ଓଡିଆ ଶିଶୁ ଗପ

Comedy

3  

ଓଡିଆ ଶିଶୁ ଗପ

Comedy

ଗୋପାଳର ବୁଦ୍ଧି ପରୀକ୍ଷା

ଗୋପାଳର ବୁଦ୍ଧି ପରୀକ୍ଷା

3 mins
15K


ଦିନେ ରାଜା କୃଷ୍ଣ ଚନ୍ଦ୍ର ଗୋପାଳର ବୁଦ୍ଧି ପରୀକ୍ଷା କରିବା ଲାଗି ନିଜର ଅଙ୍ଗୁଳିରୁ ସୁନା ମୁଦିଟା କାଢି ତାଙ୍କର ଉଆସ ବାହାରେ ଥିବା କୁଅ ଭିତରକୁ ପକାଇ ଦେଇ ଗୋପାଳକୁ କହିଲେ – ଗୋପାଳ ଏ କୁଅ ଭିତରେ ମୋର ସୁନା ମୁଦିଟି ବାହାର କରି ଦେଲେ ମୁଁ ତୁମକୁ ହଜାରେ ଟଙ୍କା ପୁରସ୍କାର ଦେବି, ନୋହିଲେ ତୁମକୁ ଏ ରାଜ୍ୟ ଛାଡି ଚାଲି ଯିବାକୁ ହେବ । ରାଜାଙ୍କର କଥା ଶୁଣି ଗୋପାଳ ଭାଣ୍ଡ କହିଲା – ମହାରାଜ! ଏ ଗୋଟା କିବା କଥାର କଥା ଯେ ଏଥି ପାଇଁ ରାଜ୍ୟ ଛାଡି ଚାଲି ଯିବାକୁ ହେବ? ଆପଣ ଏଇଠି ଠିଆ ହୋଇ ଥାଆନ୍ତୁ, ମୁଁ ଯାଉଛି କୂଅ ଭିତରେ ପଶି ପାଣିରେ ବୁଡି ମୁଦିଟିଏ କାଢି ଆଣିବି । ରାଜା ଟିକିଏ ହସି ଦେଇ କହିଲେ – କୂଅ ଭିତରେ ପଶିଲେ ହେବ ନାହିଁ ଗୋପାଳ, ଯଦି ବୁଦ୍ଧି ଅଛି ତେବେ ଠିଆ ହୋଇ ମୁଦିଟିକୁ ହାତ ପାହାନ୍ତକୁ ଘେନି ଆସ । ଦଉଡି ବା ଜଞ୍ଜିରରେ କୌଣସି ଜିନିଷ ବାନ୍ଧି କିମ୍ବା କାହାକୁ ପଠାଇ ଆଣିଲେ ହେବ ନାହିଁ ।

ଏ କଥା ଶୁଣି ଗୋପାଳ ଟିକିଏ ରହି ଯାଇ ମନେ ମନେ ଭାବି କହିଲା – ମହାରାଜ! ଯଦି ବିନା ସାହାଯ୍ୟରେ ମୁଦିଟିକି ମୋ ହାତ ପାଖକୁ ଘେନି ଆସିବି, ତେବେ ମୋତେ ଆଠ ଦିନ ସମୟ ଦିଅନ୍ତୁ । ସେ କହିବା ଅନୁସାରେ ଆଗ କୂଅଟିରୁ ପାଣି କାଢି ଶୁଖାଇ ଦିଅନ୍ତୁ । ତାଛଡା ରୀତିମତ ଜଣେ ଦରୁଆନ ଜଗି ରହୁ ତେଣିକି ଯାହା ହେବ ମୁଁ କରିବି ।

ଗୋପାଳର କଥା ଶୁଣି ରାଜା ଲୋକ ଲଗେଇ କୂଅଟିକୁ ଶୁଖାଇ ଦେଲେ । ଗୋପାଳ କୂଅ ଭିତରକୁ ଚାହିଁ ଦେଖିଲା ଯେ ମୁଦିଟା କୂଅ ଭିତରେ ପଡି ଚକ୍ ଚକ୍ କରୁଛି । ତହୁଁ ସେ ଗୋଟାଏ ପାଚିଆରେ ଗୁଡିଏ ଗୋବର ନେଇ ଠିକ୍ ମୁଦି ଉପରକୁ ପକାଇ ଦେଲା । ତାପରେ ଲୋକ ମାନଙ୍କୁ କହିଲା – ଆଜି ଏ କୂଅରେ ଯେତେ ପାଣି ଝରିବ, ତୁମ୍ଭେ ମାନେ ଯେପରି ସଙ୍ଗେ ସଙ୍ଗେ ତାହା କାଢି ଦେବ । ଏଥିରେ ହେଳା କଲେ ରାଜାଙ୍କ ପାଖରେ କହି ଦଣ୍ଡ ସହ ଜୋରିମାନା କରାଇ ଦେବି ।

ଗୋପାଳ ଭାଣ୍ଡର କଡା କଥା ଶୁଣି ଲୋକ ମାନେ କୂଅରେ ପାଣି ହେବାକୁ ଦେଲେନି । କୂଅଟି ସବୁ ବେଳେ ଶୁଖିଲା ହେବାରୁ ସୂର୍ଯ୍ୟ କିରଣ ପଡି କ୍ରମେ ମାଟି ଗୁଡିକ ଶୁଖି ଯାଇ ଫାଟିବାକୁ ଆରମ୍ଭ କଲା । ଲୋକେ କହନ୍ତି ଗୋବର ମାଟି ଧରି ଉଠେ । ମାଟି ଉପରେ ଢଳା, ହୋଇଥିବା ଗୋବର ଗୁଡିକ ମଧ୍ୟ ସୂର୍ଯ୍ୟ କିରଣ ଲାଗି ମାଟି କାମୁଡି ଘଷି ଭଳିଆ ହୋଇ ଗଲା । ଗୋପାଳ ଭାଣ୍ଡ କୂଅ ଉପରେ ଥାଇ ଗୋବର ମାଟି କାମୁଡି ଶୁଖି ଯିବାର ଦେଖି ରାଜାଙ୍କୁ କହିଲା – ଏଥର କୂଅଟିକୁ ପାଣିରେ ପୂରା କରି ଦିଅନ୍ତୁ । ରାଜା ଏଥର ଗୋପାଳ ଭାଣ୍ଡର ଗୂଢ ରହସ୍ୟ କିଛି ନ ବୁଝି ଗୋପାଳ କହିବା ଅନୁସାରେ ଲୋକ ଲଗାଇ କୂଅଟିରେ ପାଣି ପୂର୍ଣ୍ଣ କରି ଦେଲେ । କୂଅରେ ପାଣି ପଶିବା ମାତ୍ରେ ଶୁଖିଲା ଗୋବର ଗୁଡିକ ମାଟି କାମୁଡି କ୍ରମେ କ୍ରମେ ଉପରକୁ ଉଠି ଆସିଲା । କୂଅଟି ଯେତେ ବେଳେ ପୂର୍ଣ୍ଣ ହୋଇ ଗଲା, ସେତେ ବେଳେ ଗୋବର ଫଡାଟି ଆସି କୂଅ ମୁଁହରେ ଲାଗିଲା । ଗୋପାଳ ସଙ୍ଗେ ସଙ୍ଗେ ଗୋବର ଫଡାଟି ହାତରେ ଉଠାଇ ନେଇ ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ସଭାରେ ଯାଇ ପହଁଚିଲା । ଗୋପାଳ ହାତରେ ଘଷି ଫଡାଟି ଦେଖି ରାଜା କହିଲେ – ଗୋପାଳ, ମୋ ମୁଦିଟି କାହିଁ ଦିଅ? ଗୋପାଳ ସଙ୍ଗେ ସଙ୍ଗେ ଘଷି ଫଡାଟି ଭାଙ୍ଗି ଦେଇ ତା ଭିତରୁ ମୁଦିଟି ବାହାର କରି ରାଜାଙ୍କ ଆଗରେ ଥୋଇ ଦେଇ କହିଲେ –

ଏହି ଆପଣଙ୍କ ମୁଦି ନିଅନ୍ତୁ ଛାମୁ । କିନ୍ତୁ ଏ ଗରୀବର ପୁରସ୍କାରଟି ଦେଇ ଦିଅନ୍ତୁ । ଗୋପାଳ ଭାଣ୍ଡର ଅଦ୍ଭୁତ ବୁଦ୍ଧି ଦେଖି ସମସ୍ତେ ତାକୁ ଖୁବ୍ ପ୍ରଶଂସା କଲେ । ରାଜା ଗୋପାଳକୁ ଉପଯୁକ୍ତ ପୁରସ୍କାର ଦେଇ ବିଦା କରି ଦେଲେ ।


Rate this content
Log in

Similar oriya story from Comedy