ଚାଷି ଆତ୍ମହତ୍ୟ
ଚାଷି ଆତ୍ମହତ୍ୟ
ନିଜ ଖେତ ଚାରିପଟେ ଥରେ ବୁଲି ଆସିଲେ ଭାରି ଭଲ ଲାଗେ ଚକ୍ରଧର କୁ !ସବୁ ଦିନ କିଛି ଚାଷ ନ ଥିଲେ ବି ଖେତ ତାକୁ ଆକର୍ଷଣ କରିଥାଏ !ଖେତ ହୁଡ଼ା ରେ କିଛି ସମୟ ବସିବା ଓ ପାଖ ଜଙ୍ଗଲ ରୁ ଦାନ୍ତ କାଠି ଧରି ଘରକୁ ଆସିବା ଯେମିତି ତା ନିତିଦିନିଆ କାମ ! ଗାଁ ରୁ କିଛି ଦୂରରେ ବୁଦୁବୁଦୁକିଆ ଜଙ୍ଗଲ ମଝିରେ ତା ଖେତ !ବାଉଁଶ ଗଛ ର ଭିଡ ମଝିରେ ଖେତ !ଜାଗା ଟା ବଢିଆ ଲାଗେ !ବେଶୀ ଜମି ନାହିଁ ଚକ୍ରଧର ର ଏଇ ଦୁଇ ଏକର ହେବ କିନ୍ତୁ ତାକୁ କେବେ ଅସୁବିଧା ହୋଇ ନାହିଁ ! ବାପା ଯେଉଁ ଛୋଟ କୂଅ ଖୋଳାଇଥିଲେ ସେ କୂଅ ବର୍ଷ ସାରା ପାଣି ଯୋଗାଇଦିଏ !ଧାନ ଚାଷ ପରେ ପରିବା ଚାଷ କରି ଗୁଜୁରାଣ ମେଣ୍ଟି ବାରେ କିଛି ଅସୁବିଧା ହୁଏ ନାହିଁ ! !
ସାରା ପରିବାର ଖଟନ୍ତି ଆଉ ଏଇ ମାଟି ମା ତାକୁ କେବେ ନିରାଶ କରି ନି !ପରିବାର କହିଲେ ସ୍ତ୍ରୀ ମାଳତି ଝିଅ ଗୀତା ଯେ କି ପାଖ ମହାବିଦ୍ୟାଳୟ ରେ ପଢୁଛି ଓ 10 ବର୍ଷ ର ପୁଅ ମନୋଜ !ବାାପା ମା ଗଲା ପରେ ଏଇ ମାନଙ୍କୁ ନେଇ ତାର ସଂସାର !ଅବଶ୍ୟ ହଳେ ବଳଦ ଆଉ ତିନୋଟି ଗାଇ ବି ତା ସଂସାର ରେ ଅଛନ୍ତି !ସେମାନଙ୍କୁ ନିଜ ପରିବାର ଠାରୁ କମ ଭବେନି ସେ !ଛୋଟ ଦି ବଖରା ମାଟି ଘର ଗୋଟିଏ ଗୁହାଳ ଅଳ୍ପ କିଛି ଗୁଣ୍ଠ ର ବାଡ଼ି କୁ ନେଇ ଏକ ମଧ୍ୟ୍ୟବିତ୍ତ ଜୀବନ ରେ ବେଶ ଖୁସି ରହେ ସେ !
ବାପାଠୁ ଶୁଣିଛି ତାର ତ ଜନ୍ମ ହୋଇ ନ ଥିଲା ହୀରାକୁଦ ବନ୍ଧ ଯେଉଁଠି ଏବେ ଅକାତ କାତ ପାଣି ଭରି ରହିଛି ଠିକ ତାର ମଝିରେ ଥିଲା ତାଙ୍କ ଗାଁ, ଯେଉଁଠି ଇବ ନଦୀ ଯାଇ ମହାନଦୀ ରେ ମିଶୁଥିଲା !ଛୋଟ ଚାଷୀ ଥିଲେ ସେମାନେ !ବନ୍ଧୁ ପରିବାର ଧରି ଯେଉଁ ସୁଖ ରେ ରହୁଥିଲେ ତାହା ବାପା ସବୁବେଳେ ମନେ ପକାଉ ଥିଲା !ଭାଗ୍ୟ ଆଣି ଏଇଠି ପକାଇ ଥିବାରୁ ସବୁବେଳେ ଭାଗ୍ୟ କୁ ନିନ୍ଦୁ ଥିଲା !ଯାହା ଯେତିକି ମିଳିଥିଲା ଏଇ ଘରଡ଼ିହ ରେ ସରିଯାଇଥିଲା !ଅନ୍ୟ କୌଣସି କାମ ଜାଣି ନ ଥିବାରୁ ଏକ ଅଜଣା ଅଶୁଣା ଜାଗା ରେ ସର୍ବସ୍ୱାନ୍ତ ହୋଇ ତା ବାପା ଅଜା ଭାଗ ଚାଷ କୁ ବଞ୍ଚିବାର ଶେଷ ପନ୍ଥା ରୂପେ ବାଛି ବାକୁ ବାଧ୍ୟ୍ୟ ହୋଇ ଥିଲେ !
