STORYMIRROR

janmajaya nayak

Inspirational

4  

janmajaya nayak

Inspirational

ଘାଣ୍ଟ ତରକାରୀ

ଘାଣ୍ଟ ତରକାରୀ

3 mins
251


      (୧) 

 ଆମ କଲୋନୀର ସବୁଠାରୁ ପ୍ରିୟ ନାମ ଶାନ୍ତି ମାଉସୀ। ପିଲାଠୁଁ ବୁଢା ସବୁରି ମୁହଁରେ ତାରି ପ୍ରଶଂସା। ପାକୁଆ ପାଟିରେ ଲହଡି ଭାଙ୍ଗୁଥାଏ ଖିଲିଖିଲି ହସ। ସେନେହ ଶିକୁଳିରେ ସମସ୍ତଙ୍କ ମନକୁ ବାନ୍ଧି ରଖିଥାଏ ସେ। ମହମହ ବାସନା ଛୁଟିଆସୁଥିଲା ଶାନ୍ତି ମାଉସୀ ଘରୁ ।ସେ ବାସନାରୁ କେଉଁ ଗୋଟିଏ ଆପଣାପଣର ଅନୁଭବ ଭାସିଆସୁଥିଲା। ସହରୀ ସଭ୍ୟତାର ଚାକଚକ୍ୟ ଭିତରେ ସେ ବାସନା ପୂର୍ଣ୍ଣଚ୍ଛେଦ ଟାଣି ଗାଁ କଥା ମନେପକାଇ ଦେଉଥିଲା। ଖବରକାଗଜ ପଢିବାରେ ନିଜକୁ ବ୍ୟସ୍ତ ରଖିବାକୁ ଯେତେ ଚେଷ୍ଟାକଲେ ବି କେଉଁ ଅଜଣାକୋହରେ ଅଣନିଃଶ୍ୱାସୀ ହୋଇଉଠୁଥିଲି ମୁଁ। ମୋ ଭାବନାର ପରିଧିକୁ ବଳପୂର୍ବକ ଅକ୍ତିଆର କରିଚାଲିଥାନ୍ତି ଅତୀତର ସ୍ମୃତିସବୁ। ସହରରେ ରହିବା ଇତିମଧ୍ୟରେ ୨୦ବର୍ଷ ହେଇଗଲାଣି। ମାଆ ଚାଲିଯିବାପରେ ଆଉକେବେ ଗାଆଁକୁ ଫେରିନି ମୁଁ । ହଠାତ୍ ଉଠିପଡି କପବୋର୍ଡ ଖୋଲି ପୁରୁଣା ଡାଏରୀଟାକୁ ଖୋଲି ମାଆର ସେ କଳାଧଳା ଫଟୋଟିକୁ ଜାବୁଡି ଧରିଲି। ଆଖିଆଗରେ ନାଚି ଉଠୁଥିଲା ସବୁକଥା। ମାଆର ହାତତିଆରି ଘାଣ୍ଟତରକାରୀର ବାସନା ସତେ ଯେମିତିମୋର ଚତୁଃପାର୍ଶ୍ଵରେ ଭାସିବୁଲୁଥିଲା। କ୍ଷଣଭଙ୍ଗୁର ମୁହୂର୍ତ୍ତ ସବୁ ମାୟା ମରୀଚିକା ସମ ଦୃଶ୍ୟପଟ୍ଟରୁ ଉଭେଇ ଯାଉଥିଲେ। ସେ ସବୁକୁ ଜାବୁଡି ଧରିବାର ବୃଥା ପ୍ରୟାସ କରି ହାରି ଚାଲିଥିଲି ବାରମ୍ବାର। ମନର ଅବ୍ୟକ୍ତ ବେଦନା ସବୁ ବିଗଳିତ ବରଫାଶ୍ରୁର ରୂପ ନେଇସାରିଥାନ୍ତି। ଉଷ୍ମ ବରଫାଶ୍ରୁ ମାଆର କଳାଧଳା ଫଟୋଟିକୁ ଧୌତ କରିଚାଲିଥାନ୍ତି। ମୁଁ ଭାବନା ରାଇଜରୁ ବାହାରି ପ୍ରକୃତିସ୍ଥ ହେଲି ଶାନ୍ତିମାଉସୀର ସ୍ନେହାସିକ୍ତ ପରଶରେ। ମୋ ମୁଣ୍ଡକୁ ଆଉଁସି ଦେଇ ଘାଣ୍ଟତରକାରୀ ବେଲାଟାକୁ ବଢେଇଦେଲେ। ନିଜ ରେଶମୀ ରୁମାଲରେ ଲୁହ ପୋଛୁପୋଛୁ ଶାନ୍ତିମାଉସୀ ନିଜ ହାତରେ ଘାଣ୍ଟ ତରକାରୀ ଖୁଆଇଦେଉଥାନ୍ତି। କାହିଁକି କେଜାଣି ସେ ତରକାରୀରୁ ମାଆର ଆତ୍ମୀୟତା ସ୍ପଷ୍ଟ ବାରି ହୋଇପଡୁଥାଏ। 

