ଅଚିହ୍ନା
ଅଚିହ୍ନା
ସଞ୍ଜ ନଇଁ ଆସୁଥାଏ। ନିକଟରେ ଥିବା ମନ୍ଦିରରୁ ସଙ୍ଖ ନାଦ ମଧ୍ୟ ଶୁଭୁଥାଏ। ମା ଚଉଁରା ମୂଳରେ ସଞ୍ଜ ବତୀ ଦେଇ ଫେରୁ ଫେରୁ ରଙ୍ଗବତୀକୁ ପଚାରୁଥିଲେ କ'ଣ ହୋଇଛି ତୋର ।
ଅନ୍ୟମନସ୍କ ଥିବା ରଙ୍ଗବତୀ ହଡବଡେଇ ଉଠି, ନା କିଛି ତ ନାହିଁ। ଏମିତି ବସିପଡିଥିଲି । ଉତ୍ତର ହେଇଥିଲା। ତୋର ଯାହା ଇଚ୍ଛା କର, ରାତି ହେଲାଣି, ତେଣେ କେତେ କାମ , ହଁ ଶୁଣ ତୋ ବାପଙ୍କୁ ଚା ତିଆରି କରି ଦେଇଦେବୁ। ଏତିକି କହି ମା ଫେରି ଯାଇଥିଲେ। ମାଙ୍କ ଫେରିବା ବାଟକୁ ସେମିତି ଅନାଇ ରହିଥିଲା ରଙ୍ଗବତୀ।
ରାତି ଆସି ଆଠଟା ହେଲାଣି, କିଛି ଜାଣି ପାରୁଛୁ ନା ନାହିଁ। ମଲା ସେତେବେଳୁ କାଠ କଣ୍ଢେଇ ପରି ବସିଛୁ ଯେ ।ମାଙ୍କ ତାକିଦା ସ୍ୱର ରଙ୍ଗବତୀକୁ ଭାବନା ରାଇଜରୁ ପୁଣି ଥରେ ଟାଣି ଓଟାରି ବାସ୍ତବତା ସହ ପରିଚିତ କରିଥିଲା।
କ'ଣ ହେଇଚି ତୋର, କେତେଵେଳୁ ବର୍ଷା ଆରମ୍ଭ ହେଲାଣି ଲାଇନ୍ ଚାଲିଯବ ଭଳି ଲାଗୁଛି। ଉଠ୍ ଶୀଘ୍ର ଖାଇଦେବା, ଶୁଣୁଛୁ ନା ନାଇଁମ।
ହଁ ଯାଉଛି, ଏତିକି କହି ରଙ୍ଗବତୀ ଉଠି ହାଣ୍ଡିଶାଳକୁ ଯାଇଥିଲା।ଡାଇନିଂ ଟେବୁଲ୍ ଉପରେ ବସି ଖାଇବା ବେଳେ ବାପା ପଚାରିଥିଲେ, କାଲି ତୋର ପରୀକ୍ଷା ଅଛି। ପଢ଼ାପଢ଼ି କଲୁ ନା ନାହିଁ।
ରଙ୍ଗବତୀ କିଛି ଉତ୍ତର ଦେବା ଆଗରୁ ମା କହିଥିଲେ। ସଞ୍ଜ ବେଳୁ ଏକା ବସିଛି ଯେ ବସିଛି। ଯେତେ ପଚାରିଲେ ମଧ୍ୟ କିଛି କହୁନି। ମା କ'ଣ କହୁଛନ୍ତି, କ'ଣ ହୋଇଛି ତୋର କହୁନୁ ବାପାଙ୍କ ପ୍ରଶ୍ନର ଉତ୍ତର ବୋଧେ ରଙ୍ଗବତୀ ନିକଟରେ ନଥିଲା। ଖାଇ ସାରିବା ପରେ ରଙ୍ଗବତୀ ଫେରି ଯାଇଥିଲା ନିଜ କୋଠରୀକୁ। ବାପା ଓ ମା କେବଳ ଅନାଇଁ ରହିଥିଲେ ରଙ୍ଗବତୀକୁ।ଆଖି ଖୋଲିଲା ବେଳକୁ ସକାଳ ୭ଟା, ବୋଉ ବୋଉ ମତେ ଉଠେଲନି, ଆଜି ପରୀକ୍ଷା ଅଛି ପରା। ବିରକ୍ତି ହୋଇ ରଙ୍ଗବତୀ ବୋଉକୁ ଡାକୁଥିଲା।
ମଲା ୨/୩ ଥର ଉଠେଇଲି ତୁ ଉଠିଲେତ, ବିରକ୍ତି ପ୍ରକାଶ କରୁଥିଲେ ମା।ହେଉ, ଶୀଘ୍ର କର ବାପା ରେଡି ହେଲେଣି ଅଫିସ ଗଲା ବାଟରେ କଲେଜରେ ଛାଡିଦେବେ ତତେ।ବାପା ଝିଅ ବାଇକ୍ ରେ। କଲେଜ ପହଞ୍ଚି ପାଇଁ ଆଉ ଅଳ୍ପ ବାଟ ଅଛି। ବାହାରିଥିବା ଏକ ରାଲି ଯୋଗୁଁ ଟ୍ରାଫିକ ଜାମ୍ ହୋଇଛି। ରାଲି ଅତିକ୍ରମ କଲେ ଯାଇଁ ଆଗକୁ ଯିବାକୁ ହେବ। ରାଲି ବାହାର କରିଦେଲେ କ'ଣ ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ବାପାଙ୍କ ଏହି କଥା ଘାଣ୍ଟି ଚକଟି ଚାଲିଥିଲା ରଙ୍ଗବତୀକୁ।
ଅନେକ ଯୁବକ ଯୁବତୀଙ୍କ ହାତରେ ବ୍ୟାନର୍ ରହିଛି। କେଉଁଠି ଲେଖାଅଛି ପୀଡିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କର। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ଏମିତି ଅନେକ କିଛି। ସତେ ଯେମିତି ରଙ୍ଗବତୀର ମୁଣ୍ଡ ଗୋଳମାଳ ହେଇ ଯାଉଥିଲା। କେତେବେଳେ ଶୋଭାଯାତ୍ରା ତା ବାଟରେ ଚାଲିଯାଇଥିବା ବେଳେ, କଲେଜ ଆସିଲାଣି ଓହ୍ଲାଇବୁ ନାହିଁ କି? ବୋଲି ବାପାଙ୍କ ସ୍ବର ତାକୁ ପୁଣି ଭାବନା ରାଇଜରୁ ଫେରାଇ ଆଣିଥିଲା।
ରଙ୍ଗବତୀ ଓହ୍ଲାଇ ଚାଲିଯାଇଥିଲା କଲେଜକୁ।
ପୁଣି ଏକ ସନ୍ଧ୍ୟା ଆଗମନ ହେବାରୁ ସଞ୍ଜ ବତୀ ପାଇଁ ସଜ କରୁକରୁ ମା ପଚାରିଲେ ଏଯାଏଁ ରଙ୍ଗବତୀ ଫେରିନି। ଦେଖ ତାକୁ କୁଆଡ଼େ ଗଲା।
ଅନେକ ଫୋନ୍ କରିଛନ୍ତି ବାପା ହେଲେ ଝିଅର କିଛି ଖୋଜ ଖବର ନାହିଁ। ରାତି ହେଲାଣି କୁଆଡେ ଗଲା ସେ, ଆରମ୍ଭ କରିଥିଲା ନାନାଦି ଅଘଟଣର ଆଶଙ୍କା।ହଠାତ୍ ଫୋନ୍ ର ରିଙ୍ଗ ବାଜିବାରୁ ତରବର ହୋଇ ବାପା ଫୋନ୍ ଉଠାଇଥିଲେ।
ଅପର ପାର୍ଶ୍ୱରୁ ଶୁଣା ଯାଉଥିଲା, ଆପଣ ସୋମନାଥ ବାବୁ କହୁଛନ୍ତି ତ। ହଁ, ଆଶା ଓ ଆଶଙ୍କାରେ କେବଳ ଏତିକି ଉତ୍ତର ରଖିଥିଲେ ସୋମନାଥ ବାବୁ।ଆପଣଙ୍କ ଝିଅ ବର୍ତ୍ତମାନ ଥାନାରେ ଅଛି ଆସି ତାକୁ ନେଇ ଯାଆନ୍ତୁ।
କ'ଣ ହୋଇଛି ତାର, ସୋମନାଥ ବାବୁଙ୍କ ଏହି ପ୍ରଶ୍ନର କେବଳ ଏତିକି ଉତ୍ତର ମିଳିଥିଲା। ଆପଣ ଶୀଘ୍ର ଆସନ୍ତୁ। ତା ପରେ ବିଛିନ୍ନ ହୋଇଥିଲା ଫୋନ୍ ସଂଯୋଗ।ଘଟଣା କ'ଣ କାଲିଠାରୁ ଝିଅ ନୀରବ ଓ ଅନ୍ୟମନସ୍କ ରହୁଥିଲା। ଶରୀରରେ ଏକ ପ୍ରକାରର କମ୍ପନ ଅନୁଭବ କରିଥିଲେ ସୋମନାଥ ବାବୁ।ଥାନା ସମ୍ମୁଖରେ ଶହ ଶହ ସଂଖ୍ୟାରେ ଜନଗହଳି। ବହୁ ସଂଖ୍ୟାରେ ଗଣମାଧ୍ୟମ ପ୍ରତିନିଧି ମଧ ଉପସ୍ଥିତ। ସମସ୍ତଙ୍କ ମୁଖ ମଣ୍ଡଳରେ ପ୍ରତିଶୋଧର ଅଗ୍ନି ବାରି ହୋଉଥାଏ। ସୋମନାଥ ବାବାଙ୍କ ହୃଦକମ୍ପନ ବଢି ବଢି ଚାଲିଯାଏ। କ'ଣ ପଚାରିବେ, କାହାକୁ ପଚାରିବେ କିଛି ବୁଝିପାରୁ ନଥାନ୍ତି।ଗହଳି ମଧରୁ କେହି ଜଣେ ଆଦେଶ ଦେଲାଭଳି ସ୍ବର ଶୁଣାଗଲା। ଚାଲିଆସ, ଥାନା ଭିତରକୁ ଚାଲିଆସ। ସୋମନାଥ ବାବୁ ଅଣନିଃଶ୍ବାସୀ ହେବା ଭଳି ଅନୁଭବ କଲେ। ଏହାରି ମଧ୍ୟରେ ସେ କେମିତି ଥାନା ମଧ୍ୟରେ ପ୍ରବେଶ କରିଛନ୍ତି ସେ ଜାଣିପାରି ନାହାଁନ୍ତି।
ଚାରିଆଡେ ଆଖି ବୁଲାଇ କେବଳ ଖୋଜୁଥାନ୍ତି ଝିଅକୁ। ହେଲେ କେଉଁଠି ହେଲେ ରଙ୍ଗବତୀ ଦେଖାଯାଉ ନଥାଏ। ଚେୟାର ଉପରେ ବସିଥିବା ଜଣେ ପୁଲିସ ଅଧିକାରୀଙ୍କୁ ପଚାରିଲେ ରଙ୍ଗବତୀ କେଉଁଠି। ପୁଲିସ ବାବୁ ଇସାରା ରେ ଜଣାଇଲେ। ଅନ୍ୟ ଏକ କୋଠରୀ ଆଡ଼କୁ। ସୋମନାଥ ବାବୁଙ୍କ ପାଦ ସତେ ଯେମିତି ଆଉ ଆଗକୁ ବଢିବା ପାଇଁ ମନା କରୁଥିଲା। ଭିତର କୋଠରୀରୁ ବାହାରି ଆସିଲେ ଆଉ ଜଣେ ବାବୁ। ଆସନ୍ତୁ ସୋମନାଥ ବାବୁ। ମୁଁ ଆପଣଙ୍କୁ ଫୋନ୍ କରିଥିଲି।
ସୋମନାଥ ବାବୁଙ୍କ କେବଳ ଗୋଟିଏ ଅଧା ପ୍ରଶ୍ନ, ମୋର ଝିଅ।ଜାଣିଛନ୍ତି ଆପଣ, ଆପଣଙ୍କ ଝିଅର କରାମତି। ତା ଓଠରୁ ଶୁଣିବ। ତେବେ ଯାଇ ଆପଣଙ୍କୁ ବିଶ୍ବାସ ଆସିବ।ସାମ୍ବାଦିକ ବନ୍ଧୁ ଦୀର୍ଘ ସମୟଧରି ଅପେକ୍ଷା କଲେଣି। ସେମାନଙ୍କୁ ଭିତରକୁ ଛାଡ। ନିର୍ଦ୍ଦେଶ ଦେଲେ ଥାନା ବାବୁ।
ଗତକାଲି ସନ୍ଧ୍ୟାରେ ମୁଁ କଲେଜରୁ ଘରକୁ ଫେରୁଥିଲି। କଛି ବାଟ ଆସିବା ପରେ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିଲି। ୨/୪ ଜଣଙ୍କୁ ଛାଡି ଆଉ କେହି ନଥିଲେ।ହଠାତ୍ ପାଟିତୁଣ୍ଡ ଶୁଣାଗଲା। କିଛି ଯୁବକ ଜଣେ ଯୁବତୀଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ କରୁଛନ୍ତି। ଯୁବତୀ ଜଣକ ସେଠାରୁ ଧାଇଁବା ଆରମ୍ଭ କଲେ। ମୁଁ ନାତ ସେ ଯୁବତୀଙ୍କୁ ଚିହ୍ନିଥିଲି ନା ସେ ଯୁବକ ମାନଙ୍କୁ। ହଁ ସେମାନଙ୍କ ମଧ୍ୟରୁ ଜଣେ ଦୁଇଜଣଙ୍କୁ କଲେଜ ଛକରେ ଅନେକ ସମୟ ଦେଖିଛି। ଘଟଣା ପରେ ମତେ ତର ଲାଗିଲା। ବସରେ ଘରକୁ ଫେରିଲି। ସେହି ଘଟଣାର ଦୃଶ୍ୟ ଗୁଡ଼ିକ ବାରମ୍ବାର ମୋ ଆଖି ଆଗରେ ଯେମିତି ଘଟିଯାଉଥିଲା। ଶୋଇ ପାରିଲିନି ରାତିସାରା। ସତେ ଯେମିତି ସେ ମତେ କହୁଥିଲା ରକ୍ଷା କର ଭଉଣୀ। ଆଜି ସକାଳେ ପରୀକ୍ଷା ପାଇଁ କଲେଜ ଗଲାବେଳେ ରାଲି ଯୋଗୁଁ ଜାଣିପାରିଲି ପରବର୍ତ୍ତୀ ସମସ୍ତ ଘଟଣା। ପରୀକ୍ଷା ପରେ ସିଧା ଧାଇଁ ଆସିଲି ପୁଲିସ ନିକଟକୁ। ଜାହା ଜାଣିଛି ସବୁ କହିଛି। ଦୋଷୀଙ୍କୁ ନିଶ୍ଚୟ କଠୋର ଦଣ୍ଡ ମିଳିବ। ଗଣମାଧ୍ୟମ ସମ୍ମୁଖରେ ସମ୍ପୁର୍ଣ୍ଣ ନିର୍ଭୀକ ଭାବେ କହିଥିଲା ରଙ୍ଗବତୀ।
ତାପରେ ଥାନା ବାବୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେବା ସହ ରେବତୀର ସାହସିକତାକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।
ସୋମନାଥ ବାବୁଙ୍କୁ ଲକ୍ଷ୍ୟ କରି ଝିଅର ସାହସିକ କାର୍ଯ୍ଯ ପାଇଁ ଉଭୟଙ୍କୁ ଶୁଭେଚ୍ଛା ଜଣାଇଲେ।
ସୋମନାଥ ବାବୁ ସତେ ଯେମିତି ଅନୁଭବ କରୁଥିଲେ ପରମ ଆନନ୍ଦ।ଥାନା ସମ୍ମୁଖରେ ଛିଡ଼ା ହୋଇଥିବା ଜନସାଧାରଣଙ୍କ ମଧ୍ୟ ଜଣାଉଥିଲେ ଶୁଭେଚ୍ଛା ରଙ୍ଗବତୀଙ୍କ ସାହାସିକ କାର୍ଯ୍ୟ ପାଇଁ।
