STORYMIRROR

Hrusikesh Moharana

Tragedy

3.4  

Hrusikesh Moharana

Tragedy

ଅପ୍ରତ୍ୟାଶିତ

ଅପ୍ରତ୍ୟାଶିତ

9 mins
617


          ସନ୍ଧ୍ୟା ହେବାକୁ ଆଉ ଅଳ୍ପ ସମୟ ବାକି । ଛାଇ ଲମ୍ବିଯାଉଛି ପଚାଶ ହାତ ଦୂର ଯାଏଁ । ପୂର୍ବ ଦିଗକୁ ମୁହଁ କରି ସାଇକେଲ ଚଳାଉଥାଏ ଜିଲୁ । ସେ ଏକାନୁହେଁ । ଆଉ ଚାରି ପାଞ୍ଚ ଜଣ ପୁଅଝିଅ ତା ସହ ସଂପୁର୍ଣ୍ଣ ରାସ୍ତାକୁ ଅଧିକାର କରି ସାଇକେଲ ଚଳାଉଥାନ୍ତି । କଲେଜରେ ପଢ଼ୁଥିବା ସବୁଠୁ ସୁନ୍ଦରୀ ଝିଅ ଲିଲିକୁ ପ୍ରପୋଜ୍ କରି ଅଂଶୁମାନ ସମସ୍ତଙ୍କ ସାମ୍ନାରେ ଆଜି ପ୍ରିନସିପାଲ୍ ଙ୍କ ଠାରୁ ଗାଳି ଶୁଣିଛି । ଏଇଟା ଥିଲା ସେମାନଙ୍କ ଆଲୋଚନାର ବିଷୟବସ୍ତୁ । ଅଂଶୁମାନକୁ କେମିତି ଡରାଇ ଦିଆଯାଉଥିଲା ପୋଲିସରେ ଅଭିଯୋଗ କରିବାର ଭୟ ଦେଖାଇ , ଏବଂ ସେ କେମିତି ଭୟାର୍ତ୍ତ ହୋଇ ଆକୁଳ ନିବେଦନ କରୁଥିଲା କ୍ଷମା ପାଇବା ଆଶାରେ ସେଇ କଥା ସବୁ ମନେପକାଇ ଜିଲୁ ବେଶ୍ ଆମୋଦିତ ହେଉଥିଲା । ଯେଉଁମାନେ ଦୁର୍ଭାଗ୍ୟବଶତଃ ସେ ଦୃଶ୍ୟ ଦେଖିବାରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ଆଗରେ ଅବିକଳ ଭାବେ ବର୍ଣ୍ଣନା କରି ସେମାନଙ୍କୁ ନିଜ ବର୍ଣ୍ଣନା ଚାତୁରୀରେ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିଲା ଜିଲୁ ।             ତା' କଥା କହିବାର ଶୈଳୀ ସ୍ୱତନ୍ତ୍ର । ନିକଟ ଅତୀତରେ ଦେଖିଥିବା କୈାଣସି ଚଳଚ୍ଚିତ୍ରକୁ ନିଜ ବନ୍ଧୁମାନଙ୍କ ଆଗରେ ସେ ଏପରି ବର୍ଣ୍ଣନା କରେ ଯେ ଶୁଣୁଥିବା ପିଲାମାନେ ସେ ଚଳଚ୍ଚିତ୍ରଟିକୁ ଦେଖିବା ଆବଶ୍ୟକ ହୁଏନି । ବାଟ ସରିଆସିଲା । ଗୋଟିଏ ଚାରିଛକରେ ପରସ୍ପରଠାରୁ ଅଲଗା ହୋଇ ନିଜ ନିଜ ଗୃହାଭିମୁଖେ ବିଭାଜିତ ହୋଇଗଲେ ସମସ୍ତେ । ଯେଉଁ ଗାଆଁ ରାସ୍ତା ଦେଇ ସାଇକେଲ ଗଡାଇଲା ଜିଲୁ । ସେ ରାସ୍ତାଟି ଟିକେ ଅଣଓସାରିଆ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଢଳେଇ ହୋଇ ଏବେ ଟିକେ ସୁବିଧାରେ ଯାଇ ହେଉଛି । ଆଗରୁ ଖାଲି ମୋରମ ପଥର ଓ ନାଲିଗୋଡିରେ ପରିପୂର୍ଣ୍ଣ ହୋଇଥିବା ରକ୍ତ ବର୍ଣ୍ଣର ଭ୍ରମ ସୃଷ୍ଟି କରୁଥିଲା । ଗାଆଁର ଶେଷ ମୁଣ୍ଡରେ ଯେଉଁ ଦୁଇ ବଖୁରିଆ ଚାଳଘର ଅଛି ସେଇଟା ହେଲା ଜିଲୁର ଘର । ନା , ଭୁଲ୍ କହିଲି । ଜିଲୁର ନୁହେଁ ତା ବାପା ଦୀନା ଗୁଡିଆର ଘର । ଦୀନା ଗୁଡିଆକୁ ଆପଣ ଚିହ୍ନିଛନ୍ତି ତ ..?

