MADHABANANDA BHOI

Inspirational

3  

MADHABANANDA BHOI

Inspirational

ବୋଉ

ବୋଉ

9 mins
14.3K


ସନ୍ଧ୍ୟା ସାତଟା, ଶ୍ରାବଣ କୃଷ୍ଣ ପକ୍ଷ ରାତି ।ବାହାରେ ରିମ୍ ଝିମ୍ ବର୍ଷା । ଝରକା ବାଟେ କୋହଲା ପବନ ପଶି ଆସୁଛି । ଦେହ ଟିକେ ଶୀତୁଆ ଲାଗୁଛି । ଆଉ କପେ ଚା’ ହେଲେ ଭଲ ହୁଅନ୍ତା । ହେଲେ ସଲୀନା ରୁଟି କରୁଥିବ । ଚାରିଟା ବେଳଠୁଁ ଦି’ କପ୍ ଚା’ ପଠାଇ ସାରିଲାଣି,ପୁଣି ଏଥର କହିଲେ ହୁଏତ ସଲିନା ଚିଡି ଉଠିବ କହିବ; ଏଥର ଚା କରିବା ପାଇଁ ଗୋଟେ ଚାକର ରଖ । ମୁଁ ତମର ଏତେ ଫରମାସି ରଖି ପାରିବିନି । ଓଃ ଆଜିବି ସେମିତି ରୋଗୀମାନେ ନାହାନ୍ତି । ଓଃ କି ବୋରିଂ ; ଆରାମ ଚୌକିକୁ ଆଉଜି ବସି ଅଳସ ଭାଙ୍ଗିଲି । ଆଖି ଆଗରେ ଏନ୍ଲରାଜ୍ କରାଯାଇଥିବା ବୋଉର କାଚ ଫ୍ରେମ୍ ବନ୍ଧା ଫଟୋ; ତଳେ ବୋଉ ବସେଇ କରି ଗୋଲ ଗୋଲ ଅକ୍ଷରରେ ଲେଖିଛି, “ଦୁଃଖୀ ଅରକ୍ଷିତ ସେବା କାରଣେ, ବଳ ଦିଅ ମୋର କର ଚରଣେ ” । ତାରି ନାଁ ବୋଉ,ଯା କଥା ମନେ ପଡିଲେ ସରଳିଆ ମମତା ଭରା ମୁହଁଟି ଆଖି ଆଗରେ ନାଚି ଉଠେ ଦେଖାଯାଏ ସ୍ନେହ ଆଉ ତ୍ୟାଗର ଛବି । ଯିଏ ସଳିତା ପରି ନିଜେ ଜଳି ଅନ୍ୟର ଦୁଃଖରେ ଦୁଃଖି ଓ ଅନ୍ୟର ସୁଖରେ ସୁଖି ହୁଏ ସଭିଙ୍କୁ ଆପଣାର କରିନିଏ ।

ବୋଉ ଆଜି ଦୁଇ ବର୍ଷ ହେବ ପାଖରେ ନାହିଁ । ହେଲେ ସେ ମୋ ପାଖରେ ନାହିଁ ବୋଲି ମୁଁ କେବେବି ଭାବିନାହିଁ । ତାକୁ ମୋର ହୃଦୟ ଫରୁଆ ଭିତରେ ମୋତିଟେ ପରି ସାଇତି ରଖିଛି । ଯେତେ ବେଳେ ମୁଁ ରୋଗୀ ଦେଖେ ସେଇ ମାନଙ୍କ ଠାରେ ବୋଉର ମୁହଁ ପ୍ରତିଫଳିତ ହୁଏ ମୋ ହୃଦୟର କେଉଁ ଏକ ନିଭୃତ କନ୍ଦରାରେ । ବେଦର ଧୁନ୍ ତୋଳେ ବୋଉ ବୋଲୁଥିବା ସଂଜ ସକାଳରେ ପ୍ରାର୍ଥନାର ଧାଡି “ଦୁଃଖି ଅରକ୍ଷିତ ସେବା କାରଣେ...........” । ଏଇ ମନ୍ତ୍ରଟିକୁ ଅନ୍ତରରେ ଭିଜାଇବା ପାଇଁ, ସେ କେତେ ଯେ ସାଧନା କରିଚି ତା’ର ହିସାବ ନାହିଁ । ନିଜକୁ ତ ସେଇ ମନ୍ତ୍ରରେ ସେ ଦିକ୍ଷୀତ କରି ସାରିଥିଲା । ହେଲେ ମୁଁ ଆଜି କଲି କ’ଣ? ମେଡିକାଲରୁ ଫେରିଲା ପରେ ମୁଡ୍ ଭଲ ନଥିଲା । କ୍ଲିନିକ୍ ଖୋଲୁ ଖୋଲୁ ସାମନ୍ତ ସାହିର ସୁଲି ଆସି ପହଂଚି ଗଲା । ଘରେ ତା’ର ସ୍ଵାମୀକୁ ପ୍ରବଳ ଜ୍ୱର ହୋଇଛି । ମ୍ୟାଲେରିଆ ହୋଇପାରେ । ହ୍ୟାସ୍ ରିକ୍ସା ଟାଣି ପଇସା କମାଉଛି । ଘରେ ମୁଗ କିଛି ଥିଲା ସେଇଆକୁ ବିକି ଦଶଟଙ୍କା ଆଣିଛି । କିନ୍ତୁ ଏହା ପାଇଁ ଅତି କମରେ ପଚାଶ ଟଙ୍କା ଲାଗିବ । ଆଗରୁ ଶହେ ଟଙ୍କା ବାକି ଅଛି । ସୁଲି କଥା ଶୁଣି ମୋ ଦେହରେ ନିଆଁ ଚରିଗଲା ପରି ଲାଗିଲା । “ବାକିରେ ଔଷଧ ଦିଅ ସେତିକି ୟା ବୋପା ମୋ ପାଖରେ ଥୋଇ ଦେଇଛି? ଭାଗ୍ ଏଠୁ ଔଷଧ ଫୌଷଧ କିଛି ନାହିଁ” , ସୁଲି ମୋ କଥା ଶୁଣି ମୁହଁ ଶୁଖାଇ କହିଲା ,“ପଇସା କେଉଁଠୁ ପାଇବି ବାବୁ ’ ତିନି ଦିନ ହେଲା ସେ ରିକ୍ସା ଟାଣିବାକୁ ଯାଉନାହିଁ । ଆଜି ବି ଘରେ ଚୁଲି ଜଳିନି । ମୋତେ ଦୟାକର ବାବୁ ନ ହେଲେ ମୋ ସଂସାର ଭାସିଯିବ । ମୁଁ ତମର ଧାରୁଆ ହୋଇ ରହିବି ନାହିଁ । ସୁଲି ଗଲା ବେଳେ କାନ୍ଦି କାନ୍ଦି କହିଗଲା । ଠାକୁର ମା’ ଥିଲେ ମୁଁ ଫେରିଯାଇ ନ ଥାନ୍ତି । ହଉ ଭାଗ୍ୟରେ ଯାହା ଥବ ହେବ ।

      ସୁଲି ଚାଲିଗଲା । ହେଲେ ଶେଷ କଥା ପଦକ ମୋତେ ଅନେକ କିଛି ମନେ ପକାଇ ଦେଉଥିଲା । ବାସ୍ତବରେ ଜଣେ ଡାକ୍ତରର କର୍ତ୍ତବ୍ୟ କ’ଣ ମୁଁ ଆଜି ଯାଏଁ ଜାଣି ପାରିନି । କେବଳ ଡାକ୍ତରୀକୁ ପେଶା ଭାବରେ ନେଇ ପଇସା ରୋଜଗାର କରିବା ଛଡା ଆଉ କ’ଣ ଜାଣିଛି? ଆଧୁନିକ ସଭ୍ୟତାରେ ଡାକ୍ତରୀ ଏକ ସେବା ନୁହେଁ । କଂଚା ପଇସା ରୋଜଗାର କରିବାର ଏକ ବଳିଷ୍ଠ ମାଧ୍ୟମ । ହେଲେ ବୋଉ ସେବାକୁ ନିଜ ଜୀବନର ଏକ ବ୍ରତ ବୋଲି ଗ୍ରହଣ କରି ନେଇଥିଲା । ଯେଉଁ ଦିନ କ୍ଲିନିକରେ ରୋଗୀ ମାନଙ୍କଠୁ ପଇସା ନେବା ପାଇଁ ଜିଗର କରେ । ବୋଉ କେମିତି ଚିଡି ଉଠେ । କ୍ଲିନିକରୁ ସମସ୍ତେ ଚାଲି ଗଲା ପରେ ମୋର ମଥା ଆଉଁସୁ ଆଉଁସୁ କହେ । ଜୀବନରେ ବଂଚିବା ପାଇଁ କୋଠାଘର, ବ୍ୟାଙ୍କ ବାଲାନ୍ସ, ଗାଡି ଓ ସୌଖିନ ଜିନିଷ ଯେତେ ଦରକାର ନୁହେଁ, ବରଂ ବଂଚିବା ପାଇଁ ସମାଜର ମଣିଷମାନଙ୍କ ମଧ୍ୟରେ ଅମାପ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ସବୁଠୁଁ ବେଶି ଦରକାର । ମହୁ ମାଛି କେମିତି ମହୁ ସାଇତି ରଖିଛି ଏ ମଣିଷମାନଙ୍କ ପାଇଁ , ଗଛ ମାନେ କିପରି ଆମକୁ ଫୁଲ ଆଉ ଫଳ ଦେଉଛନ୍ତି । ସେମାନେ ତ ଦିନେ ହେଲେ ଆମକୁ କିଛି ମାଗି ନାହାନ୍ତି । ବରଂ ଆଜିର ମଣିଷ ମାନେ କେମିତି ବଦଳି ଯାଇଛନ୍ତି । ସ୍ଵାର୍ଥପର ଦୁନିଆଁରେ ମଣିଷମାନଙ୍କଠୁଁ ଭଲପାଇବାଟା କେମିତି ସ୍ଵପ୍ନ, ନିଜର ଦୁଃଖ କଥା କହିଲେ ଅନ୍ୟଠୁ ସ୍ନେହ ଶ୍ରଦ୍ଧା ଆଶା କରିବା ତ ଦୂରର କଥା । ଯଦି ସଂପର୍କର ହାତ ବଢାଯାଏ ,ତେବେ କାହାର ହାତ ଲମ୍ବି ଆସୁନି କାହିଁକି? ଏମିତି କାହିଁକି ହେଉଛି? ଦେଖିନୁ “ଆମମାନଙ୍କ ମଧ୍ୟରେ ପ୍ରାନ୍ତ ଭେଦ,ଭାଷା ଭେଦ, ଜାତି ଭେଦ , ଧର୍ମ ଭେଦ ଆଉ ରାଜନୀତିର କଳୁଷତା କିପରି ଭଲପାଇବାକୁ ନଷ୍ଟ କରିଦେଲାଣି । ସତରେ ମନ୍ଦିର , ମସ୍ଜିଦ୍, ଗୀର୍ଜା , ଗୁରୁଦ୍ୱାର ଓ ବିଭିନ୍ନ ଧର୍ମୀୟ ଅନୁଷ୍ଠାନ ମାନଙ୍କୁ ଭାଙ୍ଗି ପ୍ରତି ମଣିଷର ହୃଦୟ ଭିତରେ ଥିବା ଭେଦ ଭାବ ପ୍ରାଚୀରକୁ ଉଠାଇ ଦିଆଯାନ୍ତା । ଆଉ ଭଲ ପାଇବାର ମଂଜି ବୁଣି ଦିଆଯାନ୍ତା, ତେବେ କେତେ ଭଲ ହୁଅନ୍ତା । ତେଣୁ ତୁ ମଣିଷ ମାନଙ୍କୁ ଭଲ ପାଇବା ଶିଖ୍ । ଯଦି ସେମାନଙ୍କ ହୃଦୟରେ ସ୍ଥାନ ଟିକେ ଯୋଗାଡି ପାରିଲୁ ତେବେ ସମସ୍ତେ ତୋର ନିଜର ହୋଇଯିବେ ।

