STORYMIRROR

Kiran Mishra

Tragedy

3  

Kiran Mishra

Tragedy

ବିଦେଶପ୍ରେମ

ବିଦେଶପ୍ରେମ

2 mins
978


ମମତାଅପାକୁ ହଠାତ୍ ରାତିରେ ମୋ ଘରକୁ ଆସିବାର ଦେଖି ପଚାରିଲି 'ଆପା ଏତେ ରାତିରେ?'ସେ ହସିଦେଇ କହିଲା 'ନାଇଲୋ ଜୁଲିର ବାହାଘର ଠିକ୍ ହୋଇଗଲା ତ ନିମନ୍ତ୍ରଣ କରିବାକୁ ଆସିଛି'।ମୁଁ ଆହୁରି ଆଶ୍ଚର୍ଯ୍ୟ ହୋଇଗଲି।କାରଣ ଆଠଦିନ ତଳେ ସେ ମତେ ଫୋନ କରିଥିଲା,ଆଉ ଜୁଲିପାଇଁ ପ୍ରସ୍ତାବ ଖୋଜା କେତେଦୂର ଗଲା ବୋଲି ପଚାରିଥିଲା। ମୁଁ ପୁଣି ପଚାରିଲି 'ଏତେ ଶୀଘ୍ର କୋଉଠି ଠିକ କଲୁ।ସେ ପ୍ରଗଳ୍ଭତାର ସହିତ କହିଲା ,'ମୁଁ ଯେମିତି ପ୍ରସ୍ତାବ ଖୋଜୁଥିଲି ସେମିତି ପ୍ରସ୍ତାବ ଟିଏ ପାଇଲି । ପୁଅଟି ଲଣ୍ଡନରେ ଡାକ୍ତର ଅଛି,ଭୁବନେଶ୍ୱରରେ ଗୋଟିଏ ବଡଘର ଅଛି ,ବେଶ ପଇସାବାଲା। ମାତ୍ର ପନ୍ଦରଦିନ ପାଇଁ ଆସୁଛି ,ତା ବାପ ମା ଚାହୁଁଛନ୍ତି ବାହାଘର କରି ଛାଡିଦେବେ,ଜୁଲିର ଭିସା ହେଲେ ପରେ ସେ ଯିବ'।ଏତେଗୁଡିଏ କଥା ସେ ଏକା ସଙ୍ଗେ କହିସାରିଲା ପରେ ବାହାଘରକୁ ଯିବାକୁ ଅନୁରୋଧ କରି ଚାଲିଗଲା।

ମମତା ଅପା ମୋର ଜଣେ ଦୂରସଂପର୍କିୟ ଭଉଣୀ ।

ଜୁଲି ମମତା ଅପାର ଏକମାତ୍ର ଝିଅ। ଦେଖିବାକୁ ଖୁବ୍ ସୁନ୍ଦର। ଏମ୍.ଏ ପାଶ କରିଛି।ବାହାଘର ପାଇଁ ଅନେକ ପ୍ରସ୍ତାବ ଆସିଥିଲେ ବି, ମମତା ଅପାର ଇଚ୍ଛା ଥିଲା, ବିଦେଶରେ ଡାକ୍ତର କି ଇଂଜିନିୟର ଜୋଇଁଟିଏ କରିବା ପାଇଁ। ଶେଷକୁ ମନଲାଖି ଜୋଇଁ ମିଳିଥିବାରୁ ସେବି ବହୁତ ଖୁସି ଥିଲା।

ବାହାଘରକୁ ମୁଁ ଯାଇଥିଲି।ବେଶ୍ ଧୁମଧାମରେ ମଧ୍ୟ ବାହାଘର ହୋଇଥିଲା। ବାହାଘରର ଦଶଦିନ ପରେ ଜୋଇଁ ଚାଲିଯାଇଥିଲା। କଥା ଥିଲା ମାସେପରେ ଭିସା ହେଲେ ଝିଅ ଯିବ। ମାସେଗଲା ,ବର୍ଷେଗଲା ଜୋଇଁ ଝିଅକୁ ନେବାର ନାଁ ଧରିଲାନି କି ,ଫୋନ ଟେ ବି କଲାନି। ମନରେ ସନ୍ଦେହ ହେବାରୁ ସେଠାରେ ଥିବା କୌଣସି ବନ୍ଧୁଙ୍କୁ ପୁଅ ବିଷୟରେ ବୁଝିବାକୁ କହିଲେ। ସେ ବନ୍ଧୁ ଜଣକ ଜଣାଇଲେ ଯେ ପୁଅଟି ସେଠାରେ ବାହା ହୋଇଛି।ତା ର ଗୋଟାଏ ପୁଅମଧ୍ୟ ଅଛି।ସେ ଏ ଝିଅ ଟିକୁ କେବେବି ନେବନି। ଏହି କଥାଟି ଆଗରୁ ବୁଝିଥିଲେ ହୁଏତ ଏପରି ଅବସ୍ଥା ସୃଷ୍ଟି ହୋଇନଥାନ୍ତା ।ଏ କଥାଟି ଶୁଣି ମମତା ଅପାର ପରିବାର ଉପରେ ବଜ୍ର ପଡିଲା। ମା ଓ ଝିଅ ଦୁଇଜଣ ଯାକ କତରାଲାଗି ହୋଇଗଲେ। ବାପମାଙ୍କ ଉଚ୍ଚାଭିଳାଷ ଯୋଗୁଁ ଜୁଲିର ଜୀବନ ନଷ୍ଟ ହୋଇଗଲା।

ସ୍ୱାଧିନତା ପୂର୍ବବର୍ତ୍ତୀ ସମୟରେ ଲୋକଙ୍କ ଭିତରେ ସ୍ୱଦେଶ ପ୍ରେମ ଥିଲା କିନ୍ତୁ, ସ୍ୱତନ୍ତ୍ରତା ପରେ ଲୋକମାନଙ୍କ ମନରେ ବିଦେଶ ପ୍ରେମର ଧାରା ପ୍ରବାହିତ ହେଉଛି।ପିଲାମାନେ ବିଦେଶରେ ରହିଲେ ବାପାମା ଗଭୀର ଆତ୍ମପ୍ରସାଦ ଅନୁଭବ କରୁଛନ୍ତି। ଯାହା ଫଳରେ ଜୁଲି ଭଳି ଝିଅମାନଙ୍କ ଜୀବନ ନଷ୍ଟ ହୋଇଯାଉଛି। ତେଣୁ ବିଦେଶ ଯିବା ଆକାଂକ୍ଷ ପିଲାମାନଙ୍କ ମନ ମଧ୍ୟରେ ସୃଷ୍ଟି ନକରି,ବରଂ ଆମ ଦେଶ ମଧ୍ୟ କୌଣସି ଗୁଣରେ ଅନ୍ୟ ଦେଶଠାରୁ କମନୁହେଁ ,ଏ ଧାରଣା ସୃଷ୍ଟି କଲେ ହୁଏତ ଏପରି ଅଘଟଣା ଘଟନ୍ତାନି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy