ଡର୍ନା ମୁଁ ପରା ଅଛି
ଡର୍ନା ମୁଁ ପରା ଅଛି
ମୁଁ ଗୋଟିଏ ନଡ଼ିଆଗଛ। କିଏ ମୋ ନାଁ ‘ଅମରୀ’ କହେ ତ କିଏ ‘ବଜରଙ୍ଗୀ’। ଅମରୀ କହିଲେ ଲୋକେ ବଡ଼ ବଡ଼ ଧଳାଫୁଲ ଫୁଟୁଥିବା ଅମରୀଗଛକୁ ବୁଝନ୍ତି। କାରଣ ପ୍ରଚଣ୍ଡ ଖରାରେ ମଧ୍ୟ ସେ ମରେନାହିଁ। ଆହୁରି ମଧ୍ୟ ଦେବଦେବୀଙ୍କୁ ଅମରୀ କୁହାଯାଏ। କାରଣ ସେମାନଙ୍କର ମରଣ ନାହିଁ। ବଜରଙ୍ଗୀ ଅର୍ଥାତ୍ ହନୁମାନ। ଦେବତାଙ୍କ ଆଶୀର୍ବାଦରୁ ତାଙ୍କର ଅଙ୍ଗ କାଳେ ବଜ୍ର ପରି ଶକ୍ତ ହୋଇଥିଲା। ତେବେ ମୋ ନାଁରୁ ଆପଣମାନେ ମୁଁ ଅଣ୍ଡିରା କି ମାଈ ବୁଝି ପାରୁନଥିବେ। ଅବଶ୍ୟ ଆମ ନଡ଼ିଆଗଛ ଜାତିରେ କେହି ଅଣ୍ଡିରା ଥିବାର ମୁଁ ଶୁଣିନି। ପ୍ରାୟ ସବୁ ନଡ଼ିଆଗଛରେ ଫଳ ଧରେ। ଅନ୍ୟ କେତେ ଜାତିର ଗଛରେ ମାଈ ଅଣ୍ଡିରା ଉଭୟ ଥିବାର ଆମେ ଜାଣୁ। ଅଣ୍ଡିରାଗଛରେ କେବଳ ଫୁଲ ଫୁଟେ। ପ୍ରଜାପତି, ଭଅଁର, ମହୁମାଛି ଆଦି କୀଟପତଙ୍ଗ ସେଇ ଅଣ୍ଡିରାଫୁଲର ରେଣୁକୁ ବୋହିନେଇ ମାଈଗଛର ଫୁଲରେ ଛାଡ଼ିଦିଅନ୍ତି। ଫଳରେ ପରାଗ ସଙ୍ଗମ ହୁଏ ଓ ଫଳ ଧରେ।
ଆପଣମାନେ ଭାବୁଥିବେ- ଗୋଟିଏ ନଡ଼ିଆଗଛକୁ ନାଁ ଦେଲା କିଏ ଆଉ କାହିଁକି? ତାହା ପୁଣି ଏମିତି ସେମିତି ନୁହେଁ- ଅମରୀ ଆଉ ବଜରଙ୍ଗୀ!
ମର୍ତ୍ତ୍ୟମଣ୍ଡଳେ ଦେହ ବହି
ଦେବତା ହୋଇଲେ ମରଇ।
ପୃଥିବୀର କୌଣସି ଜିନିଷ ଯେତେବେଳେ ଚିରସ୍ଥାୟୀ ନୁହେଁ, ମୁଁ ବା ଅମର ହେଲି କେମିତି? ତା’ଛଡ଼ା ମୁଁ ତ ସୂର୍ଯ୍ୟଙ୍କୁ ଫଳଟିଏ ଭାବି ଖାଇବାକୁ ଯାଇନଥିଲି କି ଦେବତାଙ୍କ ଆଶୀର୍ବାଦରୁ ମୋର ଦେହ ବଜ୍ର ପରି କଠିନ ହୋଇନାହିଁ; ମୋ ନାଁ ବଜରଙ୍ଗୀ ହେଲା କାହିଁକି?
ଏମିତି ତ ଗଛଲତାମାନଙ୍କୁ କେହି ନାଁ ଦିଅନ୍ତି ନାହିଁ। କେବଳ ମଣିଷମାନଙ୍କର ନାଁ ଥାଏ- ରାମ, ରହିମ୍, କରିମ୍, ଗୋପାଳ, ସୋନାଲି, ସୁନିତା, ସୋଫିଆ, ମୁନ୍, ମାଇକେଲ୍ ଇତ୍ୟାଦି। ତା’ ସହିତ ମଣିଷମାନେ ନିଜଘର, ଗାଁ, ସହର, ବସ୍, ଟ୍ରେନ୍, ରାସ୍ତାଘାଟ, ବିଦ୍ୟାଳୟ, ଶ୍ରେଣୀକକ୍ଷ ପ୍ରଭୃତିଙ୍କର ନାମକରଣ କରିଥିବାର ଆମେ ଦେଖୁ। ଯେପରିକି- ଆନନ୍ଦ ଭବନ, ଋକୁଣା ନିବାସ, ରୁଖାକଣା, ପୋଲସରା, କାମଧେନୁ ବସ୍, କରମଣ୍ଡଳ ଏକ୍ସ୍ପ୍ରେସ୍, ଖମାନାଳ, ଜରିମାଳ, କାମ୍ପପାହାଡ଼, ନାନୀବନ୍ଧ, ପୁରୁଷୋତ୍ତମ ହାଇସ୍କୁଲ୍, ଗୋପବନ୍ଧୁ କକ୍ଷ ଇତ୍ୟାଦି।
ଏତଦ୍ବ୍ୟତୀତ ଗୃହପାଳିତ ପଶୁ ଓ ଅଭୟାରଣ୍ୟର ଜୀବଜନ୍ତୁମାନଙ୍କୁ ମଧ୍ୟ ଚିହ୍ନଟ କରିବାପାଇଁ ନାଁ ଦେବାର ଦେଖାଯାଇଥାଏ। ଯେପରିକି- ବଉଳା ଗାଈ, ଖଇରୀ ବାଘ, ଗଉରୀ କୁମ୍ଭୀର, ଶଙ୍କର ହାତୀ, କାଞ୍ଚି ବିଲେଇ, କାଳିଆ କୁକୁର ପ୍ରଭୃତି।
ତା’ହେଲେ ମୋ ପରି ଗୋଟିଏ ସାମାନ୍ୟ ଗଛକୁ ନାଁ ଦେଲା କିଏ ଆଉ କାହିଁକି?