   ସେଇ ମଣିଷଟି ଆଜି ମୋ ପାଖରେ ନାହିଁ । ଯିଏ ସମସ୍ତଙ୍କୁ ଭଲ ପାଇବାର ଡୋରରେ ଦିନେ ବାନ୍ଧି ରଖିଥିଲା । ସେତ ଥିଲା ସେଇ ରାଇଜର ରାଣୀ । ଯେଉଁ ରାଇଜରେ କେବଳ ମଣିଷ ପଣିଆ ରାଜୁତି କରୁଥିଲା । ଯେବେ ସେସବୁ ଦିନ ପାଇଁ ଚାଲି ଗଲା ; ତାକୁ ଦେଖିବା ପାଇଁ ବଡ ଜନ ଗହଳି ହୋଇଥିଲା; ମୁଁ କଳନା କରି ପାରିନଥିଲି । କାଲି ପରି ଲାଗୁଥିଲା ବୋଉର ଶବ ଉପରେ ଫୁଲ ସବୁ କେମିତି ବିଛେଇ ହୋଇ ପଡିଥିଲା ସମସ୍ତଙ୍କ ଆଖିର ଲୁହ । ମୋର ମନେ ହେଉଥିଲା ସେମାନଙ୍କର ପ୍ରିୟ ମଣିଷଟି ସବୁଦିନ ପାଇଁ ଛାଡି ଚାଲିଯାଇଛି । ସେ ଆଉ ଆସିବନି । ନିଜକୁ ଏକ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି ମନେ କରୁଥିଲି । ବୋଉର ଫଟୋକୁ ଚାହିଁଲି । ବଂଚି ଥିଲା ବେଳେ ଯେଉଁ ମୁଁହରେ ଚେନାଏ ହସ ଲାଗି ରହୁଥିଲା , ସେ ମୁଁହଟି କେମିତି ଉଦାସ ଦେଖାଯାଉଥିଲା । ବୋଉ ମତେ ଚାହିଁ କହୁଛି “ତୁ କ’ଣ କଲୁରେ ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ମଣିଷ ପଣିଆକୁ ଭୁଲି ଗଲୁ । ନିଜେ ଥରେ ଚିନ୍ତା କଲୁ ମଣିଷର ଜୀବନ ବଡ ନା ଟଙ୍କା ବଡ”? ବୋଉ ମୁଁହକୁ ଚାହିଁ ପାରିଲିନି । ଆଖି ମୋର ଛଳ ଛଳ ହୋଇ ଆସୁଥିଲା ।

         ଖଣ୍ଡେଇତା ଘାଇ ଭାଙ୍ଗିବାର ଦି’ ମାସ ପରେ ପୋକରା ରିଲିଫ ଚାଉଳ ଯାହା ମିଳିଥିଲା ସେତିକିହିଁ ଥିଲା ଶେଷ ସମ୍ବଳ । ଗାଁ ଗାଁରେ ହଇଜା ଲାଗି ପୋକମାଛି ପରି ଲୋକ ମରୁଥାନ୍ତି, ଡାକ୍ତର ଖାନା ନାହିଁ । ବୋଉ ଠାକୁରଙ୍କୁ ଡାକିଲା “ ଯାହା ହେଉ ; ମୋର ହେଉ । ତାଙ୍କର କିଛି ନହେଉ” । କିନ୍ତୁ ତାଙ୍କର ଦଶଟା ଦଶଟା ଝାଡା ହୋଇଗଲାଣି , ଲାଗ୍ ଲାଗ୍ ବାନ୍ତି ହେଉଛି ଓଷଦ ପାଇଁ ପାଖରେ ପଇସାଟିଏ ନାହିଁ । ବାରି ଲେମ୍ବୁ ଗଛରୁ କଷି ଲେମ୍ବୁ ଚାରିଟା ବାଟିକରି ପିଇବାକୁ ଦେଲେ ବି ଭଲହେଉ ନାହିଁ । ବୋଉ ବ୍ୟସ୍ତ ହୋଇ ଧାଇଁଲା ସଦେଇ ମାହାନ୍ତି ଘରକୁ; ଏଲୋପ୍ୟାଥିକ୍ର ଭଲ ଓଷଦ ଜାଣିଛି । ହେଲେ ମାଂସ ଲୋଭୀ ଓ ପଇସା ଖୋରଟାଏ । ସେ କ’ଣ ଜାଣିଥିଲା ଓଷଦ ପାଇଁ ସଦେଇ ମାହାନ୍ତି ପାଖରେ ସବୁକିଛି ହରାଇବାକୁ ପଡିବ ବୋଲି? ହେଲେ କ’ଣ ହେଲା ନାରୀ ଜୀବନର ଅମୂଲ୍ୟ ସମ୍ପଦକୁ ହରାଇଲେ ମଧ୍ୟ ଶଙ୍ଖା ସିନ୍ଦୁର ସବୁଦିନ ପାଇଁ ଚାଲି ଯାଇଥିଲା । କିନ୍ତୁ ବୋଉ ଭାଙ୍ଗି ପଡି ନଥିଲା । ସପ୍ତମ ଯୋଗ୍ୟତା ହାସଲ କରି ମନେମନେ ଡାକ୍ତର ହେବାର ସ୍ଵପ୍ନ ଦେଖିଲା, ପେଟପାଇଁ କିଛି ରୋଜଗାର କରିବାକୁ ପଡିବ । ହୋମିଓପାଥିକ୍ ବହିଟିକୁ ପଢି ପ୍ରଥମେ ପ୍ରଥମେ ସେଇ ଗରିବ ମଣଷଙ୍କର ସୁଖ ଦୁଃଖରେ ଭାଗୀ ହୋଇ ଓଷଦ ଦେଉ ଦେଉ ଡାକ୍ତରାଣୀ ହୋଇଗଲା । ଯେଉଁ ବାପ ଛେଉଂଡ ପିଲାଟାକୁ ମଣିଷ କରିବା ପାଇଁ ସେ ତାର ଜୀବନର ଲୁହ ଲହୁ ଏକାଠି କରିଦେଲା । ସେ ଜଣକ ମୁଁ ବର୍ତ୍ତମାନ ସମୟର ଖ୍ୟାତିନାମା ତଥା କଥିତ ଡାକ୍ତର । କିନ୍ତୁ ଆଜି ମୁଁ କ’ଣ ଜଣେ ଡାକ୍ତରର କର୍ତ୍ତବ୍ୟ କରିପାରିଲି ? କୂଳ କିନାରା ଶୂନ୍ୟ ହୋଇ ଗରିବ ସ୍ତ୍ରୀ ଲୋକଟି କେତେ ଆଶାନେଇ ମୋ ପାଖକୁ ଆସିଥିଲା ଓଷଦ ଟିକକ ପାଇଁ ମୁଁ ତାକୁ ଫେରାଇ ଦେଲି । ସେ ବର୍ତ୍ତମାନ କ’ଣ କରୁଥିବ? ମୁଣ୍ଡରେ ହାତଦେଇ ଲୁହ ଝରାଉଥିବ । ନ ହେଲେ ବଢିଲା ଝିଅ ପାଇଁ ଶେଷ ସମ୍ବଳ ଭାବରେ ରଖିଥିବା ରୂପା କାଚ କେଇପଟ କିମ୍ବା ପିତଳ କଂସା ବାସନ କେଇପଟ କାହା ପାଖରେ ବନ୍ଧା ପକାଇବା ପାଇଁ ବାର ଦୁଆର ହେଉ ଥିବ । ନାଁ ଆଉ ବସି ହେବନି; କିଛି ଗୋଟେ କରିବାକୁ ପଡିବ ।

