STORYMIRROR

RUKEYA JABEEN

Others

4  

RUKEYA JABEEN

Others

ମା'ର ହାତରନ୍ଧା

ମା'ର ହାତରନ୍ଧା

3 mins
375

ଦୀର୍ଘ ଆଠ ମାସ ପରେ ଘରକୁ ଫେରୁଥିଲି । ବାପାଙ୍କ ଆଖିକୁ ନିଦ ନ ଥାଏ । ରାତି ଏଗାରଟାରେ ଟ୍ରେନ ଭୁବନେଶ୍ୱର ଷ୍ଟେସନରେ ଲା‌ଗିଲା । ଘରେ ପହଞ୍ଚିଲା ବେଳକୁ ରାତି ବାର। ତଥାପି ବାପା ବାରଣ୍ଡାରେ ଏପଟ ସେପଟ ଟହଲା ମାରୁଥାନ୍ତି। ଦୁଆରେ ଗାଡ଼ି ଲାଗିଲା ବେଳକୁ ଅପଲକେ କବାଟ ଖୋଲି ବାହାରକୁ ଆସିଗଲେ । ମତେ ଦେଖି ପେଜୁଆ ଆଖି ଦୁଇଟି ତାଙ୍କର ଜକେଇ ଆସୁଥିଲା। ମୋ ମନ ବି ବନ୍ଧ ବାଡ ଡେଇଁ ବହି ଯିବାକୁ ବ୍ୟାକୁଳ ଥିଲା। କିନ୍ତୁ ମୁଁ ତାଙ୍କୁ କନ୍ଦେଇବାକୁ ଚାହୁଁ ନ ଥିଲି। ତେଣୁ କିଛି ନ ବୁଝିଲା ଭଳିଆ ମୁଣ୍ଡିଆ ମାରି ଘର ଭିତରକୁ ପଶିଗଲି ।


ମୁହଁ ହାତ ଧୋଇ ରୋଷେଇ ଘର ଭିତରେ ଖାଇ ବସିଲି । ବୋଉ ବସୁଥିବା ପିଢାରେ ଭାଉଜ ବସିଥିଲେ। ବାପା ଦୁଆର ବାହାରେ ଚଉକି ପକେଇ ବସିଥାନ୍ତି। ଭାଇର ମୋର ସାଙ୍ଗ ହୋଇ ଖାଇ ବସିଲୁ। ଭାଉଜ ବାଢ଼ି ଦେଉଥାନ୍ତି ଗୋଟି ଗୋଟି କରି ମୋ ପସନ୍ଦର ବ୍ୟଞ୍ଜନ ଗୁଡ଼ିକ। ବାପା ଆଣିଥିବା ମୋ ପସନ୍ଦର ଲଡୁ ମଧ୍ୟ ପରସି ଦେଇଥାନ୍ତି ଗୋଟିଏ ଥାଳିଆରେ। ସବୁ ଭଲ ହେଇଥିଲା। କିନ୍ତୁ ପାଟିକୁ କାହାର ସ୍ବାଦ ଜଣା ପଡୁ ନ ଥିଲା। ନା ନାକ ବାରିପାରୁଥିଲା କାହାର ସୁଗନ୍ଧ। ମନ ଖୋଜୁଥିଲା ମା'ର ହାତରନ୍ଧା । ତା ହାତର ଡାଲମା ଛୁଙ୍କ, ପୋଟଳ ରସା, ଚିଙ୍ଗୁଡ଼ି ଶୁଖୁଆ ମିଶା ବଦାମ ଚଟଣି , ଆହୁରି କେତେ କ'ଣ। ତା ହାତର ମିଠା ମିଠା ଆରିସାର ମହକ ନିଆରା। ମୋର ଘରକୁ ଆସିବାର ଥିଲେ ସେ ଆଗରୁ ଆରିସା ତିଆରି କରି ରଖିଦିଏ। ଡବାରେ ପୁରେଇ ମୋ ପଢାଘର ଟେବୁଲ୍ ଉପରେ ଥୋଇଦିଏ । ହାଣ୍ଡିରେ ପୁରେଇ ସିକାରେ ଝୁଲାଇ ଦିଏ । ପ୍ରତି ଥର ଯିବା ଆସିବା ଭିତରେ ମୁଁ ଦିନ ସାରା ବୁଲି ବୁଲି ପିଠା ଖାଏ । ମା ହାତର ଆରିସା, ଇଡିଲି କି ନଡ଼ିଆ ପୁର ଦିଆ ବିରି ଚକୁଳି ଥିଲେ ମୁଁ ଭାତ ଥାଳିକୁ ଅନାଏ ନାହିଁ । ମୋର ହଷ୍ଟେଲ ଯିବାର ଥିଲେ ଆଚାର, ଆରିସା, ପୋଡ଼ପିଠା ସବୁ ସଜାଡି ବ୍ୟାଗରେ ରଖିଦିଏ ।


