Om Abhigyan Sahoo

Comedy

3  

Om Abhigyan Sahoo

Comedy

ଘରଣୀ ଆମର ଭାରି ଚତୁରୀ

ଘରଣୀ ଆମର ଭାରି ଚତୁରୀ

2 mins
657



ଏଇ ଗତ କାଲିର କଥା । ୟୁଟ୍ୟୁବ ବିଶ୍ୱ ବିଦ୍ୟାଳୟରୁ ରୋଷେଇ ଶାସ୍ତ୍ରରେ ପିଏଚଡ଼ି କରିଥିବା ଆମ୍ଭ ବୁଦ୍ଧିମତୀଙ୍କ ଯାବତୀୟ ଗବେଷଣାରେ ଉତ୍ପୀଡିତ ପୁରା ପରିବାର । ବୁଦ୍ଧିମତୀ ଯେତେବେଳେ ତାଙ୍କ ଗବେଷଣାଗାର (ରୋଷଶାଳ) ରେ ଗବେଷଣା ରତ ଥା'ନ୍ତି ସେତେବେଳ ସବୁଠୁ ବେଶି ଆତଙ୍କିତ ମୁଁ ଥାଏ । ଗବେଷଣାଗାରର ପିଞ୍ଜରା ଭିତରେ ଥିବା ମୂଷାଙ୍କ ଅବସ୍ଥା ଯାହା ଆମ ଘରେ ମୋ ଅବସ୍ଥା ସେଇୟା । ସବୁ ସନ୍ଦର୍ଭ ର ପରୀକ୍ଷା ନିରୀକ୍ଷା ପ୍ରଥମେ ମୋ ଉପରେ ହୁଏ । ଏଥିରେ ପ୍ରେମ ଫ୍ରେମ କିଛି ନଥାଏ , ଥାଏ କେବଳ ନିଛକ ଅତ୍ୟାଚାର । ଗୃହର ବୃହତ୍ତମ ଶାନ୍ତି ପାଇଁ ସବୁ ସହିବାକୁ ପଡେ । ହସି ହସି ସବୁ ନୀରବରେ ସହିଯାଏ ବୋଲି ମୁଁ କାଳେ ପୃଥିବୀର ଶ୍ରେଷ୍ଠ ପତି । ଗତକାଲି ରଜ ପାଇଁ ପ୍ରାୟ ବେଶ କିଛି ଘଣ୍ଟାର କସରତ ପରେ ଦର ପୋଡା ପୋଡ଼ ପିଠା ତିଆର ସରିଲା । ଗିଲାସେ ପାଣିର ସାହାଯ୍ୟରେ ପ୍ରଥମ ଖଣ୍ଡଟି ଉଦରସ୍ଥ କଲାପରେ ବୁଦ୍ଧିମତୀ ପଚାରିଲେ କେମିତି ଲାଗୁଛି? ପ୍ରତିକୂଳ ମନ୍ତବ୍ୟ ଦେବା କେବେଠୁ ଭୁଲିଗଲିଣି । ସେଥିରେ କିଛି ତ ପରିବର୍ତ୍ତନ ହୋଇନି କିନ୍ତୁ ଘରେ ଅଯଥା ଅଶାନ୍ତି ସୃଷ୍ଟି ହୋଇଛି । ମୋର ଅନୁକୂଳ ମନ୍ତବ୍ୟରେ ଉତ୍ଫୁଳିତ ବୁଦ୍ଧିମତୀ କହିଲେ ଅପେକ୍ଷକର ଆହୁରି ଆଣ ବଳିଛି ନେକ୍ସ୍ଟ ପୋଡ଼ରେ କାଜୁ ଖିସମିସର ଟପିଙ୍ଗ ରହିବ । ହେ ଭଗବାନ ତା ମାନେ ଏ ପରୀକ୍ଷା ଆହୁରି ବାକି ଅଛି । ଉଠେଇ ନେ ପ୍ରଭୁ ଆଉ ଏ ଅତ୍ୟାଚାର ସହି ହେଉନି । ଭଗବାନଙ୍କ ଦୟାରୁ ମୋ ପିଲାମାନେ କିନ୍ତୁ ଭାରି ସ୍ପଷ୍ଟବାଦୀ । ରୋକଠୋକ ଭାବେ ମାମା ଙ୍କୁ ଜଣେଇଦେଲେ ଗରିଷ୍ଠ ଜିନିଷ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତେଣୁ ମାତ୍ର ଗୋଟିଏ ଛୋଟ ଖଣ୍ଡ ଟିଏ ଖାଇବେ । ଏବେ ଚତୁରୀ ବୁଦ୍ଧିମତୀ ବୁଝିପାରିଲେ ଶାଶୁମାଙ୍କ ବର୍ଷ ବର୍ଷର ଅଭିଜ୍ଞତାରୁ ଶିଖିବା ଆଗରେ ୟୁଟ୍ୟୁବ ବିଶ୍ୱବିଦ୍ୟାଳୟର ଶିକ୍ଷା ଫେଲ ମାରିଛି । କିନ୍ତୁ ଏତେ କଷ୍ଟରେ ତିଆରି ହୋଇଥିବା ପୋଡ଼ ପିଠା କଣ ଫୋପାଡା ହୁଏ । ଟିଫିନ ଡ଼ବା ରେ ଭର୍ତ୍ତି କରି ସବୁ ପଡୋଶୀଙ୍କ ଘରେ ବଣ୍ଟା ହେଲା । ଓଡ଼ିଆ ଘରେ ସବୁ ଯାନିଯାତ୍ରାର ପିଠା ପଣା ପଡୋଶୀମାନଙ୍କ ଭିତରେ ବଣ୍ଟା ହେବାର ବିଧି ଅଛି । ତେଣୁ ରଜ ପର୍ବ ପାଇଁ ଆମ ଘର ଦରପୋଡା ପୋଡ଼ ପିଠା ବି ବଣ୍ଟା ହେଲା । ପୋଡ଼ ପିଠାର ଚେହେରା ଓ ଟିଫିନ ଡ଼ବାର ଆକାର ଦେଖି କିଛି ପଡୋଶୀ ମନେ ମନେ ବିରକ୍ତ ହେଲେ ବି ସୌଜନ୍ୟତା ଦୃଷ୍ଟିରୁ ହସି ହସି ଗ୍ରହଣ କଲେ । କିଛି କିଛି ବୁଦ୍ଧିମତୀଙ୍କ ରୋଷେଇ ଶାସ୍ତ୍ରରେ ଥିବା ଗଭୀର ଜ୍ଞାନକୁ ତାରିଫ ବି କଲେ । କେମିତି କଲ, ପ୍ରେସର କୁକରରେ ନା କଢେଇରେ । ବଢିଆ ଲାଗୁଛି । ଆମ ଘରେ ତ ଭାଇନା ମାଗି ମାଗି କେବଳ ତୁମ ଘର ପୋଡ଼ ପିଠା ଖାଇଲେ । ବୁଦ୍ଧିମତୀ ବଡ଼ ଦାର୍ଶନିକଙ୍କ ଭଳି ପଡ଼ୋଶୀଙ୍କୁ ପୋଡ଼ ପିଠାର ନିର୍ମାଣ ଶୈଳୀ ବିଷୟରେ ବୁଝାଉଥିବାର ଦେଖି ମୋର ପଡିଶା ଭାଇନାଙ୍କ ପ୍ରତି ଦୟା ଆସିଲା । ଏବେ ତାଙ୍କ ପାଳି । 

ଯାହାହେଉ ଆମ ଘରର ସବୁ ପୋଡ଼ପିଠା ବଣ୍ଟା ବଣ୍ଟିରେ ସରିଗଲା । ଗୋଟେ ବଡ଼ଚିନ୍ତା ଟଳିଲା । ଆମ ଘର ଚିନ୍ତା ଏବେ ପଡିଶାମାନଙ୍କ ଭିତରେ ବଣ୍ଟା ସରିଛି । 

ଓଡ଼ିଆ ଘରର ଚଳଣି କଥା । ଏଠି ଖାଲି ବାସନ ଫେରାଯାଏନି । ଅଗତ୍ୟା ଆମ ଘରୁ ଯାଇଥିବା ଟିଫିନ ଡବା ଏବେ ପଡିଶାମାନଙ୍କ ଘରେ ତିଆରି ବିଭିନ୍ନ ପିଠା,ପୋଡ଼ ପିଠାରେ ଭର୍ତ୍ତି ହୋଇ ଫେରିଲା । ସନ୍ଧ୍ୟା ନଇଁବା ପୂର୍ବରୁ ଆମ ଘରେ ଏକ୍ସଚେଞ୍ଜ ସ୍କିମରେ ଭଳି କି ଭଳି ସୁସ୍ୱାଦୁ ପିଠାର ସମ୍ଭାର । ଯାହା କୁହ ଦର ପୋଡା ପୋଡ଼ ପିଠାର ଏପରି ସଦୁପଯୋଗ କରି ବୁଦ୍ଧିମତ୍ତି ତାଙ୍କର ଯେଉଁ ସୂକ୍ଷ୍ମ ବୁଦ୍ଧିର ପରିଚୟ ଦେଲେ ଖାସ ସେଇଥିପାଇଁ କହୁଛି ଘରଣୀ ଆମର ଭାରି ଚତୁରୀ ।


(ୟୁଟ୍ୟୁବ ବିଶ୍ୱବିଦ୍ୟାଳୟ ରେ ଗବେଷଣରତ ତଥା ପିଏଚଡି କରିଥିବା ବୁଦ୍ଧିମତ୍ତୀଙ୍କ ସମସ୍ତ ସହପାଠୀନିମାନଙ୍କୁ ଉତ୍ସର୍ଗ)



Rate this content
Log in

Similar oriya story from Comedy