ୟା’ ପଛରେ ଗୋଟିଏ ବିରଳ ସତକାହାଣୀ ଲୁଚିରହଛି। ମୁଁ ଯେ କେବଳ ମୃତ୍ୟୁକୁ ଜୟ କରିପାରିଛି ତା’ ନୁହେଁ। ମରିବା ପରେ ବଞ୍ଚିବା ସାଥେ ସାଥେ ଏକ ଅଦ୍ଭୁତ ଅଘଟଣ ଘଟିଯାଇଛି ମୋ ସହିତ।
କଥାଟି କହୁଛି; ଶୁଣନ୍ତୁ।
କବିସୂର୍ଯ୍ୟ ଓ କବିସମ୍ରାଟଙ୍କର ପୁଣ୍ୟ ଜନ୍ମମାଟି ଗଞ୍ଜାମଜିଲ୍ଲା। ତା’ ଭିତରେ ପୋଲସରା ପଞ୍ଚାୟତ ସମିତି ଅନ୍ତର୍ଗତ କଳମ୍ବ ଗୋଟିଏ ନାଁକରା ଗାଁ। ସେହି ଗ୍ରାମପଞ୍ଚାୟତରେ ରୁଖାକଣା ବୋଲି ଛୋଟ ଗାଁଟିଏ। ଗାଁ ପୂର୍ବମୁଣ୍ଡ ପୋଖରୀ ହିଡ଼ ଉପରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, କ୍ଷେତ୍ରବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗାଁ ପିଲାଙ୍କ ନବନିର୍ମିତ କ୍ଳବ୍ଘର ସାଙ୍ଗକୁ ପୋଖରୀର ଶୋଭାବର୍ଦ୍ଧନ କରୁଥାଏ ଛୋଟ କୁଡ଼ିଆଟିଏ।
ସେହି ଦରଭଙ୍ଗା ନୁଆଣିଆ ଚାଳକୁଡ଼ିଆଟିରେ କାହିଁ କେତେ ବର୍ଷତଳୁ ଆଦିବାସୀ ଲୋକଟିଏ ପରିବାର ଧରି ରହିଆସୁଛି। ପିଲାଛୁଆ ପଣେ, ଓଳିଏ ଖାଇଲେ ଦି’ଓଳି ଓପାସ। କୁଡ଼ିଆର ଦକ୍ଷିଣକୁ ଅର୍ଥାତ୍ ପୋଖରୀର ଆଗ୍ନେୟ କୋଣରେ ମାଟିକୁ ଜାବୁଡ଼ିଧରି ଠିଆହୋଇଛି ମୁଁ। ଠିଆ ହୋଇ ଦେଖୁଛି- ସେଇ ଅଧାଲଙ୍ଗଳା ଆଦିବାସୀ ପିଲାଙ୍କର ନାଚଗୀତ, ହସକାନ୍ଦ, ଖେଳକୁଦ, କଳିକଜିଆ ଓ ଗାଳିମାଡ଼। ଆହୁରି ଦେଖୁଛି- ବିଦ୍ୟାଳୟ ଦୁଇଟିରେ ପଢ଼ିବାକୁ ଆସୁଥିବା ଛୋଟବଡ଼ ପିଲାମାନଙ୍କର ପଢ଼ିବା, ଖେଳିବା, ଗାଇବା, ଖାଇବା, ବୁଲିବା, ଫୁଲିବା ଆଦି ଶିଶୁସୁଲଭ କଥା।
ଅଗଷ୍ଟ ପନ୍ଦର, ଜାନୁୟାରୀ ଛବିଶି, ଚଉଠି, ପଞ୍ଚମୀ ଓ ଶିଶୁଦିବସ ଭଳି ଦିନମାନଙ୍କରେ ଯେତେବେଳେ ସେମାନେ ନୂଆ ସଫା ଜାମା ପିନ୍ଧି ପୋଖରୀ ହିଡ଼ରେ ଯା’ଆସ କରନ୍ତି ମୋ ମନ ଆନନ୍ଦରେ ପୂରିଉଠେ। ମନେମନେ ଭାବେ, ମୁଁ ବି ସେମିତି ଜାମାପେଣ୍ଟ୍ ପିନ୍ଧି ବହିବସ୍ତାନି ଧରି ପଢ଼ିବା ପାଇଁ ସ୍କୁଲକୁ ଯାଆନ୍ତି କି! ହେଲେ ଏହା କ’ଣ ସମ୍ଭବ?
ସେମାନେ ମଣିଷଛୁଆ- ମୁଁ ଗଛ। ମୋର କ’ଣ ଗୋଡ଼ ଅଛି ଯେ ମୁଁ ଚାଲିପାରିବି! ଜୀବଜଗତ ଭିତରେ କେବଳ ପ୍ରାଣୀମାନେ ଚଲାବୁଲା କରିପାରନ୍ତି। ଆମେ ଗଛମାନେ ଯୋଉଠି ଜନ୍ମ ହେଉ, ସେଇଠି ବଢ଼ୁ, ସେଇଠି ମରୁ।
ଅବଶ୍ୟ ଅନ୍ୟକେହି ଆମକୁ ମୂଳ ସହିତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିପାରେ। ଏଇ ମୁଁ ଯେମିତି ଜନ୍ମ ହୋଇଥିଲି ଗୋଟିଏ ନର୍ସରୀରେ। ନର୍ସରୀମାଲିକ ତା’ର ପାଚେରୀଘେରା ବଗିଚା ଭିତରେ ଅନେକ ପ୍ରକାର ଫୁଲଫଳ ଗଛର ଚାରା ସୃଷ୍ଟି କରି ବିକ୍ରୀ କରିଥାଏ। ମୋତେ ବି ସେ ପ୍ରଥମେ ତାଡ଼ ପକାଇ ଚାରାରେ ପରିଣତ କରିଥିଲା। ସେଇଠୁ ରୁଖାକଣା ଗାଁଲୋକେ ମୋର କେତେକ ସାଙ୍ଗଙ୍କ ସହିତ ମୋତେ କିଣିଆଣି ଏଇ ପୋଖରୀ ହିଡ଼ରେ ଲଗାଇଥିଲେ।
ଜ୍ୟେଷ୍ଠ ଶେଷ- ଆଷାଢ଼ ଆରମ୍ଭ ହେଉଛି ଗଛ ଲଗାଇବା ପାଇଁ ଅନୁକୂଳ ସମୟ। କାରଣ ତା’ ପଛକୁ ଶ୍ରାବଣ, ଭାଦ୍ରବ, ଆଶ୍ବିନ ଆହୁରି ତିନିମାସ ଧରି ବର୍ଷା ଲାଗିରହେ ଏବଂ ଖରାତାତି କିମ୍ବା ପାଣିଅଭାବରୁ ଗଛ ଶୁଖି ମରିଯିବାର ଭୟ ନଥାଏ।
ସେଦିନ ଲୋକମାନେ ଆମକୁ ଆଣି ପୋଖରୀହିଡ଼ରେ ଆଗରୁ ଖୋଳାଯାଇଥିବା ଗାତଗୁଡ଼ିକ ପାଖରେ ଗୋଟି ଗୋଟି କରି ଥୋଇଦେଲେ। ମୁଁ ଦେଖିଲି, ମଣିଷଟିଏ ଠେକୁଆ ହୋଇ ବସିପାରିବା ଭଳି ଓସାର ଓ ଗଭୀର ଗାତ ଭିତରେ ଗୋବର ଖତ, ଲୁଣ, ରାସାୟନିକ ସାର ଆଦି କେତେ ପ୍ରକାର ଖାଦ୍ୟ ଆମ ପାଇଁ ରଖାଯାଇଥାଏ। ଜୀବଟିଏ ଜନ୍ମହେବା ପୂର୍ବରୁ ଭଗବାନ ଯେମିତି ପାଣି, ପବନ, ଖାଦ୍ୟ ସବୁ ଖଞ୍ଜି ରଖିଥା’ନ୍ତି ଠିକ୍ ସେମିତି।
ଆହୁରି ଦେଖିଲି, ପୋଖରୀ ଚାରିପଟେ ଆଗରୁ ମୋ ଜାତିର ଅନେକ ବଡ଼ବଡ଼ ଗଛ ଶଗଡ଼େ ଲେଖାଏଁ ଫଳ ଧରି ଠିଆ ହୋଇଛନ୍ତି। ସେମାନଙ୍କୁ କିଏ କେବେ ଲଗାଇଥିଲା କେଜାଣି। ସେଇ ଲୋକମାନଙ୍କ ଭିତରୁ ହୁଏତ ଅନେକେ ମରିହଜି ଯିବେଣି; କିନ୍ତୁ ସେମାନେ ଲଗାଇଥିବା ଗଛର ଫଳ ତାଙ୍କ ପୁଅନାତି ଆଜି କେଡ଼େ ସରାଗରେ ଖାଉଛନ୍ତି!
