STORYMIRROR

Om Abhigyan Sahoo

Others

4  

Om Abhigyan Sahoo

Others

ରାକ୍ଷୀ ପୂର୍ଣ୍ଣିମା ର ଦୁର୍ଘଟଣା

ରାକ୍ଷୀ ପୂର୍ଣ୍ଣିମା ର ଦୁର୍ଘଟଣା

3 mins
563


     କହିଲେ କୁଳ କୁଟୁମ୍ବକୁ ଲାଜ । କହିଲେ ଦେହ ଶୀତେଇ ଯାଉଛି । କଣ କହିବି । ଭଗବାନ ଏପରି ଦୁର୍ଘଟଣା ଆଉ କାହା ସାଙ୍ଗରେ ନ ଘଟୁ । ଦିନ ପ୍ରାୟ ବାରଟା କି ଗୋଟାଏ ହେବ ଦେଖିଲି ଟେବୁଲ ଉପରେ ଗୋଟେ ରାକ୍ଷୀ ଥୁଆ ହେଇଛି । ମୋ ଭଉଣୀ ତ ରାକ୍ଷୀ ବନ୍ଧା କାମ ସାରି କେତେବେଳୁ ଚାଲିଗଲାଣି । ପୁଣି ଏ ରାକ୍ଷୀଟା କାହାର । ଚେହେରା ରୁ ତ ଦାମୀ ରକ୍ଷୀ ଭଳି ଦିଶୁଛି । ବୋଧେ ଭଉଣୀ ଆଉ କାହା ପାଇଁ ଆଣିଥିଲା ଏଠି ଛାଡି ଯାଇଛି ନା ଆମ ପତ୍ନୀ ତାଙ୍କ ଭାଇଙ୍କ ପାଇଁ ଆଣି ରଖିଛନ୍ତି । କିନ୍ତୁ ସେ ତ ଆଗରୁ ରାକ୍ଷୀ ତାଙ୍କ ଘରକୁ ପଠେଇ ଦେଇଥିଲେ । ତାହା ହେଲେ ଆଉ କିଏ ବୋଧେ ସକାଳୁ ସକାଳୁ ଆସିଥିଲା । ମୋତେ ହୁଏତ ଶୋଇଥିବା ଦେଖି ରାକ୍ଷୀ ଟା ଥୋଇ ଦେଇ ଯାଇଛି । ପତ୍ନୀ ଙ୍କୁ ପଚାରିଲି ଏ ରକ୍ଷୀ ଟା କିଏ ଏଠି ଥୋଇଛି । ପତ୍ନୀ କିଛି ନ କହି ଟିକେ ମୁରୁକି ଦେଲେ-- ସେ ରକ୍ଷୀ କଥା ଛାଡ ତୁମେ ଟିକେ ଚାଲିଲ ଏହି ପାଖ ମାର୍କେଟ କୁ ଯିବା । କାହିଁକି ପଚାରିବାରୁ କହିଲେ ଓହୋ ଏତେ ପ୍ରଶ୍ନ , ଚାଲ ଶୀଘ୍ର ଫେରି ଆସିବା । 

