Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Swagatika Nayak Lucylipi

Tragedy

3  

Swagatika Nayak Lucylipi

Tragedy

କଳା ରଙ୍ଗର ଚିଠି

କଳା ରଙ୍ଗର ଚିଠି

6 mins
36



ଦାଣ୍ଡପଟ ବାରନ୍ଦାରେ ବସି କାମଦେବ ପ୍ରଧାନ ଓରଫ କାମେନା ମାଷ୍ଟ୍ରେ ପତ୍ନୀ ହେମାମଣିଙ୍କୁ ବରାଦ ଦେଲେ ଚାହା କପଟେ ପାଇଁ...ଶୁଣ ଚିନି ଟିକେ କମ୍ ଦେବ, ଏମିତିରେ ବି କୋଉ ମିଠାପଣ ଅଛି ଜୀବନରେ ମନେ ମନେ କହିଲେ!!!

ଚମକେଇ ଦେଲାଭଳି ପୋଷ୍ଟ ପିଅନ ରଘୁବୀର; ମାଷ୍ଟ୍ରେ ତେମେ ଆପଣଙ୍କର ଚିଠି ଆଇଚି।

ଏଁ..., ଚିଠି!!!! ମୋତେ ପୁଣି କିଏ ଚିଠି ଦେଲା!!??

କେଜାଣି ମାଷ୍ଟ୍ରେ କିଏ ଦେଇଚି କିଛି ନାଁ ଲେଖିନି । ମାଷ୍ଟ୍ରେ ପନ୍ଦର ବର୍ଷରୁ ଅଧିକ ହେଲାଣି ଏ ଚିଠି ଦେବା ନେବା ବନ୍ଦ ହେଇଗଲାଣି । ଯା ହଉ ଆପଣେ ଭାଗ୍ୟବାନ । ଶୁଖିଲା ହସଟେ ଖେଳିଗଲା କାମେନା ମାଷ୍ଟ୍ରେଙ୍କ ମୁହଁରେ ।। ଚିଠିଟା ବ୍ୟାଗରୁ ବାହାର କରି ରଘୁବୀର ବଢେଇ ଦେଇ ଗଲାଣି କେତେବେଳୁ । ଚିଠିକୁ ଏପଟ ସେପଟ କରି ଦେଖୁଥାନ୍ତି ମାଷ୍ଟ୍ରେ ।

ଏଇଟି ...ଚାହା ନିଅ କହି ଆଶ୍ଚର୍ଯ୍ୟରେ ଚିଠିକୁ ଦେଖି ହେମାମଣି କହିଲେ ଏଁ..., ଚିଠି କୋଉଠୁ ପାଇଲ ବା କିଏ ଦେଇଚି... 

କେଜାଣି କିଏ ଦେଇଛି ନାଁ ଲେଖିନି ......

ଖୋଲିକି ଦେଖୁନ କିଏ ଦେଇଛି... ହଁ ହଁ ଦେଖୁଚି ...ପଛେ ଦେଖିବ ଆଗ ଚାହା ପିଇଦିଅ ..., ଯାଏଁ ଲୋ ମା ତେଣେ ମୋର କେତେ କାମ ...,ହେଇଟି ଆଗ ଚାହା ପିଇଦିଅ ଥଣ୍ଡା ହେଲେ ଡାକିବ ନେଇଁଟି......!!

ନାଇଁ ନାଇଁ ହେମାମଣି ମୁଁ ଚାହା ପିଇସାରି ଚିଠି ଦେଖିବି । ହେମାମଣି ଚାଲିଯିବା ପରେ ମାଷ୍ଟ୍ରେ ଚିଠି ଖୋଲି ଦେଖିଲେ । ହସ୍ତାକ୍ଷର ଖୁବ ପରିଚିତ ଲାଗୁଥିଲା......

