STORYMIRROR

RUKEYA JABEEN

Others

3  

RUKEYA JABEEN

Others

ମା ବାପା ଙ୍କ ଖୁସି

ମା ବାପା ଙ୍କ ଖୁସି

3 mins
185

ସୁନ୍ଦର, ସୁପରିଚାଳିତ ଜୀବନରେ ବେଳେ ବେଳେ ବାର୍ଦ୍ଧକ୍ୟ ବାଧା ସାଜେ । ବାର୍ଦ୍ଧକ୍ୟ ଏଭଳି ଏକ ପାହାଚ ଯୋଉଠି ଚଢ଼ିଲା ପରେ ସାମାନ୍ୟ ଗୋଟିଏ ପିମ୍ପୁଡ଼ି କାମୁଡ଼ିଲେ ବିଲେଇ କାମୁଡ଼ିଲା ଭଳି ବିରକ୍ତିକର ମନୋଭାବ ସୃଷ୍ଟି ହୁଏ।


ମୋ ବାପା ଆଜି ସେହି ବାର୍ଦ୍ଧକ୍ୟର ପାହାଚେ ବସି ଧର୍ଯ୍ୟହରା ହୋଇ ପଡିଛନ୍ତି। ମାସେ ତଳେ ଗାଡିରୁ ପଡ଼ି ହାତ ଭାଙ୍ଗି ଯାଇଥିଲା।ତା ପରେ ପରେ ଜ୍ୱର ହେଲା । ପନ୍ଦର ଦିନ ଯାଏଁ ଜ୍ୱର ଲାଗି ରହିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ। ଜ୍ୱର ଠିକ୍ ହେଲା ପରେ ଏବେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ଶରୀରରେ ବସା ବାନ୍ଧିବାରେ ଲାଗିଲାଣି । ଅବସର ପରର କିଛି ଦିନ ଭିତରେ କେତେ ସବୁ ଅଘଟଣ ଘଟି ଗଲାଣି ତାଙ୍କ ଜୀବନରେ। ଆଜି ଡ଼ାକ୍ତରଖାନାରୁ ଆସିଲା ବେଳେ ଡ଼ାକ୍ତର କହିଲେ କିଛି ଚିନ୍ତା କରିବେନି ମଉସା । ଖାଇବା ପିଇବା ଟିକିଏ ଜଗିଦେବେ , ସବୁ ଦିନ ଔଷଧ ଖାଇବେ, ସବୁ ଠିକ୍ ହେଇଯିବ । ଯିଏ ଜୀବନରେ ଦିନେ ଔଷଧର ମୁହଁ ଦେଖି ନ ଥିଲେ ତାଙ୍କ ପାଇଁ ସବୁଦିନ ଔଷଧ ଖାଇବା କେତେ ଯେ ସହଜ ତାହା ମୁଁ ଭଲେ ଭଲେ ବୁଝି ପାରୁଥିଲି । ଏତକ ଶୁଣି ତାଙ୍କ ହସ ହସ ମୁହଁରେ ଉଦବିଗ୍ନତାର କଳା ବାଦଲ ଖେଳି ଯାଇଥିଲା । ବାଟ ସରିଗଲା ହେଲେ ତାଙ୍କ ପାଟିରୁ ପଦିଏ କଥା ବାହାରିଲା ନାହିଁ । ବୋଉ ଖାଲି ବୁଝୋଉଥାଏ ଆରେ ଏଡିକିଟିଏ ରୋଗରେ ଏତେ ଚିନ୍ତା କ'ଣ ପାଇଁ ! ମଧୁମେହ ଆଜିକାଲି ଯୁଗରେ ମଶା କାମୁଡ଼ିଲା ଭଳି ରୋଗଟିଏ । ଛୋଟ ଛୁଆମାନଙ୍କୁ ହେଇ ଯାଉଛି ସେମାନେ ପୁଣି ଖାଇ ପିଇ ବୁଲୁଛନ୍ତି ନା ନାଇଁ । ଏଥିରେ ଏତେ ଭାବିବାର କ'ଣ ଅଛି। ବାପା ତା କଥା ଶୁଣି ଟିକିଏ ହସିଲେ ସତ ହୃଦୟ ତାଙ୍କର ଭାରାଗ୍ରସ୍ତ ହେଇ ପଡ଼ିଥିଲା । 


ବାପା ମୋର ସବୁବେଳେ ଏମିତି । ଟିକିଏରେ ଅଧୀର ହେଇପଡୁଥିବା ମଣିଷ । ସରଳ ଜୀବନ ଜିଇଁଥିବା ସ୍କୁଲ ଶିକ୍ଷକଟିଏ। ସ୍କୁଲ ରେ ଛୁଆମାନଙ୍କର ଖୁବ୍ ପ୍ରିୟ । ସ୍ନେହୀ , ଦୟାଳୁ , ଥଟ୍ଟା ମଜା ଗପ ଖେଳ ଭିତରେ ପିଲାଙ୍କୁ ପାଠ ପଢ଼େଇ ପାରୁଥିବା ଧର୍ଯ୍ୟଶୀଳ ଶିକ୍ଷକ । ସମସ୍ତଙ୍କୁ ବାଟ ଦେଖାଉଥିବା , ସାହାସ ଦେଉଥିବା ମଣିଷ ଜଣକ କିନ୍ତୁ ନିଜ କ୍ଷେତ୍ରରେ ଭାରି ନରମ ।


