STORYMIRROR

Tafizul hussain

Tragedy

4  

Tafizul hussain

Tragedy

ଭତ୍ତା

ଭତ୍ତା

2 mins
402


ପାଦ ଥକି ଯାଇଥିଲେ ମଧ୍ୟ ସେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରୁଥିଲେ। ସାମାନ୍ୟ ଏପାଖ ସେପାଖ ଅନାଇଁ ଭିଡ଼ ମଧ୍ୟକୁ ପଶିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ଏମିତି ଅନେକ ଥର ପ୍ରୟାସ କରିଛନ୍ତି। ବାରମ୍ବାର ବିଫଳ ହୋଇଛନ୍ତି, ହେଲେ ହାରି ନାହାଁନ୍ତି। ଶରୀର କହିଲେ ହାଡ଼ ଉପରେ ଲାଗିଥିବା ପରସ୍ତେ ଚମ ମାତ୍ର। ତାଙ୍କ ଭଳି ଅନେକଙ୍କ ଭିଡ଼ ଏଠି। ହେଲେ ବୃଦ୍ଧଙ୍କ ବ୍ୟସ୍ତତା ବାରି ହୋଇ ପଡୁଥାଏ। ଆଖି ତାଙ୍କର ସତେ ଯେମିତି କିଛି କହିବାକୁ ବ୍ୟାକୁଳ ହେଉଥାଏ। 

ଧାଡ଼ି ବାନ୍ଧି ଛିଡ଼ା ହୁଅ। ଏକ କର୍କଶ ସ୍ବର ପରିସ୍ଥିତି କୁ ଅସମ୍ଭାଳ କରିଦେଲା । ତାପରେ ଏକ ଲମ୍ବା ଲାଇନ୍ ଓ ସବା ଶେଷରେ ସେଇ ବୃଦ୍ଧ ଜଣକ । କିଛି ଘଣ୍ଟା ବିତି ଯାଇଛି। ଏଇ କିଛି ସମୟ ପରେ ତାଙ୍କର ପାଳି ଆସିବ। ଅସ୍ତବ୍ୟସ୍ତ ହୋଇ ଅନାଇଁ ଥାନ୍ତି ଚଉକିରେ ବସିଥିବା ବାବୁଙ୍କ ଆଡ଼କୁ। ହଠାତ୍ ଘୋଷଣା ହେଲା ମଧ୍ୟାହ୍ନ ଭୋଜନ ବିରତି ପରେ ଭତ୍ତା ବିତରଣ ହେବ। 

କ'ଣ କରୁଥିବ ଅଭାଗିନୀ। ଦୁଇ ପୁଅଙ୍କୁ ଜନ୍ମ ଦେଇ ଆଜି ସେ ସାହାରା ଖୋଜୁଛି। ସୁଖର ସଂସାର କେତେବେଳେ ଉଜୁଡି ଗଲା ତାର ଆଉ ହିସାବ ମିଳୁନି। ବୃଦ୍ଧାଶ୍ରମ ଯିବାକୁ ମଧ୍ୟ ଅମଙ୍ଗ। ଏଇ ଘରକୁ ବୋହୂ ହୋଇ ଆସିଥିଲି, ଏଠାରୁ ହିଁ ମଶାଣିକୁ ଯିବି। ଏଇ ପଦକ କଥା ହିଁ ବୃଦ୍ଧଙ୍କୁ କେତେବେଳେ ଶକ୍ତି ଯୋଗାଏ ତ କେତେବେଳେ ଅସହାୟ ବୋଧ ପାଇଁ ବାଧ୍ୟ କରିଥାଏ । ଭତ୍ତା ନେଇ ଶୀଘ୍ର ଫେରିବାକୁ ହେବ। ଔଷଧ ନେଲେ କାଳେ ତାକୁ ପ୍ରଣଘାତି କାସରୁ ମୁକ୍ତି ମିଳିବ। ତାପରେ ଏମିତି ଅନେକ ଭାବନା ବୃଦ୍ଧଙ୍କ ଚକ୍ଷୁକୁ ଛଳଛଳ କରିଥିଲା।

ଶୁଣୁଛ ବଡ଼ ପୁଅ ଆଜି ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯିବ। ତା ହାତରେ କିଛି ଟଙ୍କା ଦିଅ। ସେ ଚାକିରୀ ପାଇଲେ ଜାଣ ଆମ ଦୁଃଖ ସରିଲା। 

ଦଶ ବର୍ଷ ବିତିଗଲାଣି ମା ବଞ୍ଚିଛି ନା ନାହିଁ ଆଜି ପର୍ଯ୍ୟନ୍ତ ଦେଖିବାକୁ ଆସିଲାନି। ସମସ୍ତଙ୍କ ପାଠ ପଢା ପାଇଁ ସୁନା ଗହଣା ବିକ୍ରୀ ହେଲା, ଘର ଖଣ୍ଡକ ବନ୍ଧକ ପଡିଲା ଯେ ଆଉ ମୁକୁଳି ପିରିଲା ନାହିଁ । ସ୍ବପ୍ନ କେତେବେଳେ ଲୁହ ପାଲଟି ଗଲା ଜାଣି ହେଲାନି। ସବୁ ପର କରି ଚାଲିଗଲେ। 

ମଉସା ଭତ୍ତା ନେବନି କି? ଅନାଇବା ବେଳକୁ କେତେବେଳୁ ଲାଇନ୍ ଶେଷ ହୋଇଛି। ଏବେ ଏକା ବୃଦ୍ଧଙ୍କ ପାଳି। ତରତର ହୋଇ ଭତ୍ତା ନେଇ ବୃଦ୍ଧ ଧାଇଁ ଚାଲିଲେ ଔଷଧ ଦୋକାନକୁ। ଆଉ ଅଲ୍ପ ବାଟ, ସଞ୍ଜ ନଇଁ ଆସିଲାଣି। 

ଏ କ'ଣ ବର୍ତମାନ ଯାଏଁ ସଞ୍ଜ ବତୀ ଜଳିନି। ବୃଦ୍ଧ ଏକା ନିଃଶ୍ୱାସରେ ଧାଇଁଲେ ଘର ଭିତରକୁ। ଡ଼ାକ ଛାଡ଼ିଲେ। ଆଖିକୁ କ'ଣ ଦେଖାଯାଉଛି। ଗୋଡରେ ଆଘାତ ଲାଗିଲା। ହେ ଭଗବାନ। ବାସ୍ ଏତିକି, ନିରବିଗଲା ସମସ୍ତ ସ୍ବର ଓ ଯନ୍ତ୍ରଣା। ସକାଳ ପାହିବା ଆଗରୁ ମଶାଣିରେ ଜଳୁଥିଲା ଦୁଇଟି ଜୁଇ। ଶେଷ ହୋଇଥିଲା ସ୍ବପ୍ନ ଓ ଶେଷ ହୋଇଥିଲା ଆଉ ଏକ ଅଧ୍ୟାୟ ଜୀବନ କାହାଣୀର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy