gouranga charan beura

Tragedy

3  

gouranga charan beura

Tragedy

ବଉଳା

ବଉଳା

3 mins
7.4K


ମୁଁ ମରିଯିବି ଠାକୁର...ମରିଯିବି । ତୁମ ଗୋଡ ଧରୁଛି, ମୋ ବଉଳାକୁ

ମୋତେ ଦେଇଦିଅ । ହାଃ..ହାଃ..ହାଃ...। ବ.ଉ.ଳା......ହାଃ...ହାଃ..ହାଃ..। ଠାକୁର ଗଦାଧର ଯାହା ଉପରେ ନଜର ପକାଏ , ତାକୁ ପାଇ କରି ରହେ । ବେଶି କହିବୁ, ତୋ ଘର 

ନିଲାମ କରିଦେବି । ଯାଉଛୁ କି ନା ।

        ନଟିଆ ଫେରୁଛି କାନ୍ଦି କାନ୍ଦି । ପେଟରେ ଭୋକ ଆଖିରେ ଶ୍ରାବଣର ବନ୍ୟା । ଛାତି ଫାଟିଯାଉଛି ବଉଳାକୁ ହରାଇ ।

ମନରେ ଅସଂଖ୍ୟ ପ୍ରଶ୍ଣ । ତିନିଦିନ ହେଲା ପେଟରେ ଦାନା ନାହିଁ ।

ସ୍ତ୍ରୀ ଗୋଲାପି ରୋଗ ଶଯ୍ୟାରେ । ଗୋଟିଏ ବୋଲି ଝିଅ ସରିତା ନବମ ଶ୍ରେଣୀରେ ପଡେ । ମା' ସେବାରେ ରାତିଦିନ । ଶ୍ରେଣୀରେ ପ୍ରଥମ ହୁଏ । ନାଚ ଗୀତ ସବୁଥିରେ ପାରଂଗମା । ସୁନ୍ଦରୀ ଗାଉଁଲି 

ଝିଅଟିଏ ।

         ଭାବିପାରୁନି ନଟିଆ କଣ କରିବ ? ବଉଳା ଥିଲା 

ଏକ ମାତ୍ର ଚଳିବାର ପନ୍ଥା । ୪ ଲିଟର କ୍ଷୀରରେ ଘରର ସବୁ ଗୁଜୁରାଣ ମେଣ୍ଟୁଥିଲା । ଗୋଲାପିକୁ ବଂଚାଇବାକୁ ପୈତୃକ ସମ୍ପତ୍ତି ଠାକୁରକୁ ବିକି ଦେଇଛି । କ'ଣ କରିବ ? କରଜ କିଛି ଥିଲା ଠାକୁର ଗଦାଧରର । ସୁଧ ସହ ମୂଳ ଅନେକ ବଡିଗଲା । ଶେଷରେ ଲୋକ

ପଠାଇ ଠାକୁର ବଉଳା ଗାଈକୁ ନେଇଗଲା । ଏକି ଅବିଚାର ଭଗବାନଂକର । ପ୍ରଶ୍ନର ଚକ୍ରବ୍ୟୁହରେ ନଟିଆ । 

         ମନେପଡିଲା ଘରେ ଚାଉଳ ନାହିଁ । କଣ କହିବ ଘରେ।ତିନି ଦିନ ଉପବାସରେ ସଢୁଛନ୍ତି । ଭାବିଲା ଜହର ପିଇ ସମସ୍ତେପ୍ରାଣ ହାରିବେ । 

         ରାସ୍ତାରେ ପଡିଲା ସାହେବ ବଂଗଳା । ସୁସ୍ୱାଦୁ ଭୋଜନ ବାସନା ଫାଟିପଡୁଛି ରାସ୍ତାଟା । ପାଖ ବରଗଛ ଛାଇରେ ବସିପଡି ଅପେକ୍ଷା କଲା କିଛି ବଳକା ଥିଲେ ମିଳିଯିବ । ସମସ୍ତେ

ଖାଇସାରି ପତ୍ର ବାହାରେ ଫୋପାଡିଦେଲେ । ଆଠ ଦଶଟା କୁକୁରଂକର ରଣ ହୁଂକାର । ଟଣା ଓଟରାରେ ଖାଉଥାନ୍ତି ବଳକା ଭାତ ଦାନା ଓ ମାଂସ ହାଡ । ନଟିଆ ସାଜିଲା ନର ରୂପୀ କୁକୁର । ସେମାନଂକ ଭିତରେ ରହି ସାଉଟୁଥିଲା ଅଇଁଠା ଦାନା ଓ ହାଡ ।ଫଟା ଗାମୁଛାରେ ଗଳି ପଡୁଥାଏ ଦାନା ସବୁ । ତଥାପି ମନରେ ଥିଲା ଅପୁରନ୍ତ ଶକ୍ତି । କିଛି ଦାନା ନେଇ ରୋଗିଣୀ ସ୍ତ୍ରୀ ଓ ଝିଅକୁ ଦେବ । ଆଶା ନିରର୍ଥକ । ହାତରେ ଲାଗିଥିବା ଅଇଁଠାକୁ ଚାଟି

ଖାଉଥିଲା ପାଗଳପରି । ସାହେବମାନେ ମୁହଁମୋଡି ଚାଲି ଯାଉଥିଲେ । ଭାବୁଥିଲେ ପାଗଳଟା ? ସତରେ କି ବିଭତ୍ସ ଦୃଶ୍ୟ ?

        ସନ୍ଧ୍ୟା ଅବସନ୍ନ । ଗାଁକୁ ଫେରୁଛି ନଟିଆ । ବାଟରେ ଛୋଟ ବଜାର । ତାକୁ କଣ ଫରକ ପଡିବ । ଦେଖିଲା ରାମ ଗୁଡିଆ ହୋଟେଲ, କାଲିକର ବାସନ ଧୁଆ ହେଉଛି । ନର୍ଦ୍ଦମାରେ ବାସି ଭାତ ଓ ଡାଲି । ନଜର ପଡିଲା ତାର । ପାଖରେ ଛକି ରହିଥଲା ଭୋକିଲା ଆଖିରେ । ତାପରେ ଧାଇଁଗଲା ଯେପରି ମଢ ପାଖକୁ ବିଲୁଆ ଧାଇଁଯାଏ । ନର୍ଦ୍ଦମା ପାଣିରେ ମିଶିଯାଇଥାଏ ବାସି ଖାଦ୍ୟ । ନଜର ନ

ଥିଲା କାହା ଉପରେ । ଭୋକର ଜ୍ୱାଳା ନିବାରଣ ପାଇଁ ୧୦/୧୨ ଥର ଖାଇଦେଲା ଓ ଦୀର୍ଘ ନିଶ୍ୱାସ ଛାଡିଲା । ସେହି ଫଟା ଗାମୁଛାରେ କିଛିବାନ୍ଧିନେଲା ଘରକୁ । ଦେଖୁଥିଲେ ଭଦ୍ରମଣ୍ତଳୀ । କହୁଥିଲେ ବିଚାରା !

        ରାତି ନଅଟା ପ୍ରାୟ । ସବୁ ଶୁନ୍ ଶାନ୍ । କବାଟ ଠକ ଠକ କଲା । ଉତ୍ତର ନାହିଁ । ଅନ୍ଧାରରେ ମୁଁହ ଦିଶୁନି । ପାଖ ଘରୁ ଅଣ୍ଟା ନଇଁ ନଇଁ ପାକୁଆ ବୁଢିଟେ ଲଣ୍ଠନ ଦେଖାଇ କହିଲା, ନଟିଆ ? ସବୁ ସରିଗଲାରେ ? ଠାକୁର ଲୋକମାନେ ସରିତାକୁ ଘୋଡାରେ ବସାଇ ନେଇଗଲେ । ବିଚରା ଗୋଲାପି ବିଛଣାରେ ଛଟପଟ ହୋଇ ପ୍ରାଣ ବିସର୍ଜନ କଲା । ସ୍ଥାଣୁ ପାଲଟିଗଲା ନଟିଆ କିଛିକ୍ଷଣ ପାଇଁ ।ଫଟା ଗାମୁଛାରୁ ବାସି ଖାଦ୍ୟଗୁଡା ଗୋଲାପି ଉପରେ ପଡିଥାଏ ।ଲୋଟିପଡିଲା ନଟିଆ ଗୋଲାପି ଉପରେ । ଛାତି ଫଟାଇ କାନ୍ଦୁଥିଲା ନଟିଆ ରାତ୍ରିର ନିସ୍ତବଧତାରେ । 

        ଭୋକିଲା ନଟିଆ ସାଜିଲା ଘାଇଲା ସିଂହ । ହାତରେ ଟାଂଗିଆ ଧରି ଧାଇଁଲା ଅନ୍ଧକାରରେ । ପାଚେରୀ ଡେଇଁ ପଶିଲା ନଟିଆ । ଠାକୁର ....ଠାକୁର..ଚିତ୍କାର କରି କବାଟକୁ ହାଣି ଗଡ ଗଡ କଲା । ୪ ଟା ଚାକରଂକୁ ହାଣି ନରହନ୍ତା ସାଜିଲା । ତାପରେ ଠାକୁର ପାଳି । ଟାଂଗିଆ ଚୋଟରେ ଠାକୁର ପ୍ରାଣବାୟୁ ଉଡିଗଲା । ଭିତରୁ ଶୁଭିଲା ! ବାପା ମୋତେ ବଂଚାଅ । ଆରେ ! ଏତ

 ସରିତାର ଚିତ୍କାର ! ଧାଇଁଗଲା ଭିତରକୁ । ଶକ୍ତ ଠେଂଗା ମାଡରେ ନଟିଆର ପ୍ରାଣ ବାୟୁ ଉଡିଗଲା । 

          ସରିତା ସାଜିଲା ଦେବୀ,କ୍ରୋଧ,ଅପମାନ ଓ ପ୍ରତିଶୋଧର ବହ୍ନିରେ ଜଳୁଥିଲା ସେ। ଠାକୁରର ବନ୍ଧୁକରେ ବଧ କଲା ନର ରାକ୍ଷସ ମାନଂକୁ। ଠାକୁରାଣୀର ଗୁଳିରେ ସରିତାର ପ୍ରାଣବାୟୁ ଉଡିଗଲା 

ଘର ଉଜୁଡି ଗଲା ନଟିଆର । ଆହା କହିବାକୁ କେହି ନ ଥିଲେ । ଶବ ପଡିଥିଲା । ବଉଳା ଚାଟୁଥିଲା ନଟିଆ ଓ ସରିତା ଶବକୁ । ସତେ କି ମାନବତା ହରେଇଥିବା ମଣିଷମାନଙ୍କ ମାନବତ୍ୱ ତା'ଠି ରୂପ ନେଇଥିଲା !

ଶୁନ୍ ଶାନ୍ ରାତିଟା ଶୋଇ ଯାଇଥିଲା ଘନ ଅନ୍ଧକାରରେ......

ଗୈାରାଂଗ ଚରଣ ବେଉରା

ଶିକ୍ଷକ,, କୁଲିଆମାଲ ଉଚ୍ଚ ବିଦ୍ୟାଳୟ


Rate this content
Log in

Similar oriya story from Tragedy