     ସୁଲି ଘରେ ପହଂଚିବାକୁ ବେଶି ସମୟ ଲାଗିଲା ନି, ଘରଟା ଆଗରୁ ଦେଖିଥିଲି । ସୁକା କୁଟା ନିଆଁ ଜଳାଇ ମୁଣ୍ଡାସାରୁ ଗୁଡିକ ପୋଡୁଥିଲା, ମୋତେ ଦେଖି ତାର ହଳଦିଆ ଦାନ୍ତ ଦେଖାଇ ନମସ୍କାର କଲା । ମୁଁହକୁ ଚାହିଁଲି । ନିଷ୍ପ୍ରଭ କୋଟର ଗତ ଆଖି ଦୁଇଟା ଗରିବ ଜୀବନର ସାଇତା ଦୁଃଖକୁ ଚାପି ରଖିଥିଲା । ଗାଲ ଦିଟା ଟାକୁଆ । ସତେକି ମୁଠାଏ ଚାଉଳ ଧରିବ, ଛାତିର କଂକାଳ ଗୁଡିକ ଦାରିଦ୍ର୍ୟର ମାନଚିତ୍ର ଅଙ୍କନ କରୁଥିଲା । ହଠାତ୍ ସୁକା ମୋର ଧ୍ୟାନ ଭଗ୍ନ କରି କହିଲା ।

    - “କ’ଣ ଏମିତି ଚାହିଁଚ ବାବୁ, ଜରରେ ପାଂଚଦିନ ହେଲା ପଡିଲିଣି ଯେ ପାହୁଲାଟିଏ ବି ନାହିଁ । ପଥି ଟିକେ ଖାଇବା ଦୂରର କଥା ଭାତ ରାନ୍ଧିବାକୁ ଚାଉଳ ମୁଠାଏ ନାହିଁ । ପୁଅଟାର ବି ଝାଡା ହେଉଛି । କ’ଣ କରିବି? ଆପଣଙ୍କ ଉପରେ ଭରସା ଥିଲା । ବାକିଆ ଟଙ୍କା ଶୁଝିନି ବୋଲି ଆପଣ ଫେରାଇ ଦେଲେ । ଦି ଦିନ ହେଲା କିଛି ଖାଇନି,ଭୋକ ସଂଭାଳି ନ ପାରି ମୁଣ୍ଡା ସାରୁକୁ ଖାଇବି ବୋଲି ପୋଡୁଥିଲି । ଆଛା ଆପଣେ କୁଆଡେ ଆଇଲେ । ସୁଲି କ’ଣ ବେସ ମାନିଆ କରି କହିଲା? ହୁଣ୍ଡିଟା ଆସୁ ଆଜି ...

-ନାଇଁରେ ସୁକା ସୁଲିକୁ ସିନା ରାଗି ମନା କରିଦେଲି, ହେଲେ ମୁଁ ଶାନ୍ତିରେ ବସି ପାରିଲିନି ପରିସ୍ଥିତି ଯାହା ଶୁଣିଥିଲି ତମେ ମାନେ କ’ଣ କରୁଥିବ ଭାବି ମୁଁ ଚାଲିଆସିଲି । ସୁଲି ମତେ କିଛି କହିନି ।

-ତମେ ମଣିଷ ନୁହଁ ଦେବତା ବାବୁ । ସୁଲି ଫେରି ଆସିବା ପରେ ଝିଅ ବାହାଘର ପାଇଁ ରଖିଥିବା କଂସା ବାସନ ଦି’ଟା ବନ୍ଧା ରଖି ପଇସା ପାଇଁ ଯାଇଥିଲା । ହେଲେ ଏ ଯୁଗରେ ସୁନା ଛଡା ଆଉ କିଛି ଚଳୁନି । ଏଇ କ୍ଷଣି ସେ ଆଉ ଝିଅ ଧରମ ମାମୁଁ ଘରକୁ ଯାଇଛନ୍ତି । ବାଟରେ ଆସିଲା ବେଳେ ଦେଖିନି?

-ଆରେ ରାତି ଦଶଟା ହେଲାଣି ତାକୁ କୁଆଡେ ପଠାଇଲୁ? କ୍ଲବରେ ମଦୁଆ ଗୁଡାଙ୍କର ଜ୍ଞାନ ନାହିଁ । ସାଙ୍ଗରେ ବଢିଲା ଝିଅଟା ଅବସ୍ଥା କ’ଣ ହେବ ଜାଣୁ?

      — ମୁଁ ଜାଣେ ବାବୁ ଏ ଯୁଗରେ ଗରିବ ଜୀବନ ପାଇଁ ଇଜ୍ଜତଟା ବଡ କଥା ନୁହେଁ । ଗରିବର ଜୀବନଟା ବଂଚିବା ପାଇଁ ପେଟକୁ ମୁଠେ ଦାନା ଦେହକୁ କନା ଖଣ୍ଡେ ହେଲେ ଯଥେଷ୍ଟ । ହେଲେ ଯେତେବେଳେ ସେତକ ଅଭାବ ହୋଇ ରୋଗରେ ସଢି ମରିବା ପାଇଁ ଗାତକୁ ଗୋଡ ବଢାଏ, ସେତେବେଳେ ଇଜ୍ଜତଟା ବଡ ହୋଇ ନଥାଏ ।

      -ବାକ୍ ଚାତୁରୀ ବନ୍ଦକର । ଆଗ ଦେଖା ପୁଅ କେଉଁଠି? ମୁଁ ମୋର କାମ କରିବି ତୁ ଯା ମା’ ଝିଅ ଦିଟାଙ୍କୁ ଫେରାଇ ଆଣ ।

      ପୁଅ ପାଇଁ ସାଲାଇନ୍ ବ୍ୟବସ୍ଥା କରିବାକୁ ପଡିବ । ପିଲାଟା ଗୁଡେ ଝାଡା ହୋଇଯାଇଛି । ସେଥିରେ ପୁଣି ତାର ବାନ୍ତି ହୋଇଛି । ଦେହଟା ଏକବାର କଳାକାଠ ପଡିଗଲାଣି । ଏକା ଥରକେ ମାଲ ନିଉଟ୍ରେସନ୍ ଆଉ ରିହାଇ ଡ୍ରେସନ୍ । ଓଃ ମାଇଁ ଗଡ୍; ସାଲାଇନ୍ ଲଗାଇ ସାରିବା ପରେ ମୁଁ ମୋ ଜୀବନରେ ବିତିଯାଇଥିବା – ବିଗତ ଦିନର ଦୃଶ୍ୟ ଗୁଡିକୁ ମନେ ପକାଇବା ପାଇଁ ଚେଷ୍ଟା କଲି । ସତରେ ଗରିବ ଜୀବନଟା କି ଅଭିଶପ୍ତ ଜୀବନ? ସେ କେବଳ ସମାଜରେ ଲାଂଛିତ ହୋଇ ନ ଥାଏ । ଜୀବନ ସାରା ଗଧ ପରି ଖଟି ଖଟି ମୁଠେ ପେଟ ଭରି ଖାଇବାକୁ ପାଏନି । ଖଣ୍ଡେ ଲୁଗା ସାତ ସାଆଁ କରି ବର୍ଷସାରା ପିନ୍ଧେ । ଦେହ ଖରାପ ହେଲେ କୌଣସି ଗଛର ପତ୍ର କିମ୍ବା ଫୁଲକୁ ଖାଏ ।