      (୨) 

ଦୁଃଖ ଲହଡିରେ ସୁଖଦିନର ସ୍ମୃତିର ଦୀପାଳି ନିର୍ବାପିତ ହୋଇଚାଲିଥାଏ ।ନୀରବତା ଭିତରେ ମନର ଅକୁହା ବେଦନାକୁ ନିଶ୍ଚିହ୍ନ କରିବାର ବୃଥା ପ୍ରୟାସ କରିଚାଲିଥାଏ ଜାଡିଦେଈ। ପୁରୁଣା ଗମ୍ଭିରୀ ଘର କାନ୍ଥରେ ମିଞ୍ଜି ମିଞ୍ଜି ଆଲୁଅଦେଇ ଜଳୁଥିବା କଳଙ୍କିଲଗା ଲଣ୍ଠନକୁ ଏକଲୟରେ ଚାହିଁରହିଥାଏ ସେ। ତା ଜୀବନର ସବୁ ସୁଖଦୁଃଖର ମୂକସାକ୍ଷୀ ତ ସେହି ଲଣ୍ଠନ। ଏତେ କମ୍ ବୟସରୁ ବିଧବା ହେବାର ଦାରୁଣ ଦୁଃଖକୁ ପାଶୋରି ଦେଇଥିଲା ଏକୋଇରବଳା ବିଶିକେଶନ ରାମୁର ମୁହଁକୁ ଚାହିଁ। ଦୂତୀବାହନଙ୍କ ପା

ଖେ ଦ୍ୱିତୀୟା ତିଥିରେ ପୁଅର ଆୟୁଷ ମାଗୁଣି କରି ଶୁଭମନାସି ପୁଅଜୀଉନ୍ତିଆ କରୁଥିଲା। ପୁଅର ଅତିପ୍ରିୟ ଘାଣ୍ଟତରକାରୀ ଥିଲା ବୋଲି ଓଷା ପର ଦିନ କେତେ ସରାଗରେ ବାଡିବଗିଚାରୁ ପନିପରିବା ତୋଳି ଆଣୁଥିଲା। ନିଜ ହାତରେ ପେଟପୁରା ଖୁଆଇ ନଦେଲେ ତାକୁ ଶାନ୍ତି ମିଳୁନଥିଲା। ତାପରେ ତା ହାତତିଆରି ଘାଣ୍ଟତରକାରୀ ସାଇପଡିଶାରେ ବାଣ୍ଟୁଥିଲା। ହେଲେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାମୁ ଚାଲିଯିବାପର ଠୁଁ ଜାଡିଦେଈ ପୂରା ଏକା ହୋଇଯାଇଛି, ଏତେବଡ ଦୁନିଆରେ। ଲୋଚାକୋଚା ଚମର ଆବରଣରେ କଙ୍କାଳସାର ଦେହଟିକୁ ଘୋଡେଇ ସାତସିଆଁ ଲୁଗାଟି ପିନ୍ଧି ଲେଞ୍ଜରା ଭର୍ତ୍ତି କୋଟରାଗତ ଆଖିଯୋଡିକରେ ମୃତ୍ୟୁର ବାଟକୁ ଚାହିଁରହିଛି। 