ବିଜ୍ଞାନ ସ୍ନାତକ ରେ ମୁଁ ୯୨ ଶତକଡା ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲି। ଇଚ୍ଛା ଥିଲା ଡାକ୍ତର କି ଇଞ୍ଜିନିୟର ‌‌‌‌‌ଟିଏ ହେଇଥାନ୍ତି । ବିଦେଶରେ ରହି ମୋଟା ରକମର ଅର୍ଥ ଉପାର୍ଜନ କରିଥାନ୍ତି । ବାପାଙ୍କ ର କିନ୍ତୁ ସେ ସବୁରେ ଇଚ୍ଛା ନ ଥିଲା । ସେ ଚାହୁଁଥିଲେ ମୁଁ ସିଟି କରି ମାଷ୍ଟର ହୁଅନ୍ତି। ତା ଛଡା ଅନ୍ୟ କୌଣସି ବାଟ ସେ ଶୁଣିବାକୁ ଚାହିଁଲେ ନାହିଁ । 

ଗୋଟିଏ ମାତ୍ର ପୁଅ ହୋଇଥିବାରୁ ନିଜଠାରୁ ଦୂରେଇ ଦବାକୁ ତାଙ୍କର ଇଚ୍ଛା ନ ଥିଲା । ତାଙ୍କ ଜିଦ୍ ଆଗରେ ମୁଁ ସେଦିନ ହାର୍ ମାନିଥିଲି , ସତ କହିବାକୁ ଗଲେ ମୁଁ ନିଜେ ମାନି ନ ଥିଲି ବରଂ ବୋଉ ମତେ ମନେଇ ଥିଲା । ପରେ ମୁଁ ସିଟି କରି ମାଷ୍ଟର ଚାକିରୀ କଲି । ଏବେ ବାହାସାହା ହୋଇ ନିଜେ ଗୋଟିଏ ସନ୍ତାନର‌ ବାପା ହେଲା ପରେ ବୁଝିପାରୁଛି ସେଦିନ ବାପା ମତେ କାହିଁକି ବାହାରକୁ ଯିବାକୁ ଛାଡ଼ି

 ନ ଥିଲେ । 


ଅଟୋ ଆସି ଘର ପାଖରେ ଲାଗିଲା । ବୋଉ ବାପାଙ୍କୁ ଘର ଭିତରକୁ ନେଇ ଗଲା । ମୁଁ ଜିନିଷ ପତ୍ର ନେଇ ଟିକିଏ ପରେ ଭିତରକୁ ଗଲି । ବୋଉ ବାପାଙ୍କୁ କହୁଥିଲା ତମ ପୁଅ ବା ତମ ସାଙ୍ଗରେ ଅଛି ତେବେ ଚିନ୍ତା କ'ଣ ପାଇଁ। 

ବାପା କହୁଲେ , ହଁ, ଜାଣେ ମୋ ପୁଅ ମୋ ପାଖରେ ଥିବା ଯାଏଁ ମୋର କିଛି ଅସୁବିଧା ହବନି। ମୁଁ ତା ସେବାରେ ଠିକ୍ ହେଇଯିବି । ଏ ଔଷଧ ଗୁଡ଼ାକ ଖାଲି ନାମକୁ ମାତ୍ର ଦରକାର। 


ହଲ୍ ରେ ଠିଆ ହୋଇ ତାଙ୍କ କଥା ଶୁଣି ମୋ ଆଖିରେ ଅଜାଣତରେ ଦୁଇ ଟୋପା ଲୁହ ଜକେଇ ଆସିଲା । ସେଦିନ ଯଦି ବାହାରେ ରହି ପାଠ ପଢି ଇଞ୍ଜିନିୟର ହେଇଥାନ୍ତି ତା ହେଲେ କୋଉ ବଡ଼ କମ୍ପାନୀରେ ଚାକିରୀ କରି ବିଦେଶରେ ରହିଥାନ୍ତି । କିନ୍ତୁ ବାପା ମା ଙ୍କ ମୁହଁ ରେ ଯେଉଁ ହସ ଆଜି ଦେଖୁଛି ତାହା ଦେଖି ପାରି ନ ଥାନ୍ତି । ସେମାନଙ୍କ ଖୁସି ରେ ଯେଉଁ ଆତ୍ମତୃପ୍ତି ଅଛି ତାହା ଆଉ କେଉଁଠି କାହିଁ ?



Rate this content
Log in