ବାପା,

  ପାଦ ଛୁଇଁଲି ଏଇଠୁ । ଏ ଚିଠି କେବଳ ତମପାଇଁ । ବାପା ଅନେକ କଥା କହିବାର ଥିଲା । ହେଲେ କହିପାରିନି କେବେ । କହିବାକୁ ଚେଷ୍ଟା କରିଚି ଅନେକ ଥର ହେଲେ ତମେ ଶୁଣିବାକୁ ଚାହିଁନ । ବାପା ମୋର ଭୁଲ କଣ ? ମୁଁ ତ କେବେ ଚାହିଁନି କାହାର ଅମଙ୍ଗଳ । ପିଲାଟିଦିନୁ ସମସ୍ତଙ୍କର ଘୃଣା, ତିରସ୍କାର, ତାତ୍ସଲ୍ୟର ପାତ୍ର ପାଲଟିଛି କାହିଁକି? ମୋର ଏଇ ରଙ୍ଗ ପାଇଁ ନା ବାପା, ମୁଁ ତ ସେ ରଙ୍ଗ ମୋ ଦେହରେ ନିଜେ ବୋଳି ହେଇନି, ଏହା ପ୍ରାକୃତିକ । ଈଶ୍ୱର ଦତ୍ତ । ସେଥିପାଇଁ ମୁଁ କେମିତି ଦାୟୀ ହେଲି । ବୋଉ ମୋତେ ଖୁବ୍ ଛୋଟ ଦିନୁ ହଳଦୀ ଲଗେଇବାକୁ କହୁଥିଲା କାଳେ ରଙ୍ଗ ସଫା ହେଇଯିବ, ମୁଁ ବି ମାନି ଯାଇଥିଲି, ଲଗେଇ ପକଉଥିଲି, ବଡ ଭାଇ ଗୋବର ବୋଳିଚୁ କହି ଚିଡଉଥିଲେ । କଷ୍ଟ ହୁଏ, ଖୁବ ଛୋଟ ଦିନୁ କଷ୍ଟ ସହିବାର କ୍ଷମତାଟିଏ ମୋ ଭିତରେ ଥିଲା । 

ବାପା, ମନେ ଅଛି କାହାର କୋଉ ରଙ୍ଗର ଡ୍ରେସ୍ ଆସିବ ପଚାରିଲ ମୋର ହଳଦୀ ରଙ୍ଗର ଡ୍ରେସ୍ ଆସିବ କହିବାରୁ ଭାଇ ଭଉଣୀ ସମସ୍ତେ ଆନ୍ଧ୍ରା ଅଟୋ କହି ମଜ୍ଜା ଉଡେଇଥିଲେ। ତମେ ଆଣିଥିବା ସେ ହଳଦୀ ରଙ୍ଗର ଡ୍ରେସ୍ ପିନ୍ଧିବାକୁ ସାହାସ ହେଇନଥିଲା । ରାତିରେ ସମସ୍ତେ ଶୋଇଗଲା ପରେ ମୁଁ ସେ ଡ୍ରେସ୍ ପିନ୍ଧି ଦର୍ପଣ ସାମନାରେ ଦେଖେ କାହିଁ ମୋ ଆଖିରେ ତ ମୁଁ ଖରାପ ଲାଗେନି । ଜଗନ୍ନାଥ ତ କଳା ତାଙ୍କୁ ପୀତବସନ ମାନେ ବୋଲି ବୋଉ ସବୁବେଳେ କୁହେ । 

ଭାଇ ଭଉଣୀମାନଙ୍କ ଭିତରେ ମୁଁ ଭଲ ପାଠ ପଢୁଥିଲି , ଗୀତ,ନାଚ, ଚିତ୍ରକଳା, ଝୋଟି, ଡିବେଟ, କୁଇଜ୍ ସବୁଥିରେ ପ୍ରଥମ ହେଉଥିଲେ ବି କାହା ମନରେ ଟିକିଏ ଯାଗା ପାଇପାରିଲିନି ।ଜାଣିଛ ବାପା ସ୍କୁଲରେ ଦିନେ ସାର ପଚାରିଲେ ବଡ଼ ହେଲେ କଣ ହେବାକୁ ସ୍ବପ୍ନ ଦେଖିଛ ମୁଁ ଡାକ୍ତରାଣୀ ହେବାକୁ ଚାହୁଁଛି କହିଲି ସମସ୍ତେ ହସିଲେ ମୋ ଉପରେ, କାହିଁକି ଜାଣିଛ ବାପା ମୋତେ ରୋଗୀ ଦେଖିଲେ ହାର୍ଟଆଟାକରେ ମରିଯିବ । ସେଦିନ ମୁଁ ଡାକ୍ତରାଣୀ ନ ହେଇ ତମଭଳି ହେବାକୁ ଚାହିଁଲି। 

ୟୁନିଭରସିଟିରେ ଟପ୍ପର ହେଲାପରେ ବି ମୋତେ ଆଗକୁ ପଢ଼ିବାର ସୁଯୋଗ କାହିଁକି ଦେଲନି ବାପା!!!? ମୋ ବାହାଘର କ'ଣ ନିହାତି ଜରୁରୀ ଥିଲା। ମୁଁ ତ ଚାହିଁଥିଲି ନିଜ ଗୋଡ଼ରେ ଠିଆ ହେବି, ସ୍ୱାବଲମ୍ବୀ ହେବି , ସ୍ଵାଭିମାନର ସହ ବଞ୍ଚିବି । ସେତିକି ବି ମୋଠୁ କାହିଁକି ଛଡେଇ ନିଆଗଲା !???

