STORYMIRROR

RUKEYA JABEEN

Tragedy

2  

RUKEYA JABEEN

Tragedy

ବାନ୍ଧବୀଙ୍କ ସହ କପେ ଚା

ବାନ୍ଧବୀଙ୍କ ସହ କପେ ଚା

3 mins
126

ବ୍ୟାଙ୍କରେ ଚାକିରୀ ମାନେ ଗୁଡ଼ାଏ ଅଯଥା ମୁଣ୍ଡ ବିନ୍ଧା କାମ। ଆଉ ସେ ମୁଣ୍ଡ ବିନ୍ଧାରୁ ବିରତି ଦେଇପାରେ କେବଳ ରଘୁ ହାତର ଗୁଜୁରାତିର ମିଠା ବାସ୍ନା ସହ ଅଦାର ସ୍ଫୁର୍ତ୍ତି ଦାୟକ ରାଗ ମିଶା କପେ ଚା। ଦିନକୁ ଦୁଇଥର ତା'ର ଚା ନ ପିଇଲେ ଅଫିସର କାମଟା ସମ୍ପୂର୍ଣ୍ଣ ହୁଏ ନାହିଁ।


ଅଭ୍ୟାସ ବସତଃ ସେଦିନ ଅପରାହ୍ନରେ ମୁଁ ରଘୁ ଦୋକାନରେ ବସି ଚା ପିଉଥାଏ । ହଠାତ୍ କେହି ଜଣେ ପଛରୁ ପିଠିରେ ହାତ ମାରି କହିଲା, " କ'ଣ ଚା ଖାଉଛ ? " 


ମୁଁ ପଛକୁ ବୁଲି ଦେଖିଲି ଧଳା ଡ୍ରେସ୍ କୁ ନାରଙ୍ଗୀ ଓଢ଼ଣୀ , ଖୋଲା ଚୁଟି, ମୁଣ୍ଡ ଉପରେ ଚଷମା, ମୁହଁରେ ହାଲକା ମେକାପ , ଶ୍ୟାମଳୀ କିନ୍ତୁ ସୁନ୍ଦର, ସ୍ମାର୍ଟ ଚେହେରା ଟିଏ ମୋ ମୁହଁକୁ ଚାହିଁ ହସୁଥାଏ ।


ମୁଁ ପ୍ରଥମେ ଆଁ ଟେ କରି ଅନେଇ ରହିଲି । ଟିକିଏ ପ୍ରକୃତିସ୍ଥ ହେଇ କହିଲି, ଆରେ ରଶ୍ମି !ତମେ ଏଠି ? 


କହିଲା, ହଁ ଏଇ ସାମ୍ନାରେ ଯୋଉ କପଡା ଦୋକାନ‌ ଅଛି ସେଇଠିକି ଆସିଥିଲି । ମୋର ଏଇ ପାଖରେ ଗୋଟେ ବୁଟିକ୍ ଅଛି । ଏଇ ଦୋକାନରୁ ଅର୍ଡର ନେଇ ଡ୍ରେସ୍ ତିଆରି କରି ଦେଉଛି ।


ମୁଁ କହିଲି , ଆରେ ବାଃ । ବଢ଼ିଆ ତ । ତମ ଭଳିଆ ଗୋଟିଏ ଶାନ୍ତ, ସରଳ, ଭୟାତୁର, କାନ୍ଦୁରୀ, ଗାଁ ର ଲାଜକୁଳୀ ଲତା ଯେ ଏତେ ସବୁ କରିପାରିବ ମୁଁ କେବେ ଭାବି ନ ଥିଲି । ଏସବୁ କଥା ଭିତରେ ରଘୁ ଠାରୁ ଚା'ର ଆଉ ଗୋଟିଏ କପ୍ ତା ହାତକୁ ବଢ଼େଇ ଦେଲି । କହିଲି ସତରେ ବହୁତ ଭଲ ଲାଗିଲା ତୁମକୁ ଏମିତି ଦେଖି ।


