ଧୋ ରେ ବାଇଆ ଧୋ
ଧୋ ରେ ବାଇଆ ଧୋ
ସେଦିନ ବାପାଙ୍କୁ ହୁଇଲ ଚେୟାରରେ ବସାଇ ଠେଲି ଠେଲି ପହଂଚିଲା ଅମରେନ୍ଦ୍ର ନିକଟସ୍ଥ ବୃଦ୍ଧାଶ୍ରମର ସମ୍ମୁଖରେ । ଆଖିରୁ ତାର ଝରି ପଡୁଥିଲା କେଇ ବୁନ୍ଦା ଲୁହ । ନିଜ ନାଲି ଗାମୁଛାରେ ପୁଅର ଆଖିରୁ ଲୁହ ପୋଛୁ ପୋଛୁ ନିଜ ବୁକୁଫଟା କୋହକୁ ସମ୍ଭାଳି ପାରିଲେ ନାହିଁ ଅବିନାଶ ବାବୁ । ବାପ ପୁଅଙ୍କ ଆଲିଙ୍ଗନ ଓ ହୃଦୟ ଥରା ଦୃଶ୍ୟ ଶିହରାଇ ଦେଇଥିଲା ସେହି ଆଶ୍ରମ ପରିବେଶର ବାୟୁମଣ୍ଡଳକୁ । ମୁଁ ନାଚାର ବାପା, ମୋତେ କ୍ଷମା କରିଦେବ, ପାରିବ ଯଦି ମୋତେ ଅଭିଶାପ ବରଂ ଦେଇଦେବ । ମୁଁ ଆଜି ପିତୃ ମାତୃଦ୍ରୋହୀ ସ୍ୱାର୍ଥପର ନିର୍ଜୀବ ଜନ୍ତୁଟେ ସାଜିଛି । ତୁମ ମାନଙ୍କ ପାଖରେ ରୁଣୀ ଅପଦାର୍ଥଟିଏ ମୁଁ । ମଝିରେ ମଝିରେ ମୁଁ ନିଶ୍ଚୟ ଆସିବି ବାପା । ଏତିକି କହି ବିଦାୟ ନେଲେ ଅମରେନ୍ଦ୍ର, ପୁଅର ଚଳନ୍ତା ବାଟକୁ ଏକ ଲୟରେ ଚାହିଁରହିଥାନ୍ତି ଅବିନାଶ ବାବୁ । ହଠାତ୍ ଆଶ୍ରମର ତତ୍ତ୍ବାଵଧାରିକା ତାଙ୍କୁ ନେଇ ଛାଡିଦେଲେ ଏକ କୋଠରୀରେ ।
କୋଠାରୀର ଗୋଟିଏ କୋଣରେ ବସି ଦୀର୍ଘଶ୍ଵାସଟିଏ ମାରି ଅତୀତର ଘଟଣାବଳୀକୁ ମନେ ପକାଇଲେ ଧାରାବାହିକର ଗୋଟିଏ ପରେ ଗୋଟିଏ ଦୃଶ୍ୟ ପରି ।
ଅମରେନ୍ଦ୍ରର ମା'ଟା କେତେ ଦେବାଦେବୀଙ୍କୁ ପୂଜି ପାଇଥିଲା ତା ଧନକୁ । ଯେଉଁ ଦିନ ପୁଅ ଭୂମିଷ୍ଠ ହେଲା ସେ ଏତେ ଉତ୍ଫୁଲ୍ଲିତ ହେଉଥିଲା ଯେ, ଯିଏ ଦେଖିବ କହିବ ଏଇଟା ଗୋଟେ ପାଗଳି । ପୁଅକୁ ଭଲ ଖୁଆଇ ପିଆଇ ବଡ଼ କରି ଓ ଭଲ ପାଠ ପଢ଼ାଇ ମଣିଷ କରିବାକୁ ସେ ତାଗିଦ କରିଥିଲା ତାଙ୍କୁ । ଆଜି ବି ତାର ମନେ ପଡୁଛି ନିଳୀମାର କେଇପଦ କଥା, "ଦେଖ ମୋ ପୁଅର ଯେମିତି କିଛି ଅଭାବ ନ ହୁଏ, ଯେତେ କଷ୍ଟ ହେଉ ପଛେ ତାର ସବୁ ପୂରଣ କରିବ, ସେ ଏମିତି ପଢି ହାକିମ ହେବ ଯେ, ଲୋକେ ଦେଖିଲେ ବାରହାତ ଦୂରରୁ ସଲାମ କରିବେ ଓ କଥା ପଦେ ହେବାପାଇଁ ସାହସ କରିପାରିବେନାହିଁ" । ସେ ପ୍ରକମ୍ପାନୀରେ ଦୁଇ ସିଫ୍ଟ ଡ୍ୟୁଟି କରିଛି । ବଡ ଲୋକଙ୍କ ପିଲାପରି ଯତ୍ନ ନେବାରୁ କେବେବି ବଂଚିତ କରିନାହିଁ ।
କାଲିପରି ମନେ ପଡୁଛି ଯେଉଁଦିନ ତାକୁ ନୂଆକରି ସ୍କୁଲ ଆଣିଥିଲା । କାନ୍ଦି କାନ୍ଦି ସ୍କୁଲ ଯିବନାହିଁ ବୋଲି ତାଙ୍କ ହାତ ଛାଟି ଦୌଡୁଥିଲା ସେ । କେତେ ବୁଝେଇ, ୟା ଦେବି ତା ଦେବି କହି ଓ ଚକୋଲେଟ ଦେଇ ବୋଧ କରି ନେଉଥିଲା ସ୍କୁଲକୁ । ବୁଝାଉଥିଲା ବାପାରେ,ଏ ସ୍କୁଲ ହେଲା ମଣିଷ ତିଆରି କାରଖାନା । ଏଇଠି ପାଠ ପଢିଲେ, ବଡ଼ ହୋଇ ବଡ଼ ଚାକିରୀ କରିବୁ, ହାକମ ହେବୁ । ତୋତେ ସମସ୍ତେ ସାର୍ ସାର୍ କି ବାବୁ ବୋଷ କହି କେତେ ସାଲ୍ୟୁଟ ମାରିବେ । ଏହା ଦେଖି ମୁଁ ଓ ତୋ ମାଆ ଗର୍ବରେ ଫାଟି ଉଠିବୁ । ତୁ ଟିକେ ମୁରୁକି ମୁରୁକି ହସୁଥିବୁ । ଆଉ ଲୋକେ ପଚାରିଲେ ଆମକୁ ଚିହ୍ନାଇ ସେମାନଙ୍କୁ କହିବୁ, ଆରେ କାଠ ପରି ଛିଡା ହେଇ ଦେଖୁଛ କଣ? ଏମାନେ ପରା ମୋ ମାଆ ବାପା, ମୋର ଜୀବନ୍ତ ଭଗବାନ । ସେମାନେ ଡରି ଡରି ଆମକୁ ଯେତେବେଳେ ମୁଣ୍ଡ ନୁଆଇଁ ଜୁହାର କରିବେ, ତୁ ଖୁସିରେ ଆମକୁ ଆଖି ମାରି ଦେଇ ମୁରୁକି ହସିବୁ । ପୁଅଟା ବହୁତ ଖୁସି, ପାଠ ପଢିବ, ହାକିମ ହେବ । ଆମ କଥା ସବୁ ମନେ ପଡିବ । ଅମରେନ୍ଦ୍ର ପାଠ ବହୁତ ଭଲ ପଢେ । ଶିକ୍ଷକମାନେ କୁହନ୍ତି ସତରେ ଅବିନାଶ ବାବୁ ଆପଣ କି ଭାଗ୍ୟବାନ ! ସାକ୍ଷାତ ସୁନା ମୁଣ୍ଡାଟିଏ ଜନ୍ମ କରିଛନ୍ତି । ଏହା ଶୁଣି ତାଙ୍କ ଛାତି ଅଧିକ ଚାରି ପାଞ୍ଚ ଇଞ୍ଚ ଫୁଲିଉଠୁଥିଲା । ଅମରେନ୍ଦ୍ର ବହୁତ ଭଲ ପଢ଼ିଲା । ମାଟ୍ରିକରେ ବେଷ୍ଟ ଟେନଥ ପାଇଲା । ଖୁସିରେ ଫାଟି ଉଠୁଥାନ୍ତି ସେ ଓ ନିଳୀମା । ସାମ୍ବାଦିକ ମାନେ ମତ ଦେଉଥାନ୍ତି ଆପଣଙ୍କ ପୁଅ ଆମ ରାଜ୍ୟର ସମ୍ପଦ । ଦେଶ ଦିନେ ଗର୍ବ କରିବ ୟାକୁ ପାଇ । ଚାଲିଲା ପଢା,ସଫଳତା ପରେ ସଫଳତା, ଚୟନ ହୋଇ ଚାଲିଲା ଆମେରିକା । ମା’ ବାପା, ଉପରେ ହସି ଭିତରେ କାନ୍ଦି ବିଦାୟ ଦେଲେ ହସି ହସି, କାହିଁକି ନା,ଏ ସୌଭାଗ୍ୟ କ୍ବଚିତ ମିଳେ ।