ବରପକ୍ଷ ମୋତେ ଦେଖିବାକୁ ଆସି ସାନ ଭଉଣୀ ବିଦ୍ୟାକୁ ପସନ୍ଦକରି ଚାଲିଯାଉଥିଲେ | ବିଦ୍ୟା ଦି ଚାରି ପଦ ଶୁଣେଇ ଦେଉଥିଲା , ସାନ ଭଉଣୀର କଥା କଣ ଧରିବି ବୋଲି ମନକୁ ବୁଝେଇ ଦେଉଥିଲି | ମୋ କଲେଜ ବେଳରେ ମୋ ସହ ବିରଜା ମାରାଣ୍ଡି ପଢୁଥିଲା , ତାର ମୁଁ ପସନ୍ଦ ଥିଲି ମୋର ବି ସେ | ଜାଣିଚ ବାପା ମୋ ରଙ୍ଗକୁ ନେଇ ସେ କେବେ ମନ୍ତବ୍ୟ ଦେଇନି, କଳା ହିଁ ଇଶ୍ୱର ଗୁଣ ହିଁ ଦେବୀ ବୋଲି ତାର ଯୁକ୍ତି |ପନ୍ଦରଟା ବାହାଘର ପ୍ରସ୍ଥାବ ଭାଙ୍ଗିଲାପରେ ଯେତେବେଳେ କହିଲି ବୋଉକୁ ବିରଜା ବିଷୟରେ ସାରା ପରିବାର ଆଖିରେ ଛୋଟ ହେଇଯାଇଥିଲି | ରଙ୍ଗଭଳି ମୋ ଚରିତ୍ର ବି କଳା |ବାପା ସେଦିନ ଯଦି ଥରଟିଏ ପାଟିଖୋଲିଥାନ୍ତ ମୋ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଥାନ୍ତା | ବିରଜା ଏବେ ସରକାରୀ କଲେଜରେ ଅଧ୍ୟାପକ ଥରେ ମାତ୍ର ଦେଖାହୋଇଥିଲା ,ସେମିତି ସଂଭ୍ରମତାର ସହ ବ୍ୟବହାର ଥିଲା ତାର |ଏତେ ସବୁ ସହିଲା ପରେ ନବମ ଫେଲ ଗୋଟେ ବେସରକାରୀ କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ସହ ମୋଟା ଅଙ୍କର ଅର୍ଥ ଦେଇ ଦାନ କରିଦେଲ ମୋ ସମସ୍ତ ସ୍ୱପ୍ନକୁ , ଦାନ ନୁହେଁ ବୋଝକୁ ଫିଙ୍ଗିଦେଲ | ଟପ୍ପର ବୋଲି ନିଜକୁ କହିବାକୁ ସାହାସ ନଥିଲା ମୋର , ମୋ ପଢାର ମାନ ମୋ ରଙ୍ଗକୁ କାଟି ପାରିଲାନି | ଝିଅ ବିଦାଇ ବେଳେ ବୋଉ କହିଥିଲା ଆମ ନାକ କାଟିବୁ ନେଇଁ ତ!!! ତୋ ରଙ୍ଗ ଯେମିତି ୟା ଠୁ ଭଲ ପ୍ରସ୍ଥାବ ଆମକୁ ଆଉ କୋଉ ମିଳିଥାନ୍ତା !! ସହିବା ହେଉଛି ନାରୀର ଧର୍ମ, ଏବେ ଠୁ ଏ ଘର ତୋର ପର ହେଲା ,ସେ ଘରକୁ ନିଜର କରି ଚଳିବୁ | ପଛ କରି ଚାହିଁବୁ ନାହିଁ ଆମକୁ | 

