SIPRA NAMTA

Tragedy Others

3  

SIPRA NAMTA

Tragedy Others

ଛୁଆଁ

ଛୁଆଁ

9 mins
7.6K


ସିପ୍ରା ନାମତା ( ନମ୍ରତା )

ସୁଲୁସୁଲିଆ ପବନର ଛୁଆଁରେ ଆଖି ପତା ଖୋଲିବାକୁ ଚେଷ୍ଟା କଲା ମାଧବୀ । ଓଃ ମୁଣ୍ଡଟା କଣ ହୋଇଯାଉଛି !!!ଚତୁଃପାର୍ଶ୍ୱରେ ଘନ ଲଟା ବୁଦା ....କେହି କୁଆଡେ ଦେଖାଯାଉ ନାହାନ୍ତି । ଦେହ ହାତ ଅବଶ ହୋଇଯାଉଛି ।କିଛି ବୁଝିବା ପୂର୍ବରୁ ଚେତନା ହରାଇଲା ସେ ।କେଇଘଣ୍ଟା ପରେ ମାଧବୀ ନିଜକୁ ଆବିଷ୍କାର କଲା ଏକ ଡାକ୍ତରଖାନାରେ ।ନିଜର ଲୋକ ବୋଲି କେହି ନଥିଲେ ତା'ପାଖରେ ।ସେ କିଛି ବୁଝିପାରୁ ନଥିଲା ।ଡାକ୍ତରଖାନାରେ ଅନେକ ଦିନ ରହିବା ପରେ ଦିନେ ତାକୁ ଡିସଚାର୍ଜ ମିଳିଗଲା ।କିନ୍ତୁ ସେ ଯିବ କୁଆଡେ ? ଅନୁସନ୍ଧାନରୁ ଜାଣିବାକୁ ପାଇଛି ,ସେ ବୁଦା ମଧ୍ୟରେ ପଡିଥିଲା ,କେହି ଜଣେ ସହୃଦୟ ବ୍ୟକ୍ତି ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଦେଇଥିଲେ ।

        ଅନେକ ଦିନ ରହିଲା ସେ ଏଠି । ମାନେ କେତେ ଦିନ ?? ମନେ ମନେ ଘାଣ୍ଟି ହେଉଥିଲା ସେ ।ରିପୋର୍ଟକୁ ଦେଖିଲା ନିରିଖେଇ ,ୟା ଭିତରେ ଚାରିମାସରୁ ଉର୍ଦ୍ଧ୍ବ ବିତିସାରିଲାଣି ।ଏତେ ଦିନ ??ପୁଣି ତାକୁ କେହି କିଛି କହୁନାହାନ୍ତି କାହିଁକି ? ଡାକ୍ତର କିମ୍ବା ନର୍ସ କେହି ବି ??ସମସ୍ତେ ବ୍ୟସ୍ତ ନିଜ ନିଜ କାମରେ ।

ଏମିତି କଣ ହୋଇଥିଲା ଯେ , ମସ୍ତିଷ୍କରେ ଯେତେ ଜୋର ଦେଇ ଚିନ୍ତା କରୁଥିଲା ସେତେ ବିଫଳ ହେଉଥିଲା ସେ । କାହାକୁ ଚିହ୍ନିବା ପରି ଲାଗୁ ନଥିଲା ।ଇଛା ହେଉଥିଲା ଭୋ -ଭୋ ହୋଇ ରଡି କରି କାନ୍ଦିବାକୁ ।ହୁଏତ ସବୁ ଏକତ୍ରିତ ହେଲେ କେହି ପରିଚିତ ଲୋକ ମିଳିପାରନ୍ତା ।ଚିନ୍ତାରେ ଛାତି ରୁନ୍ଧି ହୋଇଯାଉଥିଲା ବେଳେ ଜଣେ ମଧ୍ୟବୟସ୍କ ଭଦ୍ର ବ୍ୟକ୍ତି ଆସି ତା' ସମ୍ମୁଖରେ ଠିଆ ହେଲେ ଏବଂ ନିଜର ପରିଚୟ ଦେଇ ,ସେ ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର ଡ଼.ସତ୍ୟାନନ୍ଦ।

