ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

ଗର୍ବର ଫଳ

ଗର୍ବର ଫଳ

2 mins
7.4K



ଦେବେନ୍ଦ୍ର କର

କଅଁଳ ଛନଛନ କ୍ଷେତଟିଏ । କ୍ଷେତର ହିଡ଼ କଡରେ ପିମ୍ପୁଡ଼ିଙ୍କ ଏକ ଦଳ ରହୁଥିଲେ । ବର୍ଷାଋତୁ ପାଖେଇ ଆସୁଥିବା ଦେଖି ଦଳର ମୁଖିଆ କହିଲା ଏଠି ରହିବା ଆମମାନଙ୍କ ପାଇଁ ନିରାପଦ ନୁହେଁ , ସଭିଏଁ ଚାଲ ଉଚ୍ଚା ସ୍ଥାନକୁ ଚାଲିଯିବା । ଦିନ ସ୍ଥିରକରି ମୁଖିଆ ସଭିଙ୍କୁ ଧରି ସ୍ଥାନ ଖୋଜିବାକୁ ଲାଗିଲେ ।

ସବୁ ପିମ୍ପୁଡି ଏକ ମନରେ ଧାଡିକରି ଆଗକୁ ଆଗକୁ ବଢିଲେ । ସେମାନେ ପହଞ୍ଚିଲେ ଏକ ସପୁରି ବୁଦାମୂଳେ । ମୁଖିଆଙ୍କୁ ସପୁରିବୁଦା ସ୍ଥାନଟି ପସନ୍ଦ ହେଲା । ମୁଖିଆ ସଭିଙ୍କ ମତ ନେଲେ, ଜାଗାଟି ବି ସମସ୍ତଙ୍କ ମନକୁ ପାଇଲା । ଦଳରେ ଯୁବ ପିମ୍ପୁଡିଟିଏ ଥିଲା । କାହାରି କଥା ମାନେ ନାହିଁ କି କାହାରି କଥା ଶୁଣେ ନାହିଁ । ସେ ଏ ଜାଗାକୁ ନାପସନ୍ଦ କଲା । ମୁଖିଆ ତାକୁ ଯେତେ ପ୍ରକାର ବୁଝାଇଲେ ବି ସେ ରୋକଠୋକ ମନାକଲା ଏ ଜାଗାରେ ରହିବ ନାହିଁ । ଦଳର ଅନ୍ୟମାନଙ୍କ କଥାକୁ ମଧ୍ୟ କାଟିଦେଲା । ଓଲଟା ଧମକ ଦେଲା ତମର ଏଠି ରହିବା କଥା ରୁହ ମୁଁ ଦଳଛାଡି ଚାଲିଯିବି । ଆଉ କାହା କଥା ନ ଶୁଣି ସେ ଦଳଛାଡି ଚାଲିଗଲା ।

ସପୁରିବୁଦା ସାମ୍ନାରେ ଥାଏ ଡେଙ୍ଗା ନଡିଆ ଗଛଟିଏ । ଯୁବ ପିମ୍ପୁଡିଟି ନଡିଆ ଗଛ ତଳେ ନିଜର ବାସ ସ୍ଥାନ କରି ରହିଲା । ସାଥି ସାଙ୍ଗ ପିମ୍ପୁଡିମାନଙ୍କୁ ସବୁବେଳେ ତାତ୍ସଲ୍ୟ କରି କହିଲା ତମେମାନେ ପଡିଥାଅ ସେଇ ବାମନ ଗଛ ତଳେ, ଦେଖ ମୁଁ ରହୁଥିବା ଗଛଟି କେମିତି ଆକାଶକୁ ଛୁଇଁଛି ।

ଦିନକୁ ଦିନ ଯୁବ ପିମ୍ପୁଡିର ଗର୍ବ ଅହଂକାର ବଢିବାକୁ ଲାଗିଲା । ପୁରୁଣା ସାଥି ପିମ୍ପୁଡିମାନଙ୍କୁ ଦେଖାଇ ଶିଖେଇ ବହୁତ କଥା କହିଲା । ହେଲେ ସାଥି ପିମ୍ପୁଡିମାନେ ତା’ର ସବୁ କଥା ଶୁଣି ଚୁପ୍ ରୁହନ୍ତି ।

ଦିନକର ଘଟଣା ସାଥି ପିମ୍ପୁଡିମାନଙ୍କୁ ଦେଖି ଯୁବ ପିମ୍ପୁଡିଟି କହିଲା ଦେଖ ମୁଁ ଏକୁଟିଆ ରହୁଛି କେତେ ସ୍ଵାଧିନରେ ଅଛି । ଯୁଆଡେ ଇଚ୍ଛା ହେଲେ ଯାଇ ପାରୁଛି ଯାହା ମନ ହେଲେ ଖାଇ ପାରୁଛି । ଆଜି ମୋର ମନ ହେଉଛି ଏ ନଡିଆ ଗଛ ଉପରକୁ ଚଢିବାକୁ । ମୁଁ ଉପରକୁ ଚଢିଯିବି ଆଉ ତମେମାନେ ତଳେ ଆଁ କରି ଚାହିଁଥିବ । ଏତିକି କହି ସେ ହସି ହସି ଗଛ ଉପରକୁ ଚଢିବାକୁ ଲାଗିଲା । ଠିକ ଏଇ ସମୟରେ ଥିଲା ଥିଲା ନଡିଆ ଗଛ ଉପରୁ ଶୁଖିଲା ନଡିଆଟେ ଦୁଲ୍ କରି ତା’ ଉପରେ ପଡିଲା । ଆଉ କି ପାଟିରୁ କଥା ବାହାରେ । ନଡିଆ ତଳେ ଚାପି ହେଇ ତା’ ପ୍ରାଣବାୟୁ ଉଡିଗଲା । ସାଥିମାନେ ମନ ଦୁଃଖରେ ଏକଥାଟି ମୁଖିଆଙ୍କୁ କହିଲେ । ମୁଖିଆ ସଭିଙ୍କୁ ବୁଝାଇଲେ, ଆରେ ଆମେ ତ ତାକୁ ଦଳରେ ରହି ନିୟମ ମାନି ଚଳିବାକୁ କହିଥିଲୁ ସେ ତ ଆଦୌ ମାନିଲା ନାହିଁ । ଯେବେଠୁଁ ଦଳ ଛାଡିଛି ବଡସାନ ନ ବିଚାରି ସଭିଙ୍କୁ ଉପହାସ କରି କହୁଛି । କଥାରେ ଅଛି ପରା ଗର୍ବ କଲେ ଖର୍ବ ହୁଏ ।


Rate this content
Log in

Similar oriya story from Children