ପୋଖରୀ ହିଡ଼ରେ ଅନ୍ୟଜାତିର ଗଛ ଲଗାଇଲେ ସେମାନଙ୍କର ଡାଳପତ୍ର, ଫୁଲଫଳ ପଡ଼ି ପାଣି ଦୂଷିତ ହୁଏ। ଆମେ ନଡ଼ିଆ ଗଛମାନେ ସେମିତି ସମସ୍ୟା ସୃଷ୍ଟି କରୁନା। ସେଥିପାଇଁ ପୋଖରୀ ଚତୁର୍ପାର୍ଶ୍ବରେ ପ୍ରାୟ ଆମକୁ ହିଁ ଲଗାଯାଇଥାଏ।
ସିଅଳ ଜାତିର ଲୋକେ ଆମଉପରେ ଚଢ଼ି କାତି ସାହାଯ୍ୟରେ ଅଦରକାରୀ ବାହୁଙ୍ଗା, ଶୁଖିଲା ଚଅଁର, ପଇଡ଼ ଓ ନଡ଼ିଆ ଆଦିକୁ କାଟି ତଳକୁ ଖସାଇଦିଅନ୍ତି। କଞ୍ଚା ବାହୁଙ୍ଗାରେ ଛାମୁଣ୍ଡିଆ ହୁଏ। ଶୁଖିଲା ବାହୁଙ୍ଗା ଓ ଚଅଁରକୁ ଜାଳେଣି ରୂପେ ବ୍ୟବହାର କରାଯାଏ। ନଡ଼ିଆ କାଠିରେ ଝାଡ଼ୁପଅଁରା ହୁଏ।
କଥାରେ ଅଛି-
ବିଲୁଆ ବଡ଼ ଚତୁର
ପଇଡ଼ ବଡ଼ ମଧୁର।
ଲୋକେ ପଇଡ଼ପାଣି ପିଇ ତୃଷ୍ଣା ମେଣ୍ଟାନ୍ତି, ତୃପ୍ତ ହୁଅନ୍ତି। ନଡ଼ିଆ ରସରେ କୋରା, ଖଜା, ପିଠା, ପଣା କରି ଖାଆନ୍ତି, ପିଅନ୍ତି। ନଡ଼ିଆରସକୁ ରାନ୍ଧି ତେଲ ବାହାର କରି ଦେହମୁଣ୍ଡରେ ମାଲିସ୍ କରନ୍ତି। ନଡ଼ିଆତେଲ କୁଣ୍ଡିଆ, ପୋଡ଼ା ଘା’ ଓ କ୍ଷତସ୍ଥାନ ଶୁଖାଇବାରେ ଏକ ଅବ୍ୟର୍ଥ ଔଷଧ। ଏ ସମସ୍ତ ବ୍ୟତୀତ ନଡ଼ିଆ ଶଢ଼େଇ ଓ କତାରୁ ଭଳିକିଭଳି ଘରକରଣା ଜିନିଷ ତିଆରିକରାଯାଏ। ସର୍ବୋପରି ପ୍ରିୟପରିଜନଙ୍କ ଶୁଭ ମନାସି ଲୋକମାନେ ଦେବଦେବୀଙ୍କ ପାଖରେ ନଡ଼ିଆ ଭାଙ୍ଗନ୍ତି। ସେଥିପାଇଁ ନଡ଼ିଆକୁ ‘ଶ୍ରୀଫଳ’ ମଧ୍ୟ କହନ୍ତି।
ଏହି ପ୍ରକାରେ ନଡ଼ିଆ ଗୋଟିଏ ଅତି ଦରକାରୀ ଓ ଅର୍ଥକରୀ ଗଛ ହୋଇଥିବାରୁ ଯୁଗ ଯୁଗ ଧରି ମଣିଷର ପ୍ରିୟଭାଜନ ହୋଇ ରହିଆସିଛି।
ସେ ଯାହାହେଉ, ଆମ ମୂଳକୁ ଗାତରେ ପୋତି, ମାଟି ଘୋଡ଼ାଇସାରି ନିୟମିତ ଦେଖାଶୁଣା କରିବା ଆରମ୍ଭ ହୋଇଗଲା। ଆମେ ବି ପ୍ରଚୁର ପାଣି, ପବନ ଓ ଖାଦ୍ୟ ପାଇ ଚନ୍ଦ୍ରକଳା ପରି ବଢ଼ିବାରେ ଲାଗିଲୁ। ପ୍ରତିଦିନ ନୂଆ ନୂଆ କଅଁଳପତ୍ର ମେଲେଇ ଆକାଶକୁ ଛୁଇଁବାକୁ ପ୍ରତିଦ୍ବନ୍ଦିତା ଆରମ୍ଭ କରିଦେଲୁ। ଆମ ସମସ୍ତଙ୍କ ଭିତରେ ମୁଁ ଟିକିଏ ଅଧିକ ଡଉଲଡାଉଲ ଓ ହୃଷ୍ଟପୁଷ୍ଟ ହୋଇଥାଏ। ଦେଖିବା ଲୋକେ କହୁଥା’ନ୍ତି- ଏଇ ଗଛଟି ବଡ଼ ହେଲେ ଖୁବ୍ ଫଳ ଦେବ। ଦେଖୁନା, ତା’ ମୂଳଟା କେମିତି କୁଣ୍ଢେ ମୋଟ ହୋଇଛି। ଏଇ କଥା ଶୁଣି ମୋ ଛାତିଟା ବି କୁଣ୍ଢେ ମୋଟ ହୋଇଯାଉଥାଏ। ପବନ ସାଥିରେ ତାଳ ଦେଇ ବାହୁଙ୍ଗା ହଲାଇ ନାଚିପକାଏ।
ଦିନ ପରେ ଦିନ ଗଡ଼ିଚାଲିଲା। ବର୍ଷା ପରେ ଶୀତ, ଶୀତ ପରେ ବସନ୍ତ। ତା’ପରେ ପୁଣି ମୁଣ୍ଡଫଟା ଖରା। ସବୁ ଯେମିତି ଦେହସୁହା ହୋଇଗଲା। ଛୋଟରୁ ବଡ଼ ହୋଇ ବଞ୍ଚିରହିବା ପାଇଁ ଏ ସମସ୍ତ ଭିନ୍ନ ଭିନ୍ନ ପାଣିପାଗ, ଜଳବାୟୁ ଓ ଦୁଃଖକଷ୍ଟ ସହିବା କାଳେ ନିହାତି ଜରୁରୀ।
