Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Swagatika Nayak Lucylipi

Tragedy Thriller

3  

Swagatika Nayak Lucylipi

Tragedy Thriller

ଘରଭାଙ୍ଗି

ଘରଭାଙ୍ଗି

6 mins
445



ବାର ମୌଜାର ମୁଖିଆଙ୍କ ଆଗରେ ନାକ କାଟିଦେଲା ସୁଲ,,,,, ପାଟିରେ ଲୁଗାଚାପି କାନ୍ଦିକାନ୍ଦି କହୁଥିଲା ବୋଉ |

-ତା ନାଁ ଧରେନି ଏ ଘରେ, କେମିତି ବେଳାରେ ଜନମ କଲୁ ଯେ ମାନ ମହତ ବୋଲି କିଛି ରଖିଲାନି | ମୋ ବାପା ଅଜା ଚଉଦ ଅମଳରୁ କେହି ଏମିତି କରିନଥିଲେ | 

- ମୋତେ ଲାଗୁଚି କେହି ତାକୁ କିମିଆ କରିଚି, କାହାକୁ ଦେଖେଇଲେ ହୁଅନ୍ତାନି, ଖୁବ ଧିରେ ବୋଉ କହିଲା |

- କିମିଆ ନୁହେଁ ଲୋ ବିନାଶ ବେଳ ହେଲେ ବୁଦ୍ଧି ବାମ ହୁଏ | 


ତୁ ଠିକ କହିଚୁ କମଳ, ଏଡେ ଗୁଣର ଜୋଇଁ ଦେଖୁ ଦେଖୁ ମୁଣ୍ଡ ନୁଇଁ ଦେବ | ବଡ ପରିବାର, ବଡ ବୋହୂ, ଲୋକବାକ ବନ୍ଧୁବାନ୍ଧବରେ ଘର ପୁରି ଉଠୁଚି | ନିଆଁଗିଳିକୁ କଣ ଆଉ ରାଜା ଘର ହେଇଥାନ୍ତା | ଆଲୋ ମାଇକିନା ଝିଅ ସନମାନ କଣ ଖୋଜିବୁ, ପୁରୁଷ ପୁଅକୁ କଣ ବାହୁନିବୁ | ପୁରୁଷ ପୁଅ ସହ କୋଉ କାଳରେ ମାଇକିନା ଝିଅ ସମାନ ହେଲାଣି ଯେ ଆଜି ହେବ | ମୋତେ ବୁଢୀମାର କଥା ଆଗଭଳି ଆଉ ବାଧିଲାନି |

-ତୁ ଠିକ କହିଚୁ ବୋଉ, ଝିଅଟା ପାଇଁ ଗାମୁଛା ତଳେ ପକେଇଲି ଶେଷରେ |

- କମଳରେ ତୋ ଭାଗ୍ୟ ଖରାପ | ଦେଲି ନାରୀ ହେଲି ପାରି, କି ପାରି ହେଲୁରେ ଭସେଇ ଦେଲା ଯାହା ତୋତେ |


କଥାଗୁଡାକ ମୋ ଛାତିକୁ ରୁନ୍ଧି ଦେଉଥିଲେ | ବାପା ବୋଉ ବୁଢୀମାଙ୍କ କଥା ସବୁ ଘର ପଛପଟକୁ ଠାଏ ଠାଏ କରି ଶୁଭୁଥିଲା |


-ଦେଖ୍ ମାଳ ଯେମିତି ସେ ପୋଡାମୁହିଁ ଏ ଘରେ ପାଦ ନଦିଏ, ଗୋଟେ ଘରକୁ ତ ଭାଙ୍ଗିଦେଲା ଏ ଘରେ ତା ପାଦ ପଡିଲେ ବି ଏ ଘର ଭାଙ୍ଗିବ | ତା ପାଇଁ ମୋର ଅନ୍ୟ ଝିଅଗୁଡା ବି ଶାଶୁଘରେ ଗଞ୍ଜଣା ନ ଶୁଣନ୍ତି, ଏମିତିରେ ବି ସେ କମ୍ ଅପଦସ୍ତ କରିନି |