ବେଶ କେଇଟା ଦିନ ତ ଭଲ ଥିଲା ମାତ୍ର ମଣିଷ ମୂଖା ପିନ୍ଧି କେହି କଣ ଏତେ ଦିନ ଅଭିନୟ କରିପାରେ | ଟାଙ୍କେ ମଦ ପିଇଦେଇ ମୋ ଉପରେ ଅତ୍ୟାଚାର ,ଦେହ ମନ ସବୁଥିରେ ଆଘାତ | କହିହୁଏନି କି ସହି ବି ହୁଏନି | ବୋଉ କଥା ମନେପଡେ ସହିବା ନାରୀର ଧର୍ମ | ମୋ ମା ହେବା ଖବର ଶୁଣି ତମେ ବୋଉ, ଭାଇ ସମସ୍ତେ ଆସିଥିଲ | ମୋତେ ଜନ୍ମ ଦେଇଥିବା ମା ବି ମୋ ମୁହଁ ଦେଖି ମୋ କଷ୍ଟ ଜାଣିପାରିଲାନି | ପିଠି ପଟ କାନିଟା ବାରମ୍ବାର ଛାଡି ବୋଉକୁ ଦେଖେଇବାକୁ ଚେଷ୍ଟା କରିଚି ...... ବୋଉଲୋ ତୁ ଯାହାକୁ ସୁନାମୁଣ୍ଡା ଜୋଇଁ କହି ସ୍ନେହ କରୁଚୁ ଦେଖ କେମିତି ଯୋତା ଆଉ ବେଲ୍ଟରେ ମାରି ମୋ ପିଠି ଫଟେଇ ଦେଇଚି | ଓଃ !! ତୁ ବା କେମିତି ଦେଖିପାରିବୁ ବୋଉ ମୋ ରଙ୍ଗ ସହ ମାଡଖିଆ ପିଠିର ଦାଗ ସମାନ ପରା !! ଶାଶୁଙ୍କର ଇଚ୍ଛା ପୁଅ ହେଉ ,ରଙ୍ଗ ଯେମିତି ହେଲେ ଚଳିବ | ବିଧିର ବିଧାନ କିଛି ଅଲଗା ଝିଅଟିଏର ମା ହେବାର ସୌଭାଗ୍ୟ ପାଇଲି ମାତ୍ର ଦୁର୍ଭାଗ୍ୟ ତାର କାୟା ବିସ୍ତାର କରି ସାରିଥିଲା ମୋ କପାଳରେ | ମୋ ଭଳି ମୋ ଝିଅର ରଙ୍ଗ ବି ସମାନ | ସତ କହୁଚି ବାପା କେତେ ମାନସିକ କରିଚି ଝିଅ ନହେଉ ଆଉ ଯଦି ହୁଏ ରଙ୍ଗ ତାର ମୋ ଭଳି ନହେଉ | ସରିଗଲା ବାପା ଏଇଠୁ ସରିଗଲା ମୋ ଜୀବନରୁ ସାମାନ୍ୟ ଛାତ ଟିକକ | ଏକୋଇଶିଆକୁ ତ ତମେ ଆସିଲନି ସାନ ଭଉଣୀର ଦିଅର ବାହାଘର ପାଇଁ ହଁ ପଠେଇ ଦେଇଥିଲ ଦାମୀ ଉପହାର | ଯାହା ମୋ ଶାଶୁ ଆଉ ସ୍ୱାମୀଙ୍କୁ ଦୁଇଦିନ ପାଇଁ ଚୁପ କରେଇଦେଇଥିଲା | ଝିଅ କାନ୍ଦିଲେ ତା ବାପା ବହେ ମୋ ପିଠିରେ ହସେ |ଝିଅ ପାଇଁ ସବୁ ସହିଯାଉଥିଲି | ବାପା ନାରୀ କଣ ସହିପାରେ ତା ସିନ୍ଦୁରରେ ଭାଗ ହେଲେ? ତମ ସେ ସୁନାମୁଣ୍ଡା ଜୋଇଁ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାକୁ ଆଣି ମୋରି ଆଗରେ ଘରେ ରଖିଲେ | ଶାଶୁ କିଛି ବି ପ୍ରତିବାଦ କଲେନି | ସେ ମହିଳାର ରଙ୍ଗ ସଫା ଥିଲା | ଏବେ ଘରେ ରହିବାକୁ ହେଲେ ମୋ ସଉତୁଣୀର ବି ସେବା କରିବାକୁ ପଡିବ ଘୋଷଣା କରିଦେଲେ ତମ ଜୋଇଁ | ମୁଁ ବେଡରୁମରୁ ବିତାଡିତ ହୋଇ ଶୀତ ରାତିରେ ଶିଡୀ ଘରେ କଅଁଳା ଛୁଆଟାକୁ ନେଇ ରହିଲି | ଯଥା ସମ୍ଭବ ଚେଷ୍ଟା କରୁଥିଲି ସମସ୍ତଙ୍କୁ ଖୁସି କରେଇ ଝିଅକୁ ମୋର ବଡ କରିବାକୁ , ମୋ ମାତୃତ୍ୱକୁ ସାର୍ଥକ କରିବାକୁ ମାତ୍ର ସେତକ ବି ସମ୍ଭବ ହେଲାନି | ଶୀତ ରାତିରେ ଛିଣ୍ଡା ଚାଦର ତଳୁ ଶୀତ ମୋ ଝିଅକୁ ଛୁଇଁ ଦେଉଥିଲା , ଯେତେ ଛାତିରେ ଜଡେଇ ଧରିଲେ ତା କଅଁଳା ଦେହ ଆହୁରୀ ଉଷ୍ଣତା ଖୋଜୁଥିଲା ସେତକ ବି ମୁଁ ପାରିଲିନି ରାହା ଧରି କାନ୍ଦିଲା ଝିଅ | ବାସ ସେତିକି ଥିଲା ଭୁଲ | ସୁଖ ନିଦ୍ରାରେ ବ୍ୟାଘାତ ହେଲା ତମ ଜୋଇଁଙ୍କର , ଯୋର କରି ଛଡେଇ ନେଇ ନିଜ ବଳ ଅନୁସାରେ ଫିଙ୍ଗିଦେଲେ କଅଁଳା ଛୁଆକୁ ମୋର ..........ଶେଷ ହେଇଗଲା ସବୁକିଛି | ମୁଁ କିଛି ଲେଖିପାରୁନି ବାପା ଛାତିରେ ଖୁବ ଯନ୍ତ୍ରଣା ହେଉଛି | ସକାଳୁ ସମସ୍ତେ ଜାଣିଲେ ମୋ ବେପରୁଆ ଢଙ୍ଗ ପାଇଁ କିଛି ବୁଲା କୁକୁର ମୋ ଝିଅକୁ.............