ଦେଖୁ ଦେଖୁ ମୁଁ ବର୍ଷକର ହୋଇଗଲି। ମଣିଷଛୁଆ ହୋଇଥିଲେ ହୁଏତ ମୋ ବାପାମା’ (ମୁଁ ଯଦିଓ ସେମାନଙ୍କୁ ଚିହ୍ନିନି କିଂବା କୋଉଠି ଅଛନ୍ତି ଜାଣିନି) ମୋର ବର୍ଷ ପୂରାଇ ଜନ୍ମଦିନ ପାଳିଥାନ୍ତେ। ଏୟା ଭାବି ମୁଁ ଘଡ଼ିଏ ପାଇଁ ସ୍ଥିରନିଶ୍ଚଳ ହୋଇଗଲି। ମନେମନେ ମୋ ମା’ ଆଉ ବାପାଙ୍କୁ ବହୁତ ଖୋଜିଲି। ଅଚାନକ ଦଲକାଏ ପବନ ମୋ ଦେହରେ ଶିହରଣ ଖେଳାଇଦେଲା। କିଏ ଯେମିତି ମୋ ମୁଣ୍ଡକୁ ଆଉଁସିଦେଇ କହିଲା, “ମନଦୁଃଖ କର୍ନା, ଆମେ ପରା ଅଛୁ! ଏଇ ମାଟି, ଏଇ ପାଣି, ଏଇ ପବନ, ଏଇ ସୂର୍ଯ୍ୟାଲୋକ ଆମେ ସମସ୍ତେ ତୋର ବାପାମା’। ଆମେ ଥାଉ ଥାଉ ତୋର କିଛି ଅଭାବ ହେବନି। ତୁ ମୁଣ୍ଡ ଟେକି ଠିଆ ହେବୁ। ପାଞ୍ଚ ଜଣରେ ଜଣେ ହେବୁ। ଧନଟା ପରା, ଚିନ୍ତା କର୍ନା। ଖାଇପିଇ ଖୁସିରେ ରହ। ତୁମ ଗଛମାନଙ୍କର ଜୀବନ ସୃଷ୍ଟିର ମଙ୍ଗଳ ପାଇଁ। ତମେ ହେଉଛ ପୃଥିବୀର ସୌନ୍ଦର୍ଯ୍ୟ; ପ୍ରାଣୀମାନଙ୍କର ଅନ୍ନଦାତା ଓ ଆଶ୍ରୟସ୍ଥଳୀ। ଗଛ ଅଛି ତ ଦୁନିଆ ଅଛି।”
ମୁଁ ପ୍ରକୃତିସ୍ଥ ହେଲି। ସେଇ ଦିବ୍ୟଚେତନା ଭିତରେ କ୍ଷଣିକ ପାଇଁ ହଜିଗଲି। ମୋ ଜୀବନର ଲକ୍ଷ୍ୟ ଓ ଗୁରୁତ୍ବ ଉପଲବ୍ଧି କଲି। ମାଟି ଭିତରେ ଚେର ବଢ଼ାଇ ଜଳ, ଖଣିଜ ଲବଣ ଶୋଷି ଅଙ୍ଗେ ଅଙ୍ଗେ ସାଇତିରଖିଲି।
ଗଛ ପରା ପୃଥିବୀର ସୌନ୍ଦର୍ଯ୍ୟ; ପ୍ରାଣୀମାନଙ୍କର ଅନ୍ନଦାତା ଓ ଆଶ୍ରୟସ୍ଥଳୀ!
ଦିନ ପରେ ଦିନ, ମାସ ପରେ ମାସ, ଋତୁ ପରେ ଋତୁ। ଏମିତି ଖୁବ୍ ଆନନ୍ଦରେ କିଛି ବର୍ଷ ବିତିଗଲା। ମୁଁ ଦେଢ଼ମଣିଷ ଉଚ୍ଚ ହୋଇସାରିଥିଲି।
ଆଷାଢ଼ ମାସ ମଝାମଝି। ଚାଷୀଭାଇମାନେ ମୋରି ପାଖ ଚଲାବାଟ ଦେଇ ହଳ ନେଇ ବିଲକୁ ଯାଆନ୍ତି। କାହାର କେମିତି ତଳି ହୋଇଛି, କିଏ କେତେ ଋଣ କରିଛି, ଭଲ ଅମଳ ହେଲେ କିଏ ଝିଅ ପଠେଇବ ତ କିଏ ବୋହୂ ଆଣିବ। ନାନା କଥା କୁହାକୁହି ହୋଇ ଯାଆନ୍ତି; ପୁଣି ମୁହଁସଞ୍ଜ ବେଳେ ମାଟିକାଦୁଅ ହୋଇ ଫେରନ୍ତି। ଦି’ପହର ବେଳକୁ ଚାଷୀଘର ଝିଅବୋହୂ ମୁଣ୍ଡରେ ଘୋଟଣା ନେଇ ବିଲକୁ ଯାଆନ୍ତି। ସେମାନଙ୍କର ପାଦର ପାଉଁଜି ଆଉ ହାତର କଙ୍କଣ ଶବ୍ଦରେ ମୁଁ ପୁଲକିତ ହୁଏ। ବେଳେ ବେଳେ ଭାସିଆସେ ଗାଈଗୋଠରୁ ଗଉଡ଼ପିଲାର ସୁମଧୁର ବଂଶୀସ୍ବନ। ତା’ ସହିତ ପବନ ବୋହି ଆଣେ ହଳ କରୁଥିବା ଚଷାପୁଅର ‘ରାମ ଯେ ଲଇଖଣ ହେ ବନସ୍ତକୁ ଗଲେ.........’ ମନଜିଣା ସ୍ବରର ଲହରୀ। ମଝିରେ ମଝିରେ ଶୁଭୁଥାଏ- ଆନନ୍ଦ, ଉଲ୍ଲାସ ଓ ଶୁଭେଚ୍ଛାସୂଚକ ହୁଳହୁଳି ଶବ୍ଦ। ମୌସୁମି ସାଥିରେ ମିଶି ଭାସିଆସେ ହଳଦୀ ଗୁରୁଗୁରୁ ଛଣିଫୁଲର ବାସ୍ନା। ଭିଜାମାଟିର ମହକରେ ମନ ହୁଏ ବିମୋହିତ।
ଦିନେ ସକାଳେ ପ୍ରଭାତ ସୂର୍ଯ୍ୟଙ୍କ ସୁନେଲି କିରଣ ପଡ଼ି ପୃଥିବୀଟା ଖୁବ୍ ସୁନ୍ଦର ଦେଖାଯାଉଥାଏ। ପାଖଆଖ ଗଛଡାଳରେ ଚଢ଼େଇମାନେ ଗୀତ ଗାଇ ଉଡ଼ିବୁଲୁଥା’ନ୍ତି। ପୋଖରୀର ପଶ୍ଚିମ ହିଡ଼ ଗାଧୁଆତୁଠରେ ମାଇପିମାନଙ୍କ ହସକୌତୁକ ଓ ଥଟ୍ଟାପରିହାସର ଅସରନ୍ତି ପସରା। ଅଧିକାଂଶ ମରଦ ବିଲକୁ ଚାଲିଯାଇଥିବାରୁ ଅଣ୍ଡିରା ତୁଠଟା ଫାଙ୍କା। ଛୁଟିଦିନ ଥିବାରୁ ସ୍କୁଲ୍ ଦି’ଟା ବି ଶୂନ୍ଶାନ୍।
ହଠାତ୍...............
ଆକାଶର ଉତ୍ତର-ପଶ୍ଚିମ କୋଣରୁ ଗୋଟିଏ ବିରାଟ କଳାହାଣ୍ଡିଆ ମେଘ ଉଠିଆସି ଚାରିଆଡ଼କୁ ଆଚ୍ଛାଦିତ କରିଦେଲା। ସୁ’ ସୁ’ ଶବ୍ଦ କରି ବହିଆସିଲା କୋହଲା ପବନ। ଚାରିଆଡ଼ ଅନ୍ଧାର ହୋଇ ଦିନ ଦି’ପହରଟାରେ ରାତିର ଭ୍ରମ ସୃଷ୍ଟି କଲା। ଏତିକି ବେଳେ ବିଜୁଳିର ଉଜ୍ଜ୍ବଳ ଆଲୋକରେ ଚାରିଆଡ଼ ଝଲସିଉଠିଲା। ଆଉ ଏକ ଭୟଙ୍କର ଘଡ଼ଘଡ଼ି ଶବ୍ଦରେ ଗଗନପବନ ପ୍ରକମ୍ପିତ ହୋଇଗଲା। ବିଜୁଳି ଓ ଘଡ଼ଘଡ଼ି ଏକା ସ୍ଥାନରୁ ଏକା ସମୟରେ ଉତ୍ପନ୍ନ ହେଉଥିଲେ ହେଁ ଶବ୍ଦର ବେଗଠାରୁ ଆଲୋକର ବେଗ ଯଥେଷ୍ଟ ଅଧିକ ହୋଇଥିବାରୁ ଆମେ ଆଗ ବିଜୁଳିକୁ ଦେଖୁ ଏବଂ ପରେ ଘଡ଼ଘଡ଼ି ଶବ୍ଦ ଶୁଣୁ।
ସେ ବଜ୍ର ନିନାଦର ପ୍ରଭାବରେ ମୋର ଛାତି ଥରି ଉଠିଲା। ଭୟରେ ଆଖି ମୁଦି ହୋଇଗଲା। ଆଖି ଖୋଲି ଦେଖିଲି, ତୁଠର ଲୋକଗୁଡ଼ାକ ଅଧାଗାଧୁଆ, ଅଗାଧୁଆ ହୋଇ ଉଠିଯାଉଛନ୍ତି। ମା’ଟିଏ ତାର ଛୋଟ ପିଲାକୁ ଗାଧୋଇ ଦେଉ ଦେଉ ପିଲାଟି ଚମକି ଯାଇଛି; ଆଉ ତା ମା ତା ଛାତିକୁ ଥୁ ଥୁ କରି ଛେପିଦେଇ କୋଳରେ ଧରି ପଳାଇ ଯାଉ ଯାଉ କହୁଛି- ଡର୍ନା, ମୁଁ ପରା ଅଛି!
ଭାବିଲି, ଏତିକି ବେଳେ ମୋ ମା ବି ମୋ ପାଖରେ ଥାଆନ୍ତା କି!
ଧଡ଼ାସ୍..........
ପୁଣି ଏକ ଭୟଙ୍କର ଶବ୍ଦ।
ପଛକୁ ପଛ ଆହୁରି ଅନେକ ଘନଘର୍ଘର ଅଶନିର ସ୍ବନ।
ମୁଁ ଭୟରେ ଥରୁଥାଏ। ପବନ ସାଙ୍ଗକୁ ଖୁବ୍ ଜୋର୍ରେ ବର୍ଷା ବି ଆରମ୍ଭ ହୋଇଯାଇଥାଏ। ବାଦଲ, ବର୍ଷା, ବାୟୁ, ବିଜୁଳି ଏବଂ ବଜ୍ରର ପ୍ରକୋପରେ ଲାଗୁଥିଲା ସତେ ଯେମିତି ପୃଥିବୀଟା ପ୍ରଳୟ ହୋଇଯିବ!
ଅଚାନକ ଦେଖିଲି, ଗୋଟିଏ ବିରାଟ ସର୍ପ ଆକୃତିର ଉଜ୍ଜ୍ବଳ ଆଲୋକ ଆକାଶର ବହୁ ଉଚ୍ଚରୁ ମୋ ଆଡ଼କୁ ତୀବ୍ର ଗତିରେ ଖସିଆସୁଛି। ମୁଁ କିଛି ବୁଝି ପାରିବା ଆଗରୁ ଗୋଟିଏ ଭୀଷଣ କମ୍ପନ ମୋତେ ଆପାଦମସ୍ତକ ଥରହର କରିଦେଲା।
ମୁଁ ଚିତ୍କାର କରିଉଠିଲି-
ବୋଉ............
ମୋର ଚିତ୍କାର ଶୁଣିବା ପାଇଁ ମୋ ପାଖରେ ମୋ ବାପାମା’ କେହି ନଥିଲେ। ଯେଉଁ ଜାତିଭାଇମାନେ ପାଖରେ ଥିଲେ ନୀରବରେ ମୋର ସର୍ବନାଶ ଦେଖିବା ଛଡ଼ା ସେମାନଙ୍କର ଅନ୍ୟ ଉପାୟ କିଛି ନଥିଲା।
ବଜ୍ରର ଆଘାତରୁ ମୋତେ ରଖିବ କିଏ?
ଚେର, ମୂଳ, କାଣ୍ଡ ଦେଇ ମୋର ସମସ୍ତ ପ୍ରାଣଶକ୍ତି ଊର୍ଦ୍ଧ୍ବମୁଖୀ ହେଲା। ବିଜୁଳି ମୋର ଜୀବନକୁ ଶୋଷିନେଲା। ନୂଆକରି ଗଜୁରି ଆସୁଥିବା ମୋର କଅଁଳ ବାହୁଙ୍ଗାଟି ସୁଦ୍ଧା ବର୍ତ୍ତିଲାନି। ମୁଁ ଶୁଖିଗଲି, ଶୁଖି ଜଳିବାକୁ ଲାଗିଲି। ମୋର କଞ୍ଚା ବାହୁଙ୍ଗା ମୂଳରେ ଲାଗିଥିବା ନିଆଁକୁ ବର୍ଷା ପବନ କେହି ଲିଭାଇପାରିଲେନି।
ମୁଁ ନିଷ୍ପ୍ରାଣ ହୋଇଗଲି।
କିଛି ସମୟ ପରେ ବର୍ଷା ଛାଡ଼ିଗଲା। ବିଜୁଳି, ଘଡ଼ଘଡ଼ି, ପବନ ସମସ୍ତେ ଥମିଗଲେ। ଆକାଶଟା ନିର୍ମଳ ହୋଇଆସୁଥିଲା। ମୋର ଜାତିଭାଇମାନେ ମୋତେ ଚାହିଁ ସ୍ତବ୍ଧ ହୋଇ ଠିଆ ହୋଇଥାନ୍ତି।
ଓଦାପତ୍ରରୁ ଟୋପା ଟୋପା ବର୍ଷାଜଳ ଟପ୍ ଟପ୍ ଝରିପଡ଼ୁଥାଏ। ସତେ ଯେପରି ମୋର ଅକାଳ ମରଣ ଦେଖି ସେମାନେ ଲୁହ ଝରାଇ ବିଳାପ କରୁଛନ୍ତି। ସେତେବେଳକୁ ମୋ ମଥାର ନିଆଁ ଲିଭି ଧୂଆଁ ବି ଅଦୃଶ୍ୟ ହୋଇସାରିଥିଲା।
ଝଡ଼ ପରର ନୀରବତା ସହିତ ପୃଥିବୀଟା ଶାନ୍ତ, ଶୀତଳ ଜଣା ପଡ଼ୁଥିଲା। ପଶୁପକ୍ଷୀ, କୀଟପତଙ୍ଗ, ମଣିଷମାଙ୍କଡ଼ ସମସ୍ତେ ଯେ ଯାହାର ଆଶ୍ରୟସ୍ଥଳ ଛାଡ଼ି ବାହାରକୁ ଆସି ଚଳଚଞ୍ଚଳ ହେଲେ।
ମୋ ଉପରେ ବିତିଯାଇଥିବା ପ୍ରକୃତିର ସଂହାରଲୀଳାକୁ କେହି ସ୍ବଚକ୍ଷୁରେ ଦେଖିଛି କି ନା ମୁଁ ଜାଣିନି କିନ୍ତୁ ଏଇଠି କୋଉଠି ଅତି ନିକଟରେ ଘଡ଼ଘଡ଼ି ନିଶ୍ଚୟ ମାରିଛି ବୋଲି ଲୋକମାନେ କୁହାକୁହି ହେଲେ।
କିଛିଦିନ ପରେ ମୋର ବାହୁଙ୍ଗାଗୁଡ଼ିକ ଶୁଖି ଝଡ଼ିବାକୁ ଆରମ୍ଭ କଲେ। ଲୋକମାନେ ଜାଣିସାରିଥିଲେ- ମୁଁ ଆଉ ନାହିଁ। ସେଦିନର ଘଡ଼ଘଡ଼ି ମୋତେ ମାରିଦେଇଛି। ଧୀରେ ଧୀରେ ମୁଁ ଥୁଣ୍ଟା ହୋଇଗଲି। ମୋତେ ଲଗାଇଥିବା ଲୋକଟି ମୋର ସୁନ୍ଦର ସ୍ବାସ୍ଥ୍ୟ ଦେଖାଇ ଅନ୍ୟମାନଙ୍କ ଆଗରେ ଯେତିକି ଖୁସି ଓ ଗର୍ବ ଅନୁଭବ କରୁଥିଲା, ମୋର ଚରମ ଦୁର୍ଦ୍ଦଶା ଦେଖି ସେତିକି ମ୍ରିୟମାଣ ହେଲା। କିନ୍ତୁ ସେ ଦୁଃଖ କ୍ଷଣିକ ଥିଲା।
ନିହାତି ଆପଣାର ମଣିଷଟେ ମରିଗଲେ ଯୋଉ ଲୋକମାନେ ଦିନ କେଇଟାରେ ପାସୋରିପକାନ୍ତି, ମୋ ପରି ଗୋଟିଏ ସାମାନ୍ୟ ଗଛପାଇଁ ସେମାନେ କେତେଦିନ ଅବା ଝୁରିହୁଅନ୍ତେ! ସେଥିରେ ପୁଣି କୋଠଗଛଟାଏ। ମୁଁ ମଲେ କି ବଞ୍ଚିଲେ କାହାର ଯାଏ କେତେ ଆସେ କେତେ?
ଋତୁଚକ୍ର ଅନୁଯାୟୀ ସମୟ ଗଡ଼ିଚାଲିଲା। ମସ୍ତକବିହୀନ ମୋର ଥୁଣ୍ଟା ଶରୀରଟି ସମସ୍ତଙ୍କ ପାଇଁ ଅଶୁଭ ପାଲଟିସାରିଥିଲା। ପ୍ରାଣୀମାନଙ୍କୁ ଆହାର ଓ ଆଶ୍ରୟ ଦେବା ପାଇଁ ଯାର ଜନ୍ମ; ମୃତ୍ୟୁ ତାକୁ ସମସ୍ତଙ୍କ ପାଇଁ ଅଲୋଡ଼ା, ଅଖୋଜା, ଅପଦାର୍ଥଟିଏ କରିଦେଇ କି ଲାଭ ପାଇଲା ସେ କଥା ତାକୁ ହିଁ ଜଣା।
ମୁଁ ଏତେ ଅଦରକାରୀ ହୋଇସାରିଥିଲି ଯେ ପକ୍ଷୀଟିଏ ସୁଦ୍ଧା ମୋ ଉପରେ ବସା ବାନ୍ଧିବାକୁ ପସନ୍ଦ କରୁନଥିଲା। କାରଣ ମୋର ଥୁଣ୍ଟା ଗଣ୍ଡିଟିର ଉଚ୍ଚତା ମଣିଷର ହାତପାଆନ୍ତାରେ ଥିଲା। ଆଉ ମଣିଷ ତ କାହାରିକୁ ଛାଡ଼େନାହିଁ। ପାରା, ବଗ, ଛେଳି, କୁକୁର, ମୂଷା, ମାଙ୍କଡ଼ ସମସ୍ତେ ତା’ର ଆହାର। ଏମିତିରେ କିଏ ବା କାହିଁକି ନିଜ ଜୀବନକୁ ବିପନ୍ନ କରିବ? ମୋର ପୂରିଲା ପୂରିଲା ଦେହ ଦେଖି ଦିନେ ଯେଉଁ ଲୋକଗୁଡ଼ାକ ଆଖିକୁ ସତେଜ କରୁଥିଲେ, ଆଜି ମୁଁ ଦୈବାତ୍ ଦୃଷ୍ଟିପଥାରୁଢ଼ ହେଲେ ସେମାନେ ଘୃଣା ଓ ଅବଜ୍ଞାରେ ମୁହଁ ଫେରାଇନେଉଛନ୍ତି। ମୁଁ କାଳେ ଅଶୁଭ!