ପୁଅ ଆମେରିକାରେ ଭଲ ପାଇଲା ଏକ କୋଟିପତି ଖ୍ରୀଷ୍ଟିୟାନୀ ଝିଅ ନାଁ ତାର ପେରିନା । ହିନ୍ଦୁ ଧର୍ମରୁ ଖ୍ରୀଷ୍ଟିଆନ ହୋଇ ନିଜ ମା’ ମାଟିକୁ ଧୋକା ଦେଇ ଅମରେନ୍ଦ୍ର ଦେଖିଲା ରଙ୍ଗୀନ ଦୁନିଆଁର ମଧୁର ସ୍ବପ୍ନ । ପେରିନା ଓ ଅମରେନ୍ଦ୍ର ମଦ୍ୟପାନ କରି ବେଳେବେଳେ ଭୁଲିଯାଉଥିଲେ ବାସ୍ତବ ଦୁନିଆଁକୁ । ପେରିନାର ବାପା ଥିଲେ ଶିଳ୍ପପତି, ସେହି ଶିଳ୍ପରେ ଚାକିରୀ କଲେ ଅମରେନ୍ଦ୍ର ଓ ବିବାହ ବନ୍ଧନରେ ଛନ୍ଦି ହେଲେ ପେରିନା ସହ । ଆସିଲେ କିଛିଦିନ ରହିବେ ତାଙ୍କ ଘରେ । ଉଗ୍ର ଉଦ୍ଧତ ଅସାମାଜିକ ପେରିନାର କୁତ୍ସିତ ବ୍ୟବହାରରେ ବିବ୍ରତ ହେଲେ ସେ ଓ ନିଳୀମା । ଭୁଲ ବାଛି ଶାସନ କରିବା ତ ଦୂରର କଥା, ତାର ଏ କଦର୍ଯ୍ୟ ବ୍ୟବହାରରୁ ନିବୃତ୍ତ ରହିବାକୁ କହିବାରୁ ପେରିନାର ନିଳୀମା ଉପରେ ଅତ୍ୟାଚାରର ସ୍ୱର ଉତ୍ତୋଳନ କଲେ ସେ । ହେଲେ ପେରିନାର ଜିଦ୍ ସେ ଏ ଘରେ ରହିବନି । ବାଧ୍ୟ ହୋଇ ଅମରେନ୍ଦ୍ର ସ୍ତ୍ରୀ କଥାରେ ନିଜ ପିତା ମାତାଙ୍କ ଅନୁରୋଧ କ୍ରମେ ଛାଡିଲା ନିଜ ଜନ୍ମମାଟି, ଆଉ ବିଦେଶ ଆମେରିକାକୁ କଲା ଜନ୍ମଭୂମି ଓ ପୁଣ୍ୟଭୂମି ।
ପୁଅକୁ ଝୁରି ଝୁରି ବିଚାରୀ ନିଳୀମାଟା ଆଖି ଖୋସିଦେଲା । ଅବିନାଶଙ୍କର ଆଶାର ସ୍ବପ୍ନ ଦୁଃସ୍ବପ୍ନ ପାଲଟିଗଲା । ଖବରପାଇ ଆସିଲେ ପୁତ୍ର ବଧୁ । ଅନୁଷ୍ଠିତ ହେଲା ନିଳୀମାର ଅନ୍ତେଷ୍ଟିକ୍ରିୟା । ନିଳୀମାର ଜିଦ୍,ଜମିବାଡ଼ି ବିକ୍ରିକରି ଅବିନାଶଙ୍କୁ ବୃଦ୍ଧାଶ୍ରମର ଛାଡି ଚାଲିଯିବାକୁ ଆମେରିକା । ଅମରେନ୍ଦ୍ରଙ୍କ ଅମଣିଷ ପଣିଆଭିତରେ ଲୁଚିଥିବା ପିତାମାତାଙ୍କ ସଂସ୍କାର ପୂର୍ଣ୍ଣ ମଣିଷ ପଣିଆ ମାନି ନ ଥିଲା ଏ ଅସଙ୍ଗତ ଅସୌଜନ୍ୟ କଥାକୁ । ଚାଲିଲା ପେରିନା ଓ ଅମରେନ୍ଦ୍ର ମଧ୍ୟରେ ବାକ ବିତଣ୍ଡା । ପେରିନାର ଜିଦ୍ ତା କଥା ନ ମାନିଲେ ସେ ଅମରେନ୍ଦ୍ରଙ୍କ ଡିଭୋର୍ସ ଦେବ ଓ ବାପାଙ୍କୁ କହି କମ୍ପାନୀ ଚାକିରୀରୁ ବହିଷ୍କାର କରିବ । ଗୋଟିଏ ପଟେ ବାପାଙ୍କୁ ବୃଦ୍ଧାଶ୍ରମ ସହ ଜମିବାଡ଼ି ବିକ୍ରି ନଚେତ ତାଙ୍କୁ ଡିଭୋର୍ସ ଓ ଚାକିରୀରୁ ବହିଷ୍କାର । ଅମରେନ୍ଦ୍ରଙ୍କ ନିଷ୍ପତ୍ତି ପାଇଁ ଛାଡି ଚାଲିଗଲା ସେଇ ଦୁଇଟି ଦିନର ନିର୍ଘଣ୍ଟ । କିଂ କାର୍ତ୍ତବ୍ୟବିମୁଢ ଅବସ୍ଥାରେ ଅମରେନ୍ଦ୍ର ଭାସିଲା ମଝି ନଈର ହୁଲି ଡଙ୍ଗାରେ । କେଉଁ କୂଳକୁ ସେ ବାଛିବ ? ଏପଟେ ପେରିନା କୁମ୍ଭୀର ତ ସେପଟେ ଜ୍ୱଳନ୍ତ ଅଗ୍ନିରେ ନିଜ ପିତାଙ୍କୁ ଝାସ । ବହୁତ ବୁଝାଇଲେ ଅବିନାଶ, ତାଙ୍କୁ ବୃଦ୍ଧାଶ୍ରମରେ ଛାଡି ଆମେରିକା ଫେରିବାକୁ ହେଲେ ଅମରେନ୍ଦ୍ରର ବିବେକୀ ମନରେ ଅବିବେକୀ କାମ ପ୍ରତି କାହିଁ ଆଦୌ ମନ ବଳିଲା ନାହିଁ । ଶେଷରେ ରାଣ ନିୟମ ପକାଇ ଅମରେନ୍ଦ୍ରକୁ ରାଜି କରାଇ ସେ ବାହାରିଥିଲେ ବୃଦ୍ଧାଶ୍ରମ ।
ଆଜି ଅମରେନ୍ଦ୍ରଟା କେତେ ମାନସିକ ଦୁର୍ବଳ ହୋଇଯାଇଛି । ନିଜ ଧର୍ମକୁ ଛାଡି ନିଜ ଭିଟା ମାଟିକୁ ଛାଡି ସିନା ଚାଲିଯାଇଛି ଆମେରିକା ହେଲେ ଦିନ ଆସିବ ସେ ପୁଣି ଫେରି ଆସିବ ମାନସିକ ଦୃଢ଼ କରି ଏଇ ସରଗପୁରୀ ମା' କୋଳକୁ । ଏତିକି କହିଛି କି ନାହିଁ, ପରିଚାଳକ ଡକାଇଲେ କିଏ ଡାକୁଛନ୍ତି ତାକୁ ଦେଖାକରିବାକୁ । କାନ୍ଥରେ ହାତ ଭରାଦେଇ ଆସି ବାହାରକୁ ଦେଖନ୍ତେ, ସେଇ ସେଦିନର ଗେହ୍ଲା ଅମରେନ୍ଦ୍ର । କାନ୍ଦି କାନ୍ଦି ତାଙ୍କ ପାଦ ତଳେ ପଡି କହିଲା, ବାପା ମୋର ଚାକିରୀ, ଟଙ୍କା, କୋଠା ବାଡ଼ି କିଛି ଦରକାର ନାହିଁ । ମୁଁ ଖାଲି ଚାହେଁ ତୁମର ସ୍ନେହ, ମୋ ମାଆର ସ୍ମୃତି ଆଉ ମୋ ଭଙ୍ଗାକୁଡ଼ିଆର ପ୍ରେମ ପରଶ । ଖାତାରେ ଦସ୍ତଖତ କରି ବାପାଙ୍କୁ ନେଇ ଚାଲିଗଲା ସେଇ ନୀଡ଼କୁ ଯେଉଁଠି ନିଳୀମା ତାକୁ ବୋଧ କରି ଶୁଆଇଲା ବେଳେ ଗୀତ ଗାଉଥିଲା, ସ୍କୁଲରେ ସାର୍ ବର୍ଣ୍ଣବୋଧରୁ ଶିଖାଇଥିବା ସେଇ ସୁମଧୁର ଗୀତ.."ଧୋ'ରେ ବାଇଆ ଧୋ । "
ଆଉ ହୁଇଲ ଚେୟାରରର ଗଡ଼ାଇ ଗଡ଼ାଇ ଆଣିଲା ବେଳେ ଲାଗୁଥିଲା ସେ କେମିତି ଅମରେନ୍ଦ୍ର ହାତ ଧରି ବୁଝେଇ ଶୁଝେଇ ନେଉଥିଲା ଗାଁ ସ୍କୁଲକୁ ।