         ଚିହ୍ନି ନାହାନ୍ତି । ହଁ ଚିହ୍ନିଥିବେ ହେଲେ ତା ନାଆଁଟା ଜାଣିନଥିବେ । ହଁ ବା ଜାଣିବେ କେମିତି । ଆପଣ ତ ସାଇକେଲରୁ ଓହ୍ଲେଇ ଭାଇନା ବରା ଦୁଇଟା ଦିଅ କହି ଗପରେ ମାତିଯିବେ , ସିଏ ବରା ତରକାରୀ ଦେଲେ ଆପଣ ଖାଇଦେଇ ଦଶଟଙ୍କା ଧରେଇ , ଭାଇନା, ବରା ଭଲ ହେଇଚି କହି ଚାଲିଯିବେ । ବାସ୍ତବରେ ଦୀନା ଦୋକାନରେ ବରା ଭଲଲାଗେ । ଏଇଟା କେବଳ ମୁଁ କହୁନାହିଁ । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ସମସ୍ତେ ଜାଣିନଥିବା ଗୋଟେ କଥା ମୁଁ ଜାଣେ । ଆପଣ ଯୋଉ ବରା ଖାଆନ୍ତି ସେଇଟା ଦୀନା ଛାଣିଥାଏ କିନ୍ତୁ ସେଥିରେ କେତେ ବିରି ପଡ଼େ କେତେ ସୁଜି ମିଶାହୁଏ ଆଉ କେତେ ସୋଡା ପକେଇଲେ ବରାର ସ୍ୱାଦ ଭଲହେବ ସେ ବିଷୟରେ ଦୀନାକୁ କିଛି ଜଣାନାହିଁ । କାରଣ ସେସବୁ କାମ ସେ କେବେ କରିନାହିଁ । ଏସବୁ କାମ ତା ସ୍ତ୍ରୀ କରିଦିଏ । ସିଏ ତ ଖାଲି କଡେଇରେ ପକେଇ ଛାଣେ ଓ ବିକ୍ରୀ କରେ । ଖାଲି ବରା ନୁହେଁ ଆପଣ ତା ଦୋକାନରେ ଯେଉଁ ମିଠେଇ , ଖଜା , ରସଗୋଲା ଦେଖନ୍ତି ଆପଣ ଭାବୁଛନ୍ତି କି ସେସବୁ ଦୋକାନରେ ତିଆରି ହୁଏ ବୋଲି । ତାହେଲେ ଆପଣ ଭୁଲ୍ ଭାବୁଛନ୍ତି । ସେସବୁ ଦୀନା ସ୍ତ୍ରୀ ତିଆରି କରି ଦୋକାନକୁ ପଠେଇ ଦିଏ । ଏସବୁ ତିଆରି କରିବା ପରେ ବି ତା ସ୍ତ୍ରୀ ସାରିଆକୁ ଆହୁରି ସମୟ ବଳେ । ସେତେବେଳେ ସିଏ ଘରପାଇଁ ରୋଷେଇ କରେ , ବାଡ଼ିରେ ପରିବା ଫଳାଏ , ଗୋରୁଗାଈ ଖାଇବାକୁ ଦିଏ । ଆଉ ପୁଅଝିଅଙ୍କ କଥା ବୁଝିବା ତ ତାର ପରମ କର୍ତ୍ତବ୍ୟ । ଏତେସବୁ କାମ ଭିତରେ ବି ସେ କେବେ ଦୀନା ଆଗରେ ନିଜର ଆଳସ୍ୟ ଦେଖାଏନି । ଦେହ ପା ଖରାପ ହେଲେ ତା' ବାପଘରକୁ ଖବର ପଠାଏ । ତା' ସାନ ଭଉଣୀ ମାଳତୀ ଆସି ତାକୁ କାମରେ ସାହାଯ୍ୟ କରେ । ରୋଷେଇ କରିଦିଏ , ଲୁଗା ସଫାକରେ ଏମିତିକି ଦୋକାନ ପାଇଁ ଯେଉଁ ସବୁ ଜିନିଷ ତିଆରି ହୁଏ , ସେସବୁ ମଧ୍ୟ ସେ ତିଆରି କରିପାରେ । ଦେହ ଅସୁସ୍ଥ ଥିଲେ ବି ସାରିଆ ତାକୁ ଅଭିଜ୍ଞ ମିସ୍ତ୍ରୀଟିଏ ପରି ବତେଇଦିଏ । ସହଯୋଗ ବି କରେ । ସାରିଆ ବେଶ୍ ପରିଶ୍ରମୀ ବୋଲି ଆଉ କହିବା ଦରକାର ନାହିଁ କିନ୍ତୁ ତା ସ୍ୱାମୀ ଯେ କେତେ ଅଳସୁଆ, ନିର୍ବୁଦ୍ଧିଆ ସେକଥା ନକହିଲେ ଆପଣ ଅନୁମାନ କରି ଜାଣି ପାରିବେନି ।