ହେଲେ ଭଗବାନ ସମସ୍ତଙ୍କୁ ସମାନ ଆଖି ଦେଇନଥାନ୍ତି। ଏମିତି କିଛି ଲୋକ ଥାଆନ୍ତି ଯୋଉମାନେ ‘ନାହିଁ ନାହିଁ’ ଭିତରେ ନୂତନ ସୃଷ୍ଟିର ସମ୍ଭାବନାକୁ ସନ୍ଦର୍ଶନ କରନ୍ତି। ମୋତେ ସମସ୍ତେ ଅଣଦେଖା କରି ଚାଲିଯାଉଥିବା ବେଳେ ଗୋଟିଏ ଲୋକ ‘ଦେବଦୂତ’ ସାଜି ମୋ ନିକଟରେ ଦଣ୍ଡାୟମାନ ହେଲା। କାଳେ ମୁଁ ବଞ୍ଚିଥିବି କିମ୍ବା ବଞ୍ଚିଯିବି ପରା! ସେ ମୋର ଥୁଣ୍ଟା ଅଗରେ ମେଞ୍ଚାଏ ଗୋବର ଓ ମାଟି ମିଶାଇ ଲଦିଦେଇ କିଛି ପାଳକୁ ବର କରି ତା ଉପରେ ଗୁଡ଼ାଇଦେଲା ଆଉ ଆଞ୍ଜୁଳାଏ ପାଣି ଆଣି ମୋ ଉପରେ ସିଞ୍ଚିଦେଲା। ମଝିରେ ମଝିରେ ଆସି ଦେଖୁଥାଏ କିଛି ବଦଳିନି ତ? ମୋର ବଞ୍ଚିବାର କୌଣସି ଆଶା ଦିଶୁନଥିଲେ ବି ଲୋକଟା ନିରାଶ ନହୋଇ ଥରକୁ ଥର ଆସି ମାଟି ଓ ଗୋବରର ମେଞ୍ଚାଏ ମେଞ୍ଚାଏ ମହୌଷଧି ମୋ ଉପରେ ଲଦି ଦେଇ ଚାଲିଯାଉଥିଲା।
ଭଗବାନ୍କେ ଦର୍ବାର୍ମେଁ ଦେର୍ ହୈ ଅନ୍ଧେର୍ ନହିଁ।
ଈଶ୍ବର ତାର ସରଳ ମନର କରୁଣ ନିବେଦନ ଦିନେ ଅବଶ୍ୟ ଶୁଣିବେ ଏତିକି ବିଶ୍ବାସ ତାର ଥିଲା।
ହଠାତ୍ ଦିନେ ସେ ନିଜ ଆଖିକୁ ବିଶ୍ବାସ କରିପାରିଲା ନାହିଁ। ମୋର ନିର୍ଜୀବ ଶରୀରରୁ ଜୀବନର ଅଙ୍କୁରୋଦ୍ଗମ ହୋଇଛି। ଚେତନାର ଚେନାଏ କଣିକା ଜଡ଼ ଦେହଟାର କେଉଁ ନିଭୃତ କୋଣରେ କେମିତି ଲୁଚିରହିଥିଲା କେଜାଣି ମାଟି, ଗୋବରର ବହଳ ଆସ୍ତରଣ ଭେଦକରି ଆତ୍ମପ୍ରକାଶ କରିଥିଲା କଅଁଳ ଗଜାଟିଏ ରୂପରେ। ସେ ଖୁସିରେ ଆତ୍ମହରା ହୋଇଗଲା। ତାର ଶ୍ରମ ସାର୍ଥକ ହୋଇଛି। ଉଷୁନା ଧାନ ଗଜା ହେଲା ପରି ମଲାଗଛ ବଞ୍ଚିଉଠିଛି।
ସେ ମୋତେ କୁଣ୍ଢାଇ ପକାଇଲା। ଅଜାଣତରେ ଗଡ଼ିଗଲା ଦୁଇ ଆଖିରୁ ଦୁଇ ଧାର ଲୁହ। ଆନନ୍ଦରେ ଅଧୀର ହୋଇ ଦୌଡ଼ିଯାଇ ସେ ଅନ୍ୟମାନଙ୍କୁ ଏକଥା ଜଣାଇଲା। ଅଧିକାଂଶ ଅବିଶ୍ବାସ କଲେ। କେତେଜଣ ଆଶ୍ଚର୍ଯ୍ୟ ହୋଇ ଦେଖିବାକୁ ଧାଇଁଲେ। ମୁଁ ଯେ ବଞ୍ଚିଯାଇଛି ଏଥିରେ କାହାରି ସନ୍ଦେହ ରହିଲାନାହିଁ। ଜଣେ କେହି କହିପକାଇଲା ଇଏ ସାମାନ୍ୟ ଗଛ ନୁହେଁରେ, ଇଏ ‘ଅମରୀ’। ଆଉ ଜଣେ ଯୋଡ଼ଦେଇ କହିଲା,ଖାଲି ‘ଅମରୀ’ ନୁହେଁ ଭାଇମାନେ ଇଏ ‘ବଜରଙ୍ଗୀ’ ମାନେ- ହନୁମାନ; ନଡ଼ିଆଗଛ ରୂପରେ ଉଭା ହୋଇଛନ୍ତି। ବଜ୍ର କ’ଣ ତାଙ୍କୁ ମାରିପାରିବ?
କିନ୍ତୁ ବିଧିର ବ୍ୟବସ୍ଥା ଆହୁରି ବିଚିତ୍ର! ଗୋଟିଏ ହାତରେ ଛଡ଼ାଇନେଇ ଅନେକ ହାତରେ ଅଜାଡ଼ିଦିଏ।
ଆଲ୍ଲା ଦେତା ହୈ ତୋ ଛପର୍ ଫାଡ଼୍କେ ଦେତା ହୈ।
ମୋର ମସ୍ତକକୁ ପୋଡ଼ି ପାଉଁଶ କରି ମୋତେ ଶ୍ରୀହୀନ କରିଦେଇଥିବା ପ୍ରକୃତି ପ୍ରତିବଦଳରେ ମୋତେ ପାଞ୍ଚପାଞ୍ଚଟା ମସ୍ତକରେ ବିମଣ୍ଡିତ କରିଦେଲା। ଗୋଟିଏ ଗଣ୍ଡିରୁ ଗଜୁରିଆସିଲା ପାଞ୍ଚପାଞ୍ଚଟା ସବୁଜ ଶାଖା। ସବୁ ଶାଖାରେ କଅଁଳିଗଲା କଅଁଳ ପତ୍ରର କି ସୁନ୍ଦର ବାହୁଙ୍ଗା!
