gouranga charan beura

Tragedy


2.8  

gouranga charan beura

Tragedy


ଚକଡାଏ ଜମି

ଚକଡାଏ ଜମି

4 mins 35 4 mins 35


ଉଦୁଉଦିଆ ଖରାବେଳ... ଝାଇଁ ମାରୁଛି । ବରଗଛ ଛାଇରେ କଳା କୁକୁରଟା ଶୋଷରେ ଧକଉଛି । ବରଗଛର ଗହଳିଆ ପତ୍ର ଭିତରୁ ଗୁଣ୍ତୁଚିଟିଏ, କୁକୁର ଶୋଷରେ ମ୍ରିୟମାଣ । ହରି ସାହୁ ଖୋର୍ଦ୍ଧା ଗାମୁଛାରେ ପଗଡି ବାନ୍ଧି, ହଳ ସାରି ଫେରୁଛି ଘରକୁ । ଆପାଦ ମସ୍ତକ ଗଂଗା,ଯମୁନା ଓ ସରସ୍ୱତୀର ଧାରା ଶ୍ରାବଣ । ଜୁଆଳି କାନ୍ଧରେ...,ସତେ ଯେପରି ଗନ୍ଧମାର୍ଦ୍ଦନ କାନ୍ଧରେ ବୋହିଛି । ବଳଦମାନଂକର ପାଦରେ ଶିଥିଳତା । ଅଂଶୁମାନଂକର ଡହଡହ ରଶ୍ମିରେ, ଲଂଗଳ ମୂନଟା ଚକ୍ ଚକ୍ କରୁଥାଏ । ଧାବମାନ ମରୀଚିକାରେ ସତେ ଯେପରି ସ୍ରୋତସ୍ୱିନୀର ତରଂଗ.........., ମିଶିଯାଉଛି ଅନତି ଦୂରରେ....। ପାଖେଇ ଆସୁଛି, ହରିସାହୁ ଆଉ କୁରେଇର ଝାଟିମାଟିର ହାତଲିପା କୁଡିଆ ।   

    ନୋଟାଏ ପାଣି ଢକଡକ କରି ପିଇ ପକାଇଲ ହରି ସାହୁ । ପଗଡି ଖୋଲି ମୁହଁଟା ପୋଛୁ ପୋଛୁ କୁରେଇ,ତା ଗରିବ କୁଡିଆର ଲକ୍ଷ୍ମୀ, ତାଳ ପତ୍ର ବିଂଚଣା ଧରି ପ୍ରୀତି ମଳୟ ବାଣ୍ଟୁଥାଏ । ଥକା ମାରୁମାରୁ ତୋରାଣୀ କଂସାଏ ଆଣି କୁରେଇ ଦେଲା ହରି ସାହୁକୁ । ତେଲ ଲୁଣ ସଂସାର । ହଟିଆ ନାଗର, କୋଳରେ ସନ୍ତାନଟିଏ ଦେଇ ନାହାନ୍ତି । ବୁଢା ବୟସରେ ଦୁହେଁ ଦୁହିଁକୁ ସାହା,ଅପର୍ତ୍ତି ଓ ଗୁରେଇ କାହାଣୀ ପରି। କୋଳର ସନ୍ତାନ "ଚକଡାଏ ଜମି "। ମାଟି ହାଣ୍ତିର ବାସି ପଖାଳ ଆଉ ବାଡିର କୋଶିଳା ଶାଗ, ଚିର ସହଚର । ବନ୍ୟା,ବାତ୍ୟା,ମରୁଡି ଆଦି ଦୁର୍ବିପାକରେ ସେଇଟା ବି ସପନ । ଋଣ ଉପରେ ଋଣ । ବେଡି ଉପରେ କୋରଡା । ତେଲ ବଳିଲେ ତ ? କୁରେଇର ଆଢେଇ ହାତ ଶାଢି କୁ ହରିର ଅଢେଇ ହାତ ଦୁଇଟା ନାଲି ଗାମୁଛା ।କଣ କରିବ ? ବାଡି ଗଡିଆରେ ବୁଡିପଡି ଗଳି ପଶିଲା, ଚିର ବୃନ୍ଦାବନ କୁଡିଆ ଭିତରକୁ । ଗୋବର ଲିପା ମାଟି ଚଟାଣ ଉପରେ ଚକାପକାଇ କଂସା ବେଲରେ ହାତ ବୁଲାଇ ଦୁଇଗୁଣ୍ତା ଭାତ ନେଇ ପାଟିରେ ଦେଲା । ତା ସାଂଗକୁ ବାଡି ବାଇଗଣ ଆଉ ଧନେଇ ଲଂକା ଚକଟା ଭର୍ତ୍ତା । ବାଃ..କି ସୁଆଦ ?କୃଷକ ବାପୁଡାର ନିତି ଦିନିଆ ଭୋଜନ ।

   ସାହୁକାର ସନା ସାହୁ ପହଁଚିଲା ହରି ସାହୁ ଦୁଆର ମୁହଁରେ । ସାଂଗରେ ହିସାବ ରକ୍ଷକ ସୁକୁଟା । ଆଜ୍ଞା ମୁଣ୍ତିଆ....ହାତ ଯୋଡି ପହଁଚିଲା ହରି..ପଛରେ ଥରୁଥାଏ କୁରେଇ । ସୁକୁଟା କହିଲା,ହଇରେ ହରିଆ...ତୋ କରଜ ବଢି ବଢି ଯାଇ ୧୦ ହଜାର ହେଲାଣି ସୁଧ ସହ । କେବେ ଦେବୁ ? ସନା ସାହୁ ଗୋଡ ଧରି ହରି କହିଲା,ଏସନ ଫସଲ ହେଲେ ସୁଧ ମୂଳ ସବୁ ସୁଝି ଦେବି । ମୋତେ ଦୟାକର ସାହୁକାରେ...। ସନା ସାହୁର ନାଲି ଆଖିରୁ ସତେ ଯେପରି ଅଗ୍ନି ସ୍ଫୁଲିଂଗ । ଜମିଦାରିଆ ଠାଣିରେ ବଂକୁଲି ବାଡିଟାକୁ ହରି ପେଟରେ ଲଗାଇ ସନା ସାହୁ କହିଲା,ତୁମେ ସବୁ ଚୋର ଗୁଡା...।ଆଜିକାଲି କହି ବର୍ଷ ବର୍ଷ ବିତାଉଛ ? ଦେଖ ହରିଆ....ମୁଁ ଆଉ ଜଗି ପାରିବିନି, ଆସନ୍ତା ସପ୍ତାହରେ ଟଂକା ନ ଦେଲେ ତୋ ଘର ଡିହ ନିଲାମ କରିନେବି...ହେଲା..ରାଗ ଜରଜର ହୋଇ ସାହୁକାର ସନା ସାହୁ ଘୋଡାପିଠିରେ ବସି ପଳାଇଲା।

   ପେଟରେ ଦୁଇ ମୁଠା ଦାନା...ଆଖିରେ ଦୁଇ ଧାର ଅଶ୍ରୁ...ତଳେ ପଡିଗଲା ହରି ସାହୁ । କଣ ହେଲା ତୁମର..କଣ ହେଲା ତୁମର କହି ଲୋଟିଗଲା କୁରେଇ ତା ସଂସାର ଉପରେ । ପଡିଶା ଲୋକ ମୁହଁ ମୋଡି ବି ଦେଖୁ ନ ଥାନ୍ତି । ମୋ ସଂସାର ଉଜୁଡି ଗଲା..କିଏ ଅଛ ? ବଂଚାଆ...ଦରଦଭରା କୋହ ହଜି ଯାଉଥିଲା,ସନ୍ଧ୍ୟାର ଅନ୍ଧାରି ମୂଲକରେ ।କେବଳ ଭଗବାନ ଛଡା କିଏ ଅଛି ତାଂକର...। ମୁଣ୍ତ ପିଟି ପିଟି କାନ୍ଦୁଥିଲା କୁରେଇ । ଅଜଣା ବାଟୋଇ ଜଣେ କୁରେଇ ମୁଣ୍ତରେ ହାତ ମାରି କହିଲା..? ମା' କାନ୍ଦନି..ସବୁ ଠିକ ହୋଇଯିବ । ସତେ ଯେପରି ମାନବ ରୂପରେ ବାଟୋଇ ସାଜି ଭଗବାନ ଆସି ପହଁଚିଲେ କୁରେଇ ପାଇଁ..। ଦେଖୁ ଦେଖୁ ଚେତା ଫେରିଲା ହରି ସାହୁର । ପେଟରେ ଓଦା କନା ଦେଇ ରାତ୍ରୀ କଟାଇଲେ ଦମ୍ପତିଦ୍ୱୟ ।

   କେଇ ହାତ ଅଗଣାରେ କୁରେଇ ଛିଟୁଥାଏ ଗୋବର ପାଣି । ଗରୀବ ହେଲେ ବି ଓଡିଆ ସଂସ୍କୃତିର ପରମ୍ପରା ଲିଭିନି । ଏମିତି ବିତି ଯାଇଛି ଚାରି ଦିନ । ମୁଣ୍ତରେ ଘାରୁଛି କରଜ ଚିନ୍ତା । କଣ ବା ଅଛି ତା ପାଖରେ..? ଦୁଇ ହାତରେ ଦୁଇପଟ ଚୁଡି । ସେଇଟା ବି ରଂଗହୀନ । କଣ କରିବ ସେ..? ବଣାରେ ଖୁଡ ମୁଠିଏ ନାହିଁ । ଚୂଲି ଜଳିବ କିପରି ?

    ଦୂରରୁ ଶୁଭିଲା ଘୋଡାର ଟାପୁଟାପୁ ଶବ୍ଦ । ପହଂଚିଗଲା ସଇତାନ ସନା ସାହୁ । ଅଗଣାରେ ଓହ୍ଲାଇ ପଡି ହରିଆ...ହରିଆ ଚିତ୍କାର ଛାଡିଲା । ଭଂଗା ଖଟିଆ ଉପରୁ କଂକାଳ ଶରୀର ଧରି ନଇଁନଇଁ ଆସିଲା ହରି ସାହୁ । ହାତଯୋଡି କଗିଲା..,ସାହୁକାର ମୁଁ ମରିଯିବି । ମୋତେ ଆଉ କେଇଟା ଦିନ ମାଫ୍ କର । ସନା ସାହୁର ପାଦ ଧରି କାନ୍ଦୁଥାଏ କୁରେଇ । ପଡୋଶୀ ମାନେ ଦେଖୁଥାନ୍ତି ହରି ସାହୁର ଗରିବ ପଣିଆ । ସନା ସାହୁର ପାଦ ଛିଟାରେ କୁରେଇ ପଡିଲା ଅନତି ଦୂରରେ । ହରି ସାହୁ ସାହୁକାର ସନା ସାହୁର ଦୁଇଗୋଡକୁ ଜାବୁଡି ଧରି ଭୋ ଭୋ କାନ୍ଦୁଥାଏ । ଦୁଃଖର ପାହାଡ ଉପରେ ସନା ସାହୁର ବିଦ୍ରୁପ ହସ । ସନା ସାହୁର ଚାଟୁକାର ମାନେ ହରି ସାହୁକୁ ଟାଣି ନେଲେ । ହରି ସାହୁ ଘର ଭିତରୁ ସବୁ ଆସବାବ ବାହାରେ ଫିଂଗିଦେଲେ । ଘର ନିଲାମ ପାଇଁ ଡାକରା ଦେଲେ । ପଡୋଶୀ ଚକରା ସାହୁ ଘର ସହ ଚକଡାଏ ଜମିକୁ ୧୦ ହଜାର ଟଂକା ଦେଇ କିଣି ନେଲା । ଅଗଣାରେ ପଡି କାନ୍ଦୁଥିଲେ ଦୁଇ ସାଥି । ପାଖରେ କେହି ନ ଥିଲେ । ଘର ତୋରାଣୀ ପିଆ କୁକୁରଟା କୁରେଇ ପାଖରେ ଶୋଇ ବୁଝୁଥିଲା ସେମାନଂକର ଦୁଃଖ ।

   ବେଘର ହରି ସାହୁ ଆଶ୍ରୟ ନେଲା ଗାଁ ଶେଷ ମଶାଣି ଘରେ । ଦିନ କେଇଟାରେ ଭୋକ ଉପବାସରେ ତାର ପ୍ରାଣବାୟୁ ଉଡିଗଲା ।ବୁଲା କୁକୁର କେତେଟା ତା ଶବକୁ ଟାଣି ଭିଡି କ୍ଷୁଧା ମେଣ୍ଟାଉଥଲେ । ଗୋଟେ ନିଆରା ପ୍ରତିଛବି ତାର ଗରିବତ୍ୱକୁ ଅଟ୍ଟହାସ୍ୟ କରୁଥିଲା । କୁରେଇ ପାଗଳ ହୋଇ ଗାଁ ଗାଁ ବୁଲିଲା । ତା ସାଥି କୁକୁରଟି

ତା ସାଂଗରେ ବୁଲୁଥାଏ । ବାସି ତୋରାଣୀର କରଜ ସୁଝୁଥାଏ ବିଚରା...!

  କୁରେଇ ପାଗଳ ହେଲେ ବି ଖୋଜି ବୁଲୁଥାଏ ତା ପତ୍ନୀ ହନ୍ତାକୁ । ଅଳିହା ଗଦାରେ ପଚା କଦଳି ଖାଉ ଖାଉ ନଜର ପଡିଲା ସୁକୁଟା ଉପରେ । ଧାଇଁ ଯାଇ ବାଘୁଣୀ ପରି ମାଡି ବସିଲା ଓ କାମୁଡି ଧରିଲା ତା ଗଳାକୁ । ସୁକୁଟା ଛାଟିପିଟି ହେଉଥାଏ । ତୋରାଣିପିଆ କୁକୁର ତା କରଜ ବି ସୁଝାଉଥାଏ ସୁକୁଟାକୁ କାମୁଡି କାମୁଡି । ବିଚରା...! ସୁକୁଟା ଉଠିପଡି ଦୈାଡୁଥାଏ । କୁରେଇ ଆଉ କୁକୁର ତା ପଛରେ ଗୋଡାଉଥାନ୍ତି । ରାସ୍ତାର ଆସୁଥିବା ଯାନରେ ଧକ୍କାହୋଇ ସୁକୁଟାର ପ୍ରାଣ ବାୟୁ ଉଡିଗଲା । ତଥାପି କୁରେଇ ଓ କୁକୁର ତାର ମୃତ ଦେହକୁ ପ୍ରତିଶୋଧର ବହ୍ନିରେ କାମୁଡୁଥାନ୍ତି ।

   ରକ୍ତମୁଖା କୁରେଇ ଓ କୁକୁର ଧାଇଁଲେ ଗାଁ ଅଭିମୁଖେ । ଆଗରେ ସନା ସାହୁର ଗରୀବ ଶୋଷଣକାରୀ ବଂଗଳା । ରକ୍ତମୁଖା କୁରେଇ ଓ କୁକୁରକୁ ଦେଖି ଫାଟକ ଜଗୁଆଳି ଦୈାଡି ପଳାଇଲା। କୁରେଇ ପଶିଗଲା ସନା ସାହୁ ଘର ଭିତରକୁ । ପ୍ରତିଶୋଧ ବହ୍ନିରେ ଜଳୁଥିଲା ସେ ।

ସନା ସାହୁ ଉପରକୁ ଚଢିଯାଇ ତା ଗଳାକୁ କାମୁଡି ଧରିଲା କୁରେଇ । ସନା ସାହୁ ତାକୁ ଫିଂଗିଦେଇ ପାଖରେ ରଖିଥବା ପିସ୍ତଲରେ ଗୁଳି ମାରିଲା । ଇତଃସ୍ତତ ଅବସ୍ଥାରେ ଗୁଳିଟା କାନ୍ଥରେ ବାଜିଲା ।ପୁନର୍ବାର କୁରେଇ ଲମ୍ଫଦେଲା ସନା ସାହୁ ଉପରକୁ । ଜଂଘକୁ କାମୁଡି ଧରିଥାଏ । ସନା ସାହୁ ତଳେ ପଡି ଚିତ୍କାର କରୁଥାଏ । ଏତିକି ବେଳେ ରକ୍ତମୁଖା କୁକୁରଟା ସନା ସାହୁ ଗଳାକୁ କାମୁଡି କାମୁଡି ରକ୍ତ ବାହାର କରିଦେଲା । ସନା ସାହୁର ପ୍ରାଣବାୟୁ ଉଡିଗଲା । ସମାପ୍ତି ହେଲା ସାହୁକାର ପଣିଆ । କୁରେଇ ପାଗଳ ହୋଇ ଶେଷ ଜୀବନ କୁକୁର ସହ

ବିତାଇଲା । ଗରୀବର ରକ୍ତ ପ୍ରତିଶୋଧର ରକ୍ତ ବୋଲି ପ୍ରମାଣିତ ହେଲା....ଚକଡାଏ ଜମି ପାଇଁ ଜମିଦାରୀର ପୂର୍ଣ୍ଣଛେଦ ପଡିଲା ।



Rate this content
Log in

More oriya story from gouranga charan beura

Similar oriya story from Tragedy