- ତୁ ଚିନ୍ତା କରନି କମଳ ସେ ପୋଡାମୁହିଁକୁ ମୁଁ ବଞ୍ଚି ଥାଉ ଥାଉ ଦାଣ୍ଡ ବାରଣ୍ଡା ମଡେଇ ଦେବିନି |

- ହେଲେ… ଝିଅଟା ଯିବ କୁଆଡେ ? ବୋଉ କହିଲା |

- କୂଅ ପୋଖରୀ ନଈ ନାଳ ଯୁଆଡେ ଇଚ୍ଛା ଯାଉ | ଘରଭାଙ୍ଗିକୁ ଘର ନୁହେଁଲୋ ମଶାଣି ସୁହାଏ |


ବୋଉର କାନ୍ଦ ଟିକେ ଜୋରରେ ଶୁଭା ଯାଉଥିଲା | ମୋତେ ବୁଝିବାକୁ ବାକି ନଥିଲା ଏଠି ମୋର ସ୍ଥାନ ନାହିଁ | ମୋ ପାଇଁ ବୋଉକୁ, ବୁଢୀମାଠୁ ବାପାଙ୍କଠୁ ବାରକଥା ଶୁଣିବାକୁ ପଡୁ; ନା ମୋତେ ଏଇଠୁ ଫେରିଯିବାକୁ ହେବ | ହେଲେ ଯିବି କୁଆଡେ ? ବୁଢୀମା ଠିକ କହୁଥିଲା ମାଇକିନା ଝିଅର ଘର ନଥାଏ | ମୋର ମୋର ଖାଲି କହି ହୁଏ ସିନା |

ବୋଉ କଥା ମାନି ନେଇଥିଲେ ଏଇନେ ମୁଣ୍ଡରେ ଚାଳ ଥାଆନ୍ତା, ବାପା ଗାମୁଛା ପକେଇ ମୁଣ୍ଡ ନୋଇଁ ଭୁଲ ହେଇଚି ବୋଲି କହି ନଥାନ୍ତେ, ଆଗପରି ସବୁ ହେଇଥାନ୍ତା, ହେଲେ ହୃଦ ଭିତରେ ଯୋଉ କଥାଟା ଥିଲା ସେ କି ଶାନ୍ତିରେ ରଖେଇ ଦେଇଥାନ୍ତା | ବାରମୌଜାର ମୁଖିଆ କହିଥିବା କଥାଟା ଅନୁସାରେ ମାଇକିନା ଝିଅ ସହିନେଲେ ଘର ସ୍ୱର୍ଗ ନହେଲେ ନର୍କ,ଏ ତ ଧାନ ଭିତରେ ବାଳୁଙ୍ଗାଟିଏ ବାଛି ହେଇଗଲା ବେଗି ନହେଲେ ଦାମୋଦର ଭଳି ସୁଧାର ପୁଅଟା ଜୀବନସାରା ଘାଣ୍ଟି ହେଇଥାଆନ୍ତା | ଏଇ କଥାରେ ପଚାରିଦେଲି ମାଇକିନା ଝିଅ ମଣିଷ ନୁହେଁ କି | ଦେଖ କି ରାଗ ମୁଖିଆଙ୍କର, ଏଇଟା ନିହାତି ଘରଭାଙ୍ଗିଟା ; ଯିଏ ପଞ୍ଚାୟତରେ ପାଟିଖୋଲେ ସେ ଘରେ କଣ କରୁଥିବ ସମସ୍ତେ ଜାଣିବେଣି | ସତରେ ଘରେ ମୁଁ କରେ କଣ ନିଜକୁ ପଚାରିଲି | କିଛି ନୁହେଁ!? ମାଇକିନା ଝିଅ କି କାମ ବା !! କାମ ବୋଇଲେ ସୂରୁଜ ଦେବତା ନଉଠିବା ପୂର୍ବରୁ ଉଠିକି ବାସି ପାଇଟି କର, ରୋଷେଇବାସ କର, ଏଇଟା ଗୋଟେ କାମରେ ଲେଖା | ପିଲା ଜନମ କରିଚ ମାନେ ତମେ ତା କଥା ବୁଝ | ପେଟକୁ ଭୋକହେଲେ ବି ପାଟିକୁ ଚୁପ କରାଅ | ପୁରୁଷ ପୁଅ ଖରାତରାରେ ଖଟିବ | ତମେ ମାଇକିନାଗୁଡା ଡହଡହ ହେଇ ଆଗ ଖାଇବ ଲକ୍ଷ୍ମୀ ଛାଡି ଯିବେଟି |