           ଦୀନା ଯଦି କିଛି ନକରନ୍ତା ତାହେଲେ ବି ଘର ଚଳନ୍ତା । ସାରିଆ ଯଦି ଘରେ ରହି ସବୁ କାମ କରିପାରୁଛି । ଦୋକାନ ଯାଇ ବେପାର କରିବା ବି ତା'ପାଇଁ ବଡ଼ କଥା ନୁହେଁ । ଯଦି ସିଏ ନିଜେ ନଯାଇ ପାରିଲା ତେବେ ବି ଦୋକାନ ଚାଲନ୍ତା । ଜିଲୁକୁ ଏବେ କୋଡ଼ିଏ ବର୍ଷ ହେଲାଣି , ସାନଟାକୁ ସତର ଖଣ୍ଡେ ହବ । ଏମାନେ ଖାଲି ଟିକେ ସହଯୋଗ କଲେ ସାରିଆ ନିଜେ ସବୁକାମ ଚଳେଇ ନିଅନ୍ତା । ହେଲେ ଦୀନା କ'ଣ ଦୋକାନ ଛାଡ଼ି ଯିବ ନା ଏମାନଙ୍କୁ ଦୋକାନ କଥା ବୁଝିବାକୁ ଦେବ । ଏମାନେ ସମସ୍ତେ ରହିବେ ପରଦା ପଛରେ ଆଉ ଦୀନା ଖାଲି ମଞ୍ଚ ଉପରେ ଅଭିନୟ କରି ପ୍ରଶଂସା ଗୋଟେଇବ । ଆପଣ ତ ଟିଭିରେ ଦେଖିଥିବେ ହିରୋ ମାନେ ସମସ୍ତଙ୍କ ମନ ଭିତରେ ଗୋଟେ ବିରାଟ ଆସନ ମାଡିବସନ୍ତି , ହେଲେ ପ୍ରଯୋଜକ, ନିର୍ଦ୍ଦେଶକ , କ୍ୟାମେରା ମ୍ୟାନ୍ , କାହାଣୀ ଲେଖକଙ୍କୁ କେହି ଚିହ୍ନନ୍ତି ନାହିଁ । ସେମିତି ଦୀନା ବିନା କାରଣରେ ହିରୋ ହେଇଯାଇଛି । ସିଏ ହିରୋ ହେଇଛି ମାନେ ତା ସ୍ତ୍ରୀ ସାରିଆ ନିଶ୍ଚୟ ହିରୋଇନ୍ ହବା କଥା କିନ୍ତୁ ବିଡ଼ମ୍ବନାର ବିଷୟ ସିଏ ହିରୋଇନ୍ ବଦଳରେ ଚାକରାଣୀ ହେଇଯାଇଛି । 


