STORYMIRROR

Jogeswar Gahir

Inspirational Others

3  

Jogeswar Gahir

Inspirational Others

ଭିଟାମାଟି

ଭିଟାମାଟି

2 mins
171

ସତରେ ଆମେ ଯେତେ ସହରିଆ ଆଧୁନିକ ହେଉନା କାହିଁକି, ଭିଟାମାଟି ପାଇଁ ଆମର ଦରଦ ସବୁବେଳେ ଉଚ୍ଚରେ ହିଁ ଥିବ। କାରଣ ସେହି ଭିଟାମାଟି ହିଁ ଆମକୁ ଆଜି ଏତିକି ସଭ୍ୟ ହେବାପାଇଁ ଦେଇଛି। ତା ବିନା କିଛି ନୋହୁଁ। ଏ ସମ୍ପର୍କରେ ଛୋଟିଆ କାହାଣୀ ଟିଏ।................ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ, ଯାହାକୁ କଳାହାଣ୍ଡିର କାଶ୍ମୀର କୁହାଯାଏ। ସେହି ବ୍ଲକ ରେ କେତେକ ପଞ୍ଚାୟତ ଆଜିବି ଅଛି, ଯାହାକି ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଦ୍ଵୀପ ସଦୃଶ ଅବସ୍ଥିତ। ଅବଶ୍ୟ ଏହି ଗାଁ ଗୁଡିକ ସର୍ଭେ ଅନୁସାରେ ବିସ୍ଥାପିତ ହେଇଛି, କିନ୍ତୁ ଆଜିବି ସେଠି ନିଜ ଭିଟାମାଟିକୁ ଜାବୁଡି ଧରିଛନ୍ତି କେତେକ ଆଦିବାସୀ। ଏହି ଆଦିବାସୀ ଗାଁ ଭିତରୁ କଳାଟି ଅନ୍ୟତମ। ଏହି ଗାଆଁଟିକୁ ପହଞ୍ଚିବାକୁ ହେଲେ ଘଣ୍ଟାଏ ଧରି ଡ଼ଙ୍ଗାରେ ଯିବାକୁ ହୁଏ। ବର୍ତ୍ତମାନ ଓଡିଶା ସରକାର ଲଞ୍ଚ ର ସୁବିଧା କରି ଥିଲେ ହେଁ ପହଁଞ୍ଚିବା କୁ ପ୍ରାୟ ଅଧ ଘଣ୍ଟାରୁ ସମୟ ନିଏ ନି। ସେଠାରୁ ପୁଣି ଚାରି କିମି ଚାଲି ଚାଲି ଗଲେ କଳାଟି ପଡେ। ସେହି ଗାଁ ରେ ସୁନା ସିଂ ମାଝୀ ର ଘର ।ଗୋଟି ଗୋଟି କରି  ସଭିଏଁ ଗାଁ ଛାଡ଼ୁଥିଲେ ବି ବିଚରା ଭିଟାମାଟିର ଇଜ୍ଜତ କୁ ବୁଡ଼ିବାକୁ ଦେଇନି ସେ ଅଶାନ୍ତ ଜଳ ଭଣ୍ଡାର ରେ। ଘରେ ତାର ସ୍ତ୍ରୀ ଲାକାଏ ମାଝୀ, ଆଠ ବରଷର ପୁଅ ଶଙ୍କର ଓ ପାଞ୍ଚ ବର୍ଷର ଝିଅ ସୁନିତା। ବିଚରା ବଡି ଭୋର୍ ରୁ ଉଠି ନିତ୍ୟକର୍ମ ସାରି ରାତିର ବଳକା ବାସି ମାଣ୍ଡିଆ ଯାଉ ସାଥିରେ ଲୁଣ ଓ କଞ୍ଚା ମରିଚ ଦୁଇଟା ତାଟିଏ ପିଇ ଦିଏ । ବେଳକୁ ଯଦି ପୋଡ଼ା ମାଛ ମିଳିଯାଏ ମନଟା ପୁରା କୁଣ୍ଢେମୋଟ ହେଇଯାଏ। ତାପରେ ବିଚରା ସେଠୁ ନିଜର ଗାଈ, ମଇଁଷି, ଛେଳି, ମେଣ୍ଢା ଧରି ଚାଲିଯାଏ ଜଙ୍ଗଲ କୁ ଚରାଇବା ପାଇଁ। ଏମିତି ଦିନେ ତହସିଲଦାର ବାବୁ ବୁଡି ଅଞ୍ଚଳର ସର୍ଭେ ରେ ଆସିଥିଲେ। ପ୍ରଥମେ ସୁନା ସିଂ ଘରକୁ ଗଲେ, କାରଣ ତା ଘର ଗାଁ ମୁହଁରେ। ତହସିଲଦାର ଙ୍କ ସାଥିରେ ଥାଆନ୍ତି ଅନ୍ୟ କର୍ମଚାରୀ ଏବଂ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମଣ ଜାନି। ସେ ହିଁ ସୁନା ସିଂ କୁ କହିଥିଲା ହାକିମ ଆସିବେ ବୋଲି। ବିଚରା ଆଗ ଜୁହାର୍ ହେଲା ସମସ୍ତଙ୍କୁ। ବସିବାକୁ କାଢି ଦେଲା ଦଉଡି ଲଗା ଖଟିଆ ।ସମସ୍ତେ ବସିବା ପରେ ସମସ୍ତଙ୍କ ପାଇଁ ବାଡିରୁ କେତେଟା ଆମ୍ବ ତୋଳି ଖାଇବାକୁ ଦେଲା। ସମସ୍ତେ ଆନନ୍ଦରେ ଖାଇଲେ, ଅତି ସୁସ୍ୱାଦୁ ଥିଲା ସେହି ଆମ୍ବ। ଏହାପରେ ତହସିଲଦାର ବାବୁ ଗୋଟି ଗୋଟି କରି ପଚାରୁ ଥାନ୍ତି ତା ସୁବିଧା ଓ ଅସୁବିଧା ବିଷୟରେ। ହେଲେ ବିଚରା ସୁନା ସିଂ କେତେବେଳେ ବି ନିଜ ଭିଟାମାଟି ବିରୁଦ୍ଧରେ ପଦୁଟିଏ କହିନଥିଲା। ଓଲଟା ଆମେ ଭଲରେ ଅଛୁ ବାବୁ କହିଥିଲା। ସବୁ ଶୁଣି ସାରି ତହସିଲଦାର କହିଲେ ତମେ "ଏତେ ଦୁର୍ଗମ ଭିତରେ ଥାଇ ମଧ୍ୟ କିଛି ଅସୁବିଧା ନାହିଁ କହୁଛ" । ହଠାତ୍ ଦେହ ଖରାପ ହେଲେ ତୁମେ କୁଆଡେ ଯିବ, ଏଠାରେ ବିଜୁଳି ନାହିଁ, ଛୁଆ ପାଠ ପାଇଁ ନୂହେଁ ଓଳିଏ ଖାଇବାକୁ ଯାଆନ୍ତି ସ୍କୁଲ। ସେ କହିଲେ ମୁଁ ଲେଖି ଦଉଛି ତୁମେ ଏ ଗାଁ ଛାଡି କୁଆଡେ ଚାଲି ଯାଅ। ତୁମକୁ ଏଥି ପାଇଁ ସରକାରଙ୍କ ପାଖରୁ ଅନୁକମ୍ପା ମୂଳକ ସହାୟତା ରାଶି ମିଳିବ, ତହିଁରେ ନୂଆ ଜାଗାରେ ଘର କରି ଖୁସିରେ ରହିବ। ଏତିକି ଶୁଣି ବିଚରା ସୁନା ସିଂ କାନ୍ଦି ପକେଇ ଥିଲା। ଛଳଛଳ ଆଖିରେ ଅନେଇ କହିଥିଲା "ଇଟା ଆମର୍ ଭିଟାମାଟି ଆଜ୍ଞା। ତୁଇ କଏଲେ ମୁଇଁ କେନ୍ତା ଛାଡି ଦେମି। ଇ ଦେବୀ ଦେବତା ମାନ୍ କେ, ଇ ମାଏଟ୍ ମାତା କେ, ଆର୍ ଆମର୍ ଅଜା ବଡୁ ମନ୍ କେ କେନ୍ତା କରି ଛାଡ଼ି ଦି କରି ଯିମି । ତୁଇ ଯା ବାବୁ, ମୁଇଁ ନେଚେ ।" ଇ ସବୁକେ ସରପଞ୍ଚ ବାବୁ ବୁଝେଇ ଦେଲେ। ତା ପରେ ସମସ୍ତେ ଫେରି ଗଲେ, ବିଚରା ସୁନା ସିଂ କିଛି ବାଟ ଗଲା , ଡଙ୍ଗା ଘାଟ ପର୍ଯ୍ୟନ୍ତ। ଶେଷରେ ଲେଉଟି ଗଲା ତାର ସେହି ଭିଟାମାଟି କୁ।

ସତରେ ଆଜି ଏ ସଭ୍ୟ ସହରୀ ମୁଖା ସମାଜ ସୁନା ସିଂ ର ଭିଟାମାଟି ପ୍ରେମ ପାଖରେ ହାର୍ ମାନିଛି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Jogeswar Gahir

Similar oriya story from Inspirational