ କାଠୁରିଆ ପାଖରେ ଥିବା ପୋଖରୀ ଭିତରେ ଡୁବି ମେଞ୍ଚାଏ ପଙ୍କ ହାତରେ ଧରି ଆଣିଲା l କଳାମୁହାଁ ହନୁ ମାଙ୍କଡ଼ ପଙ୍କକୁ ଭାରି ଡରନ୍ତି l କାରଣ ପଙ୍କ ସେମାନଙ୍କ ଦେହରେ ଲାଗିଲେ ସହଜରେ ବାହାରେନି l ତେଣୁ ନିଜ ହାତରେ ସେମାନେ ପଙ୍କ ଛଡ଼ାଇ ବାକୁ ଚେଷ୍ଟା କରନ୍ତି l ଫଳରେ ଦେହସାରା ଘା ହେଇଯାଏ l ଆଉ ଘା କୁଣ୍ଡାଇ ହେଲେ ଉଖାରି ଉଖାରି ତାକୁ ପଚାଇ ଦିଅନ୍ତି l ଆଉ ଅଳ୍ପ ଦିନ ପରେ ମରି ଯାନ୍ତି l


କାଠୁରିଆ ହାତରେ ପଙ୍କ ଦେଖି ଗେଧ ମାଙ୍କଡ଼ ଭୀଷଣ ଡରିଗଲା ଓ ଗଛ ଉପରକୁ କୁଦା ମାରିବାକୁ ଚେଷ୍ଟା କଲା l କିନ୍ତୁ କାଠ ଗଣ୍ଡି ଉପରୁ ଆଉ ଉଠି ପାରିଲାନି l ଖାଲି କାଠୁରିଆ କୁ ଖିଙ୍କାରି ବାକୁ ଲାଗିଲା l କାରଣ ତା'ର ଲାଙ୍ଗୁଡ଼ ଦୁଇ ଦୁଇ ଫାଳ ହୋଇ ଥିବା ଚିରା କାଠର ଫାଙ୍କରେ ପଶି ଯାଇଥିଲା l ମଝିରେ ଥିବା କୁରାଢ଼ୀ ଲୁହା ଖଣ୍ଡ କାଠ ଫାଳ କୁ ଅଲଗା କରି ରଖିଥିଲା l ଗେଧ କାଠ ଗଣ୍ଡି କୁ ଅଯଥା ହଳାଇବା ଦ୍ଵାରା ଦୁଇ ଫାଳ ପୁଣି ଏକାଠି ହେଇଗଲା ଓ ଲାଙ୍ଗୁଡ଼ଟି ଚାପି ହେଇ କାଠ ମଝିରେ ରହିଗଲା l ଗେଧ ନିଜ ଲାଙ୍ଗୁଡ଼ କଟିଯିବା ଡରରେ ଆଉ କୁଦା ମାରି ପାରିଲାନି l କେବଳ ଚୁପଚାପ ବସି ରହିଥାଏ l ମାଙ୍କଡ଼ର ଏପରି ବିକଳ ଅବସ୍ଥା ଦେଖି କାଠୁରିଆ ମନରେ ଦୟା ଆସିଲା l ମାଙ୍କଡ଼ ଉପରେ କାଦୁଅ ନ ଫିଙ୍ଗି କାଠ ଫାଳ ମଝିରେ ଗୋଟାଏ ଠେଙ୍ଗା ଭର୍ତ୍ତି କରି ଫାଟଟିକୁ ମେଲାଇ ଦେଲା l ଏଣୁ ଗେଧ ମାଙ୍କଡ଼ ର ଲାଙ୍ଗୁଡ଼ ସୁରୁଖୁରେ ବାହାରି ଆସିଲା l ଆଉ ମାଙ୍କଡ଼ ଗଛ ଉପରକୁ ଚଢ଼ି ଯାଇ ବସିଲା l କାଠୁରିଆ ପୁଣି କାଠ ହାଣିବାକୁ ଆରମ୍ଭ କଲା l


ଏହି କାହାଣୀଟିରୁ ଶିକ୍ଷା ମିଳିଲା ଯେ ଯଦି କେହି ଅଯଥା କାମ ଅର୍ଥାତ ତାଙ୍କର ନିଜ କାମ ନୁହେଁ ଯାହାକି କରିବା ଅନୁଚିତ, ସେହି କର୍ମ କରନ୍ତି ଠିକ କଳା ମୁହାଁ ଗେଧ ମାଙ୍କଡ଼ ପରି କଷ୍ଟ ପାଆନ୍ତି l ତେଣୁ ପିଲାମାନେ ଏ କଥା ସବୁବେଳେ ମନେ ରଖିବା ଉଚିତ l ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା କାମ " ସୁବ୍ୟାପାର " l ପାଠରେ ମନ ନ ଦେଇ ପାଠ ପଢ଼ି ଜ୍ଞାନ ଆହରଣ କରିବା ସମୟରେ ଖେଳିବା ସିନେମା ଦେଖିବା ଗୁଡ଼ି ଉଡାଇବା, ସାରଙ୍କୁ ମିଛ କହି ଏଣେ ତେଣେ ବୁଲିବା, ସାଙ୍ଗ ସାଥିମାନଙ୍କ ସହିତ କଜିଆ କରିବା ଇତ୍ୟାଦି " ଅବ୍ୟାପାର "l ସୁବ୍ୟାପାର ରେ ଛାତ୍ରୀ ଛାତ୍ରମାନଙ୍କ ଭବିଷ୍ୟତ ଉଜ୍ବଳ ହୁଏ ଓ ଅବ୍ୟାପାରରେ ମନ ଦେଲେ ନିଜ ନିଜର ଭବିଷ୍ୟତ ଅନ୍ଧାର ହୋଇଥାଏ l


[ ପିଲାମାନଙ୍କ ପାଇଁ ଶିକ୍ଷା ମୂଳକ ଗଳ୍ପ l ଓଡିଶାର ଲୋକ କଥାଉପରେ ଆଧାରିତ ]

              


Rate this content
Log in

Similar oriya story from Abstract