STORYMIRROR

Sanjitarani Santra

Inspirational

3  

Sanjitarani Santra

Inspirational

ଚଳନ୍ତି ଠାକୁର

ଚଳନ୍ତି ଠାକୁର

2 mins
13.5K


ମଣିଷ ବଡ ନା ଠାକୁର? ଠାକୁରକୁ ମଣିଷ ତିଆରି କରିଛି ନା ମଣିଷକୁ ଠାକୁର?କୁହନ୍ତି, ବିଶ୍ଵାସ ମୂଳରେ ଭଗବାନ । ମାନିଲେ ଠାକୁର, ନ ମାନିଲେ ପଥର । ସବୁ ଯୁଗରେ ବିଶ୍ଵାସ ରହିବ ଆଉ ଅବିଶ୍ଵାସ ବି। ଆଉ ରହିବ ଆଂଶିକ ବିଶ୍ଵାସ ବି । ଏପଟେ ପୂଜା ବି ହବ ଆଉ ସନ୍ଦେହ ବି ରହିବ। ସେ ଯା ହଉ, ଆଜିର ଗପ (କିମ୍ବା କଥାଟି) ଗୋଟେ ବିଶ୍ଵାସ ର ପ୍ରଶ୍ନ ଉପରେ ହିଁ ଆଧାରିତ ।

ଦିନକର କଥା । ଓଡିଶା ମାଟିର ଏକ ପୁଣ୍ୟତିଥି । ପୁରୀ ଶଙ୍ଖ କ୍ଷେତ୍ରରେ ଅସମ୍ଭବ ଭିଡ । ଧଵ ଧଉଳ ଧୋତି ଓ ଲୁଗା ପରିହିତ ହୋଇ ଜଣେ ଦୀପ୍ତିମାନ ସମ୍ପନ୍ନ ବ୍ୟକ୍ତି କାରରୁ ବାହାରିଲେ । ହାତରେ ନୈବେଦ୍ୟରେ ଥାଳି । ବହୁତ ଦୂରରୁ ଆସିଛନ୍ତି.କାରରୁ ପାଖାପାଖି ଶହେ ଗଜ ଦୂରରେ ହିଁ ସିଂହ ଦ୍ଵାର ।

ସମୁଦ୍ରରୁ ଆସୁଥିବା ଜୋରଦାର ପବନର ଗର୍ଜନ, ଶଙ୍ଖ ନାଦ, ଘଣ୍ଟା ଘଣ୍ଟିର ଉଚ୍ଚ ଘୋଷଣା, ବିବିଧ ମହଲର ବୈଷ୍ଣବ ଭକ୍ତିରେ ବଡ ମନ୍ଦିରର ବଡଦାଣ୍ଡ ଉଛୁଳି ପଡୁଛି । ସବୁ ମୁହଁରେ କାଳିଆ କାଳିଆ ନାମ ଘଷି ହଉଛି । ଯିଏ ଆଜି ସମାଜରେ ବଡ ସିଏ ବି ଭିକାରି ହେଇ ଆସିଛି କିଛି ମାଗିବାକୁ । ଯାହାକୁ କାଳିଆ ସବୁ ଦେଇଛି, ସେ ବି ଆଜି ଅଭାବିର ରୂପ ସାଜି ଆସିଛି "ହେ କାଳିଆ, ଭକ୍ତି ଦେ, କୈବଲ୍ୟ ଦେ, ବୈରାଗ୍ୟ ଦେ ।" ଯେ ଦୁଃଖୀ ସେ ତା ଦୁଃଖକୁ ନିବେଦନ କରି କାନ୍ଦି ପଡୁଛି । ଯେ ସୁଖୀ ସେ ବି ଜଗନ୍ନାଥର ଭାବକୁ ହୃଦୟରେ ଏତେ ଭରି ନେଇଛି ଯେ, ଭକ୍ତିର ଆବେଗରେ ଆଖିରୁ ଧାର ଛୁଟୁଛି । ଓଡିଶା ମାଟିରେ ସର୍ବ ପ୍ରିୟ, ସାର୍ବଜନୀନ ସାଥି, ଦୀନବନ୍ଧୁ, ଅନାଥର ନାଥ, ଚଳନ୍ତି ଭଗବାନ ଜଗନ୍ନାଥ ।