ସେ କହିଲା, କ'ଣ କରିଥାନ୍ତି ? ଭଲ ପାଇ ବାହା ହେଇଥିଲି । ସିଏ କିନ୍ତୁ ଭଲପାଇବାର ମାନେ କ'ଣ ବୁଝିଲାନି । ମୋ ସରଳତାର ଫାଇଦା ଉଠାଇ ସାଥିରେ ଆଣିଥିବା ଟଙ୍କା ପଇସା , ଗହଣା ସବୁ ନେଇ ଏଇ ଭୁବନେଶ୍ୱରରେ ଏକଲା ଛାଡ଼ି ଚାଲିଗଲା । ବହୁତ କାନ୍ଦିଲି । ନିଜକୁ ଦୋଷ ଦେଇ କୋଷିଲି । କିନ୍ତୁ ଲାଭ କିଛି ପାଇଲିନି । ମା ବାପା ଆଗରୁ ଇଶ୍ୱରଙ୍କୁ ପ୍ରିୟ ହେଇ ଯାଇଥିଲେ । ଭାଉଜଙ୍କ ଗହଣା ସାଙ୍ଗରେ ଆଣିଥିବାରୁ ଭାଇ ମୁହଁ ଦେଖିବାକୁ ଚାହିଁଲା ନାହିଁ । ନିରାଶ ହୋଇ ଗାଁ ରୁ ଫେରିଲି । ଯେଉଁ ଭୁବନେଶ୍ୱରରେ ସବୁ ହରେଇଥିଲି ସେଇଠି ସବୁ ଖୋଜି ପାଇବାକୁ ଚେଷ୍ଟା କଲି । ମୋ ଭଳି କାନ୍ଦୁରୀ ପକ୍ଷେ ଏସବୁ ଏତେ ସହଜ ନ ଥିଲା ସାଙ୍ଗ । ତଥାପି ଆଗେଇଲି । ଯେଉଁ ମାର୍କେଟ ପାଖରେ ଚନ୍ଦନ ମତେ ଛାଡ଼ି ଦେଇ ଯାଇଥିଲା ସେଇ ମାର୍କେଟ ର ଦୋକାନ ମାନଙ୍କରେ କାମ ଖୋଜିଲି । ଗୋଟିଏ ଟେଲର୍ ଦୋକାନରେ ରହି ସଫାସଫି କାମରୁ ଆରମ୍ଭ କଲି । ଭାଗ୍ୟକୁ ମାଲିକାଣୀ ଜଣଙ୍କ ଉଦାର ହୃଦୟର । ମୁଁ ସିଲେଇ ଜାଣିଛି ଶୁଣି ମତେ ଗୋଟିଏ ପୁରୁଣା ମେସିନ ଦେଲେ ସିଲେଇ କରିବାକୁ । ଘର ଦେଲେ ରହିବାକୁ । ବଦଳରେ ମୁଁ ତାଙ୍କ ପାଇଁ ରୋଷେଇ କରିଦିଏ । ତାଙ୍କୁ ସିଲେଇରେ ସାହାଯ୍ୟ କରିଦିଏ । ତାଙ୍କ ପୁଅମାନେ ବାହାରେ ରହି ଚାକିରି କରୁଛନ୍ତି । ବର୍ଷେ ଛ ମାସ ରେ ଘରକୁ ଆସନ୍ତି । ମୁଁ ଏବେ ତାଙ୍କ ସହ ମିଶି ତାଙ୍କ ବୁଟିକ ଚଳାଉଛି । ଭାଗ୍ୟକୁ ଦୋଷ ଦେଇ କାନ୍ଦିବା ଛାଡ଼ି ଦେଇଛି । ମଣିଷ ଚିହ୍ନିବା ସହିତ ନିଜକୁ ଚିହ୍ନିବା ଶିଖିଯାଇଛି । କଥା ସରିଲା ବେଳକୁ ତା ଆଖି ଜକେଇ ଆସିଥିଲା । କିନ୍ତୁ କାନ୍ଦିଲାନି, ନିଜକୁ ସମ୍ଭାଳି ନେଲା । ସ୍ମିତ ହାସ୍ୟ ଟିଏ ହସିଲା । 


ମୁଁ ଦୁଃଖ କରିବି କି ତାର ପରିବର୍ତ୍ତିତ ରୂପ ଦେଖି ଗର୍ବ ଅନୁଭବ କରିବି ବୁଝିପାରୁ ନ ଥିଲି । ସେତେବେଳକୁ ଦୁହିଁଙ୍କ ର ଚା ସରିଯାଇଥିଲା । ସିଏ କପ ଟିକୁ ଡଷ୍ଟବିନରେ ପକେଇ କହିଲା , ଅନେକ ଦିନ ପରେ କୋରାପୁଟ ଠାରୁ ଦୂର ଏଇ ଭୁବନେଶ୍ୱରରେ କେହି ଜଣେ ନିଜର ବୋଲି ପାଇଲି ।ମନର କଥା ଗୁଡ଼ିକ ଗପି ଗଲି । ଖରାପ ଭାବିବନି। 


ମୁଁ କହିଲି ପାଗଳ ନା କ'ଣ? ତମକୁ ଏତେ ଦିନ ପରେ ଦେଖି ଭଲଲାଗିଲା।


ସିଏ ପୁଣି କହିଲା, ମୁଁ ପ୍ରତ୍ୟେକ ଶନିବାର ଏଇ ସମୟରେ ଏଇ ଦୋକାନକୁ ଆସେ । ପୁଣି ଦେଖାହେବ। 


ମୁଁ ମୁଣ୍ଡ ହଲାଇ ସମ୍ମତି ଜଣାଇଲି ।


 


Rate this content
Log in

Similar oriya story from Tragedy