ଭଗ୍ନସ୍ତୁପ
ଭଗ୍ନସ୍ତୁପ
ରେଣୁକା ଏକ ପେଡିଏଟ୍ରିକ କନ୍ଫରେନ୍ସ ପାଇଁ ସ୍ୱାମୀ ସହ କଟକ ଯାଇଥାଏ । ତିନି ଦିନର କାର୍ଯ୍ୟକ୍ରମରେ ସେମାନେ ଯାଇଥିଲେ । ପ୍ରଥମ ଦୁଇଦିନ ସେ ବହୁତ ବୋର୍ ହେଲା । ଡାକ୍ତରମାନଙ୍କ ଆଲୋଚନାରେ ସେ କଣ ବୁଝିବ । ମିଟିଂରେ ବସି ବିରକ୍ତି ଲାଗିଲେ ଛୋଟ ପୁଅଝିଅଙ୍କୁ ନେଇ ବାହାର ପାର୍କକୁ ପଳେଇ ଆସେ । ସେଠି ସବୁଜ ଘାସରେ ସଜ୍ଜିତ ଲନରେ ବସି ବଗିଚାର ସୁନ୍ଦରତାରେ ବୁଡିଯାଏ ।
ଅନେକ ରକମ ଗୋଲାପ ଡାଲିଆ ଗେଣ୍ଡୁ ଓ ଆହୁରି କେତେ ଦେଶୀ ବିଦେଶୀ ଫୁଲରେ ବଗିଚା ଭରିପଡିଥାଏ । ପ୍ରଜାପତିମାନେ ଏଠି ସେଠି ଉଡି ମଧୁ ସଂଗ୍ରହରେ ଲାଗିଥାନ୍ତି । ପାର୍କ ମଝିରେ ଏକ କୃତ୍ରିମ ଝରଣା ବହିଆସୁଥିଲା ଯାଫଳରେ ଛୋଟଛୋଟ ଜଳକଣା ସବୁ ଛିଟିକି ଚାରିଆଡକୁ ଶୀତଳତା ପ୍ରଦାନ କରୁଥିଲା । କେତୋଟି ଦୋଳି ଓ ସ୍ଲାଇଡିଂ ଲାଗିଥିଲା । ପାଞ୍ଚ ବର୍ଷର ଝିଅ ସ୍ୱରୁପା ଓ ଦୁଇବର୍ଷର ପୁଅ ସୌଭାଗ୍ୟ ସେଠି ଯାଇ ଦୋଳି ଖେଳୁଥାନ୍ତି । ଲଞ୍ଚ ଟାଇମ୍ ହେଲେ ତା ସ୍ୱାମୀ ଫୋନ କରନ୍ତି । ସେମାନେ ଯାଇ ଯୋଉଠି ଖାଇବାର ବ୍ୟବସ୍ଥା ହେଇଥାଏ ଖାଇ ଆସନ୍ତି । ବହୁତ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଇଥାଏ ଭୋଜିଭଳି । ନିଜ ନିଜ ପସନ୍ଦର କିଛି ଖାଇ ପୁଣି ପାର୍କକୁ ଚାଲି ଆସନ୍ତି ସେମାନେ । ପୁଣି ରାତିଯାଏ ଡାକ୍ତରଙ୍କର ମିଟିଙ୍ଗ ଚାଲେ । ଏପରିଦିନଟେ ବୋର ହେବାପରେ ଦ୍ୱିତୀୟ ଦିନ ଲଞ୍ଚସାରି ସେମାନେ କୋଣାର୍କ ଓ କାଳିଜାଇ ବୁଲି ଆସିବା ପାଇଁ ବାହାରିଲେ । ଉପରବେଳା କୋଣାର୍କ ଦେଖି ହୋଟେଲ ଫେରି ପୁଣି ଅନ୍ୟଦିନ ସକାଳୁ କାଳିଜାଇ ଯିବାର ଯୋଜନା ବନେଇଲେ । ଦୁଇଟା ବେଳେ ସେମାନେ କୋଣାର୍କ ବାହାରିଗଲେ ଗାଡିଟେ ଭଡାକରି । ଚାରିଟାବେଳକୁ ପହଞ୍ଚିଗଲେ କୋଣାର୍କରେ । ଖରା ଚାଲିଯାଇଥାଏ ସୁଲୁସୁଲିଆ ପବନ ବହୁଥାଏ । ବହୁତ ମନମୋହିଲାଭଳି ପରିବେଶ ହେଇଥାଏ । ମନ୍ଦିରକୁ ମୁଖଶାଳାରେ ପଶୁପଶୁ ଗୋଟିଏ ପଟେ ନବଗ୍ରହଙ୍କ ମୂର୍ତ୍ତ ସବୁକୁ ରଖାହେଇଥିବା ଦେଖିଲେ । ମନ୍ଦିର ଗାତ୍ରରେ ଆଶ୍ଚର୍ଯ୍ୟ ଚକିତ କଲାଭଳି ଭାଷ୍କର୍ଯ୍ୟର ଜୀବନ୍ତ ଉଦାହରଣ ଧରି ଠିଆ ହେଇଥିଲେ ଅନେକ ମୂର୍ତ୍ତୀ । ନଟନଟୀ ମୂର୍ତ୍ତି ରତିକ୍ରୀଡାରତ ଦମ୍ପତ୍ତିଙ୍କ ପ୍ରତିମୂର୍ତ୍ତି ସବୁ ସୁସଜ୍ଜିତ ହେଇଛି ଚାରିଆଡେ । ହାତୀ ଘୋଡା ଯୁଦ୍ଧର ଦୃଶ୍ୟ ପଶୁ ପକ୍ଷୀ କେହି ବାଦ ପଡି ନାହାନ୍ତି । ରଥ ଆକାରରେ ନିର୍ମିତ ହେଇଥିବା ମନ୍ଦିରର ଚକ ମାନେ ହୃତ ଗୌରବର ମୁକ ସାକ୍ଷୀ ପାଲଟି ଦଣ୍ଡାୟମାନ ହେଇଛନ୍ତି । ଉପର ଅଂଶ ଭଗ୍ନ ହେଇ ସାରିଛି କାଳର କରାଳ ଗ୍ରାସରେ । ଯେଉଁ କିଛି ଅଂଶ ବଞ୍ଚିଛି ତାକୁ ଦେଖି ଅନୁମାନ କରିହୁଏ ଦିନେ କୋଣାର୍କ ର ସୋନ୍ଦର୍ଯ୍ୟ କେତେ ଭବ୍ୟ ଥିବ ।
ରେଣୁକା ଅତୀତ ଭିତରକୁ ଚାଲିଗଲା । କେମିତି ଦିସୁଥିବ କୋଣାର୍କ । କୋଣାର୍କକୁ ଲାଗି ଥିବ ଚନ୍ଦ୍ରଭାଗା । ଯୋଉଠି ଧର୍ମପଦ ଡେଇଁ ଆତ୍ମବିସର୍ଜନ ଦେଇଥିଲା । ତରଙ୍ଗାୟିତ ଜଳରାଶିରେ ପଡୁଥିବ ମନ୍ଦିରର ଛାଇ । ବାଳସୂର୍ଯ୍ୟ ସାଗରର ନୀଳଜଳରେ ସ୍ନାନ ସାରି ଡିଆଁ ମାରୁଥିବେ କୋଣାର୍କ ଭିତରକୁ । ଅଦୂରରେ ଝାଉଁ ବଣର ସାଇଁସାଇଁ ଶବ୍ଦ ଶୁଭୁ ଥିବ । ଆଉ ଯେତେ ବେଳେ ମନ୍ଦିରର କାମ ଚାଲିଥିବ କେମିତି ଥିବ ସେଠାର ଦୃଶ୍ୟ । ଶୁଖଲା ବାଲୁକା ପ୍ରାନ୍ତରରେ ଖରା ଗରମ ଶୀତ ବର୍ଷା ଖାଇ ଶ୍ରମିକ ମାନେ ଅହରହ କାମ କରୁଥିବେ । ଟିକେ ସୁସ୍ତାଇଲେ ପିଠିରେ ଚାବୁକର ପ୍ରହାର ସହିବାକୁ ପଡୁଥିବ । ସାମାନ୍ୟ କିଛି ଡାଲିଚଉଳ ଫୁଟାଇ ଖାଉଥିବେ ଆଉ ଏତେ ବଡ ବଡ ହାତୀଠୁ ବିଶାଳ ପଥର ସବୁକୁ କେମିତି ଉପରକୁ ଟେକି ଉଠାଉ ଥିବେ । ସେତେବେଳେ ତ କ୍ରେନ ବା କିଛି ଯନ୍ତ୍ରର ସୁବିଧା ନଥିଲା ଏସବୁ ଉପରକୁ ଉଠାଇବା ପାଇଁ । ପଥର ସବୁ ନିହାଣରେ ଖୋଦେଇ କରି ଚିତ୍ରିତ କରିବାକୁ ପଡୁଥିଲା ଜୀବନ୍ତ କରି । ଠିକ ସମୟରେ କାମ ନସରିଲେ ମୁଣ୍ଡ କାଟ ର ଭୟ ।
