ଏକ ସତ୍ୟ ଘଟଣା
ଏକ ସତ୍ୟ ଘଟଣା
ଥରେ ମୋତେ ଭୀଷଣ ଜର ହୋଇ ଅଧା କପାଳୀ ବିନ୍ଧୁ ଥିଲା l ସେତେବେଳେ ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ମହାବିଦ୍ୟାଳୟର ଛାତ୍ରାବାସରେ ରହି ଶାସ୍ତ୍ରୀ ପ୍ରଥମ ବାର୍ଷିକୀ ବିଦ୍ୟା ଅଧ୍ୟୟନ କରୁଥିଲି l ବଡ଼ ଦିନ ଛୁଟିରେ ଗାଁକୁ ଆସିଥିଲି l ଜରର ପ୍ରକୋପରେ ମୋ ପାଟି ଭିତର ଓ ଓଠରେ ଫୋଟକା ଦେଖାଦେଲା l ଯେ କୌଣସି ଖାଦ୍ୟ ଖାଇଲେ ପାଟି ଭୀଷଣ ପୋଡ଼ି ଉଠୁଥିଲା l ମୋର ବାପା ସ୍ବର୍ଗତ ଆଦର୍ଶବାନ ଡାକ୍ତର ଅବଦୁଲ ଅନୱାର ଖାନ ମହାଶୟଙ୍କ ଚୌଦ୍ୱାର ଓଟିମ ଵଜ଼ାରସ୍ଥିତ " ଜନ ସେବକ " ଚିକିତ୍ସାଳୟ- ଔଷଧାଳୟକୁ ମତେ ନେଇ ତାଙ୍କୁ ଦେଖାଇଲେ l ପ୍ରାୟ ସାତ ଦିନ ନିୟମିତ ଔଷଧ ସେବନ ପରେ ମୁଁ ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରିଥିଲି l ଦିନେ ମୁଁ ମୋ ଶୂନ ଗାଡ଼ି ଚଢ଼ି ଓଟିମ ଲେବର କଲୋନୀ କ୍ୱାର୍ଟରରେ ରହୁଥିବା ମୋର ଜଣେ ଓଟିମ ହାଇସ୍କୁଲ ସହପାଠୀଙ୍କ ନିକଟକୁ ସକଳ ଆଠଟା ବେଳୁ ଘରୁ ବାହାରି ଗଲି l ଆମ ଗାଁ ଆଗ୍ରାହାଟ ମାଧବ ମନ୍ଦିର ସାମ୍ନାର ଟିକେ ଆଗକୁ ଏକ ଗଡ଼ାଣି ଥିଲା l ରଗଡ଼ିଆ ନାଲି ମାଟି l ଭାରି ଟାଣୁଆ l ମୋ ସାଇକେଲର ଗତିର ବେଗ ବଢ଼ି ଯାଇଥିଲା l ହଠାତ ଆଗ ଚକ ଗଡ଼ାଣି ତଳକୁ ଖସି ଯିବାରୁ ମୁଁ ତଳେ ପଡ଼ିଗଲି l ମୋର ଡାହାଣ ଆଣ୍ଠୁ ଏବଂ ଡାହାଣ କହୁଣୀ ଚମ ମାଟିରେ ଘଷି ହେଇ ଛିଣ୍ଡି ରକ୍ତ ବାହାରି ପଡ଼ିବାରୁ ଭୀଷଣ ପୋଡ଼ା ଜଳା ଅନୁଭବ କଲି l ପ୍ୟାଣ୍ଟ ଓ ସାର୍ଟର ନିର୍ଦ୍ଦିଷ୍ଟ କ୍ଷତାକ୍ତ ଅଂଶ ଚିରି ଗଲା l ଈଶ୍ବର ବଡ଼ ଲୋକ l ସେଦିନ ଶ୍ରୀ ଯୁକ୍ତ ଦୀନବନ୍ଧୁ ବେହେରା ନାମକ ଜଣେ ଭଦ୍ରବ୍ୟକ୍ତି,ଯିଏ କି ଆମ ଓଟିମ ହାଇସ୍କୁଲର ଜଣେ ବରିଷ୍ଠ ପୁରାତନ ଛାତ୍ର ତଥା ଆମ ଗାଁର ସ୍ଥାୟୀ ବାସିନ୍ଦା, ତାଙ୍କ ସାଇକେଲ ମରାମତି ଦୋକାନ ଖୋଲିଥିଲେ l ସେ ମୋର ଏ ଅବସ୍ଥା ଦେଖି ଡାକ ପକାଇଲେ l ତାଙ୍କ ଦୋକାନ ଭିତରକୁ ଗଲି l ସେ ସଙ୍ଗେ ସଙ୍ଗେ ସାଇକେଲ ପ୍ୟାଚ କରିବାକୁ ରବର ସଲ୍ୟୁସନ ଡବା ଖୋଲି ସେଥିରୁ କିଛି ଦ୍ରବଣ ଆଣି ମୋର କ୍ଷତ ସ୍ଥାନରେ ଲଗାଇ ଦେଲେ l ମୋତେ ଚାଉଁ କିନା ଲାଗିଲା l ଆହୁରି ପୋଡ଼ିଲା l କିଛି ସମୟ ପରେ ରକ୍ତ ଝରିବା ବନ୍ଦ ହୋଇଗଲା l ମୁଁ ଆଉ ସାଙ୍ଗ ଘରକୁ ନଯାଇ ସିଧା ଘରକୁ ଫେରି ଆସିଲି l
ଗାଁରେ ଜଣଙ୍କ ଘର ପ୍ରତିଷ୍ଠା ଉତ୍ସବ ପାଇଁ ଆମ ପରିବାରକୁ ନିମନ୍ତ୍ରଣ କରିଥିଲେ l ଆମ ଗାଁ ରେ ଅନେକ ଦେବା ଦେବୀ ପୂଜିତ ହୁଅନ୍ତି l ଦେବୀମାନଙ୍କ ମଧ୍ୟରେ ଚଣ୍ଡୀ କାଳୀକା ବାସେଳୀ ଇତ୍ୟାଦି ପୂଜା ପାନ୍ତି l
ସବୁ ଗ୍ରାମ୍ୟ ଦେବୀଙ୍କର ନିଜ ନିଜର କାଳିସୀ ଥିଲେ l ସେଦିନ ମାତା କାଳୀକାଙ୍କ କାଳିସୀ ଦେହରେ ବିରାଜ ମାନ କରିଥିଲେ l ସେ ଉକ୍ତ ଘର ମାଲିକଙ୍କ ଘରେ ଥିଲେ l ମୋତେ ଦେଖି ତାଙ୍କ ପାଖକୁ ଡାକିଲେ ଓ ରାଗି ଯାଇ କହିଲେ, " ଏଇ କଳା ସୁତା କାହିଁକି ଡାହାଣ ହାତ ମଣିବନ୍ଧରେ ବାନ୍ଧିଛୁ? କାଢ଼ି ଫିଙ୍ଗି ଦେ l ତୋର ମଙ୍ଗଳ ହେବ l ତୋର ଶରୀର ଆଉ ମନ ସୁସ୍ଥ ରହିବ l ତୋର ସବୁ ରିଷ୍ଟ ଖଣ୍ଡନ ହେବ l ମାଙ୍କ ନିର୍ଦ୍ଦେଶ ମାନି ସଙ୍ଗେ ସଙ୍ଗେ ହାତରୁ କଳା ଫିତା କାଟି ପାଖରେ ଥିବା କୂଅ ଭିତରକୁ ନିକ୍ଷେପ କରିଦେଇ ଘରକୁ ଫେରି ଆସିଲି l ସତକୁ ସତ କିଛି ଦିନ ପରେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କଲି l ନୂତନ ଉତ୍ସାହ ଏବଂ ପ୍ରେରଣାରେ ଯୁବ ସୁଲଭ ମନ ପ୍ରାଣ ଉତଫୁଲ୍ଲିତ ହୋଇ ଉଠିଲା l ମାତୃ ଶକ୍ତିର ମହାତ୍ମ୍ୟତା ପ୍ରତ୍ୟକ୍ଷ ଅନୁଭବ କଲି l