ପଞ୍ଚାୟତ ଆଗରେ ସଭିଏଁ ଦୋଷ ବାଛିଲେ,ଥରେ ଯଦି ଖରାପ ହେଲ ହଜାରେ ଭଲ ବି ଖରାପ ହୁଏ | କଥା ବୋଲି କିଛି ନଥିଲା ଭାବିଲେ ବହୁତ କିଛି | ଖାଇବସିଥିଲି ତ ପାଣି ଗିଲାସେ ବଢେଇ ଦେବାକୁ କହିଲି, କଣ ବା ଭୁଲ କରିପକେଇଲି ସାତଜନମ ସାଥି ହେବାକୁ ଅଗିନି ଦେବତାକୁ ସାକ୍ଷୀ ରଖିଥିଲେ ଟି, ପାଣି ଗିଲାସେକୁ ଭାର୍ଜନ ନୁହଁ ତ କି ସାତ ଜନମ ବା | ଶାଶୁଙ୍କର କି କୋପ... ତୋ ମା ତୋତେ ଏଇଆ କହିଚି ଗିରସ୍ତକୁ ଖାଇ ବସି ପାଣି ମଗେଇ କରିବୁ | ଏଇଟା ମୋର ଭୁଲ ବୋଲି ଜାଣିନଥିଲି, ବଡନାନୀ କହିଥିଲା ଭୁଲ କଲେ ଗୋଡଧରି ପକେଇବୁ ଦେଖିବୁ ଘର ଭିତରେ ସନମାନ ପାଇବୁ | ମୁଁ ବି ସେୟା କଲି ହେଲେ କାଇଁ ବା ସନମାନ | ହୃଦଟା ମୋର କୋଉଠି ଥିଲା କେଜାଣି କଥାଟାକୁ ଗଣ୍ଠି କଲା ଆଉ ପଚାରିଲା ଗେରସ୍ତ ଭୁଲ କଲେ ? ନିଆଁଲଗା ପାଟିଟା ଚଟକି ଖୋଲିଗଲା ତ ଘରଟା ସାରା ପଡିଲା ଉଠିଲା | ପରଝିଅ କି ଘରକୁ ନିଜର କରେ | ଲଗାମ ଛଡା ପାଟି | ଗୋଟାପଣେ ଡରିକି କାକୁସ୍ଥ | କଣ କରିବି ? ବାପା ଦାଦା ଡକେଇ ଫଇସଲା ହେଲା | ଲାଜରେ ମୁଁ ଅଇନା ବି ଦେଖିନି କେଇ ଦିନ ଯାଏ | ଗେରସ୍ତ କଥା ନ କହିବା ଭଲ | ଦେହଟାକୁ ଅନାଏ, ତା ଛଡା ହୃଦ ନା ଫୃଦ |