ରକ୍ତ କୁ ପାଣି କରି ସୁନାର ଫସଲ ଫଳାଉ ଥିଲା ବାପା ହେଲେ ସେ ଫସଲ ରୁ ଭାଗ ଦେଲାବେଳେ ତା ଆଖିରେ ଲୁହ ଆସି ଯାଉଥିଲା !ଛୋଟ ବେଳୁ ବାପା ର କଷ୍ଟ କୁ ବୁଝି ପାରୁଥିଲା ଚକ୍ରଧର !ମା ରୋଷେଇ କଲା ବେଲେ ଚୁଲି ମୁଣ୍ଡ ରେ ବସି ପଢ଼ୁଥିବା ଚକ୍ର କୁ ମା କହେ ମୋ ପୁଅ ବଡ ହେଲେ ନିଜ ଜମି କରିବ !ଛୋଟ ଚକ୍ର ମୁଣ୍ଡ ରେ ସେ ଦିନୁ ପଶିଥିଲା ଜମି କିଣିବା କଥା !ଦଶମ ପରେ ପଇସା ଅଭାବ ରୁ ପାଠ ପଢ଼ା ରେ ଡୋରି ବାନ୍ଧି ଯେତେବେଳେ ବାପା ସହ କାନ୍ଧ ମିଶାଇ ଚାଷ ଆରମ୍ଭ କଲା ବାପା କୁ ସ୍ବପ୍ନ ସତ ହେବାର ଆଶା ଦିଶିଥିଲା !ବହୁତ ଖଟି ଥିଲେ ସେମାନେ ! ଦିନ ରାତି ଏକ କରି ଯେତେବେଳେ ପ୍ରଥମେ ଜମି କିଣିବା ପାଇଁ ପଇସା ଠୁଳାଇ ଥିଲେ ଘରେ କେହି ଶୋଇ ନଥିଲେ !ନିଜ ଜମି ହେବାର ଖୁସି ରେ ପଇସା କୁ ଦେଖି ଦେଖି ଗଣି ଗଣି ମା ପୁଅ ରାତି ପୁହାଇ ଦେଇଥିଲେ !ବାପା ସବୁ ଦେଖୁଥିଲା ତା ଆଖିରେ ସେଦିନ ଯେଉଁ ଚମକ ଦେଖି ଥିଲା ଚକ୍ର, ତାକୁ ସେ କେବେ ଭୁଲି ପାରେନି !
ନିଜ ଜମି ହେଲା ପରେ ବାହା ହେଇଥିଲା ଚକ୍ର ଧୀରେ ଧୀରେ ଗୀତା ଓ ମନୋଜ ର ଜନ୍ମ, ମା ବାପା ର ଯିବା ସବୁ ଦାୟିତ୍ୱ କୁ ଠିକ ଭାବେ ତୁଲାଇ ଆସିଛି ସେ !ଗୀତା କୁ ବାହା କରିବା ଘର କୁ ଟିକେ ନୂଆ କରିବା ଚିନ୍ତା ରେ ଆହୁରି ପରିଶ୍ରମ କରୁଥିଲା ସେ !
ଗତ ବର୍ଷ ର ଚାଷ କିନ୍ତୁ ସବୁ ହିସାବ ନିକାସ କୁ ଓଲଟ ପଲଟ କରି ଦେଇଥିଲା !ବର୍ଷା ମଧ୍ୟମ ହେଲେବି ଲେଢା ପୋକ ଯୋଗୁଁ ହେଇ ଆସୁଥିବା ଫସଲ ନଷ୍ଟ ହୋଇଗଲା !ପୋତି ହେଇ ଯାଉଥିବା କୂଅି ପରିବା ଚାଷ କୁ କଷ୍ଟେ ମସଟେ ବଞ୍ଚାଇ ଥିବା ବେଳେ ଅଦିନିଆ ବର୍ଷା ସବୁ ଛାରଖାର କରି ଦେଇଥିଲା !ଅଣ୍ଟା ଭାଙ୍ଗି ଯାଇଥିଲା ଚକ୍ରଧର ର କିନ୍ତୁ ସମ୍ଭାଳି ନେଇଥିଲା କୌଣସି ପ୍ରକାରେ କିନ୍ତୁ ଆଣିଥିବା ସମବାୟ ଋଣ କୁ ସୁଝି ପାରି ନ ଥିଲା !
ଏ ବର୍ଷ କିନ୍ତୁ ସେ ଅଣ୍ଟା ଭିଡ଼ିଥିଲା ଗତ
ବର୍ଷ ର କ୍ଷତି ଭରଣା ସହ ଯେମିତି କିଛି ସଂଚୟ ହେବ ସେଥିପାଇଁ ନିଜ ଜମି ଛଡା ଆହୁରି କିଛି ଜମି ଭାଗ ରେ ନେଇ ଧାନ ବୁଣି ଥିଲା କିଛି ଜମି ରେ ଅଦା ମଧ୍ୟ ଲଗାଇ ଥିଲା !ଏଥି ପାଇଁ ସମବାୟ ରୁ ପୁଣି ଋଣ ଆଣିଥିଲା !ଆରମ୍ଭ ରୁ ଭଲ ବର୍ଷା ଓ ଅନୁକୂଳ ପାଗ ଫସଲ ବଢିଆ ହେବାର ସଂକେତ ଦେଉଥିଲା !ଖେତ କୁ ଦେଖି ଖୁସି ହେଇ ଯାଉଥିଲା ଚକ୍ର !ହୁଡ଼ା ରେ ବସି ବାକି ର ହିସାବ କିତାବ କରୁଥିଲା !ଘରକୁ ପ୍ରାୟତଃ ଆସୁ ନ ଥିଲା ସେ !ମାଳତି ଗଲେ ଗପି ଯାଉଥିଲା ନୂଆ ଘର କଥା, ଗୀତା ର ବାହାଘର କଥା, ପଇସା ଅଭାବ ରୁ ନିଜେ ନ ପଢ଼ି ଥିବାର ଅବସୋସ କୁ ପୁଅ କୁ ଖୁବ ପଢାଇ ପୁରା କରିବାର କଥା !ମାଳତୀ ହସୁ ଥିଲ,ା ଦିନ କଟୁଥିଲା
ବର୍ଷା ର ଲୁଚ କାଲି ଖେଳ କିନ୍ତୁ ଆଖିରୁ ନିଦ ହଜାଇ ଦେଇଛି ତାର ! ମନ କୁ ବାରମ୍ବାର ପାପ ଛୁଉଛି !ଖେତ ଫାଟିବାକୁ ଲାଗିଲାଣି !ଚକ୍ର କୁ କିଛି ଠିକ ଲାଗୁନି !ସବୁବେଳେ ବିମର୍ଷ ରହୁଛି !ଆଜି ମାଳତୀ ତାକୁ ବୁଝାଉଥିଲା ଭଗବାନ ଉପରେ ଭରସା ରଖିବା ପାଇଁ କହୁଥିଲା !କିନ୍ତୁ ସେ ଜାଣିଛି ଯଦି ବର୍ଷା ଧୋକା ଦେଇ ଦିଏ ତା ହେଲେ ଏ ଘରଦ୍ୱାର ଗାଇ ଗୋରୁ ସବୁ ଚାଲିଗଲେ ବି ଅଣ୍ଟିବ ନାହିଁ !ବର୍ଷା କୁ ଚାହିଁ ଆଖିରୁ ପାଣି ମାରୁଥିଲା କିନ୍ତୁ ବର୍ଷା ର ଦେଖା ନ ଥିଲା !ତାକୁ ସବୁଆଡୁ ନିରାଶ ଲାଗୁଥିଲା !ଖେତ କୁ ଯିବାକୁ ଇଛା ହେଉ ନ ଥିଲା !ତାକୁ ଅନାଇ ରହିଥିବା ପରିବାର କୁ ଦାନା ଦେବାର ଚିନ୍ତା ରେ ସେ ପାଗଳପ୍ରାୟ ଅବସ୍ଥା ରେ ଥିଲା !
ସକାଳୁ ସକାଳୁ ଗାଁ ଛକ ଆଡେ ଯାଇଥିଲା ସେଠି ଚର୍ଚା ଚାଲିଥାଏ !ଭିଡ କୁ ଯାଇ ଶୁଣିଲା ସେ ପାଖ ଗାଁ ର ଚାଷୀ ନରେନ୍ଦ୍ର ଆତ୍ମହତ୍ୟା କରିଛି ଓ ସରକାର ସାଙ୍ଗେ ସାଙ୍ଗେ ପାଞ୍ଚ ଲକ୍ଷ ର ଘୋଷଣା କରି ଛନ୍ତି !ଆଶା ଦିଶିଲା ତାକୁ !ଘର କୁ ଫେରୁ ଫେରୁ ହିସାବ କଲା ସେ ଯଦି ବଞ୍ଚି ଥାଉ ଥାଉ ପରିବାର ର କାମ ରେ ଆସିଲାଣି ମରି କି କାମ ରେ ଆସିବ !ପାଞ୍ଚ ଲକ୍ଷ ରେ ଗୀତା ର ବାହା ହେଇକି ମନୋଜ ର ପଢ଼ା ଖର୍ଚ୍ଚ ଉଠିଯିବ !ମନ କୁ ବୁଝାଉ ଥିଲା ସେ !