     ବଜାରରେ ମୁଦ୍ରାସ୍ପୀତି ବଢିଲେ ଗରିବ ବେଶି ଶୋଷିତ ହୁଏ , ଯଦି ସମାଜରେ କିଏ ରକ୍ତହୀନତା , ପୁଷ୍ଟିହୀନତା ଓ ଜଳ ଶୁଷ୍କତାରେ ଆକାରନ୍ତ ହୁଅନ୍ତି । ସେଇମାନେ ହିଁ କେବଳ ହୁଅନ୍ତି । ଶିଶୁର ମୃତ୍ୟୁ ହାରକୁ ଗରିବ ହିଁ ବଢାଏ, ସରକାରୀ କାଗଜ ପତ୍ରରେ ସେ ଦରିଦ୍ର ସୀମାରେଖା ତଳେ ନାମଥିଲେବି ଆସୁଥିବା ଜିନିଷରୁ ଏକ ଚତୁର୍ଥାଶଂ ପାଇବା ପରେ ଅବଶିଷ୍ଟାଶଂ ଗୁଡିକ ହଡପ ହୋଇ ବଜାରରେ ଚଢା ଦରରେ ବିକି୍ର ହୁଏ । ରାଜନୈତିକ ନେତାମାନଙ୍କ ଚାମଚା ମାନେ ସରକାରଙ୍କ ଗରିବ ପାଇଁ ବାସଗୃହ ଗୁଡିକ ପାଇବା ସ୍ଥଳେ ଗରିବ ଲୋକ ଭଙ୍ଗା ଚାଳିଆରେ ଦିନ କଟାଏ । ତାର ଦୁଃଖ ଶୁଣିବା ପାଇଁ କେହି ନଥାନ୍ତି । କେବଳ ଶେଷରେ ଦୀର୍ଘଶ୍ୱାସ ଛାଡି ତାର ଜଡ ହେବା ଦେହଟା ମାଟିରେ ମିଶିଯାଏ ।

         ସୁକାର ଅବସ୍ଥା ବି ସେୟା, ସେ ଗରିବ ରିକ୍ସାବାଲାଟିଏ । ଦିନରେ ରିକ୍ସା ଟାଣିଲେ ରାତିରେ ଚୁଲିରେ ହାଣ୍ଡି ବସେ । ୟେ ତାର ଘର ନୁହେଁ; ଝୁଂପୁଡିଟିଏ, ଭଲ ଭାବରେ ଛପର ହୋଇନଥିବାରୁ ରାତିରେ ଜହ୍ନ ତାରା ଓ ଦିନରେ ସୂର୍ଯ୍ୟ ଦେଖା ଯାଉଥିବ । ବର୍ଷା ପାଣି ଗଳୁ ଥିବାରୁ ଠାଏ ଠାଏ ଚପାଳିଏ ରସ ତାଟିଆ ଓ ରସଥାଳି ଥୁଆ ହୋଇଛି । ସନିଆ ଶୋଇଛି ଛିଣ୍ଡା ସପ ଉପରେ । ତା ଦେହ ଉପରେ ସୁକା ଗୋଟେ ଛିଣ୍ଡା ଦରବା ଘୋଡାହୋଇଥିଲା । ଏସବୁ ମୋତେ ନୂଆ ଲାଗୁ ନଥିଲା । କାରଣ ମୁଁ ଗୋଟିଏ ବାପ ଛେଉଣ୍ଡ ଗରିବ ପୁଅ,ଗରିବର ଜୀବନ କ’ଣ ମୁଁ ଅଂଗେ ଲିଭେଇଛି । ଆଜିର ଡାକ୍ତରୀ ଜୀବନ । ଆଉ କାଲିର ଛାତ୍ର ଜୀବନକୁ ଅନାଇ ବସିଲେ ଆକାଶ ପାତାଳ ତଫାତ୍ ଲାଗେ । ପିଲା ବେଳେ ସ୍କୁଲକୁ ଯିବାପାଇଁ ପଖାଳ ମୁଠେ ନଥାଏ । ହୁକ ବୋତାମ ନଥିବା ଛିଣ୍ଡା ପେଣ୍ଟକୁ ଟେକି ଟେକି ସ୍କୁଲକୁ ଧାଉଁଥିଲି ଖାତା ବହି ନଥିବାରୁ ହୋମ୍ ଟ୍ୟାକ୍ସ୍ କରି ନପାରି ସାରଙ୍କଠୁ ଛେଚା ଖାଉଥିଲି । ଖେଳଛୁଟିରେ ଦଶ ପଇସାର ଆଇସକ୍ରିମଟିଏ କିଣି ପାରେନି, ଥୁରୁ ଥୁରୁ ପାହାନ୍ତିଆ ଶୀତରେ ଧାନ ହଳା ନେଇ ବାବୁ ଘର ଖଳାରେ ପଂହଚାଇବା ପରେ ବିଲରେ ବୋଉ ସହିତ ପଖାଳ ଭାତ ଆଳୁ ଚକଟା ଖାଇବା କଥା ମନେ ପଡିଲେ ଆଜି ବି କାନ୍ଦି ପକାଏ । ହେଲେ ପରୀକ୍ଷାର ସଫଳତା ମୋ ଆଗରେ ସ୍ଵପ୍ନର ସିତି ହୋଇ ବାଟ କଢାଇ ନେଇଥିଲା ।

