ମା
ମା
କ୍ଷୁଦ୍ରଗଳ୍ପ -1
============
ମୋ ସ୍କୁଲ ଯିବା ବେଳର କଥା । ସବୁଦିନ ପରି ମୋତେ ଖାଇବାକୁ ବାଢି ଦେଇ ଟେବୁଲ ଉପରେ ଟିଫିନ ଟି ରଖି ଦେଇ ମମି ତାର କାମରେ ଲାଗିଗଲା । କୌଣସି କାରଣ ବଶତଃ ସେଦିନ ଟିଫିନ ଟି ବ୍ୟାଗ ରେ ରଖି ନଥିଲା ସେ ଆଉ ବଡ ପାଟିରେ ଚିଲେଇକି କହିଲା ମନେ କରିକି ଟିଫିନ ବ୍ୟାଗ ରେ ପୁରେଇବୁ। ମୁଁ ଖାଇ ସାରି ଅଭ୍ୟାସଗତ ଭାବେ ବ୍ୟାଗ ଟି ଉଠେଇ ସ୍କୁଲ ବାହାରି ଯାଇଥିଲି ଟିଫିନ ଟିକୁ ସେଇ ଟେବୁଲ ଉପରେ ରଖି ଦେଇ । ଲଞ୍ଚ ବ୍ରେକ ରେ ବ୍ୟାଗ ରେ ଟିଫିନ ନ ଦେଖି ମନେ ମନେ ଖୁସି ହେଇଯାଇଥିଲି ମୁଁ। ଯାହା ହଉ ଆଜି ପକେଟ ମନୀ 20 ଟଙ୍କା ଖର୍ଚ୍ଚ କରିବାକୁ ବାହାନା ଟେ ମିଳି ଗଲା।
ହେଲେ 4ଟା ବେଳେ ଘରକୁ ଫେରି ଦେଖେ ତ ମା ମୋର ଦୁଇଟା ଯାଗାରେ ଖାଇବା ବାଢିଲା । ଗୋଟେ ତାର ଆଉ ଗୋଟେ ମୋର। ମୁଁ ପଚାରିଲି, ମମି ତୁ କଣ ଖାଇନୁ ଆଜି ଏବେ ଯାଏଁ । କହିଲା ତୋ ବ୍ୟାଗ ରେ ଟିଫିନ ଟା ନ ପୁରେଇ ଏତେ ବଡ ଭୁଲ ଟେ କଲି ଆଜି। ଛୁଆ ମୋର ଭୋକ ରେ ରହିଲା ଦିନ ସାରା।
ମୁ ତା ମୁହଁ କୁ ଆଁ କରି ଚାହିଁ ଭାବୁଥିଲି ପ୍ରକୃତରେ କାହା ଭୁଲ ଥିଲା ।ସକାଳୁ ଘର ଯାକ ର କାମ କରି ସାରିକି ବି ନିଜ କୁ ଓପାସ ରଖି ଅନୁତାପ କରିବାର ଶକ୍ତି ବୋଧେ କେବଳ ମା ର ଥାଏ ।
ହଁ ସେ ମା । ମା କୁ କେବେ ଭୋକ ହୁଏନି।
କ୍ଷୁଦ୍ରଗଳ୍ପ -2
=============
ମୋ ଜନ୍ମଦିନ ଆଉ ସାବିତ୍ରୀ ସବୁ ବର୍ଷ ପାଖା ପାଖି ପଡେ। ସେବର୍ଷ କୌଣସି କାରଣରୁ ବାପା ଙ୍କୁ ପୂର୍ବ ମାସର ଦରମା ମିଳି ନ ଥାଏ । ବାପା ସୀମିତ ଅର୍ଥ ମମି ହାତକୁ ବଢ଼େଇ ଦେଇ କହିଲେ ପୁଅ ପାଇଁ ଖାଲି ସାର୍ଟ ଟେ ଆଉ ତା ପାଇଁ ଶାଢ଼ୀ ଟେ ନେଇ ଆସିବାକୁ। ହେଲେ ମୋର ଏକା ଜିଦ ସାର୍ଟ ପ୍ୟାଂଟ ଦୁଇଟା ଯାକ ଦରକାର। ଆଉ ସତକୁ ସତ ସେଦିନ ମୋର ହି ଜିଦ ରହିଥିଲା ଆଉ ମମି ବାପାଙ୍କୁ କହୁଥିଲା ଶାଢ଼ୀ କଣ ନାଇଁ ମୋର? ବର୍ଷ କୁ ଥରେ ଛୁଆଟାର ଜନ୍ମ ଦିନ ଆଉ ସେ ପୁଣି ମୋ ବଡ଼ ପୁଅ। ତା ପାଇଁ ନୂଆ ଆଣିବ ନା ଆଉ।
ହଁ ସେ ମା। ମା ର କିଛି ଇଚ୍ଛା ନଥାଏ।
କ୍ଷୁଦ୍ରଗଳ୍ପ - 3
===========
ଥରେ ଭୀଷଣ ଜ୍ୱର ହେଇଥାଏ ମୋତେ। ଯେତେ ଔଷଦ ଖାଇଲା ପରେ ବି ଜ୍ଵର କମୁ ନଥାଏ। ମମି ଆସି ବିଛଣାରେ ମୋତେ ଝାଡ଼ି ଦେଉଥାଏ ଆଉ କହୁଥାଏ କିଛି ହେଇନି ମୋ ଛୁଆ ର। କିଏ ତାକୁ ଦୃଷ୍ଟି କରି ପକେଇଚି। ଆଉ ସତକୁ ସତ ଘଣ୍ଟା ଟେ ପରେ ମୁଁ ଉଠିକି ଡିଆଁ ମାରୁଥାଏ।
ହଁ ସେ ମା। ମା କେବେ ହାର ମାନେନି। ମା କିଛି ବି କରିପାରେ।
କ୍ଷୁଦ୍ରଗଳ୍ପ - 4
============
କବିତା ର 'କ' ଅକ୍ଷର ଜଣା ନଥାଏ ମୋତେ । ହେଲେ କଣ ଗୋଟେ ମୁଣ୍ଡରେ ପଶିବାରୁ ସାହସ କରି ସେବର୍ଷ ନୂଆ ବର୍ଷ ରେ ସ୍କୁଲ ରେ କବିତା ପ୍ରତିଯୋଗିତା ରେ ଭାଗ ନେଇ ଗଲି। ଘରେ ଆସି ବାପା ଙ୍କ ପାଖରେ ଜିଦ କଲି ମୋତେ ପ୍ରସ୍ତୁତ କରେଇବାକୁ। କାହିଁକି ନା ସବୁ ବର୍ଷ ବକ୍ତୃତା, ରଚନା ଆଉ କୁଇଜ଼ ପ୍ରତିଯୋଗିତା ରେ ବାପା ହି ମୋତେ ପ୍ରସ୍ତୁତ କରାନ୍ତି। ସେଦିନ ବାପା ରାଗିକି କହିଲେ ମୋତେ କବିତା ଆସେନି। ତୋତେ କିଏ କହୁଥିଲା ସେଥିରେ ଭାଗ ନବାକୁ? ମୋତେ ଗୋଟାଏ ପଦ ବି ମୁଣ୍ଡକୁ ପସୁ ନଥାଏ ଆଉ ପର ଦିନ ସକାଳୁ ପ୍ରତିଯୋଗିତା ଥାଏ।
କାନ୍ଦି କାନ୍ଦି ଖାଇ ସାରି ସୋଇ ପଡିଲି ରାତିରେ। ସକାଳୁ ଉଠିକି ଦେଖେ ତ ଟେବୁଲ ଉପରେ କାଗଜ ଫର୍ଦ ଟେ ରେ ଏକ ସୁନ୍ଦର କବିତା ଟେ ଲେଖା ହେଇ ଥୁଆ ହେଇଚି। ହସ୍ତାକ୍ଷର ରୁ ଜାଣି ପାରିଲି ଆରେ ଇଏ ତ ମମି ର ଲେଖା।