ସେ ତାକୁ ନେଇଗଲେ ଗୋଟେ ମହିଳା ଆଶ୍ରମରେ ରହିବାର ସୁବ୍ୟବସ୍ଥା କରିଦେଲେ ।ସ୍ମୃତି ଶକ୍ତି ହରାଇଥିବା ମାଧବୀର ନୂତନ ନାଁ ହେଲା ନିର୍ମଳା ।ସେ ଆଶ୍ରମରେ ମହିଳା ମାନଙ୍କ ଦ୍ୱାରା ଅନେକ କାର୍ଯ୍ୟକ୍ରମ ହେଉଥିଲା ।ଚାଷ କାମ, ବିଭିନ୍ନ ଫୁଲ ଫଳ ଉତ୍ପନ୍ନ କାର୍ଯ୍ୟରେ ତଥା ଆହୁରି ଅନେକ କାମରେ ନିଜକୁ ନିୟୋଜିତ କରି ରହିଲା ମାଧବୀ ।

            ସତ୍ୟାନନ୍ଦ ବାବୁ ପ୍ରାୟ ଆସନ୍ତି ନିର୍ମଳାର ଭଲମନ୍ଦ ବୁଝିଦେଇ ଯାଆନ୍ତି ।ନିର୍ମଳା ଆଶ୍ରମକୁ ଆସିବା ପରେ ଢେର ବଦଳି ଯାଇଛି ।ଚିତ୍ର ଆଙ୍କିବା ଓ କପଡା ଉପରେ ସୁନ୍ଦର ଚିତ୍ର କରିବାରେ ସେ ସିଦ୍ଧ ହସ୍ତା ଥିଲା ଯାହା ଫଳରେ ନିର୍ଜୀବ ବସ୍ତୁକୁ ବି ସଜୀବ କରିଦେଉଥିଲା ।ଆଶ୍ରମରେ ସମସ୍ତେ ତାକୁ ସେଥିପାଇଁ ଭଲ ପାଉଥିଲେ ଓ ପ୍ରଶଂସା କରୁଥିଲେ । ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତୀଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଆଶ୍ରମକୁ ନିମନ୍ତ୍ରଣ ଆସିବାରୁ ନିର୍ମଳା କୁ ସେଥିରେ ଭାଗ ନେବାର ସୁଯୋଗ ମିଳିଲା ।ନିଜ ପ୍ରତିଭାର ସଦୁପଯୋଗ କରି ବିଜୟ ମଣ୍ଡିତା ହେଲା ସେ ଏବଂ ଏଥିପାଇଁ ବିଭିନ୍ନ ଖବର କାଗଜର ଶିରୋନାମା ମଣ୍ଡନ କରିଥିଲା ତା'ଚିତ୍ର ।ସେଇ ଖବରକୁ ଆଧାର କରି ଜଣେ ସୌମ୍ୟଦର୍ଶନ ଯୁବକ ଆସିଲେ ଆଶ୍ରମକୁ ।

                        ନିର୍ମଳା ବିଷୟରେ ଅନେକ ପ୍ରଶ୍ନ ଉଙ୍କିମାରୁଥିଲା ଯୁବକଙ୍କ ମନରେ ।ସେଗୁଡିକୁ ଦୂର କରିବା ନିମନ୍ତେ ସେ ଆଶ୍ରମର ପରିଚାଳିକାଙ୍କ ସହାୟତା ଲୋଡିଲେ ।ଯୁବକଙ୍କ ଠାରୁ ପରିଚାଳିକା ନିର୍ମଳାର ପୂର୍ବର ଫୋଟୋ ଓ କଥା କାହାଣୀ ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ଆଉ ତିଳେ ମାତ୍ର ସନ୍ଦେହ ନ ଥିଲା ଯେ ନିର୍ମଳା ହିଁ ମାଧବୀ ।କିନ୍ତୁ ନିର୍ମଳା ସହିତ ସାକ୍ଷାତକାର ହେଲା ପରେ ମଧ୍ୟ ସେ ଯୁବକଙ୍କୁ ଚିହ୍ନି ପାରି ନ ଥିଲା ସ୍ମୃତି ଶକ୍ତିର ଲୋପ ଯୋଗୁଁ। ତେଣୁ ଡ଼.ସତ୍ୟାନନ୍ଦ ଓ ଆଶ୍ରମ ପରିଚାଳିକାଙ୍କ ସହାୟତାରେ ନିର୍ମଳାର ଚିକିତ୍ସାର ସୁ ବନ୍ଦୋବସ୍ତ କରିବା ପାଇଁ ସେ ନିବେଦନ କରିଥିଲେ ଏବଂ ସେହି ଆଶ୍ରମରେ ହିଁ ହେଉ ବୋଲି ତାଙ୍କର ମତ ଥିଲା । ଯୁବକଙ୍କ ଅଦମ୍ୟସାହସ ,ଧୈର୍ଯ୍ୟ , ଉତ୍ସାହ ,ନିଷ୍ଠା ଓ ସାହାଚର୍ଯ୍ୟ ଯୋଗୁଁ ନିର୍ମଳା ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା ଓ ସ୍ମୃତ୍ତିରୁ ଗୋଟିଏ ଗୋଟିଏ ମନେ ପଡ଼ିବାକୁ ଆରମ୍ଭ କଲା ।ଆଉ ସେ ଦିନ ବି ଫେରି ଆସିଲା ଯେଉଁ ଦିନ ନିର୍ମଳା ଭିତରେ ଲୁଚି ରହିଥିବା ମାଧବୀର ଅସ୍ତିତ୍ବ ସମ୍ପୂର୍ଣ୍ଣ ଭାବରେ ଫେରିଆସିଲା ।