ପତ୍ନୀ ବି ସାଙ୍ଗେ ସାଙ୍ଗେ ତିଆର ହୋଇ ଆସିଲେ -- ଚାଲ ଏବେ ଶୀଘ୍ର ଯାଇ ଶୀଘ୍ର ଫେରିବା । ମୁଁ ଗାଡି ଚାବି ଖୋଜୁଥିବାର ଦେଖି ପତ୍ନୀ କହିଲେ-- ଥାଉ ଗାଡି ଦରକାର ନାହିଁ ଏଇ ପାଖକୁ ତ ଯିବା ।ଆସ ଆଜି ସାଙ୍ଗ ହେଇ ଚାଲି ଚାଲି ଯିବା । ଆଜି ମୋ ରାଶିରେ କି ପୁଣ୍ୟ ବେଳା ଥିଲା କେଜାଣି ଏତେ ସେନେହ ଆଜି ମୁଁ ପାଉଛି । ହଉ ଚାଲ ଏବେ । ଗେଟ ଖୋଲି ବାହାରକୁ ବହାରିଛୁ ଦେଖିଲି ପଡିଶା ଘର ଭାଇନା ଗେଟ ବାହାରେ ଛିଡ଼ା ହୋଇଛନ୍ତି ଆମକୁ ଦେଖି ହସି ହସି ଅଭିବାଦନ କଲେ ଓ ତାଙ୍କ ଘରକୁ ଯିବାକୁ ନିମନ୍ତ୍ରଣ ମଧ୍ୟ । ଆମେ ତ ମାର୍କେଟକୁ ବହାରିଛୁ ଫେରିଲେ ଯିବୁ ବୋଲି କହିଲି ।କିନ୍ତୁ ପତ୍ନୀ ମହୋଦୟା ତାଙ୍କ ଘର ଆଡ଼େ ଯିବାକୁ ଉଦ୍ୟମ କରନ୍ତେ ଆମ୍ଭେ ପଚାରିଲୁ ଆମେ ତ ମାର୍କେଟ ଯିବୁ ପୁଣି ତାଙ୍କ ଘରକୁ କଣ ପାଇଁ । ମୋ କଥା ଶୁଣି ପତ୍ନୀ କହିଲେ ନାହିଁମ କିଛି ନାହିଁ ଖାଲି ଭାଉଜଙ୍କଠୁ ଗୋଟେ ଜିନିଷ ବୁଝିବାର ଥିଲା ତୁମେ ବି ଆସ ଗୋଟିଏ ମିନିଟରେ ଫେରି ଆସିବା କହି ଆଖିରେ ଆଖିରେ ତାଙ୍କ ସହ ପଡିଶାଙ୍କ ଘର ଭିତରକୁ ଯିବା ପାଇଁ ନିର୍ଦ୍ଦେଶ ବି ଦେଇଦେଲେ । ଅଗତ୍ୟା ଅନ୍ୟଉପାୟ ନପାଇ ପଡିଶା ଘର ଭାଇନା ଙ୍କ ସହ ପତ୍ନୀ ଙ୍କ ପଛେ ତାଙ୍କ ଘର ଭିତରକୁ ଗଲି । ବୈଠକଖାନାରେ ବସିବାକୁ କହି ପତ୍ନୀ ଘର ଭିତରକୁ ଚାଲିଲେ । ଏଇ ପଡିଶାଙ୍କ ଘରକୁ ଅନେକ ଥର ଆଗରୁ ଆସିଛି । ତାଙ୍କ ଘର ସୋଫା ଠୁ ଫୁଲଦାନୀ ଓ ଅଳିଆ ଠୁ ଅଳନ୍ଧୁ ପର୍ଯ୍ୟନ୍ତ ସବୁ ତ ଚିନ୍ହା ଚିନ୍ହା । ସୋଫା ଟା ଉପରେ ଆଉଜି ପଡି ଏପଟ ସେପଟ ଦେଖୁଥାଏ ଏହି ସମୟରେ ହାତରେ ରାକ୍ଷୀ ପୂଜା ଥାଳି ଧରି ଭାଉଜ ଆସିଲେ । ପଛରେ ଆମ୍ଭ ପତ୍ନୀଙ୍କ ଠୋ ଠୋ ହସ । ସେ ପୂଜା ଥାଳିରେ ଥୁଆ ହୋଇଥିବା ରାକ୍ଷୀର ସେ ଝଲମଲ ରଙ୍ଗୀନ ଜରି ଯେମିତି ମୋତେ ଖତେଇ ହେଉଥିଲା । ମୁଁ ଏକ ଅଜଣା ଆତଙ୍କରେ ଶିହରି ଗଲି । ଏ ପଡିଶା ଘର ଭାଉଜଙ୍କ ହାତରୁ ରାକ୍ଷୀ ପିନ୍ଧା ଚକ୍ରାନ୍ତର ରଚୟିତା କିଏ । ଆମ୍ଭ ପତ୍ନୀ କିପରି ଆମ ପଛରେ ଏତେ ବଡ଼ ଚକ୍ରାନ୍ତ ରଚିଲେ । ନା ଭାଇନା ଭାଉଜଙ୍କ ସହ ମିଶି ମୋ ଘରଣୀ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ । ବେଳେ ବେଳେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ସତରେ କଣ ସବୁ ପତ୍ନୀ ମାନେ ଏତେ ନିର୍ଦୟ । ମୁଁ ମନେ ମନେ ସେ ଝଲମଲ ରାକ୍ଷୀକୁ ଦେଖି ଭାବୁଥିଲି ଏଇରେ ପୋଡାମୁହାଁ ତୁ ଏ କଣ କଲୁ । କେଡେ ହିନୀମାନିଆ କାମଟା କଲୁ । ତୋତେ ନେହୁରା ହଉଛିରେ ତୋତେ ତୋର ସବୁ ରାଣ ଆଉ କୋଉ ବି ରାକ୍ଷୀ ପୂର୍ଣ୍ଣିମା ରେ ମୋତେ ଏମିତିକା ହାର୍ଟ ଫେଲ ସରପ୍ରାଇଜ ଦେବୁନି । ଯାହାହେଉ ବହୁ କଷ୍ଟରେ ରାକ୍ଷୀମିଠାଟା ତଣ୍ଟି ତଳକୁ ଖସିଲା । ଶେଷରେ ଭାଇନା ଓ ଭାଉଜ- ଓଃ ଥୁକୁଲ, ବଡ଼ ଭଉଣୀଙ୍କୁ ମୁଣ୍ଡିଆ ମାରି ଫେରିଲି । ବଜାର ଯିବାକୁ ଡାକିନେଇଥିବା ସେଇ ପତ୍ନୀ ନାମଧାରୀ କଠୋର ହୃଦୟା ଙ୍କ ପରିଚୟ ଅନେକ ଥର ଆଗରୁ ପାଇସାରିଛି । ତଥାପି ମୋ ଭଳି ଏତେ ସତର୍କ ଲୋକଟି କେମିତି ଆଜି ରାକ୍ଷୀ ପୁର୍ଣିମାରେ ତାଙ୍କ ସେନେହ କଥାରେ ଭାସିଯାଇ ତାଙ୍କ ସାଙ୍ଗରେ ବଜାର ଯିବାକୁ ବାହାରିଲା କେଜାଣି ।


Rate this content
Log in