janmajaya nayak

Inspirational

3  

janmajaya nayak

Inspirational

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର

3 mins
145



ନିଜ କାନିରେ ବିମଳା ସେ ମନ୍ଦିରବେଢାରେ ବସିଥିବା ଫୁଲ ମାଉସୀଙ୍କ ମୁଣ୍ଡରୁ କଳା ପୋଛି ଦେଉଦେଉ ଲୁହଭରା ଆଖିରେ ବୁଢୀମାଉସୀ କହିଚାଲିଥାଏ,'' ଏ ପୋଡା କପାଳରେ ଆଉ କି ସୁଖ ଅଛି ଲୋ ଝିଅ , ଅୟରାଣୀ ହୋଇ ମଶାଣୀ ଯିବା ସଭିଙ୍କ କପାଳରେ ନଥାଏ | ଆଜି କି ଦଶ ବରଷ ହବ ଏ ଅଭାଗିନୀ ପୋଡାମୁହଁକୁ ଆରିସିରେ ଦେଖିନି ଯେବେ ଠୁ ସେ ଚାଲିଗଲେ | କୋଉ ଠି ହାଣ୍ଡିକଳା ଲାଗିଛି ମୁଣ୍ଡରେ କେମିତି ଦେଖିବି ? '' ମନ୍ଦିରପାଖରେ ଥରଥର ହାତରେ ଫୁଲବିକି ସବୁ ବିବାହିତା ଙ୍କ ଶୁଭ ମନାସୁଥିବା ଫୁଲମାଉସୀର ଜୀବନର ଦୁଃଖ କେହି ନବୁଝିଲେ ବି ବିମଳା ପଢିପାରନ୍ତି ତାଙ୍କ କୋଟରାଗତ ଆଖିଯୋଡିକର ଇଚ୍ଛା | ବାହାଘରର ମାସଟିଏ ନପୁରୁଣୁ ବିମଳାଙ୍କ ସ୍ୱାମୀ ପକ୍ଷାଘାତ ରୋଗରେ ପୀଡିତ ହୋଇଯିବାପରେ ବି ସେ ଦମ୍ଭ ନହରେଇ ଜୀବନ ଯୁଦ୍ଧରେ ଲଢିଚାଲିଛନ୍ତି | ଦୁଃଖଦାରିଦ୍ର୍ୟର କଷଟି ପଥରରେ ପେଷି ହୋଇ ହୋଇ ସବୁ ଲୁହକୋହକୁ ଛାତିରେ ବରଫଗଦା କରିରଖିଥାନ୍ତି। ସିଲେଇ କରି ପିଲାଙ୍କୁ ଟ୍ୟୁସନ୍ କରି ସ୍ୱାମୀଙ୍କ ଔଷଧ ଓ ପରିବାର ଚଳେଇବା ଖର୍ଚ୍ଚ ତୁଲାଉଛନ୍ତି | ମା ବୁଢୀନାହାକାଣୀଙ୍କ ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ | ବିମଳା କେତେ ବଡଘରର ଝିଅ ..କେତେ ବିଳାସବ୍ୟସନରେ ବଢିଥିଲେ ସେ | ସୁନାଝୁଲଣା ଛାଡି ରାଜମହଲ ପରି ପ୍ରାସାଦ ଛାଡି ପ୍ରେମର ଘର ତୋଳିବାକୁ ଧାଇଁ ଆସିଥିଲେ ହେଲେ ଦୁଃଖଅଗଣାରେ ଖୁସିର ତାରାଫୁଲ କୁ ଖୋଜିବାର ନିଷ୍ଫଳ ପ୍ରଚେଷ୍ଟା କରିବାକୁ ପଡିବ ବୋଲି ଜାଣିନଥିଲେ । ଘରଲୋକ ଯେତେ ବୁଝେଇଲେ ବି ପୁନର୍ବିବାହ କରିନାହାନ୍ତି କି କାହାରି ସାହାଯ୍ୟ ଚାହିଁନାହାନ୍ତି | ଆଜି ସାବିତ୍ରୀଓଷାରେ ସ୍ୱାମୀଙ୍କ ଶୁଭମନାସି ପୂଜାକରିବାକୁ ଧାଇଁଆସିଛି ସେ | ଏଇ ମନ୍ଦିରର ଦେବୀ ଓ ଫୁଲମାଉସୀ ବିମଳାଙ୍କ ସଂଘର୍ଷର ମୂକସାକ୍ଷୀ | ଫୁଲମାଉସୀକୁ ଆଶୀର୍ବାଦ ମାଗି ଜୁହାର ହଉହଉ ମାଉସୀ କାନ୍ଦିକାନ୍ଦି କହିଉଠିଲା,''ଅୟିସୁଲକ୍ଷଣୀ ହୋ ଲୋ ..ପାକଲା ବାଳରେ ସିନ୍ଦୂର ନାଆ | ଅଭିଆଡୀ ଜନମ ବାପଘରେ ଛାଡି ସିନ୍ଥିରେ ସିନ୍ଦୂର ଭରି କନକ ଆଞ୍ଜୁଳି ଧରି ଶାଶୁଘର ଆସିବା ପରେ ଜୀବନର ଅଙ୍କ ମିଶିଯାଏ ସ୍ୱାମୀ ସହ | ଟୋପାଏ ସିନ୍ଦୂର ଆଣିଦିଏ ଜୀବନର ପୂର୍ଣ୍ଣତା | ଝିଅ ତୋ ପତିବ୍ରତା ଭକ୍ତି ତୋତେ ସୋଭାଗ୍ୟବତୀ କରେଇବ ଲୋ | ''