ଅତୀତର ଘଟଣାବଳୀ ,ବାପା ମାଆଙ୍କ କଥା ମନେ ପକେଇ କୋହ ଆସିବା ସହ ଲୁହ ଝରିଯାଉଥିଲା ଆଖିରୁ ।ଏତେ ବର୍ଷ ସେ ଯେ କିପରି ସେମାନଙ୍କ ବିଚ୍ଛେଦରେ କଟାଇଛି .....ଆଉ ଏବେ ଆଶ୍ରମରୁ ବିଦାୟ ନେବାର ବେଳା ଆସିଯାଇଥିଲା ।

********

କବାଟରେ ଠକ ଠକ ଶବ୍ଦ ଶୁଣି ଦ୍ୱାର ଖୋଲି ନିଜ ସମ୍ମୁଖରେ ମାଧବୀକୁ ଦେଖି ହତବମ୍ବ ହୋଇଯାଇଥିଲେ ସୁଧାକର ବାବୁ । ଷାଠିଏ ବର୍ଷ ବୟସ ପାଖାପାଖି ହେଲାଣି ତାଙ୍କୁ । ସେ ନିଜ ଚକ୍ଷୁ ଉପରେ ବିଶ୍ୱାସ କରିପାରୁ ନ ଥିଲେ । ଲୁହର ଧାର ତାଙ୍କ ଦୁଇ ଆଖିରୁ ତଳକୁ ଓଲ୍ହାଇ ଗାଲକୁ ଓଦା କରିଦେଲା ।ବା ....ପା କହି ମାଧବୀ ସୁଧାକର ବାବୁଙ୍କୁ ଜାବୁଡି ଧରିଥିଲା ।ନିଜର ଏକମାତ୍ର ଅଲୀଅଳି କନ୍ୟାକୁ ଫେରି ପାଇବାର ଏହି ଅପୂର୍ବ ମୁହୂର୍ତ୍ତକୁ ଭୁଲିପାରିବେ ନାହିଁ ,ଯାହା ପାଇଁ ମାଆ ଶାନ୍ତିଲତା ଶଯ୍ୟାଶାୟୀ ହୋଇ ଯାଇଛନ୍ତି ,ସେ ନିଜେ ଚାକିରୀରେ ଅନେକ

ଦିନ ଅନୁପସ୍ଥିତ ରହିଛନ୍ତି ।ବାରମ୍ବାର ଥାନା କଚେରୀ ଦ୍ୱାରସ୍ଥ ହୋଇ ଶେଷରେ ନିରୁପାୟ ହୋଇ ନିୟତି ଉପରେ ଛାଡିଦେଇ ନିରୁପାୟ ହୋଇ ରହିଛନ୍ତି ।ଏତେ ଦିନ ପରେ ଝିଅକୁ ପାଇ ତାଙ୍କୁ ସ୍ବପ୍ନ ପରି ଲାଗୁଥିଲା ।ଗଭୀର ଆବେଗରେ ମାଆ ପାଖକୁ ଯାଇ ମନ ଭରି କାନ୍ଦିଲା ମାଧବୀ ।ତାକୁ ଘରକୁ ଫେରାଇ ଆଣିଥିବା ବ୍ୟକ୍ତି ଡ଼. ମାନସାଗର ବୋଲି ପରିଚୟ ପାଇବା ପରେ ଆନନ୍ଦରେ ଭିଡି ଧରି କାନ୍ଦିପକାନ୍ତି ସୁଧାକର ବାବୁ ।