ସାରା ପୃଥିବୀରୁ ମୁଁ ବାଚ୍ଛନ୍ଦ , ମା ଜାତି ପାଇଁ କଳଙ୍କ | ମୋର କଣ ଭୁଲ ଥିଲା ବାପା ତମେ କୁହ?

ସମସ୍ତେ ଜାଣନ୍ତି ମୁଁ ପାଗେଳୀ ହେଇ ଘରୁ କୁଆଡେ ପଳେଇଚି | ନା ବାପା ଏତେ ସବୁ ସହିବା ପରେ ଘରୁ ଗୋଡ କାଢିବା ପାଇଁ ମୋର ଗୋଡ କାଇଁ , ଜନ୍ମରୁ ହିଁ ଟିକେ ଟିକେ କରି ସମସ୍ତେ ମୋ ଗୋଡ କାଟିଚାଲିଛନ୍ତି | ଜାଣେ ମୋ ପାଇଁ ତମେ ବି ଶୁଦ୍ଧି ହେଇସାରିଥିବ , ତମ ନୀତି ଆଦର୍ଶକୁ ନେଇ ତମେ ମହୀୟାନ |

ଏତେ ସବୁ ସରିଗଲା ପରେ ମୋ ପାଖରେ ଗୋଟେ ଦେହ ଥିଲା ଯାହାକୁ କେଇଟା ଟଙ୍କାରେ ବିକ୍ରୀ କରାଗଲା | ଜାଣେନି ଏ କୋଉ ଯାଗା , ଖୁବ କଷ୍ଟରେ ଏ ଚିଠି ଲେଖୁଚି , ଜାଣେନି ଏ ଚିଠି ପାଇଲା ବେଳକୁ ମୁଁ ଥିବି କି ନା ଶେଷଥର ପାଇଁ ଗୋଟେ ପ୍ରଶ୍ନ ବାପା ମୋର ଭୂଲ କଣ???????

       ବିଦାୟ ବାପା

       ଇତି ତୁମର   

       କଳଙ୍କିତ ଝିଅ


କାମେନା ମାଷ୍ଟ୍ରେଙ୍କ ଆଖିକୁ ଆଉ କିଛି ଦେଖା ଯାଉନଥିଲା...............

   


   



Rate this content
Log in

More oriya story from Swagatika Nayak Lucylipi

Similar oriya story from Tragedy