ଭିନ୍ନ ଜଣେ ସତ୍ୟବାନ
ଭିନ୍ନ ଜଣେ ସତ୍ୟବାନ
ସାବିତ୍ରୀ ବ୍ରତ ପାଇଁ ବଜାର ପ୍ରବଳ ଭିଡ଼ | ଫଳ ଓ ପୂଜା ସାମଗ୍ରୀ କିଣିବାକୁ ସବୁ ଫଳ ଦୋକାନୀ ଆଗରେ ଅପେକ୍ଷାରେ ଠିଆ ହୋଇଛନ୍ତି ଗ୍ରାହକ | ଗୋଟିଏ ପଟେ ସାବିତ୍ରୀ ବ୍ରତ ଅନ୍ୟ ପଟେ କରୋନା କଟକଣା | ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଥରକୁ ଥର ଆସି ତାଗିଦ କରି ଯାଉଛି | ଭିଡ଼ ଦେଖି ମନେ ହେଉଛି ସାବିତ୍ରୀ ପାଇଁ ଲୋକେ କରୋନାକୁ ପୁରାପୁରି ଭୁଲି ଯାଇଛନ୍ତି | ସାମାଜିକ ଦୂରତ୍ୱର ପ୍ରଶ୍ନ ହିଁ ନାହିଁ | କିଛି ଲୋକଙ୍କୁ ଛାଡିଦେଲେ କାହାର ପାଟି ତଳେ ମାସ୍କ ତ କାହା ମୁହଁରେ ମାସ୍କ ହିଁ ନାହିଁ | କିଛି ସଚେତନ ଲୋକ ଦୂରରେ ଠିଆ ହୋଇ ଗହଳି କମିଲେ କିଣାକିଣି କରିବାକୁ ଅପେକ୍ଷା କରିଛନ୍ତି | ହେଲେ ଗହଳି କମିବ କଣ ବେଳକୁ ବେଳ ବଢି ଚାଲିଛି | କେତେବେଳେ ଭିଡ଼ ଦେଖି ପୋଲିସ ପହଞ୍ଚି ଦୋକାନ ବନ୍ଦ କରିଦେଉଛି ତ ପୁଣି କେତେବେଳେ ପୋଲିସ ଚାଲିଗଲେ ଦୋକାନ ଖୋଲି ବ୍ୟବସାୟୀମାନେ ବ୍ୟବସାୟ ଆରମ୍ଭ କରିଦେଉଛନ୍ତି | ଏମିତି ଦିନସାରା ପୋଲିସ ବ୍ୟବସାୟୀ ଗ୍ରାହକ ମାନଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି | ୟା ଭିତରେ ଦାସ ବାବୁ ଏ ଦୋକାନ ସେ ଦୋକାନ ହୋଇ ପ୍ରାୟ ଫଳ କିଣି ସାରିଲେଣି | ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସ ପୁଣି ଆସି ଦୋକାନ ସବୁ ବନ୍ଦ କରିଦେଲା |ପୋଲିସ ବାବୁ ମାନଙ୍କର ତାଗିଦ ଶୁଣି ଗ୍ରାହକ ମାନେ ମଧ୍ୟ ସ୍ଥାନ ଛାଡିବାକୁ ଲାଗିଲେ | ତରବରରେ ଦାସ ବାବୁ ମଧ୍ୟ ଫଳ କିଣିବା ସେତିକି ଥାଉ ମନେ ମନେ ଭାବି ଘରକୁ ବାହାରିଲେ | ଲୋକମାନେ ଗହଳି ଭାଙ୍ଗି ଚାଲି ଯାଉଥିବା ବେଳେ ବନ୍ଦ ହୋଇ ଯାଇଥିବା ଦୋକାନଗୁଡିକୁ ଅନେଇ ରହି ଅଳ୍ପ ଦୂରରେ ଜଣେ ସ୍ତ୍ରୀ ଲୋକ କାନ୍ଦ କାନ୍ଦ ମୁହଁରେ ଖାଲି ବ୍ୟାଗଟିଏ ହାତରେ ଧରି ଠିଆ ହୋଇଥିବାର ଦେଖିଲେ ଦାସବାବୁ | ତା ପାଖକୁ ଯାଇ ଠିଆ ହେଲେ | କିଛି ସମୟ ପରେ ନିଜ ବ୍ୟାଗରୁ ଫଳ ନେଇ ସେହି ସ୍ତ୍ରୀ ଲୋକ ବ୍ୟାଗରେ ପୁରାଇ ଦେଲେ | ଆଜି ଶୁଣିବାକୁ ପଡିବ ଶ୍ରୀମତୀଙ୍କ ଠାରୁ ଭାବୁଥିଲେ ଦାସବାବୁ | କୋଉ ନୂଆ କଥା ଯେ ; ସବୁଦିନ ଶୁଣୁଛି ଆଜି ଟିକେ ଅଧିକ ଶୁଣିବି ମନେ ମନେ ଉତ୍ତର ଦେଉଥିଲେ | ହେଉ ଯାହା ହେବା କଥା ହେବ | ଯାହା ଶୁଣିବା କଥା ଶୁଣିବି | ଏମିତି ଭାବନା ମଧ୍ୟରେ କେତେବେଳେ ଘରେ ପହଞ୍ଚି ଯାଇଛନ୍ତି ଦାସବାବୁ | ଫାଟକ ବନ୍ଦ କରି ଘରେ ପଶୁ ପଶୁ ପତ୍ନୀ ଆଗ୍ରହରେ ହାତରୁ ବ୍ୟାଗଟା ନେଇ ଖୋଲି ଦେଖି ମୁହଁକୁ ଆମ୍ବିଳା କରି ବିରକ୍ତି ପ୍ରକାଶ କରି କହିଲେ ସେତିକିବେଳୁ ବଜାର ଯାଇଥିଲ ବ୍ୟାଗଟା ଖାଲି ହଲେଇ ହଲେଇ ଏତିକି ଫଳ ଆଣିଛ | ଏତେ ସମୟ ବଜାରରେ କରୁଥିଲ କଣ ? ଆରେ ମୋ କଥା ଟିକେ ଶୁଣ, ଦୟାକରି ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର କହୁଥିଲେ ଦାସବାବୁ | କଣ ବୁଝେଇବ କଣ ଶୁଣେଇବ କହିଲେ ପତ୍ନୀ | ଦାସ ବାବୁ କହିଲେ ବଜାରରେ ପ୍ରବଳ ଭିଡ଼ ଥିଲା | ପୋଲିସ ଆସି ଦୋକାନ ବଜାର ବନ୍ଦ କରିଦେଲା| ଜଣେ ସ୍ତ୍ରୀ ଲୋକ ଫଳ କିଣି ପାରି ନଥିଲା | ମନ ଦୁଃଖରେ ଖାଲି ବ୍ୟାଗ ଧରି ଠିଆ ହୋଇଥିଲା | ତା ପାଖକୁ ଯାଇ ବୁଝିବାରୁ ସେ କହିଲା, ତା ପୁଅ ଦେହ ଭୀଷଣ ଖରାପ | ଡାକ୍ତରଖାନାରେ ପଡିଛି | ସେ କିଛି ଖାଉ ନାହିଁ | ତା ପାଟିକୁ କିଛି ବି ଭଲ ଲାଗୁନି | କିଛି ଫଳ ନେଲେ ଖାଇବ | ହେଲେ ଭିଡ଼ ଭିତରେ ପଶି ସେ କିଣି ପାରିନଥିଲା | ତେଣୁ ତାକୁ ସେଓ ଓ ଅଙ୍ଗୁର ଦେଇଦେଲି | ତମେ ଏଥର ଏତିକି ଫଳରେ ଚଳେଇଦିଅ | ପତ୍ନୀ ମୁହଁ ମୋଡ଼ି କହିଲେ ହଁ ସେ ତୁମକୁ ଗପ ଶୁଣାଇଦେଲା ଆଉ ତମେ ସତ ଭାବି ତାକୁ ଫଳ ସବୁ ଦେଇଦେଲ | ବଢିଆ ବାହାନା, ବହୁତ ଚାଲାକ ସାବିତ୍ରୀଟିଏ | ସେ ତୁମଠୁ ଫଳ ନେଇ ତା ସତ୍ୟବାନ ପାଇଁ ସାବିତ୍ରୀ କରି ସତୀ ହେବ | ଆଉ ମୁଁ ଏଠି ......ଶ୍ରୀମତୀ ଆଉ ବେଶୀ କିଛି କହିବା ପୂର୍ବରୁ ଦାସ ବାବୁ କହିଲେ ସେ ବିଧବା ଥିଲା |