ମାଧବୀ ଫେରିଲାଣି ,ଏବେ ସବୁ ଠିକ୍ ହୋଇଯିବ ବୋଲି ସେ ନିଜକୁ ଶାନ୍ତ୍ବନା ଦେଉଥିଲେ ଯେପରି ।

                      ମାନସାଗର ଶାନ୍ତିଲତାଙ୍କୁ ଆରୋଗ୍ୟ କରିବାର ଯଥାସମ୍ଭବ ଚେଷ୍ଟା କରିବାର ପ୍ରତିଶ୍ରୁତି ଦେଇ ଚାଲିଯାନ୍ତି ।ମାଧବୀର ମନେ ପଡେ କଲେଜରେ ପଢିବା କଥା,-------ମାନସାଗର ଥିଲେ ବିଜ୍ଞାନର ଛାତ୍ର ଓ ସେ ଥିଲା କଳାର ଛାତ୍ରୀ ।ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା ପରେ ସେ ଅନ୍ୟତ୍ର ଚାଲିଯାନ୍ତି କିନ୍ତୁ ଯିବା ପୂର୍ବରୁ ଶୁଣେଇ ଯାଇଥିଲେ ଅନେକ କଥା ଯାହା ଶୁଣି ମାଧବୀର ଶରୀରରେ ଶିହରଣ ଖେଳିଯାଇଥିଲା ।ଅପେକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲା ମାଧବୀ ।ଘରେ ଯେତେବେଳେ ମାଧବୀକୁ ସ୍ନାତକୋତ୍ତର ପଢ଼ାଇବା ପାଇଁ ସିଦ୍ଧାନ୍ତ ନେଲେ ସେ ସହରକୁ ଗଲା । ସେତେବେଳେ ହଠାତ ଦିନେ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀରେ ମାନସାଗରଙ୍କୁ ଦେଖି ସେ ରୋମାଂଚିତ ହୋଇଉଠେ ।ପୂର୍ବ ସ୍ମୃତ୍ତି ପୁଣି ମନ ଝରକାରେ ଦେଖାଯାଏ ।କେମିତି କଲେଜରେ ଏମିତି ହଠାତ କିଛି ବାତରା ପିଲାଙ୍କ ଧକ୍କାରେ ମାନସାଗର ସହିତ ଧକ୍କା ଲାଗି ଗୁରୁତର ଆକ୍ରୋଶରେ ଜଳିଉଠୁଥିବା ବେଳେ ମାନସାଗର ପ୍ରତି ଅହେତୁକ ଦୁର୍ବଳତା ବଢିଯାଇଥିଲା, ଯାହା ଶେଷରେ ପ୍ରେମରେ ରୂପାନ୍ତରିତ ହୋଇଥିଲା ,ଆଉ ଡାକ୍ତରୀ ପଢିବାକୁ ଯିବା ପୂର୍ବରୁ ସେଇକଥା ଜଣାଇଦେଇଥିଲେ ମାନସାଗର ।ଏତେ ଦିନ ଏକାଠି ପଢିବା ସମୟରେ କେବେ କିଛି କହି ନ ଥିବା ପିଲା ଡାକ୍ତରୀ ପଢିବାକୁ ଯିବାବେଳେ ହୃଦୟର ଗଭୀରତମ ପ୍ରଦେଶରୁ ମାଧବୀକୁ ଭଲପାଆନ୍ତି ଆଉ ଶେଷ ପର୍ଯ୍ୟନ୍ତ ପାଉଥିବେ କହି ତାକୁ ଚମକାଇ ଦେଇଥିଲେ ।

****

ଆଉ ଆଜି ଲାଇବ୍ରେରୀରେ ସମ୍ନାସାମ୍ନି ହୋଇଗଲା ପରେ ସେ କେମିତି ନିଜ ଭିତରେ ଜଡତା ଅନୁଭବ କଲାବେଳେ ମାନସାଗର କେମିତି ପ୍ରଗଳଭ ପାଲଟି ଯାଇଥିଲେ ସେ ଲକ୍ଷ୍ୟ କରୁଥିଲା ।ଲାଇବ୍ରେରୀରୁ ବାହାରି କଫିସପରେ ବସି ବସି ଅନେକ ସମୟ ଏକାଠି କଥାବାର୍ତ୍ତ ହୋଇଥିଲେ ଦୁହେଁ ।ମାନସାଗର ଜଣାଇ ଦେଇଥିଲେ ସେ କେବେ ବି ମାଧବୀକୁ ଭୁଲି ନାହାନ୍ତି ,ଅବଶ୍ୟ ପାଠ ପଢା ବ୍ୟସ୍ତତା ଭିତରେ କେବେ ଫେରିବାକୁ ସମୟ ପାଇ ନାହାନ୍ତି ।