ସେଦିନ ପ୍ରତିଯୋଗିତା ରେ ସମସ୍ତଙ୍କ ଠୁ ପ୍ରଶଂସା ସାଉଁଟି ସ୍କୁଲ ରୁ ଫେରି କୁଣ୍ଢାଇ ପକେଇଥିଲି ମମି କୁ।
ହଁ ସେ ମା। ସନ୍ତାନ ର ପ୍ରଥମ ଗୁରୁ। ମା କୁ ସବୁ ଜଣା। ମା ପାଖରେ ସବୁ ଜ୍ଞାନ ଥାଏ।
କ୍ଷୁଦ୍ରଗଳ୍ପ - 5
============
ମୋତେ ଘର ଛାଡ଼ି ବାହାରେ ରହିବାରେ ପ୍ରାୟ ଦଶ ବର୍ଷ ହେଇ ଗଲାଣି। ହେଲେ ଆଜି ବି ଘର କୁ ଛୁଟିରେ ବୁଲିବାକୁ ଆସିଲେ ଗୋଡ ହାତ ଟେକି ବିଛଣା ରେ ପଡି ରୁହେ ମୁଁ। ଆଉ ଅର୍ଡର ମୁତାବକ ଖାଇବା ତିଆରି ରେ ଲାଗି ପଡେ ମା। ଯୋଉ ଯୋଉ ପର୍ବ ପର୍ବାଣୀ ରେ ମୁ ଘରେ ରହି ପାରିନଥାଏ , ସବୁ ଯାକ ପର୍ବ ଏକା ଥରେ ପାଳନ ହୁଏ ଆମ ଘରେ ସେଇ ଦୁଇଟା ଦିନରେ। ହେଲେ ସକାଳୁ ସଞ୍ଜ ଦୌଡ଼ି ଦୌଡ଼ି ବି ଖୁସି ରେ ରାତି ଦିନ ଜଣା ପଡେନି ମମି କୁ। ମୋତେ କୌଣସି ଜିନିଷ ରେ ହାତ ମାରିବାକୁ ପଡେନି ସତେ ଯେମିତି ମୁଁ ପୁଅ ନୁହେଁ ଘର ର କୁଣିଆ।
କେବେ କେମିତି କୌଣସି କାମ ରେ ହଉ କିମ୍ବା ବୁଲିବାକୁ ହଉ ମମି ଯେବେ ଭୁବନେଶ୍ୱର ଆସେ ଆଉ ମୋ ରୁମ ରେ ରହ, ବର୍ଷ ଯାକର ଅଳିଆ କୁ ସଫା କରି ରୁମ କୁ ଚିକ ଚିକ କରିଦିଏ ଆଉ ମୁଁ ମନା କଲେ ଓଲଟା କହେ , ରହ ମୁ କଣ କୁଣିଆ। ତୋତେ କେତେବେଳେ ସମୟ ଯେ ତୁ ଏ ସବୁ କାମ କରିବୁ।
ହଁ ସତରେ ସେ ମା। ମା କେବେ ଥକି ପଡେନି।
ମୋ ହାତ ଧରି ଲେଖା ଶିଖେଇଥିବା ମା ପାଇଁ ମୋର ସହସ୍ର ଶବ୍ଦ ବି ଯଥେଷ୍ଟ ନୁହଁ। ଏମିତି କିଛି ମହାନ ତ୍ୟାଗ ର ମହାନାୟିକା ସାଜୁଥିବା ପ୍ରତ୍ୟକ ଟି ମାଆ ଙ୍କୁ ମୋର ଭକ୍ତିପୂତ ପ୍ରଣାମ।