ବେଳକୁ ବେଳ ଜୀରାରୁ ଶିରା କାଢିବା ଆରମ୍ଭ ହେଇଗଲା, ବଡରୁ ସାନ ଯାଏ ଯିଏ ଯାହା ପାଇଲା, ଯୋଉ ବାଗରେ ପାଇଲା ଦୋଷ ବାଛିଲା | ସବୁ ସହିହୁଏ ଯଦି ଗେରସ୍ତ ନିଜର କରେ,ବେଳେବେଳେ ନିଜକୁ ନିଜେ ସମ୍ପେ କି ପୋଡା କପାଳ ନେଇ ଜନମିଲି ଯେ ପାଠ ଦି ଅକ୍ଷର ପଢିପାରିଲି ନା ହୃଦ କଥାକୁ ବାଗରେ ବୁଝେଇ ପାରିଲି | ଯଦି ବି ବୁଝେଇଲି ସବୁ ଓଲଟା ହେଲା | ଗେରସ୍ତର ଆଦର ନଥିଲା ମୋ ଭାଗରେ ହଁ ଦେହଟାକୁ ତାର ଭାରି ଆଦର | ନିଜକୁ ବାଢିଦେବାକୁ ଇଚ୍ଛା ହୁଏନି | ହୃଦ ପରା ମିଶେନି, ଗେରସ୍ତ ଗେରସ୍ତ ହେଇ ମଝି ସିନ୍ତାଣରେ ସିନ୍ଦୂର ମାଖି ପାଣିକାଚ ଝୁଣୁଝୁଣୁ କଲେ କି ହୃଦ ଆଦରେ | ହୃଦ କଥାକୁ ବଡନାନୀକୁ କହିଲି ଯେ ସେ କହିଲା ହୁଣ୍ଡି ଗେରସ୍ତର ହୃଦକୁ ପାଟି ଦେଇ ଯିବୁ | ଏ କେମିତିକା କଥା କେଜାଣି | ମୋ ହୃଦକୁ ସେ କାହିଁ ଆସୁନି ତ... ଚୁପ୍ କର ତୋର କି ହୃଦ ଲୋ ତୁ କଣ ଭୁଲିଗଲୁକି ମାଇକିନାଝିଅ ହୃଦ କଥା କହିଲେ ଘର ଭାଙ୍ଗେ | ମନେ ରଖ ଏ ଅକଥା କହିଲେ ଘରଭାଙ୍ଗିବ |

 ବୁଝିପାରେନି କୋଉ ଘର ଭାଙ୍ଗିବ | ମୋର କାହିଁ ଘର, ଟିକେ କଥାରେ ଗେରସ୍ତର ଧମକ ମୋ ଘରୁ ବାହାର | ଏପଟେ ତୋ ଘର ତୁ ଦେଖ ବାପଘର ପରଘର ସବାରୀ ଉଠିଲେ | ହୃଦ ଫାଟେ ଘର କୋଉଟା ବୋଲି | 


ବେଳକୁ ବେଳ ହୃଦ ଭିତରେ କେହି କୁହେ ତୁ ବି ଗରମଭାତ ଚାଖେ | ସୁଆଦ ନେ ଡାଲିର, ଓଢଣା ଟିକେ ଟେକିକି ଦେଖ | ଆକାଶରେ କେତେ ବାଗରେ ପକ୍ଷୀ ଉଡୁଛନ୍ତି | କେତେ ଆଉ ମାଡିମକଚି ହେଇ ବଞ୍ଚିବୁ | ଏସବୁ ମଫସଲରେ ଚଳେନି ବା ନିଜକୁ ବୁଝାଏ, ପଧାନଘର ବୋହୂକୁ ଦେଖିନଥିଲେ କଥାଟେ ହୃଦରେ ମରିଥାନ୍ତା | ଆହା କେଡେ ବାଗିଲା ଚମ୍ପାଫୁଲିଆ ବୋହୂଟା ସହରରେ ରହେ ଗେରସ୍ତ ସହ | ଏଇ କେଇ ମାସ ହେଲା ଗାଁରେ ରହୁଚି | ଛୁଆ ଅଛି ପେଟରେ ବୋଲି | ଗାଧୁଆ ତୁଠରେ ଲୁଗା ପାଲଟିଲା ବେଳକୁ ଆଖିଟା ପଡିଗଲା ପିଠିଟା ଉପରେ ଜାମୁକୋଳିଆ ରଙ୍ଗ ଦେଖି ଚାଉଁ କଲା ହୃଦ | ସତ ବୋଲି ଆଉଥରେ ଆଖିମଳି ଦେଖିଲି ସତ | ପଚାରିଦେଲି ତୋ ପିଠି ସତ...