କାଳିଆର କଥା ଭାବି ଭାବି ଭଦ୍ର ବ୍ୟକ୍ତି ଜଣକ ଗୋଡ ଧୋଇ, ସିଂହଦ୍ଵାର ଆଡକୁ ଗଲେ. ଉଭୟ ପାର୍ଶ୍ଵରେ ଦଳେ ଭିକାରି । "ବାବୁ କିଛି ମିଳୁ. କାଳିଆ ତୁମକୁ ସବୁ ଦବ ବାବୁ । ନାତି ନାତୁଣୀରେ ଘର ଭରି ଯିବ ବାବୁ । ଗରିବକୁ ଦୟା କର ବାବୁ"

ବାବୁ ଜଣ ଜଣ କରି ସମସ୍ତଙ୍କୁ ରେଜା କାଢି ଦେଲେ । ସମସ୍ତେ କାଳିଆର ଆଶୀର୍ବାଦ ବାବୁ ଉପରେ ଅଜାଡି ଦେଲେ । ଜଣେ ଭିକାରି ଯାହାର ହାତ ଦୁଇ ଗନ୍ଧିଆ କନାରେ ଅଧା ଘୋଡା ହେଇଥିଲା, ସେ ତା ବସିବା ଜାଗାରୁ ଉଠି ଆସିଲା ।

"ହେ ବାବୁ, ମତେ ଚିହ୍ନିଲେ ବାବୁ?"

ଭଦ୍ର ବ୍ୟକ୍ତି ଅଭାବିତ ଘଟଣାରେ ଅତି ଆଚମ୍ବିତ ହୋଇ ଚାହିଁ ରହିଲେ ।

"ବାବୁ ଆପଣ ଯେ କଟକ କୋଟରେ ସବୁଠୁ ବଡ ବାବୁ ହେଇ ବିଚାର ଦଉ ଥିଲେ । ମୁଁ ମଣିଷ ମାରି ଥିଲି ବାବୁ । ଅତି ନିରିମାଖି ମା' ଛୁଆକୁ ନୃଶଂସ ହେଇ ମାରି ଦେଇ ଥିଲି । ମୋର କେହି ସାକ୍ଷୀ ନଥିଲେ ବାବୁ, ଆଉ ପ୍ରମାଣ ଅଭାବରୁ ଆପଣ ମତେ ଛାଡି ଦେଇ ଥିଲେ । ମୁଁ ସେଇ ପଶୁ ।ଜେଲରୁ ସିନା ବାହାରି ଆସିଲି, ମାସକରେ । ହେଲେ କୁଷ୍ଠ ହେଲା ବାବୁ । ଏଇ ଯୋଉ ବାଇଶି ପାହାଚ ଉପରେ କାଳିଆ ବସିଛି ବାବୁ, ସବୁ ଦେଖୁଚି । ସେ ପା ସବୁଠୁ ବଡ ବିଚାରପତି ।"

କୁଷ୍ଠ ରୋଗୀ ତାର ଅତି ମଳିଆ ଦାନ୍ତ ଦେଖେଇ ହସି ହସି ଚାଲିଗଲା ।ବାବୁ ଜଣକ ଏତେ କାବା ହେଇ ଯେଇଁ ଥିଲେ ଯେ, ସିଂହଦ୍ଵାରର security guard ଆସି ବାବୁଙ୍କୁ ଆଗକୁ ବଢ଼େଇ ନେଇ ଗଲା । "ସାର, ଗରମ ଯୋଗୁ ଥକି ଯାଇଛନ୍ତି, ଆପଣଙ୍କ ଗୋଡ ହାତ ଥରୁଛି । ଏଠି ଟିକେ ବସିଯା’ନ୍ତୁ, ଥଣ୍ଡା ପାଣି ଟିକେ ନିଅନ୍ତୁ ?" ପତିତପାବନ ପିଣ୍ଡାରେ ବାବୁ ବସି ପଡିଲେ । ବ୍ୟକ୍ତିଗତ ଆଉ ପେଶା ଗତ ଜୀବନରେ ଅଶେଷ ସଫଳତା ପାଇ, ଜୀବନ ସାରା ଜଗନ୍ନାଥ ପୂଜା କରି,ଜୀବନର ଶେଷ ଭାଗରେ, ସେ' ନିଜ ବିଶ୍ଵାସର ମାତ୍ରାକୁ ଆଜି ତଉଲୁ ଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational