ଭୋକ
ଭୋକ
ଜଙ୍ଗଲରୁ ଧୂଆଁ ଉଠୁଥିଲା. ମନୁଷ୍ୟକୃତ କି ପ୍ରାକୃତିକ ବୁଝିବା ପୂର୍ବରୁ ମଙ୍ଗଳୁ ମାଝୀ ଦେଖିଲା ଜନ୍ତୁଟାଏ ମରିପଡିଛି. ବାରାହା କି କୁଟୁରା ହୋଇଥିବ ଭାବି ଟେକି ନେଲା ବେଳେ ଧୂଆଁ ଧୂଆଁ ଜଙ୍ଗଲରେ କିଛି ବାଟ ଘାଟ ଦେଖାଯାଉନଥିଲା. ଭୋକରେ ପେଟ ବି ଜଳୁଥିଲା ତଥାପି ପିଲାଦିନର କଥାଟି କାହାଣୀ ହୋଇ ମୁଣ୍ଡରେ ଧୂଆଁ ସୃଷ୍ଟି କରୁଥିଲା ମଙ୍ଗଳୁ ମାଝୀର . ସେଦିନ ବାବୁଘରେ ଚାଉଳ, ପୁଆସାରୁ, ବିଲାତି ଆଳୁ ସହ ପନିପରିବା ଧରି କାଣ୍ଡି ମାଝୀ ସଙ୍ଗେ ମଙ୍ଗଳୁ ମାଝୀ ଯାଇଥିଲା ଅଧିଶ୍ଵରବାବୁଙ୍କ ଘରକୁ. ବାବୁଆଣୀ ତ ବାପ ପୁଅ ଦୁହିଁଙ୍କୁ ଦେଖୁ ଦେଖୁ ଚାରିଚକିଆ ଗାଡିରେ କୁଆଡେ ବସି ଚାଲିଗଲେ ଯେ ଅଧିଶ୍ଵରବାବୁ କହିଲେ ମାଆଙ୍କର ଜରୁରୀ ମିଟିଙ୍ଗ ଥିବାରୁ ଚାଲିଗଲେ ତୁମେ ବାପ ପୁଅ ଦୁହେଁ ନିଅ କଫି ଓ କାଜୁ ଖାଅ. କାଜୁ କେଇଟା ଟପ ଟପ କରି ପାଟିରେ ପକେଇ ମଙ୍ଗଳୁ ଶୋଷି ନେଉଥିଲା କଫି କପଟିକୁ.କାଣ୍ଡିମାଝୀ କପ ଧୋଇ ପୁଅର ହାତ ଧରି ଉଠୁ ଉଠୁ ବାବୁ ଧରେଇଦେଇଥିଲେ ପଚାଶ ଟଙ୍କା ଆଉ କହିଥିଲେ ଆଉ ଜଙ୍ଗଲ ମାଉଁଶ ଟିକେ ପାଟିରେ ବାଜୁନି କଣ ପୋଢୁ ଚାଷବାସ ହେଉନିକି ଆଉ ଗାଁରେ? କାଣ୍ଡି ମାଝୀ କଥା ଦେଇ ଆସିଥିଲା ଏସନ ଜଙ୍ଗଲରେ ନିଆଁ ଲାଗିଲେ କୁଟୁରା ମାଂସ ଧରି ସେ ଆସିବ. ବାଟରେ ପୁଅ ମଙ୍ଗଳୁ ମାଝୀ ପଚାରୁଥିଲା ବାଆ ଏ ବାବୁ ଘରେ କାଜୁ,ଅଖରୁଟ, ଚେରି ପରି କେତେ କିସମ କିସମ ଖାଦ୍ୟ ମହଜୁଦ ଥିଲା ବେଳେ ବାବୁଟା ଜଙ୍ଗଲ ମାଉଁଶ କିଆଁ ଖୋଜୁଛି? ବାଆ କାଣ୍ଡି ମାଝୀ କହିଥିଲା ଜଙ୍ଗଲ ମାଉଁଶର ପରା ନିଆରା ସ୍ୱାଦ ଥାଏରେ ପୁଅ. ତାକୁ ଯିଏ ଥରେ ପାଇଛି ସେ କଣ ଆଉ ଛାଡିବ!
ସତକୁ ସତ ଗାଁରେ ପହଞ୍ଚୁ ପହଞ୍ଚୁ ଜଙ୍ଗଲ ପୋଡିହେବା ଦୃଶ୍ୟରେ କାଣ୍ଡି ମାଝୀ ଖୁସି ହୋଇଗଲା ଓ ପାଇଯାଇଥିଲା ମଧ୍ୟ ବିରାଟ ଜନ୍ତୁଟିଏ. କେଳେଇ କୁଟେଇ ମାଂସ ନେଇ ଦେଇଆସିଥିଲା ପୁଣି ବାବୁଘରେ. ମଙ୍ଗଳୁ ମୁହଁ ଶୁଖେଇବାରୁ କାଣ୍ଡି ମାଝୀ କହିଥିଲା ତତେ କଣ ଏ ଦରବ ଅପୂର୍ବ ହୋଇଛି!ମଙ୍ଗଳୁ କିନ୍ତୁ ବାପାର ବବୁଘରକୁ ଯିବା ପରେ ପରେ ସଫା ସୁତୁରା କରୁ କରୁ ଜନ୍ତୁର ଅନ୍ତବୁଜୁଳିରେ ଭାତ ଦେଖି ଚମକି ପଡିଥିଲା. କାଣ୍ଡିମାଝୀ ଫେରିବା ପରେ ପୁଅଠୁ ଏକଥା ଶୁଣି କାନରେ ହାତ ଦେଇଥିଲା କହିଥିଲା କାହାକୁ ନକହିବାକୁ କିନ୍ତୁ ଗାଁରେ ରମା ବୋଉ ବହୁନା ପକାଉଥିଲା ମୋ ଛୋଟି କାଳୀ ଗାଈଟା କୁଆଡେ ଗଲା ଯେ ଆଉ ଫେରିଲାନି ତ ମଙ୍ଗଳୁ କହିଦେଇଥିଲା ବାପା ମନାକରିବା କଥାଟାକୁ ସମସ୍ତଙ୍କୁ ତ ନ୍ୟାୟ, ନିଶାପ ବସିଲା. କେତେ କଥା ହେଲା ଆଉ ଶେଷକୁ ଅଧିଶ୍ଵରବାବୁ ବେକରେ ପାଳ ଦଉଡି ପକାଇ ଓ ଦାନ୍ତରେ ତିରଣ ପକାଇ ଢେର ଦିନ ବୁଲିଲା ପରେ ମଧ୍ୟ ପାତକ ଛଡେଇବାକୁ ପୁରୀରେ ଦାନ ଦକ୍ଷିଣା ଦେଇ ବ୍ରାହ୍ମଣ ଖିଆ କରାଇ ମଧ୍ୟ ସନ୍ତୁଷ୍ଟ ନଥିଲେ. ସେଇ ଦୁଃଖରେ ଜୀଵନ ଗଲା ପରେ ପରେ ବାଆ ବି ଚାଲିଗଲା ମଙ୍ଗଳୁ ମାଝୀକୁ ଏକୁଟିଆ କରି.
ଏ ଭିତରେ ଜଙ୍ଗଲରେ ନିଆଁ ଲାଗିଛି ଅନେକ ଥର. ଲୋକେ ଖୋଜନ୍ତି ପାଉଁଶ ଭିତରୁ ହରିଣ, ସମ୍ବର ମାଉଁଶ କିନ୍ତୁ ସେଇଦିନଠୁ ମଙ୍ଗଳୁ କେଵେ ଭାଗ ହୋଇନି ଗାଁ ଭାଇଙ୍କ ସଙ୍ଗେ ମାଉଁଶ ଭୋଜିରେ. ଏବେ ବର୍ଷା ଲାଗିରହିବାରୁ କାମ ଧନ୍ଦାକୁ ନଯାଇ ଘରେ ଭଙ୍ଗା ମାଠିଆ ଗଡୁଛି.ଭୋକରେ ଆଉଟୁ ପାଉଟୁ ମଙ୍ଗୁଳୁ ମାଝୀ.ସେହି ସମୟରେ ପୋଡୁଚାଷ ପାଇଁ ନିଆଁ ଲଗେଇଛନ୍ତି ଗାଁ ଲୋକେ ଆଉ ପେଟ ବିକଳରେ ମଙ୍ଗଳୁ ମାଝୀ ଧୂଆଁ ଧୂଆଁ ଜଙ୍ଗଳରୁ ଉଠେଇ ଆଣିଥିବା ପଶୁଟାକୁ ଘରେ ପକେଇ ବାପାର ହାତ ହତିଆର ଖୋଜିବାକୁ ଯାଇ ଚମକି ପଡିଲା. ଏତ ପଶୁ ନୁହେଁ ମଣିଷଟା. ତାଙ୍କ ଗାଁର ଟୁକୁ ପାଗେଲା. ଆଲୋ ବୋଉଲୋ କହି ଘରୁ ଦଉଡି ପଳାଇଲା ବେଳକୁ ଟୁକୁ ପାଗଳ ଭୂତ ମାଡି଼ବସୁଥିଲା ଯେମିତି ମଙ୍ଗଳୁ ମାଝୀକୁ. ହାଜତ ଭିତରେ ପୋଲିସ ପାହାରରେ କିନ୍ତୁ ମଙ୍ଗଳୁ ମାଝୀ କହୁଥିଲା ମୁଁ ଜଙ୍ଗଲରେ ନିଆଁ ଲଗେଇନି ବାବୁ ବରଂ ଟୁକୁ ପାଗଳକୁ ରକ୍ଷା କରିବାକୁ ଗଲା ବେଳକୁ ସେ ଆଉ ନଥିଲା. ତୁ ଲଗେଇନୁ ନିଆଁ, ମିଛ କହୁଛୁ କହି ପୋଲିସବାବୁ ଦୁଇ ବାଡ଼ି କଷିଦେଲା ବେଳେ ମଙ୍ଗଳୁ ପେଟରୁ ଭୋକ ମରିଯାଇଥିଲା ସବୁଦିନ ପାଇଁ ଆଉ ପୋଲିସବାବୁଟା ଦେଖାଯାଉଥିଲା ଠିକ ଟୁକୁ ପାଗଳ ଭଳି.