କିଛି କହିଥାନ୍ତାକି କଣ ପଧାନବୁଢୀ ଟାଣିନେଲା ତାକୁ, ଶୁଣେଇ କହିଲା ଘରଭାଙ୍ଗି ନଜର ତାର | କଥାଟା ହୃଦକୁ କାଟିଲେ ବି ଅନେଇଲି ବୋହୂଟାକୁ | ଓଦା ମୁହଁଟାକୁ ପୋଛି ପୋଛି ବୁଢୀର ପଛେ ପଛେ ଗଲା | 


ହୃଦ କହିଲା ସବୁଠି ସମାନେ | ଖାଲି ଭେକଟା ଯାହା ବଦଳେ | ମାଇକିନା ଝିଅ କାହିଁ ଜନମ ଦେଲା ବିହି, ଦେଲା ଯଦି ପାତର ଅନ୍ତର କଲା କାହିଁ | ଗେରସ୍ତଟା ସୁଧାର ବୋଲି ମୁଖିଆର ବିକଳ ଦେଖି ହୃଦରେ ଏତେ ଦୁଃଖ ଥାଇ ବି ହସିପକେଇଲି ଭିତରେ ଭିତରେ | ଆହା କେଡେ ସୁଧାର ସତରେ ପ୍ରଥମ ସ୍ତ୍ରୀ ମରିବାର ଦଶଟା ଦିନରେ ବାହା ହେବାକୁ ହୃଦ ବଳାଇଲା ଯିଏ ସତରେ ସେ କେଡେ ସୁଧାର | ଗେରସ୍ତର ଦୁଃଖ ଦେଖିନପାରି ଘରୁ ବାହାର ଯାଏ ଖୋଜିବସିଲେ କନିଆ,କେଡେ ହୀନଯୋଗ ବାପା ବୁଝି ନବିଚାରି ଛନ୍ଦିଦେଲେ | କହିଲେ କଣ ନା ମାଛିକୁ ମ କହେନି ପୁଅଟା ବଡଘର, ବଡ ପରିବାର ବୋଧହୁଏ ମାଇକିନା ଝିଅ ପାଇଁ ଏତିକି ଯଥେଷ୍ଟ | ଦୋହରି ବାହାଟା କୋଉ ଝିଅ ଚାହେଁ ଯେ ମୁଁ ଚାହିଁବି ହେଲେ ବଡ ମାନେ ବିଚାରିକରୁଛନ୍ତି ମାନେ ଠିକ କରୁଥିବେ | ଗୋଟେ କଥା ହୃଦ ପଚାରେ ସେ ସାହୁଘର ପୁଅଟା ବାହାହେବାର ଛଅ ମାସରେ ମଶାଣି ଗଲା କେହି ତ ବୋହୂଟାକୁ ଛନ୍ଦିଦେଲେ ନାହିଁ ବରଘର ଦେଖି ଆଜିଯାଏ ସେ ଗଞ୍ଜଣା ସହି ପଡିରହିଚି ସାହୁଘରେ, ହସିବାର ଟିକେ କେବେ ଆଖିରେ ପଡେନି | 

ମାଇକିନା ଝିଅ ମାଟିହାଣ୍ଡି | ଭାଙ୍ଗିଲେ ଗଲା ପୁରୁଷପୁଅ କଂସାପିତ୍ତଳ | ଧୋଇମାଜିଲେ ସଇଲା | କଥା ବୁଝେଇଦେଇଥିଲା ବୁଢୀମା | ପରଘରି ହେଲାପରେ ମୋର ମୁଣ୍ଡଟା ବିଗିଡି ଗଲା ବୋଲି କହି ବୁଲୁଥିଲା ବୁଢୀମା |ଏବେ ବାରମୌଜା ବି ଜାଣେ ମୁଁ କୂଳ କଳଙ୍କ ମୋଦେଇ ସଂସାର ହେବନି | ସଂସାର କଲେ ମଥା ନୋଇଁବାକୁ ପଡେ, ପୁରୁଷର ପଛରେ ରହିବାକୁ ପଡେ | ନିଜକୁ ଦାସୀଟିଏ କରି ଗେରସ୍ତକୁ ଦେବତାକରି ପୂଜିବାକୁ ହୁଏ | ଭଙ୍ଗାଘରକୁ ଯୋ଼ଡିବାକୁ ପଡେ | ମୁଁ କାହିଁକି ଏମିତି କଥାରୁ ମୁହଁ ଫେରେଇଲି ? କେମିତି ଅଲଗା ହେଲି ? କେତେ ପଚାରିଲି ହୃଦକୁ, ହୃଦ କହିଲା ବଦଳିବା ପାଇଁ କେହି ଜଣେ ତ ଜନମିବା କଥା କେହିଜଣଙ୍କ, ତୁ କାହିଁକି ନୁହଁ | 

ମାଇକିନା ଝିଅ... ଜନମ କେତେ ମରଣ କେତେ, ଦିଇଟା ଯାକ ଏକା କଥା ହୃଦ କି ବୁଝେ | ଥରଟେ ପାଟି ଖୋଲିଲି ଯେ ଦାଣ୍ଡରେ ପଡିଲି, ସନମାନ କି ସମାନ କିଛି ନୁହଁ ମେଞ୍ଚେ ହୀନିଛୋପରା ହେଲି | ବାରମୌଜା ଜାଣିଲା | ବାପା ମୁଣ୍ଡନୋଇଁ ଦୁଃଖ ପାଇଲେ | ତଥାପି ଭାବିଲି ଗୋଡଧରି ଫେରିଯିବି | ହେଲେ ହୃଦ କି ସେକଥା ବୁଝେ, ଫେରିପାରିଲିନି ପଛକୁ ଏମିତିରେ ତ ଖରାପ ହେଲି ତେବେ ଡର କିଆଁ ସନମାନ ଟିକକ ଖୋଜିଲି ସରିଗଲା କଥା | ମାଇକିନା ଝିଅର ବହପ ଦେଖ କେଡେ ଆଣ୍ଟରେ କଥା କହୁଚି ଦୁଇ କୂଳର ହିତ ନୁହେଁ ଅହିତ | ବିଚାର ବୋଲେ ଘରେ ନୁହଁ ୟାକୁ ସସନମାନେ ପଦାରେ ଛାଡିଦିଅ | ପଞ୍ଚାୟତ ଭାଙ୍ଗିଲା ଯେ ଯାହାର ଘରକୁ ହେଲେ, ବହେ ବେଳ ଯାଏଁ ବସିଲି କାଳେ କେହି ନହେଲେ ଅନ୍ତଫାଡି ଜନମ ଦେଇଥିବା ବୋଉ ଡାକିବ କେହି ବି ଡାହିଲେନି | ବାପା କାଳେ ବୋଉକୁ ଜଗିଥିବେ ନିଜେ ଚାଲି ଆସିଲି ହେଲେ ଭୁଲ ଥିଲି ବୋଉ ବି ଶେଷରେ,,,,,,


ଏତେ କଥା ଏକାବେଳକେ ହୃଦ ଭିତରେ ଘାଣ୍ଟି ହେଉଥିଲା ଏଣେ ପେଟରେ ଭୋକ ମଣିଷ କି ଘାସ ଡାଳ ପତର ଖାଏ | କି ଫଳ ଥିଲା ଅମୃତ ଲାଗିଲା ପେଟରେ ପଡୁ ପଡୁ | କନିଅର ଫୁଲର ବାସଟା ଖାଲି ବାରିଲି ଯାହା | ମୁଣ୍ଡଟା ଘୁରିଲା,ପେଟ ମୋଡିଲା ଦେହଟା ଥରିଲାଣି ଆଖିବନ୍ଦ |


ସକାଳୁ ଲୋକେ କୁହାକୁହି ହେଲେ ଘରଭାଙ୍ଗିକୁ ଘର ନୁହେଁ ମଶାଣି ସୁହାଏ... |



Rate this content
Log in

More oriya story from Swagatika Nayak Lucylipi

Similar oriya story from Tragedy