ନିଜ ପରିବାର ବର୍ଗଙ୍କୁ ଛାଡି ବର୍ଷବର୍ଷ ରାଜାଙ୍କ କାମରେ ଖଟୁଥିଲେ ସେମାନେ । ଏମିତି ଏକ କାହାଣୀ ଧର୍ମପଦ । ସମସ୍ତେ ଉଣା ଅଧିକେ ଜାଣିଛନ୍ତି ଏ କାହାଣୀ । ବିଶୁ ମହାରଣା କୋଣାର୍କ ମନ୍ଦିର ତିଆରିପାଇଁ ଡକାହେଇ ଆସିଥିଲେ । ନିଜ ଗର୍ଭବତୀ ସ୍ତ୍ରୀକୁ ଘରେ ଛାଡି ସେ ଦୀର୍ଘ ବାରବର୍ଷ ଦୂରେ ରହିଥିଲେ । ମନ୍ଦିରରେ କାମ କରୁଥିବା ଶ୍ରମିକ ମାନେ ଦିନରାତି ଖଟୁଥିଲେ । ଖାଇବା ଓ ଶୌଚଛଡା ଆଉ କିଛିପାଇଁ ସମୟ ନଥିଲା । ଏପରିକି ଖିଅର ବି ହେଇ ପାରୁନଥିଲେ । ଟିକେ ଭୁଲ ହେଲେ କଡା ଦଣ୍ଡ ମିଳୁଥିଲା । ବିଶୁଙ୍କ ପୁଅଟିଏ ଜନ୍ମ ନେଲା । ସେ ସ୍କୁଲ ଗଲାପରେ ଦିନେ ସାଙ୍ଗମାନେ ତାକୁ ଅଣବାପୁଆ କହି ଚିଡାଇଲେ । ସେ ସହି ପାରିଲାନି ଏକଥା ନିଜ ବାପାରଖୋଜ ପାଇଁ ବାହାରିଲା । ମାଆ ପୁଅର ଜିଦି ପାଖେ ହାରି ତା ହାତରେ ବାଡି ବଅଁର କୋଳି ଦେଇ ପଠାଇଲେ । ସାଙ୍ଗରେ ପୋଷାକୁକୁର କାଲୁକୁ ନେବାକୁ ନିର୍ଦ୍ଦେଶ ଦେଲେ । କାରଣ କାଲୁକୁ ବିଶୁ ଚିହ୍ନି ପାରିବେ । ଆଉ କାଲୁ ବି ବିଶୁ ପାଖରେ ଧର୍ମପଦକୁ ପହଞ୍ଚେଇବ । ସେମାନେ କାମରେ ସଫଳ ହେଲେ । ପିତାପୁତ୍ରର ମିଳନ ହେଲା ।
ପ୍ରଥମ ମିଳନ ହେଉଥିଲା ପିତାପୁତ୍ରର ବହୁତ ଖୁସିଥିଲେ ଦୁଇଜଣ । ସେତେବେଳେ ଖବର ଆସିଲା ସାତଦିନ ଭିତରେ ମନ୍ଦିର ମୁଣ୍ଡି ମରାନଗଲେ ବାରଶହ ବଢେଇଙ୍କ ମୁଣ୍ଡକାଟ ହେବ । ସମସ୍ତ ବଢେଇ ଦୁଃଖିତ ଭୟଭୀତ ଥିଲେ । ଧରମା ସେକଥା ଜାଣି ନିଜେ ଘରେ ମାଆ ପାଖରୁ ଶିଖିଥିବା ଜ୍ଞାନରେ ମନ୍ଦିରର ମୁଣ୍ଡି ମାରିଦେଲା । ହେଲେ ଏବେ ଆଉ ଏକ ସମସ୍ୟା ଦେଖାଦେଲା ରାଜା ଯେବେ ଜାଣିବେ ମାତ୍ର ବାରବର୍ଷ ଯୁବକ ମୁଣ୍ଡି ମାରିଦେଲା ଆଉ ବଢେଇ ମାନେ ଅକୃତକାର୍ଯ୍ୟ ହେଲେ ତେବେ ରାଜା ପିଲାକୁ ପୁରସ୍କାର ଦେବେ ଓ ତାଙ୍କୁ ମୃତ୍ୟୁଦଣ୍ଡ । ସେତେବେଳେ ବଢେଇ କୁଳ ବିଶୁଉପରେ ଯୋର ଦେଲେ ବଢେଇ କୁଳର ଦାୟ ବା ପୁଅର ଦାୟ । ବାପା କିଂ କର୍ତ୍ତବ୍ୟ ବିମୁଢ ହେଇପଡିଲେ । ସେତେବେଳେ ପୁଅ ଧରମା ନିଜ ପୁତ୍ରଧର୍ମ ପାଳନ କଲା । ମନ୍ଦିର ଶିଖରକୁ ଚଢି ନିଜ ଜୀବନକୁ ଆତ୍ମହୁତି ଦେଇଦେଲା ଅନ୍ଧାର ରାତିରେ । ଏକ ତେଜଦୀପ୍ତ ପ୍ରତିଭା ଅକାଳରେ ଚନ୍ଦ୍ରଭାଗାଗର୍ଭରେ ବିଲୀନ ହେଇ ଯାଇଥିଲା ।
ଏଇ ଭଗ୍ନସ୍ତୁପ କୋଣାର୍କ ମାଟିରେ ଏମିତି କେତେ ଯେ କରୁଣ କାହାଣୀ ଲୁଚି ରହିଛି କିଏ ଜାଣେ । ଶହଶହ କାରିଗରଙ୍କର ଲୁହ ଲହୁରେ ଭିଜି ଏହାର ସିମେଣ୍ଟ ଗୋଡିମାଟି ମଜବୁତ ହେଇଛି । ଏହାର କାନ୍ଥରେ କାନ ଲଗାଇ ଶୁଣିଲେ । କେତେ ଗରିବଙ୍କ କରୁଣ କ୍ରନ୍ଦନ ଶୁଣିପାରିବ । । କେତେ ଗରିବ ବାପାମାଆ ପୁତ୍ରଠାରୁ ଅଲଗା ରହି ଲୁହ ଗଡାଇ ମୃତ୍ୟୁପଥର ଯାତ୍ରୀ ହେଇଛନ୍ତି । କେତେ ପତ୍ନୀ ପତି ସୁଖରୁ ବଞ୍ଚିତ ହେଇ ଅନିଦ୍ର ରଜନୀ ବିତେଇଛନ୍ତି ଅଶ୍ରୁସିକ୍ତ ନୟନରେ ।
ରେଣୁକା ସେଇ ଅତୀତର ଦୃଶ୍ୟପଟରେ ହଜି ଯାଇଥିଲା ଏତେ ସମୟ । ପିଲାମାନେ ସବୁ ବୁଲିବୁଲି ମନ୍ଦିରର କାରୁକାର୍ଯ୍ୟ ଦେଖୁଥିଲେ ତାଙ୍କ ବାପା ସହ । ସୂର୍ଯ୍ୟ ଅସ୍ତମିତ ହେବା ଉପକ୍ରମରେ ଥିଲେ । ଘରବାହୁଡା ପକ୍ଷୀଙ୍କର କିଚିରିମିଚିରି ଶବ୍ଦ ଭାସି ଆସୁଥିଲା ପାଖ ଗଛ ମାନଙ୍କରୁ । ସମସ୍ତେ ନିଜ ନିଜ ଆଶ୍ରୟ ସ୍ଥଳକୁ ଫେରି ଆସିଥିଲେ । ଆଉ ସିଏ ନିଜ ପରିବାର ନେଇ ନିଜ ଆଶ୍ରୟସ୍ଥଳ ହୋଟେଲ ଅଭିମୁଖେ ଫେରିଆସିଥିଲା । କାଲିକି ପୁଣି ତାଙ୍କୁ କାଳିଜାଇ ଯିବାର ଅଛି । ରାତିରେ ବିଶ୍ରାମ ଦରକାର ସେମାନଙ୍କୁ ।