         ବର୍ତ୍ତମାନ ମାନସାଗର ଜଣେ ପ୍ରତିଷ୍ଠିତ ଡାକ୍ତର ।ସେ ଦିନର କଥା ସବୁ ମନେପକାଉ ପକାଉ ମାଧବୀର ଆଖି ଓଦା ହୋଇଆସିଲା । ନିଜ ଉପରେ ଘୃଣା ଆସିଲା ଅତୀତ କଥା ମନେ ପକାଇ ।ହୁଏତ ସେହି ଅଘଟଣ ଘଟି ନ ଥିଲେ ସେ ମାନସାଗରଙ୍କ ହାତ ଧରି ଅନେକ ବାଟ ଚାଲି ଥାନ୍ତା ।କିନ୍ତୁ ଏବେ ସେ ଅସ୍ପୃଶ୍ୟ ,ଅପବିତ୍ର ।କେମିତି ସେ ମାନସାଗରଙ୍କୁ ଅନ୍ଧାରରେ ରଖି ଧୋକା ଦେଇପାରିବ ? କଣ କରିବ .....ଭାବି ଭାବି ଚିନ୍ତାରେ ଆଖି ମୁଦିହୋଇଗଲା ବେଳେ ମାନସାଗରକୁ ନେଇ ସୁନ୍ଦର ସ୍ୱପ୍ନରେ ମୋହାଛନ୍ନ ହୋଇଗଲା ।

           ବହୁତ ଚେଷ୍ଟା କରିବା ପରେ ମାନସାଗର ମାଧବୀର ସହରକୁ ବଦଳି ହୋଇ ଆସିଲେ ।ମାଧବୀର ମାଆଙ୍କର ଚିକିତ୍ସା ଦାୟିତ୍ବ ତାଙ୍କ ଉପରେ ଥିଲା ।ତେଣୁ ପ୍ରାୟତଃ ମାଧବୀର ତାଙ୍କ ସହ ଦେଖା ହେଉଥାଏ ।ମାନସାଗର ମନଧ୍ୟାନ ଦେଇ ଚିକିତ୍ସା କରୁଥିଲେ ।ଦିନେ ମାଧବୀ ସ୍ଥାନରେ ସୁଧାକର ବାବୁ ହସ୍ପିଟାଲ ଆସିଥିଲେ ।ମାଧବୀ କଥା ପଚାରିବା ପରେ ସୁଧାକର ବାବୁ କହିଲେ "ସେ ଘରେ ଅଛି ।"।ସେ କଥା ଜାଣିବା ପରେ ମାନସାଗର ରାତିରେ ଡ୍ୟୁଟି ଅଛି କହି ,ମାଧବୀ ପାଖରେ ଯାଇ ପହଞ୍ଚିଗଲେ ତାଙ୍କୁ ଏକା ନିଜ ଘରେ ଦେଖି ଆଶ୍ଚର୍ଯ୍ୟ ହେଲା ମାଧବୀ ।ମାନସାଗର ଏଣୁ ତେଣୁ ଅନେକ କଥା ହେବା ପରେ ମାଧବୀର ନୀରବତାକୁ ଦେଖି ପଚାରିଲେ --"ତୁମେ ଏମିତି କେମିତି ନୀରବ ରହିପାରୁଛ ?

     ମାଧବୀ କିଛି କହି ନ ଥିଲା କିନ୍ତୁ ତା'ଆଖିରୁ ଅବାରିତ ଲୁହର ଧାରା ବୋହିବାକୁ ଲାଗିଲା ।ମାନସାଗର କିଛି ବୁଝିପାରିଲେ ନାହିଁ ।ମାଧବୀକୁ କୋଳେଇ ନେବାକୁ ଇଛା ହେଉଥିଲା ,ତା'ର ମୁହଁରେ ଅଜସ୍ର ଚୁମ୍ବନର ବର୍ଷା କରିଦେବା ପାଇଁ କିନ୍ତୁ ପାରୁ ନଥିଲେ । ନିଜ ବାହୁ ଦୁଇଟିକୁ ପ୍ରସାରିତ କରି କୋଳେଇନେବା ଉଦେଶ୍ୟରେ କହିଲେ ,"ପ୍ଲିଜ ମଧୁ ଅନୁମତି ଟିକେ ଦିଅ ....!!