ସେଦିନ ମୋତେ ‘ବଜରଙ୍ଗୀ’ କହିଥିବା ଲୋକଟା ଆଜି ମୋର ଏ ଅସାଧାରଣ ରୂପ ଦେଖି କହିପକାଇଲା ଇଏ ଖାଲି ବଜରଙ୍ଗବଳୀ ହନୁମାନ ନୁହନ୍ତି ଭାଇମାନେ। ଇଏ ସାକ୍ଷାତ୍ ପଞ୍ଚମୁଖୀ ହନୁମାନ। ଏଣିକି ଆମ ଗାଁର ଭାଗ୍ୟ ବଦଳିଯିବ।
ଆଉ କିଛି ଲୋକ କୁହାକୁହି ହେଲେ ଇଏ ବଞ୍ଚିବନି, ପୁଣି ମରିଯିବ। ନଡ଼ିଆ, ତାଳ, ଖଜୁରୀ ଏମାନେ ତ ଶାଖାବିହୀନ ଗଛ। ୟାର ପୁଣି ଗୋଟିଏ ନୁହେଁ କି ଦି’ଟା ନୁହେଁ ପାଞ୍ଚପାଞ୍ଚଟା ଡାଳ। କି ଘୋର କଳିକାଳ!
ମୋର କିନ୍ତୁ ବିଶ୍ବାସ ମୁଁ ବଞ୍ଚିବି। ବଜ୍ର ଯାହାକୁ ମାରିପାରିଲା ନାହିଁ ଏ ଲୋକମାନଙ୍କ କଥା ଶୁଣି ସେ ମରିଯିବ? ନା ମୋତେ ବଞ୍ଚିବାକୁ ହେବ। ଯେତେ କଷ୍ଟ ଯେତେ ପରିଶ୍ରମ କରିବାକୁ ହେବ ମୁଁ କରିବି। ଦିନରାତି ଏକା କରି ମାଟିମା ଛାତିରୁ ଖାଦ୍ୟ ଶୋଷି ମୋର ପାଞ୍ଚଟିଯାକ ଶାଖାକୁ ବଢ଼ାଇବି ବଡ଼ କରିବି। ଯେଉଁଦିନ ପାଞ୍ଚଟିଯାକ ଶାଖାରେ ଫଳ ଫଳିବ ପାଞ୍ଚଟିଯାକ ଶାଖାରେ କାଉକୋଇଲି ବସାବାନ୍ଧି ଛୁଆ ଦେବେ ସେଦିନ ମୋର ପୁନର୍ଜନ୍ମ ସାର୍ଥକ ହେଲା ବୋଲି ବୁଝିବି।
ବଜ୍ର ମୋତେ ମାରିବାକୁ ଚେଷ୍ଟା କଲା। କୌଣସି ଦୋଷ ନଥାଇ ବିଜୁଳି ମୋତେ ଜାଳିଦେଲା। ମାଟିମା କିନ୍ତୁ ମୋତେ ମରିବାକୁ ଦେଲାନି। ସେ ଲୋକଟି ରୂପରେ ଆସି ମୋର ଜଡ଼ଦେହରେ ଜୀବନର ସଞ୍ଚାର କଲା। କହିଲା, ଡର୍ନା, ମୁଁ ପରା ଅଛି!
ଏବେ ମୁଁ ବୁଝିପାରୁଛି ପ୍ରକୃତି କେବେ ଧ୍ବଂସକାରିଣୀ ନୁହେଁ। ସେ ମଙ୍ଗଳକାରିଣୀ, ଶିବସ୍ବରୂପିଣୀ, ଶୁଭତ୍ବପ୍ରଦାୟିନୀ।
ମଣିଷମାନେ ନିଷ୍ଠୁର ହୋଇ ବିଭିନ୍ନ ଆଳରେ ବୃକ୍ଷଛେଦନ କରୁଛନ୍ତି। କେବେ ଚାଷ ପାଇଁ, କେବେ ବାସ ପାଇଁ, କେବେ କଳକାରଖାନା ପାଇଁ ତ କେବେ ଜାଗଯଜ୍ଞ ପାଇଁ। ଏପଟେ ବର୍ଷା ପାଇଁ ଯଜ୍ଞ କରୁଛନ୍ତି, ସେପଟେ ଗଛ କାଟି ବର୍ଷାର ବାଟ ବନ୍ଦ କରୁଛନ୍ତି। ବୃଷ୍ଟି ନହେଲେ ସୃଷ୍ଟି ତିଷ୍ଠିବ କିପରି?
ସବୁ ଅବିଚାର ସତ୍ତ୍ବେ ପ୍ରକୃତି ସୃଷ୍ଟିକୁ ରକ୍ଷାକରିବା ପାଇଁ ଅହରହ ଚେଷ୍ଟା ଚଳାଇଛି। ଖାଲି ଯାହା ମଣିଷର ସହଯୋଗ ଟିକିଏ ଦରକାର। ଦେଖୁନା, ସେ ଲୋକଟି ମୋତେ ସାହାଯ୍ୟ କରିନଥିଲେ, ନିଃସ୍ବାର୍ଥ ଭାବେ ମୋର ସେବା କରିନଥିଲେ ପ୍ରକୃତି କ’ଣ ଏକା ଏକା ମୋତେ ବଞ୍ଚାଇପାରିଥା’ନ୍ତା? ଈଶ୍ବରଙ୍କ ସୃଷ୍ଟିର ଶ୍ରେଷ୍ଠପ୍ରାଣୀ ମନୁଷ୍ୟ ନିଜେ ସଚେତନ ହୋଇ ପ୍ରକୃତି ସହିତ ବନ୍ଧୁତା ଓ ସହଯୋଗର ହାତ ବଢ଼ାଇଲେ ପୃଥିବୀ ସୁରକ୍ଷିତ ହେବ। ପୃଥିବୀ ସୁରକ୍ଷିତ ହେଲେ ପ୍ରାଣୀମାନଙ୍କର ମଙ୍ଗଳ ହେବ। ଭଗବାନଙ୍କ ଇଚ୍ଛା ପୂର୍ଣ୍ଣ ହେବ।
ସର୍ବେ ଭବନ୍ତୁ ସୁଖିନଃ
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିତ୍ ଦୁଃଖ୍ଭାଗ୍ ଭବେତ୍।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।
***
