ଚରିତ୍ର ର ମୂଲ୍ୟ
ଚରିତ୍ର ର ମୂଲ୍ୟ
ସେତେବେଳରେ ରାଜାମାନଙ୍କର ଶାସନରେ ପ୍ରଜାମାନେ ଶାସିତ ହେଉଥିଲେ। କେଉଁଠି ବିଚାରଶୀଳ ରାଜା ତ କେଉଁଠି ବ୍ୟଭିଚାରୀ ରାଜା ଥିଲେ । ଗୋଟିଏ ରାଜ୍ୟରେ ରାଜାଙ୍କର ମୃତ୍ୟୁ ସନ୍ନିକଟ ହେବାରୁ ବାପା, ପୁଅ ଶିବସେନ କୁ ରାଜ୍ୟର ଦାୟିତ୍ଵ ଅର୍ପଣ କଲେ।ରାଜା ଚିନ୍ତାଶୂନ୍ୟ ରେ ମୃତ୍ୟୁ ବରଣ କଲେ।ଶିବସେନ ରାଜ୍ୟଭାର ଗ୍ରହଣ କଲାପର ଠାରୁ ପ୍ରଜାମାନେ ଦୁଃଖରେ କାଳାତିପାତ କରୁଥିଲେ।ଭୁଲ ଠିକ୍ ର ବିଚାର ନକରି ରାଖେଲ ନିରୀହ ଲୋକମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ହେଲେ କେହି ପ୍ରତିବାଦ କରୁନଥିଲେ ।
ଏମିତି ଦିନକର ଘଟଣା ଦୁଇ ଜଣ ସାଙ୍ଗ ସୁମନ୍ତ ଓ ସୁଶାନ୍ତ ବସି ଗଛ ମୂଳେ ଜ୍ଞାନ ଚର୍ଚ୍ଚା କରୁଥିଲେ। ରାଜା ସେଇ ବାଟଦେଇ ଯାଉଥିଲେ ।ରାଜା ଆଦେଶ ଦେଲେ ,"କଟୁଆଳ ମାନେ ..ଏଇ ଦୁଇ ଜଣ ଦ୍ଵିପହରେ ଉଦ୍ୟାନରେ କଣ କରୁଛନ୍ତି? ଚୋରି କରିବା ପାଇଁ ଉଦ୍ୟମ କରୁଛନ୍ତି କି!! ସେମାନଙ୍କୁ ବନ୍ଦୀ କରି ନିଅ।"ଏହା ଶୁଣି କଟୁଆଳ ମାନେ ଯାଇ ସୁମନ୍ତ ଓ ସୁଶାନ୍ତ କୁ ଆଣି ରାଜ ଦରବାରରେ ପହଞ୍ଚାଇ ଦେଲେ।
ସନ୍ଧ୍ୟା ପରେ ରାଜା ସେମାନଙ୍କ କଥା ବିଚାର କରିବାକୁ ଆସିଲେ।ସୁମନ୍ତ କୁ ପଚାରିଲେ ସୁଶାନ୍ତ ର ମୂଲ୍ୟ କେତେ? ସୁମନ୍ତ କହିଲା,"ଏକ ଲକ୍ଷ ହେବ"। ପୁଣି ରାଜା ସୁଶାନ୍ତ କୁ ପଚାରିଲେ ,"ସୁମନ୍ତ ର ମୂଲ୍ୟ କେତେ? ସୁଶାନ୍ତ ନିର୍ଭୀକତା ର ସହ ଉତ୍ତର ଦେଲା ଆପଣଙ୍କ ଠାରୁ ତାର ମୂଲ୍ୟ ଢେର୍ ବେଶି।ରାଜା ଆଶ୍ଚର୍ଯ୍ୟ ହୋଇଗଲେ କଣ ମୋ ଠାରୁ ତାର ମୂଲ୍ୟ ବେଶି! ସୁଶାନ୍ତ କହିଲେ ତାର ମାନବିକତାର ମୂଲ୍ୟ ହିସାବ କରିହେବ ନାହିଁ କିନ୍ତୁ ଆପଣଙ୍କ ଜୀବନର ମୂଲ୍ୟ ଦଶ ହଜାର ହେବ।ରାଜା ଚକିତ ହୋଇ କହିଲେ" କଣ ମୋର ମୂଲ୍ୟ ଦଶ ହଜାର!!" କେବଳ ମୋର ଜୋତା ର ଦାମ୍ ତ ଦଶ ହଜାର।ସୁଶାନ୍ତ କହିଲେ,"ହଁ ଆଜ୍ଞା ଆପଣ ଠିକ୍ କହିଛନ୍ତି। ମୁଁ ତ ସେଇ ଜୋତାଟିର ମୂଲ୍ୟ କେବଳ ତୁଳନା କରିଛି।ସୁଶାନ୍ତ ପୁଣି କହିଲେ,
*ଚରିତ୍ରଂ ପରମ ଧର୍ମଂ ଶ୍ଚାରିତ୍ରମ୍ ପରମ ତପଃ,ଚରିତ୍ରସ୍ୟ ପ୍ରଭାବେନ ତମସ୍ତରନ୍ତି ଦୁସ୍ତରଂ*
ଅର୍ଥାତ୍ ଉତ୍ତମ ଚରିତ୍ର ଆମର ଶ୍ରେଷ୍ଠ ଧର୍ମ।ଚରିତ୍ର ଶୁଦ୍ଧ ଥିଲେ ଦୁସ୍ତର କାର୍ଯ୍ୟ କୁ ସହଜରେ କରିହୁଏ।
ସୁଶାନ୍ତ କହିଲେ,"ହେ ରାଜନ୍! ଆପଣଙ୍କ ଚରିତ୍ରର ମୁଲ୍ୟ କେତେ ଆପଣ ହିଁ ମୂଲ୍ୟାୟନ କରନ୍ତୁ..
ଏହା ଶୁଣି ରାଜାଙ୍କର ହୃଦୟ ପରିବର୍ତ୍ତନ ହୋଇଗଲା ଏବଂ ସେ ସୁଶାନ୍ତ କୁ ଆଲିଙ୍ଗନ କରି କହିଲେ ମୁଁ
ଆପଣଙ୍କର କଥା କୁ ସ୍ଵାଗତ ଜଣାଉଛି।
ଉପରୋକ୍ତ ଗଳ୍ପ ରୁ ଆମେ ଜାଣି ପାରିଲେ କି ଆମ ମାନଙ୍କର ମୂଲ୍ୟ ଅାମେ ହିଁ ମୂଲ୍ୟାୟନ କରିବା।