...ଏହା ମଧ୍ୟରେ ବିତିଯାଇଛି କୋଡିଏ ବର୍ଷ | ସମୟର ସ୍ରୋତ ବଦଳାଇ ଦେଇଛି ସବୁକିଛି | ମାଆ ବୁଢୀନାହାକାଣୀ ଅଛନ୍ତି ସତ ହେଲେ ମନ୍ଦିର ପରିସର ସୌନ୍ଦର୍ଯ୍ୟକରଣ ହୋଇ ବହୁତ ଉନ୍ନତି ହୋଇଛି | ଆମ୍ବଗଛଡାଳୁ କୋଇଲିର କୁହୁକୁହୁ ଶୁଭୁନି କି ଫୁଲମାଉସୀ ବି ଆସି ବସୁନି | ବିମଳାଙ୍କ ସେବାଶୁଶ୍ରୂଷା ଓ ଭକ୍ତି ପାଖେ ପକ୍ଷାଘାତ ରୋଗ ବି ହାର ମାନିଛି | ହେଲେ ବୟସର ଅପରାହ୍ଣ ରେ ଉପନୀତ ସରୋଜଙ୍କ ପାଖେ ପରିବାର ଭରଣପୋଷଣ ପାଇଁ ଖଟିବାକୁ ବଳ ନାହିଁ |ଦୁଃଖଦାରିଦ୍ର୍ୟର କଷଟିପଥରରେ ପେଷି ହୋଇହୋଇ ଲୋଚାକୋଚା ଚମ ଆବରଣରେ ବି ବିମଳା ନାଲି ସିନ୍ଦୂର ମଥାଏ ନାଇ ପରଘରେ କାମକରି ପେଟ ପୋଷୁଛି | ନିଃସନ୍ତାନ ଦମ୍ପତି ଭାବେ ବେସାହାରା କି ଅସହାୟ ହୋଇପଡିନାହାନ୍ତି ସେମାନେ | ଏତେ ଦଃଖଦୁର୍ଦ୍ଦଶା ଭିତରେ ବି ନିଜ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାକୁ ପାଖ ଅନାଥାଶ୍ରମ ପିଲାଙ୍କ ପାଇଁ ଦେଇଆସନ୍ତି |ସେମାନଙ୍କୁ କିଛି ଖୁଆଇ ତାଙ୍କ ହସଖୁସି ଦେଖି କୁଆଡେ ବିମଳାଙ୍କୁ ପରମ ଆତ୍ମସନ୍ତୋଷ ମିଳେ | ବିମଳାଙ୍କ ମା' ପଣିଆ ଆଜିର ସମାଜ ପାଇଁ ଏକ ଉଦାହରଣ | ବିମଳା କୁହନ୍ତି ,'' କିଏ କହିଲା ମୁଁ ବାଞ୍ଝ ? ମୋର ପରା ଆଶ୍ରମରେ କେତେ ପୁଅ ଝିଅ ..'' କିନ୍ତୁ ନିଜ ମସ୍ତକ କର୍କଟ ରୋଗକୁ ଲୁଚେଇଲୁଚେଇ ବିମଳା ଆଜି ଶେଷ ସୋପାନରେ ପହଁଚିଛି |


  ସମୟ ପ୍ରାୟ ଦିନ ୧୧ଟା | ବିମଳା ଘରର ଦରଜା ଏଯାଏ ଖୋଲିନି | ସାଇପଡିଶା ଲୋକେ କେତେ କଣ ଭାବି ଶେଷକୁ କବାଟ ଭାଙ୍ଗି ଯାହା ଦେଖିଲେ ଆଖିରେ ଲୁହ ରହିଲାନି | ସରୋଜଙ୍କ କୋଳରେ ମୁଣ୍ଡରଖି ଶେଷ ନିଃଶ୍ୱାସ ତ୍ୟାଗ କରିଛି ବିମଳା | କାନ୍ଦିକାନ୍ଦି ପଥର ପାଲଟି ଯାଇଛନ୍ତି ସରୋଜ | '' ଅୟରାଣୀ ହୋଇ ଟୋପାଏ ସିନ୍ଦୂର ଦିପଟ ଶଙ୍ଖା ନେଇ ମଶାଣୀ ଯିବାକୁ କହୁଥିଲା ସବୁବେଳେ ..ମୁଁ ସ୍ୱାମୀ ହିସାବରେ ଖଣ୍ଡେ ଦାମି ଲୁଗା କଣି ଦେଇପାରିନି ବୋଲି କେବେ ମନ ଦୁଃଖରେ ଥିଲେ ..ସେ କହୁଥିଲା ଶଙ୍ଖାସିନ୍ଦୂର ତା ପାଇଁ ଦାମିଗହଣା '' ,ଏତିକି କହି ଭୋ ଭୋ ହୋଇ କାନ୍ଦିଉଠିଲେ ସରୋଜ | ହଠାତ୍ ହୃଦ୍ ଘାତ ହୋଇ ସେ ବି ଟଳିପଡିଲେ | ପବିତ୍ର ବନ୍ଧନର ଦୁଇ ଶୁଆଶାରୀ ଙ୍କ ମରଶରୀର ମଶାଣୀ ଗଲା | କିଏ ମୁଖାଗ୍ନି ଦେବ ଚିନ୍ତା ପଡିବାବେଳେ ଖବରପାଇ ଅନାଥାଶ୍ରମ ର ପିଲାମାନେ ପହଁଚି କୋହଭରା କଣ୍ଠରେ ଏକସ୍ୱରରେ କହିଉଠିଲେ ,''ଆମ ବାପାମାଆଙ୍କୁ ଆମେ ମୁଖାଗ୍ନି ଦେବୁ |''

ମଶାଣି ନିଆଁ ରେ ଗୋଟେ ପବିତ୍ର ପ୍ରେମ ଯୁଗ ଅବସାନ ହେଲା ସତ କିନ୍ତୁ ଟୋପାଏ ସିନ୍ଦୂର ମହତ୍ୱ ସଭିଏଁ ବୁଝିଲେ | ସରପଞ୍ଚ ଓ ଗ୍ରାମବାସୀ ମିଶି ଗାଁର ନାମ ସିନ୍ଦୂରାଖଣ୍ଡ ରଖିଲେ | କପାଳ ଲିଖନ କେ କରିବ ଆନ। କାହା କପାଳରେ ଖାଲି ସୁଖର ରାତି ତ କାହା ଫଟାକପାଳରେ ଦୁଃଖର କଳାବାଦଲ । ବିମଳାର ଜୀବନର ଦୁଃଖ କାହାଣୀ ସମସ୍ତଙ୍କ ମନରେ ଅବିସ୍ମରଣୀୟ ହୋଇରହିଲା। 



Rate this content
Log in

Similar oriya story from Inspirational