ରାତିରେ ଶୋଇ ତା ଅଵର୍ତମାନ ରେ ତା ସଂସାର ର ଅବସ୍ଥା କଳ୍ପନା କରୁଥିଲା !ତା ମନ ର ଏତେ କଥା ର ଟେର ପାଇ ନଥିବା ମାଳତୀ ଶୋଇ ଥିଲା ପାଖରେ !ଜୀବନ ସାରା ପରିବାର ର ସୁଖ ପାଇଁ ନିଜକୁ ଭୁଲିଥିବା ା ମାଳତୀ ଏତେ ଦାୟିତ୍ୱ ନେଇ ପାରିବ ତ !!!! ଝାଉଁଳି ଆସୁଥିବା ପଦ୍ମ ପରି ନିରୀହ ନିଷ୍ପାପ ଲାଗୁଥିଲା ସେ !ବଞ୍ଚିବାର ଛୋଟ ରୁ ଛୋଟ ବାଟ ଖୋଜୁଥିଲାଚକ୍ରଧର !ମନୋଜ ର ଗୀତା ର ମୁହଁ ଦିଶୁଥିଲା ଆଖିରୁ ଦୁଇ ଧାର ଲୁହ ବୋହୁଥିଲା ଯେତେ ଭାବୁଥିଲା ସେତିକି ବିକଳ ଲାଗୁଥିଲା !
ମାଛି ଅନ୍ଧାର ରୁ ରଖିଥିବା କୀଟନାଶକ ଧରି ଖେତ କୁ ବାହାରି ଗଲା !ଆଉ ପଛ କୁ ଫେରି ଦେଖିବାର ସାହସ ନ ଥିଲା ତାର !ଶୁଖି ଯାଇଥିବା କୂଅ ପାଖରେ ବସି ମରି ଆସୁଥିବା ଧାନ ଗଛ କୁ ଆଉଥରେ ଦେଖିନେଲା ସେ !ଆଉ ମାତ୍ର ଗୋଟିଏ ବର୍ଷା ଦରକାର ଥିଲା "ଭଗବାନଙ୍କୁ ମନେ ମନେ ପ୍ରବଳ ଗାଳି ଦେଇ ବାଉଁଶ ମୂଳ କୁ ଗଲା !ବାଉଁଶ ମୂଳ କୁ ସଫା କରୁ କରୁ ନଜର ପଡ଼ିଲା ଦଳେ ସାବାଲୁଁଆ ଙ୍କ ଉପରେ !ବାଉଁଶ କୁ ଚଢ଼ୁଥିଲେ ସେମାନେ !ଚଢ଼ୁଥିଲେ ପଡ଼ୁଥିଲେ କିନ୍ତୁ ଉଠିକି ପୁଣି ଚଡିବା ଛାଡୁ ନ ଥିଲେ !ଧିର କିନା ବସିଗଲା ଚକ୍ର ମୁହଁ ତାର ଉଜ୍ଜ୍ଵଳ ଦିଶିଲା ଭାବିଲା ଯଦି ସାମାନ୍ୟ ପୋକ ବାରମ୍ବାର ପରାଜୟ ରେ ହାରୁନି ସେ କାହିଁକି ହାରିବ !ଔଷଧ ଡ଼ବା କୁ ଫୋଫାଡ଼ି ଦେଲା ସେ !ଯାହା ହେବ ତାର ସମ୍ମୁଖୀନ ହେବା ପାଇଁ ଦୃଢ ନିଶ୍ଚୟ କଲା !ଭଗବାନଙ୍କୁ କ୍ଷମା ମାଗି ଘର ପଟେ ଧାଇଁଲା !
ଘରକୁ ଯାଉ ଯାଉ ବାଟ ରେ ଭେଟ ହେଲା ପୁଅ ମନୋଜ ସହ ସେ ତାକୁ ଖୋଜିବା ପାଇଁ ଯାଉ ଥିଲା !ସରକାରୀ ବାବୁ ଆସି ଗାଁ ଲୋକଙ୍କୁ ଡାକିଛନ୍ତି !ଦୂର ଚେକ ଡେମ ରୁ ପାଣି ଖେତ କୁ ଆଣିବା ପାଇଁ ପମ୍ପ ର ବ୍ୟବସ୍ଥା ସରକାରୀ ଖର୍ଚ୍ଚ ରେ ହେବାର ଘୋଷଣା ଚାଲିଛି !
ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଇ ଦୌଡିଲା ଚକ୍ର !!କିଛି ବୁଝି ନ ପାରି ତାକୁ ଅନାଇ ରହି ଥାଏ ମନୋଜ !!