ଆଜି ଦ୍ୱିତୀୟା ତିଥି। କାଲି ଘାଣ୍ଟ ତରକାରୀ। ଗାଁ ମାଇପେ ପୋଖରୀ ତୁଠରେ କୁହାକୁହି ହେଉଥାନ୍ତି, ଆମେ ଏତେ ମାଲିମସଲା ଦେଲେ ବି ଜାଡିଦେଈର ଘାଣ୍ଟତରକାରୀର ସୁଆଦ ଆଉ କେଉଁଠି ନାହିଁ। ଏତିକି ବେଳେ ଦୂରରୁ କାନ୍ଦଣା ଶୁଭିଲା। ରାମ ନାମ ସତ୍ୟ ହେ, ହରିନାମ ସତ୍ୟ ହେ, ଜାଡିଦେଈ ଚାଲିଗଲା ବୋଧହୁଏ.... 


     (୩)

ରାଜୁବୋଉ ଗରଗର ହୋଇ ହାତରେ ପରିବା ଓ ସଉଦାର ଲମ୍ବା ତାଲିକା ଧରି ରୋଷେଇଘରୁ ବାହାରି ଆସିଲେ। 

"ହେଇଟି ଶୁଣୁଛ! ଆଜି ମୋର ଦୂତୀବାହନ ଓଷା। ରାତିପାହିଲେ ଘାଣ୍ଟତରକାରୀ ହେବ। ଏତେଦିନ ପରେ ଛୁଆ ଦୁଇଟା ହଷ୍ଟେଲରୁ ଆସିଛନ୍ତି। ଘାଣ୍ଟତରକାରୀ ଖାଇବାରେ ତାଙ୍କର ଭାରି ମନ।ଯାହା ସଉଦା, ପରିବା ଲେଖିଛି ସବୁ ଆଣିବ। "

ପର୍ଶୁରାମଙ୍କ ହଲକ ଶୁଖିଗଲା ଏତେ ଲମ୍ବା ତାଲିକା ଦେଖି। ମାସ ଶେଷ ।ପାଖରେ ତ କାଣିକଉଡିଟେ ନାହିଁ। କଣ କରିବେ ଭାବୁଥାନ୍ତି। 

ଏତିକିବେଳେ ରାଜୁବୋଉ ଲୁଗାକାନିର ଗଣ୍ଠି ଫିଟେଇ ୨୦୦ ଟଙ୍କା ହାତକୁ ବଢେଇଦେଲେ। ଏଥର ସ୍ମିତହାସ୍ୟବଦନରେ ପର୍ଶୁରାମ ବଜାରକୁ ଯାଇ ଚିଠା ମୁତାବକ ସବୁ ଜିନିଷ ଆଣିଲେ। 

ଘାଣ୍ଟତରକାରୀ ବାସନାରେ ଆଜି ଘର ମହକୁଛି। ଛୁଆଦୁଇଟାଙ୍କ ସହ ଖାଇ ବସିଥାନ୍ତି। ପର୍ଶୁରାମ ନରମଗଳାରେ ପଚାରୁଥାନ୍ତି, "କିହୋ ରାଜୁବୋଉ! ମୁଁ ତ ତୁମକୁ ଦେଇନଥିଲି। ୨୦୦ ଟଙ୍କା କେଉଁଠୁ ଆଣିଲ? "

ରାଜୁବୋଉ ହସିହସି କହୁଥାନ୍ତି, "ଗଲାମାସ ଯେଉଁ କାଶପାଇଁ ଔଷଧ କିଣିବାକୁ ଦେଇଥିଲ, ମୁଁ ଲୁଚେଇ ରଖିଥିଲି। ନାଲି କାଢା ଚାହାରେ ତ କାଶ ହଜିଗଲା। ଯାହା ହଉ ଟଙ୍କାଟା କାମରେ ଲାଗିଲା। "

 ନିରୁତ୍ତର ରହି ଆଖି କୋଣରେ ଜକେଇ ଆସୁଥିବା ଲୁହକୁ ଲୁଚେଇ ପର୍ଶୁରାମ ଖାଲି ଘାଣ୍ଟ ତରକାରୀର ସୁଆଦ ବଖାଣୁଥାନ୍ତି। 



Rate this content
Log in

Similar oriya story from Inspirational