ମାଧବୀ ପ୍ରସ୍ତର ମୂର୍ତ୍ତି ଭଳି ଚାହିଁ ରହିଥିଲା ।ଅସୀମ ବ୍ୟଥାରେ ତା'ର ହୃଦୟ ବିଦାରି ଯାଉଥିଲା ।ତା'ର ପରମ ଇପ୍ସିତ ପୁରୁଷ ସମ୍ମୁଖରେ ବାହୁ ପ୍ରସାରି ଠିଆ ହୋଇଛନ୍ତି ଅଥଚ ସେ ନିଜେ ସେହି ବହୁବନ୍ଧନକୁ ଯାଇ ପାରୁନି ।ମାନସାଗରର ଅନୁରୋଧରେ ଶେଷରେ ଗଭୀର ଅନ୍ତର୍ଦ୍ୱନ୍ଦରେ ଭାଙ୍ଗି ପଡି ଚିତ୍କାର କରି ଉଠିଲା ,"କାହିଁକି .....କାହିଁକି ମୋତେ ଭଲ କରୁଥିଲ ??ମୁଁ ତ ସବୁ ଭୁଲିଯାଇ ଭଲରେ ଥିଲି ।"ମାନସାଗର କିଛି ବୁଝିପାରିଲେନି ,"କେମିତି ତୁମକୁ ଛାଡିପାରିଥାନ୍ତି ??ତୁମ ଜୀବନଟା ନର୍କ ମୟ ହୋଇଯାଇଥିଲା । ମୁଁ ସବୁ ଜାଣି ସୁଦ୍ଧା

କେମିତି ନୀରବ ରହିଥାନ୍ତି ? "ମାନସାଗର ମାଧବୀର ଉତ୍ତରକୁ ଅପେକ୍ଷା ନ କରି ତାକୁ ନିଜ ବାହୁ ବନ୍ଧନରେ ବାନ୍ଧି ରଖିଲେ। ତା' ଆଖିରୁ ଝରି ଆସୁଥିବା ଲୁହକୁ ପୋଛିବାର ବୃଥା ପ୍ରୟାସ କରୁ କରୁ କହୁଥିଲେ -- "ମାଧବୀ ତୁମେ ଥରେ ମୋ କଥା ଭାବି ଦେଖ । ଏ ହୃଦୟରେ କେବଳ ତୁମେ ମଧୁ ....କେବଳ ତୁମେ ହିଁ ଅଛ ।ଆଉ ତୁମେ ମଧ୍ୟ ମୋତେ ସେତିକି ଭଲ ପାଅ ।ଆମ ଜୀବନକୁ ଆମେ କଣ ପରିପୂର୍ଣ୍ଣତା ଦେଇପାରିବା ନାହିଁ ।ଆଉ ତୁମ ପାଇଁ ମୁଁ ଯେଉଁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛି ତାହା କଣ ଅସମ୍ପୂର୍ଣ୍ଣ ରହିଯିବ ??ତୁମ କଥା ଚିନ୍ତା କରି କରି ହିଁ

ତ ମୁଁ ଏତେ ଦୂର ଆସିଛି ।ମୁଁ କେବଳ ତୁମକୁ ହିଁ ଭଲ ପାଇଛି......କାୟ ମନୋବାକ୍ୟରେ ,ଭୋଗବିଳାସ ,ବ୍ୟସନ କିଛି ବି ଚାହେଁନା । ତୁମକୁ ହରାଇବା ପରେ ଅନେକ କଷ୍ଟ ଭୋଗିଛି ।ଏବେ କିନ୍ତୁ ଆଉ ସେ କଷ୍ଟ ସହ୍ୟ ହେବ ନାହିଁ । ତୁମେ କେବଳ ମୋର ବୋଲି କହିଦିଅ "।ମାନସାଗରର କଥା ସବୁ ମାଧବୀର କାନରେ ପଶି ବାହାରି ଯାଉଥିଲା ସେ ନୀରବରେ କେବଳ ଅତୀତର କିଛି ଘଟଣାକୁ ମନେ ପକାଉଥିଲା ..............।

    ମାଆ ପଛରୁ ଡାକ ଦେବା ସତ୍ତ୍ୱେ ତରବର ହୋଇ ସେ ଘରୁ ବାହାରି ଆସିଥିଲା କଲେଜରେ ପଢ଼ୁଥିବା ବାନ୍ଧବୀ ନିରାଗୀର ବିବାହୋତ୍ସବରେ ସାମିଲ ହେବା ପାଇଁ ।ନିରାଗୀ କହିଥିଲା ତା'ଗାଁ ପାଖ ଆସିଲେ ଗୋଟେ ବୁଢା ବରଗଛ ପାଖରେ ବସିରହିବ ସେଠାରେ ଓଲ୍ହାଇ ପଡିବ ସେ ଆଉ ଯେ କେହି ଜଣେ ଆସି ତାକୁ ନେଇଯିବ ।ସେଇ ବସ ଷ୍ଟପେଜରୁ ଆଉ ଅଳ୍ପ ବାଟ ମାତ୍ର ତାଙ୍କ ଘର ।ଘରେ ବାପା ମାଆଙ୍କୁ କହି ଦେଇ ଆସିଥିଲା ,ଫେରିବାରେ ବିଳମ୍ବ ହେବ ।ପିଲାଦିନର ସାଙ୍ଗ ବୋଲି ତା'ବିବାହରେ ଯୋଗ ଦେବାକୁ ଚାହୁଁଥିଲା ସେ ।

ବର ଗଛ ନିକଟରେ ସେ ଓଲ୍ହାଇ ଅପେକ୍ଷା କରିଥିଲା କେହି ଜଣେ ଆସି ନେଇଯିବ ନିରାଗୀ ଘରକୁ ।ସେଇ ସମୟରେ ଅପେକ୍ଷାକୃତ ଯୁବକ ଦେଖା ଯାଉଥିବା ଜଣେ ବ୍ୟକ୍ତି ବାଇ ରେ ଆସି ପହଁଚିଲା ଆଉ ମାଧବୀ ପାଖରେ ଗାଡି ଅଟକାଇବା ପରେ ନିରାଗୀ ଘର ଲୋକ ହୋଇଥିବ ଭାବି ସେ ଗାଡିରେ ବସି ଯାଇଥିଲା ।କିଛିବାଟ ଆଗେଇବା ପରେ ଭୁଲ ରାସ୍ତାରେ ଯାଉଥିବାର ଜାଣି ସେ ପ୍ରତିରୋଧ କରିବାରୁ ସେ ବ୍ୟକ୍ତି ଗାଡି ଅଟକାଇ ମାଧବୀକୁ ଧକ୍କା ଦେଇ ଅର୍ଥ ଦାବୀ କରିଥିଲା ।ହିନ୍ଦୀ ଭାଷାରେ ଅଶ୍ଳୀଳ ମନ୍ତବ୍ୟ ଦେଇ ଅଶାଳୀନ ବ୍ୟବହାର କରିବାକୁ ଉଦ୍ୟତ ହେଲା ବେଳକୁ ମାଧବୀ ଆତ୍ମ ରକ୍ଷା ପାଇଁ ପ୍ରାଣ ବିକଳରେ ଧାଇଁ ଚାଲିଥିବା ବେଳେ ସେଇ ବ୍ୟକ୍ତି ସହିତ ଆଉ କିଛି ବ୍ୟକ୍ତି ମଧ୍ୟ ମିଶି ଦଉଡି ଆସୁଥିଲେ ।ଏହି ସମୟରେ ମାଧବୀର ମଥା ପଛରେ ଏକ ଶକ୍ତ ଜିନିଷ ଜୋରରେ ଆସି ବାଜିଥିଲା ଆଉ ସେଇଠି ହିଁ ସେ ଟଳି ପଡିଥିଲା ।ତା'ଚେତା ହରାଇବା ପୂର୍ବରୁ ସେଇ ଘନ ଲଟା ବୁଦା ଭିତରେ ଚାରି ପାଞ୍ଚ ଜଣଙ୍କ ଛାଇ ସେ ଦେଖିବାକୁ ପାଇଥିଲା ଏବଂ ବୁଝିପାରୁ ନ ଥିଲା ସେମାନେ କାହିଁକି ତାକୁ ହତ୍ୟା କରିବାକୁ ଚାହୁଁ ଥିଲେ ।

*****

           ଏସବୁ କଥା ଶୁଣିବା ପରେ ମାନସାଗର କହିଲେ ,"ସେମାନେ ତୁମର ପରିଚୟ ପାଇ ନଥିଲେ ବୋଲି ଏ ସବୁ ହୋଇଗଲା । ସେଇ ବ୍ୟକ୍ତି ମାନେ ଗୋଟିଏ ନିଶା କାରବାର କରୁଥିବା ଗ୍ୟାଙ୍ଗ ଥିଲା ।ସେହି ଗ୍ୟାଙ୍ଗକୁ ଜଣେ ମହିଳାଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଥିଲା ।କିନ୍ତୁ ସେ ମହିଳାଙ୍କୁ ଏସବୁ ଯୋଜନା ସମ୍ବନ୍ଧରେ କେମିତି ଖବର ଜଣାପଡିଯାଇଥିବାରୁ ସେ ସେଇ ବସ ଭିତରେ ରହିଯାଇଥିଲା। ତା' ସ୍ଥାନରେ ତୁମକୁ ଦେଖି ସେମାନେ ସେଇ ମହିଳା ବୋଲି ଧରିନେଲେ ।"

---"ଓଃ ...କିନ୍ତୁ ତୁମେ ଏତେ ସବୁ କଥା କେମିତି ଜାଣିଲ " ?

ମାଧବୀ ସନ୍ଦିହାନ ହୋଇ ପ୍ରଶ୍ନ କଲା ।

ମାନସାଗର ବୁଝେଇ ଦେଇଥିଲେ ଏସବୁ କଥା ଡ଼ ସତ୍ୟାନନ୍ଦ ତାଙ୍କୁ ଜଣାଇଥିଲେ । ସେ ଆର୍ମିରୁ ଅବସର ନେବା ପରେ ଗୋଇନ୍ଦା ବିଭାଗର ଏକ ପଦସ୍ଥ ଅଧୀକାରୀ । ଏହି ଅଞ୍ଚଳରେ ଚୋରାରେ ନିଶା ଦ୍ରବ୍ୟ କାରବାର ହେଉଥିବା କଥା ସେ ଜାଣିଥିଲେ ।ଯେଉଁ ଦିନ ତୁମ ଉପରେ ଆକ୍ରମଣ ହେଲା ସେହି ଦିନ ସେହି ବସରେ ନିଶା ଦ୍ରବ୍ୟ ନେଇ ସେଇ ମହିଳା ଆସୁଥିଲେ ।ସେ ଯାହା ହେଉ ସତ୍ୟାନନ୍ଦ ବାବୁଙ୍କ ଯୋଗୁଁ ସେହି କାରବାର ରାକେଟର ପର୍ଦ୍ଦା ଫାଶ ହୋଇଛି ।ଦୋଷୀ ମାନେ ଧରା ପଡିଛନ୍ତି ।"

ମାଧବୀକୁ ଲାଗୁଥିଲା ତା'ମୁଣ୍ଡରେ ଥିବା ଏକ ବହୁତ ବଡ ବୋଝ ଦୁରେଇ ଯାଇଛି । ସେ ଆଶ୍ଚର୍ଯ୍ୟ ହୋଇ ମାନସାଗରଙ୍କୁ ଦେଖୁଥିଲା ,ଆଉ ସେ କହୁଥିଲେ ""ଛାଡ ସେ ପୁରୁଣା କଥା ...ତୁମେ ତ କୌଣସି ଅପରାଧ କରି ନାହଁ ,କାହିଁକି ଅପରାଧ ବୋଧରେ ନିଜକୁ ଶାସ୍ତି ଦେଉଛ ??

ମାଧବୀ ମାନସାଗରଙ୍କୁ ଜାବୁଡି ଧରି ତାଙ୍କ ପ୍ରଶସ୍ତ ଛାତିରେ ମୁଣ୍ଡ ଗୁଞ୍ଜି ଆଶ୍ୱସ୍ତି ଅନୁଭବ କରୁଥିଲା ବେଳେ ମାନସାଗର ମାଧବୀ ସହ ଅଚେତନ ଅବସ୍ଥାରେ ଘଟିଥିବା ପାଶବିକତାକୁ ନିଜ ଭିତରେ ସମାଧି ଦେଇ ଦେଲେ । ପବିତ୍ର ପ୍ରେମରେ ମାଧବୀ ସହିତ ଘଟିଥିବା ସବୁ ପାପ ଧୋଇ ହୋଇ ଯାଉଥିଲା ଏବଂ ପ୍ରେମର ପୁଣ୍ୟତୋୟାର ଛୁଆଁରେ ଏକ ମଧୁର ମିଳନର ହସ ଝଲସି ଉଠୁଥିଲା ଦୁହିଁଙ୍କ ମୁହଁରେ ..........।।।

ବାରିପଦା ।


Rate this content
Log in

Similar oriya story from Tragedy