ମୋର ଖାଦ୍ୟ ରୁଚି ତାକୁ ବେଶ ଭଲ ଭାବରେ ଜଣା । ସକାଳୁ ଦାନ୍ତ ଘସିବା ଆଗରୁ ବିସ୍କୁଟ ସହ ସର ପକା ଗିଲାସେ କ୍ଷୀର ସଜାଡି ରଖିଦିଏ । ଜେଜେମା ଚିଡାନ୍ତି । କହନ୍ତି କ'ଣ ବୁଢ଼ା ହେବା ଯାଏଁ ଏଇ କ୍ଷୀର ବିସ୍କୁଟ ଖାଉଥିବୁ । ଏ ପାଠ ସାଠ ପଢ଼ିବାର ନ ଥିଲେ କୋଉ କାଳରୁ ତୋ ଛୁଆ କ୍ଷୀର ବିସ୍କୁଟ ଖାଇଥାନ୍ତେ ।

 

ବୋଉ କହେ ହଉ ଖାଉ । ସିଏ ବି ଖାଇବ ତା ଛୁଆ ବି ଖାଇବେ । ହେଲେ ସିଏ କ'ଣ ଜାଣିଥିଲା ମୋ ଛୁଆ ମୁହଁ ଦେଖିବା ଆଗରୁ, ମତେ ବାହା ବେଦିରେ ବସେଇବା ଆଗରୁ , ମୋ ଚାକିରୀ ପଇସାରେ ତା ପସନ୍ଦର ସମ୍ବଲପୁରୀ ଶାଢ଼ୀ ଖଣ୍ଡେ ପିନ୍ଧିବା ଆଗରୁ ସେ ଏ ଦୁନିଆରୁ ଉଭେଇ ଯିବ । ତାର ଶେଷ ଚେହେରା ଟିକକ ଦେଖିବାର ସୌଭାଗ୍ୟ ମୋ ଭାଗ୍ୟରେ ନାହିଁ ବୋଲି ସିଏ କ'ଣ ଜାଣିଥିଲା । ଜାଣିଥିଲେ ହୁଏତ ମତେ ସେଦିନ ହଷ୍ଟେଲ ଯିବାକୁ ଦେଇନଥାନ୍ତା । ହୁଏତ ଜାଣି ଥିଲା ‌‌। ନ ହେଲେ ସିଏ ତା ପୂର୍ବ ଦିନ ଭିଡିଓ କଲ୍ ରେ ମୋ ସହିତ କଥା ହେଲା ବେଳେ କାନିରେ ମୁହଁ ଲୁଚେଇ କାନ୍ଦିଥାନ୍ତା କାହିଁକି ? ମିଛେଇଟା କିଛି ଅସୁବିଧା ହେଉଛି ବୋଲି କେବେ କହିଲାନି । ମୁଁ ବି ଅଲାଜୁକ କେବେ ତା ମନ ବୁଝି ପାରିଲିନି । ଏ କରୋନାଟା କ'ଣ କେବଳ ତାକୁ ହିଁ ଗିଳି ଯିବାକୁ ଆସିଥିଲା ? 


ଆଖିରୁ ଦୁଇ ଟୋପା ଲୁହ ଗଡ଼ି ଭାତ ଥାଳିରେ ମିଶିଗଲା । କେହି ଜାଣିବା ଆଗରୁ ତର ତର ହେଇ ଉଠି ପଡ଼ିଲି। ମୁହଁ ହାତ ଧୋଇ ପକେଇଲି ‌। ବାପା କହିଲେ, କିଛି ଖାଇଲୁନି ଯେ । 


ଖାଇଲି ନା । ଏଇ ଟ୍ରେନରୁ ଓହ୍ଲେଇ ସାଙ୍ଗମାନଙ୍କ ସହିତ ଜଳଖିଆ ଖାଇ ଦେଇଥିଲି ତ । ବାପାଙ୍କ ମନ ରଖିବାକୁ ଲଡୁରୁ ଗୋଟିଏ ନେଇ ଖାଇଲି । କିନ୍ତୁ ଆଖି ଖୋଜୁଥିଲା ମା' । ମା'ର ମୁହଁ ।ତା ପଣତ, ତା ହାତରନ୍ଧା । ତା ହାତରନ୍ଧା ଖାଦ୍ୟର ବାସ୍ନା ଯେମିତି ଏଇ ରୋଷେଇ ଘରର କଣେ କଣେ ଭରିଯାଇଥିଲା । କେହି ଜାଣି ପାରୁ ଥିଲେ କି ନା ଜାଣିନି ମୁଁ କିନ୍ତୁ ଅନୁଭବ କରିପାରୁଥିଲି ତା ଉପସ୍ଥିତି । ହଜି ହଜି ଯାଉଥିଲି ଭିଜି ଭିଜି ଯାଉଥିଲି ତା ଆରିସାର ମହକରେ ।



Rate this content
Log in