ହଁ ସେ ମାଆ
ହଁ ସେ ମାଆ
କ୍ଷୁଦ୍ର ଗଳ୍ପ - ୧
============
ମୋ ସ୍କୁଲ ଯିବା ବେଳର କଥା । ସବୁଦିନ ପରି ମୋତେ ଖାଇବାକୁ ବାଢି ଦେଇ ଟେବୁଲ ଉପରେ ଟିଫିନଟି ରଖି ଦେଇ ମାଆ ତାର କାମରେ ଲାଗିଗଲା । କୌଣସି କାରଣବଶତଃ ସେଦିନ ଟିଫିନଟି ବ୍ୟାଗରେ ରଖି ନଥିଲା ସେ ଆଉ ବଡ ପାଟିରେ ଚିଲେଇକି କହିଲା ମନେ କରିକି ଟିଫିନ ବ୍ୟାଗରେ ପୁରେଇବୁ । ମୁଁ ଖାଇ ସାରି ଅଭ୍ୟାସଗତ ଭାବେ ବ୍ୟାଗଟି ଉଠେଇ ସ୍କୁଲ ବାହାରି ଯାଇଥିଲି ଟିଫିନଟିକୁ ସେଇ ଟେବୁଲ ଉପରେ ରଖିଦେଇ । ଲଞ୍ଚ ବ୍ରେକରେ ବ୍ୟାଗରେ ଟିଫିନ ନ ଦେଖି ମନେ ମନେ ଖୁସି ହେଇଯାଇଥିଲି ମୁଁ । ଯାହା ହଉ ଆଜି ପକେଟ ମନି 20 ଟଙ୍କା ଖର୍ଚ୍ଚ କରିବାକୁ ବାହାନାଟେ ମିଳି ଗଲା ।
ହେଲେ 4ଟା ବେଳେ ଘରକୁ ଫେରି ଦେଖେ ତ ମାଆ ମୋର ଦୁଇଟା ଯାଗାରେ ଖାଇବା ବାଢିଲା । ଗୋଟେ ତାର ଆଉ ଗୋଟେ ମୋର । ମୁଁ ପଚାରିଲି, "ମାଆ ତୁ କଣ ଖାଇନୁ ଆଜି ଏବେ ଯାଏଁ!" । କହିଲା ତୋ ବ୍ୟାଗରେ ଟିଫିନଟା ନ ପୁରେଇ ଏତେ ବଡ ଭୁଲଟେ କଲି ଆଜି । ଛୁଆ ମୋର ଭୋକରେ ରହିଲା ଦିନ ସାରା ।
ମୁଁ ତା ମୁହଁକୁ ଆଁ କରି ଚାହିଁ ଭାବୁଥିଲି ପ୍ରକୃତରେ କାହା ଭୁଲ ଥିଲା । ସକାଳୁ ଘରଯାକର କାମ କରି ସାରିକି ବି ନିଜକୁ ଓପାସ ରଖି ଅନୁତାପ କରିବାର ଶକ୍ତି ବୋଧହୁଏ କେବଳ ମାଆର ଥାଏ ।
ହଁ ସେ ମାଆ । ମାଆକୁ କେବେ ଭୋକ ହୁଏନି ।
କ୍ଷୁଦ୍ର ଗଳ୍ପ - ୨
=============
ମୋ ଜନ୍ମଦିନ ଆଉ ସାବିତ୍ରୀ ସବୁ ବର୍ଷ ପାଖା ପାଖି ପଡେ । ସେବର୍ଷ କୌଣସି କାରଣରୁ ବାପାଙ୍କୁ ପୂର୍ବ ମାସର ଦରମା ମିଳିନଥାଏ । ବାପା ସୀମିତ ଅର୍ଥ ମାଆ ହାତକୁ ବଢ଼େଇ ଦେଇ କହିଲେ ପୁଅ ପାଇଁ ଖାଲି ସାର୍ଟଟେ ଆଉ ତୋ ପାଇଁ ଶାଢ଼ୀଟେ ନେଇ ଆସିବାକୁ । ହେଲେ ମୋର ଏକା ଜିଦ ସାର୍ଟ ପ୍ୟାଂଟ ଦୁଇଟାଯାକ ଦରକାର । ଆଉ ସତକୁ ସତ ସେଦିନ ମୋର ହି ଜିଦ ରହିଥିଲା ଆଉ ମାଆ ବାପାଙ୍କୁ କହୁଥିଲା, "ଶାଢ଼ୀ କଣ ନାଇଁ ମୋର? ବର୍ଷକୁ ଥରେ ଛୁଆଟାର ଜନ୍ମଦିନ ଆଉ ସେ ପୁଣି ମୋ ବଡ଼ ପୁଅ । ତା ପାଇଁ ନୂଆ ଆଣିବ ନା ଆଉ । "
ହଁ ସେ ମାଆ । ମାଆର କିଛି ଇଚ୍ଛା ନଥାଏ ।
କ୍ଷୁଦ୍ର ଗଳ୍ପ - ୩
===========
ଥରେ ଭୀଷଣ ଜ୍ୱର ହେଇଥାଏ ମୋତେ । ଯେତେ ଔଷଦ ଖାଇଲା ପରେ ବି ଜ୍ଵର କମୁ ନଥାଏ । ମାଆ ଆସି ବିଛଣାରେ ମୋତେ ଝାଡ଼ି ଦେଉଥାଏ ଆଉ କହୁଥାଏ କିଛି ହେଇନି ମୋ ଛୁଆର । କିଏ ତାକୁ ଦୃଷ୍ଟି କରି ପକେଇଚି । ଆଉ ସତକୁ ସତ ଘଣ୍ଟାଟେ ପରେ ମୁଁ ଉଠିକି ଡିଆଁ ମାରୁଥାଏ ।
ହଁ ସେ ମାଆ । ମାଆ କେବେ ହାର ମାନେନି । ମାଆ କିଛି ବି କରିପାରେ ।
କ୍ଷୁଦ୍ର ଗଳ୍ପ - ୪
============
କବିତାର 'କ' ଅକ୍ଷର ଜଣା ନଥାଏ ମୋତେ । ହେଲେ କଣ ଗୋଟେ ମୁଣ୍ଡରେ ପଶିବାରୁ ସାହସ କରି ସେବର୍ଷ ନୂଆ ବର୍ଷରେ ସ୍କୁଲରେ କବିତା ପ୍ରତିଯୋଗିତାରେ ଭାଗ ନେଇ ଗଲି । ଘରେ ଆସି ବାପାଙ୍କ ପାଖରେ ଜିଦ କଲି ମୋତେ ପ୍ରସ୍ତୁତ କରେଇବାକୁ । କାହିଁକି ନା ସବୁ ବର୍ଷ ବକ୍ତୃତା, ରଚନା ଆଉ କୁଇଜ଼ ପ୍ରତିଯୋଗିତାରେ ବାପା ହିଁ ମୋତେ ପ୍ରସ୍ତୁତ କରାନ୍ତି । ସେଦିନ ବାପା ରାଗିକି କହିଲେ ମୋତେ କବିତା ଆସେନି । ତୋତେ କିଏ କହୁଥିଲା ସେଥିରେ ଭାଗ ନବାକୁ? ମୋତେ ଗୋଟାଏ ପଦ ବି ମୁଣ୍ଡରେ ପସୁ ନଥାଏ ଆଉ ପର ଦିନ ସକାଳୁ ପ୍ରତିଯୋଗିତା ଥାଏ ।
କାନ୍ଦି କାନ୍ଦି ଖାଇ ସାରି ଶୋଇ ପଡିଲି ରାତିରେ । ସକାଳୁ ଉଠିକି ଦେଖେ ତ ଟେବୁଲ ଉପରେ କାଗଜ ଫର୍ଦ ଟେରେ ଏକ ସୁନ୍ଦର କବିତାଟେ ଲେଖା ହେଇ ଥୁଆ ହେଇଚି । ହସ୍ତାକ୍ଷରରୁ ଜାଣି ପାରିଲି ଆରେ ଇଏ ତ ମାଆର ଲେଖା ।
ସେଦିନ ପ୍ରତିଯୋଗିତାରେ ସମସ୍ତଙ୍କଠୁ ପ୍ରଶଂସା ସାଉଁଟି ସ୍କୁଲରୁ ଫେରି କୁଣ୍ଢାଇ ପକେଇଥିଲି ମାଆକୁ ।
ହଁ ସେ ମାଆ । ସନ୍ତାନର ପ୍ରଥମ ଗୁରୁ । ମାଆକୁ ସବୁ ଜଣା । ମାଆ ପାଖରେ ସବୁ ଜ୍ଞାନ ଥାଏ ।
କ୍ଷୁଦ୍ର ଗଳ୍ପ - ୫
============
ମୋତେ ଘର ଛାଡ଼ି ବାହାରେ ରହିବାରେ ପ୍ରାୟ ଦଶ ବର୍ଷ ହେଇ ଗଲାଣି । ହେଲେ ଆଜି ବି ଘରକୁ ଛୁଟିରେ ବୁଲିବାକୁ ଆସିଲେ ଗୋଡ ହାତ ଟେକି ବିଛଣାରେ ପଡି ରୁହେ ମୁଁ । ଆଉ ଅର୍ଡର ମୁତାବକ ଖାଇବା ତିଆରିରେ ଲାଗି ପଡେ ମାଆ । ଯୋଉ ଯୋଉ ପର୍ବ ପର୍ବାଣୀରେ ମୁଁ ଘରେ ରହି ପାରିନଥାଏ , ସବୁ ଯାକ ପର୍ବ ଏକା ଥରେ ପାଳନ ହୁଏ ଆମ ଘରେ ସେଇ ଦୁଇଟା ଦିନରେ । ହେଲେ ସକାଳୁ ସଞ୍ଜ ଦୌଡ଼ି ଦୌଡ଼ି ବି ଖୁସିରେ ରାତି ଦିନ ଜଣା ପଡେନି ମାଆକୁ । ମୋତେ କୌଣସି ଜିନିଷରେ ହାତ ମାରିବାକୁ ପଡେନି ସତେ ଯେମିତି ମୁଁ ପୁଅ ନୁହେଁ ଘରର କୁଣିଆ ।
କେବେ କେମିତି କୌଣସି କାମରେ ହଉ କିମ୍ବା ବୁଲିବାକୁ ହଉ ମାଆ ଯେବେ ଭୁବନେଶ୍ୱର ଆସେ ଆଉ ମୋ ରୁମରେ ରୁହେ, ବର୍ଷ ଯାକର ଅଳିଆକୁ ସଫା କରି ରୁମକୁ ଚିକ ଚିକ କରିଦିଏ ଆଉ ମୁଁ ମନା କଲେ ଓଲଟା କହେ , "ରହ, ମୁଁ କଣ କୁଣିଆ ।" ତୋତେ କେତେବେଳେ ସମୟ ଯେ ତୁ ଏ ସବୁ କାମ କରିବୁ ।
ହଁ ସତରେ ସେ ମାଆ । ମାଆ କେବେ ଥକି ପଡେନି ।
ମୋ ହାତ ଧରି ଲେଖା ଶିଖେଇଥିବା ମାଆ ପାଇଁ ମୋର ସହସ୍ର ଶବ୍ଦ ବି ଯଥେଷ୍ଟ ନୁହଁ । ଏମିତି କିଛି ମହାନ ତ୍ୟାଗର ମହାନାୟିକା ସାଜୁଥିବା ପ୍ରତ୍ୟକଟି ମାଆଙ୍କୁ ମୋର ଭକ୍ତିପୂତ ପ୍ରଣାମ ।