        ହଠାତ୍ କାହାର କଥାରେ ଲାଗି ଆସୁଥିବା ଛାଇ ନିଦଟା ଚାଉଁ କରି ଭାଙ୍ଗିଗଲା । ସୁକା,ସୁଲି ଓ ତାର ଝିଅ ସୁନା ଫେରି ଆସିଥିଲେ । ସୁଲି ମୁହଁକୁ ଚାହିଁଲି,ତାର ଆଖି ଛଳ ଛଳ ହୋଇ ଉଠୁଥିଲା । “ଆରେ ତମର ଡେରି ହେଲା କାହିଁକି? ସୁକା ମୋ କଥା ଶୁଣି କାନ୍ଦ କାନ୍ଦ ହୋଇ କହିଲା” ସେ କଥା କୁହନା ବାବୁ । ସେ ମଦୁଆ ଗୁଡାକ ଏତେ ବଦମାସ୍ । ମୁଁ ଯାହା ଦେଖିଲି,ମୋର ବୁ୍ଦ୍ଧି ହଜିଗଲା । ଆପଣ ନ ଆସିଥିଲେ, ମୋର ଆଜି ସବୁ କିଛି ସରିଯାଇଥାନ୍ତା ଡାକ୍ତର ବାବୁ । ସୁକାର କଥା ଶୁଣି ନିଜକୁ ମୁଁ ଦୁର୍ଦାନ୍ତ ଅପରାଧୀ ମନେ କରୁଥିଲି । ସୁକାର ଝିଅକୁ ଚାହିଁ ରହିଥିଲି । ବିଚାରୀର ହତାଶିଆ ଛଳ ଛଳ ଆଖିରେ ମୋ ବୋଉର ମୁହଁ ନାଚି ଯାଉଥିଲା । ସତରେ ଜୀବନ କେତେ କଷ୍ଟ । ମଣିଷ ଜଗତରେ ଶ୍ରେଷ୍ଠ ପ୍ରାଣୀ ହେଲେ ମଧ୍ୟ ଜୀବନର ଜଟିଳ ମାନସାଙ୍କ କଣ ପାଇଁ ଅବୋଧ୍ୟ ହୋଇଯାଏ ? ସାପ ସିଡି ଖେଳୁ ଖେଳୁ କେତେ ବେଳେ ଖସି ପଡି ଲହୁ ଲୁହାଣ ହୁଏ ? ଯନ୍ତ୍ରଣାରେ ଚିକ୍ରାର କରେ । କେତେ ବେଳେ ଉପରକୁ ଉଠିଯାଇ ଧରାକୁ ସରା ମନେ କରେ ।

 ସା-ଭୋଦଳ

ପୋ-ପାଟସୁନ୍ଦରପୁର

କଟକ-୦୧୮

ସଂପର୍କ-୯୨୩୮୫୮୯୧୦୦


Rate this content
Log in

Similar oriya story from Inspirational