STORYMIRROR

RUKEYA JABEEN

Others

3  

RUKEYA JABEEN

Others

ଖୁସି ସେ ପିଲାଙ୍କ ହସରେ

ଖୁସି ସେ ପିଲାଙ୍କ ହସରେ

2 mins
177

ଅଭିମାନୀ ବର୍ଷା ଟା କାହିଁକି କେଜାଣି ଏଥର ଭାରି ଆନମନା ହେଉଛି। ମେଘ ପ୍ରେମିକ ସହ ମନୋମାଳିନ୍ୟ ହେଇଛି ନା କ'ଣ ଅମାନିଆ ହେଇ ମାସ ମାସ ହେଲା ବର୍ଷି ଯାଉଛି। ତା ରାଗର ପ୍ରକୋପରେ ନଦୀ ନାଳ ଉଚ୍ଛୁଳି କୂଳ ଲଙ୍ଘିବାରେ ଲାଗିଛି। କାଜର ପାଣି ଏଥର ଆମ ଗାଁର ଅନେକ ତଳିଆ ଅଞ୍ଚଳରେ ପଶି ଆସିଛି । ପାଣି ଘେରରେ ଥିବା ଲୋକମାନେ ଏକରକମ ଅସହାୟ ଜୀବନ ବିତାଉଛନ୍ତି । ଆଠ ନଅ ଦିନର ଜଳବନ୍ଦୀ ପରେ କାଲିଠାରୁ କାଜରେ ପାଣି ଗଡିବା କମିଛି । ଯାହା ଫଳରେ ଆମ ଅଞ୍ଚଳର ଜଳସ୍ତର ମଧ୍ୟ କମିଛି ।

ଦିନ ଏଗାରଟା ପାଖାପାଖି । ଜଣାଶୁଣା 'ସାଆନ୍ତାଣୀ' ଡାକ ଶୁଭିଗଲା । ଦାଣ୍ଡ କବାଟ ଖୋଲି ଦେଖିଲି ପାଖ ଗାଁ ର ସ୍ତ୍ରୀ ଲୋକଟିଏ। କହିବାକୁ ଗଲେ ଆଦିବାସୀ। ଅନେକ ବର୍ଷ ଆଗରୁ ସେମାନଙ୍କ ପୂର୍ବ ପୁରୁଷ ଆସି ଏପଟେ ସରକାରୀ ଯାଗାରେ ଘର କରି ରହିଯାଇଛନ୍ତି । ମୂଲ ମଜୁରୀ ଲାଗି ଚଳନ୍ତି। ମତେ ଦେଖି ସ୍ତ୍ରୀ ଲୋକଟି ବେଲାଟିଏ ବାରଣ୍ଡା ଉପରେ ରଖୁ ରଖୁ କହିଲା, ' ସାଆନ୍ତାଣୀ, ଆଜି ଟିକିଏ ବେଶୀ କରି ଚାଉଳ ଦବ । ଏତେ ଦିନ ପାଣି ଘେରରେ ରହି ସବୁ ଜମା ଖାଦ୍ୟ ସରିଗଲାଣି । ଚାରିଆଡେ ପାଣି ଥିବାରୁ ପୁଣି କାମର ଅଭାବ। ଦୁଇ ଦିନ ହେଲା ପିଲା ଛୁଆ ଓପାସରେ । '

ମୁଁ ବେଲାରେ ଚାଉଳ ପକାଇଲା ବେଳେ ପୁଣି କହିଲା, ' ସାଆନ୍ତାଣୀ ବିସ୍କୁଟ ଥିବ ଦେଲେ ହୁଅନ୍ତାନି। ମୋ ଛୁଆ ଖାଇବେ

ମୁଁ କହିଲି କାଇଁ ରିଲିଫର ବିସ୍କୁଟ ଚୁଡ଼ା ପାଇନୁ କି ?

କହିଲା, ' ହଁ ପାଇଛି ଯେ ପାଞ୍ଚ ପ୍ରାଣୀ କୁଟୁମ୍ବକୁ ଦିନେ ଅବା ଦୁଇ ଦିନରେ ଦୁଇଟା ପାଞ୍ଚ ଟଙ୍କିଆ ବିସ୍କୁଟ ଆଉ ଅଧ କିଲେ ଚୁଡ଼ା । ସେ କୋଉ ଆଡିକି କହିଲ ? 

ପିଲା ଦୁଇଟିଙ୍କର ମୁହଁ ଦେଖି ମତେ ଦୟା ଆସିଲା । ଘର ଭିତରକୁ ଯାଇ ବଟର ବିସ୍କୁଟ ର ଗୋଟିଏ ବଡ଼ ପ୍ୟାକେଟ ଟିଏ ଆଣି ତା' ପୁଅ ହାତରେ ଧରେଇ ଦେଲି । ସ୍ତ୍ରୀ ଲୋକଟି ସଙ୍ଗେ ସଙ୍ଗେ ପୁଅ ହାତରୁ ବିସ୍କୁଟ ପ୍ୟାକେଟ ନେଇ ଖୋଲି ଦେଲା । ଭାଇ ଭଉଣୀ ଦୁହେଁ ବଡ଼ ଆନନ୍ଦରେ ଖାଇବାକୁ ଲାଗିଲେ । ଖାଇସାରି ପାଣି ପିଇ ଗଲାବେଳେ ବଳକା ବିସ୍କୁଟକୁ ଅତି ଯତନରେ ପୁଅଟି ଝୋଲାରେ ପୁରାଇଦେଲା । ଝିଅଟି କହିଲା ରଖିଦେ ଭାଇ ପଛରେ ଖାଇବା ବଢ଼ିଆ ମଜା ବିସ୍କୁଟ । ସେତେବେଳେ ସେ ପିଲା ଦୁହିଁଙ୍କ ମୁହଁରେ ଫୁଟି ଉଠୁଥିବା ହସ କୋଉ ଅରମା ଭିତରେ ଫୁଟି ଉଠୁଥିବା ସଜ କଇଁ ଫୁଲ ଠାରୁ କମ୍ ନୁହେଁ । ସେ ନିର୍ମଳ, କୋମଳ, ଶୀତଳ ହସ ଯେମିତି ମୋ ଅନ୍ତରେ ଥିବା ଅନେକ ଯନ୍ତ୍ରଣାକୁ ମଲମ ଦେଇ ଆଉଁସି ଦେଉ ଥିଲା । ସେ ହସର ପାଖୁଡ଼ା ମୋ ହୃଦୟ ଭିତରେ ଆତ୍ମସନ୍ତୋଷ ର ଏକ ଅନନ୍ୟ ଅନୁଭୂତିକୁ ଜନ୍ମ ଦେଉଥିଲା । ମୁଁ ଅନେଇ ରହିଥିଲି ସେମାନଙ୍କ ଗଲାବାଟକୁ ।


Rate this content
Log in