         କିଏ ତିଆରି କଲା ସେକଥା କେହି ଜାଣନ୍ତି ନାହିଁ । ଯିଏ ବିକିଲା ସିଏ ନିଜର ପରିଚୟ ସୃଷ୍ଟି କଲା । ଗରାଖମାନେ ତା ହାତକୁ ପଇସା ଦେଲେ । ବେପାର ସରିଲା ବେଳକୁ ରାତି ଦଶଟା । ଟଙ୍କା ସବୁ ଗୋଟି ଗୋଟି କରି ଗଣି ଘରକୁ ନିଏ ଦୀନା । ଏତେଗୁଡିଏ ଟଙ୍କା ହାତରେ ଧରି ଘରକୁ ଯିବାକୁ ଦୀନାକୁ ଭାରି କଷ୍ଟ ହୁଏ ବୋଧହୁଏ । ସେଇଥିପାଇଁ ସେଥିରୁ କିଛି ପଇସା ଦେଇ ହାଡିଆ ମଳିକ ଭାଟିରେ ବସି ମଦ ପିଏ । ମଦ କାହିଁକି ପିଏ, ସେଇ ପଇସାରେ ତ ସିଏ ତା ସ୍ତ୍ରୀ ପାଇଁ ଚୁଡ଼ି ଦିପଟ , ଶାଢ଼ୀ ଖଣ୍ଡେ କି , ପିଲାମାନଙ୍କ ପାଇଁ ବହି , ଖାତା , କଲମ କିଣି ପାରନ୍ତା । ହେଲେ ନା , ସିଏ ମଦ ପିଏ । ମଦ ପିଇବାର ଅନ୍ୟ କାରଣଟି ଏଇଆ ହେଇପାରେ , ମଦ ପିଇଲା ପରେ ସେ ନିଜର କ୍ଳାନ୍ତି ଭୁଲିଯାଏ , ତାକୁ ଭାରି ହାଲୁକା ଲାଗେ । ତା'ପରେ ବଳକା ଟଙ୍କାକୁ ଅଣ୍ଟାରେ ଗୁଞ୍ଜି ଝୁଲି ଝୁଲି ଘରକୁ ଫେରେ । 

           ଦୁଆର ମୁହଁରେ ବସିଥାଏ ସାରିଆ । ଘର ଭିତରେ ଲଣ୍ଠନ ଜଳୁଥାଏ । ଛୁଆମାନେ ପଢୁପଢୁ ଢୋଳେଇ ଢୋଳେଇ ସେଇ ବହି ଉପରେ ମୁଣ୍ଡ ଥୋଇ ଶୋଇ ପଡନ୍ତି । ଦୀନା ପହଞ୍ଚିବା ବେଳକୁ ଭାତ ବଢାହୋଇ ସାରିଥାଏ । ଅଧିକାଂଶ ଦିନ ସେଇଭାତକୁ ସାରିଆ ଖାଏ । ଦୀନା ମଦ ସାଙ୍ଗରେ ଯଦି ଅଧିକ ଚାଖଣା ଖାଇଦିଏ ତେବେ ତାର ଆଉ ଘରେ ଖାଇବାକୁ ଇଚ୍ଛା ହୁଏନି । ସାରିଆ ବି ବାଧ୍ୟ କରେନି । ସେ ଜାଣେ ଦୀନାକୁ ବାଧ୍ୟ କଲେ ସେ ଯୋଉ ଅଶ୍ରାବ୍ୟ ଭାଷାରେ ଶୋଧିବ , ସେ ସବୁ ଶୁଣିଲେ ସାରିଆ କ'ଣ ଭୁତ, ପ୍ରେତ ମାନେ ବି ସେ ସ୍ଥାନ ଛାଡି ଚାଲିଯିବେ । ଏମିତି ପରିସ୍ଥିତି ଆଜିକାଲିର ନୁହେଁ , କାହିଁ କେତେ ବର୍ଷ ତଳୁ ଏମିତି ହିଁ ସେମାନେ ବଞ୍ଚି ଆସୁଛନ୍ତି । ଟଙ୍କାଟିଏ ସଞ୍ଚୟ ନାହିଁ । ଟଙ୍କାଟିଏ ଋଣ ନାହିଁ କି ଟଙ୍କାଟିଏ କାହାଠୁ ପାଇବାର ବି ନାହିଁ । ଯେତିକି ରୋଜଗାର ସେତିକି ଖର୍ଚ୍ଚ । ବର୍ଷଯାକ ଚାଉଳ କିଣା । ନିଜର ତ ଜମି ଖଣ୍ଡେ ବି ନାହିଁ । କିଣିବାର ଆଶା ବି ନାହିଁ । ପୈତୃକ ସମ୍ପତ୍ତି ଥିଲେ ବି ସେଥିରୁ ଦାବି କରିବାର ମନୋବୃତ୍ତି ନାହିଁ । ଦୀନା ଚାହିଁଥିଲେ ଥାନାରେ ଅଭିଯୋଗ କରି କିମ୍ବା ଗାଆଁରେ ନିଶାପ ବସେଇ ନିଜ ଭାଗରେ ପଡ଼ୁଥିବା ଜମିତକ ଫାଡ଼ି ଆଣି ପାରିଥାନ୍ତା ହେଲେ ଦୀନ

ାକୁ ଉପାୟ ଜଣାନାହିଁ । ଆଇନ ବାଟରେ ନଯାଇ ଭାଇମାନଙ୍କୁ ଅଶ୍ଳୀଳ ଭାଷାରେ ଶୋଧିଲେ କ'ଣ ନିଜର ପ୍ରାପ୍ୟ ପାଇହୁଏ । ଶେଷରେ ଅଭିମାନ କରି ଗୋଚର ଜମିରେ ଚାଳିଆ କରି ରହିବାରେ କି ବୀରତ୍ୱ । ଛାଡ଼ ଏକଥା ଭାବି ଲାଭ କ'ଣ । ସାରିଆ ନିଜ ମନକୁ ବୁଝାଇ ଦେଇଥିଲା । ବାପଟା ସିନା ମୁର୍ଖ, ବେତଣ୍ଡା ହେଲେ ମୋ ଛୁଆମାନେ ତ ବେଶ୍ ବୁଝିବାର ହେଲେଣି । ଆଉ କେଇଟା ବର୍ଷ ଚଳିଗଲେ ଛୁଆମାନେ ସମାଜରେ ମଣିଷ ହୋଇ ଛିଡା ହୋଇଗଲେ ତାର ଛୁଟି । ତେଣିକି ସେ ପୁରସ୍ତମ ଯାଇ ଭିକମାଗି ଚଳିବ କି, ଘରେ ପଡିପଡି ଭୋକରେ ମରିଗଲେ ବି କ୍ଷତି କ'ଣ ? 


         ସାରିଆ ଦିନରାତି କେବଳ ସେଇ ପିଲାମାନଙ୍କ କଥା ଭାବୁଥାଏ । ପିଲାମାନେ ବି ତାକୁ ସେତିକି ଭଲପାଆନ୍ତି , ଯେତିକି ସେ ପାଏ । ଜିଲୁ କଲେଜରୁ ନଫେରିବା ଯାଏ ସାରିଆ ପାଟିକୁ ଭାତ ଯାଏନି । ଜିଲୁ ଘରେ ପହଞ୍ଚିବା ଆଗରୁ ସାଇକେଲ୍ ବେଲକୁ କ୍ରିଂ କ୍ରିଂ କରି ବଜେଇ ଆଗୁଆ ସୂଚନା ଦେଇଦିଏ । ସାରିଆ ସାଙ୍ଗେ ସାଙ୍ଗେ ଭାତବାଢି , ଚଟଣି କରି , ଆଳୁ ଚକଟି ଥୋଇଦିଏ । ସେଦିନ ବି ଜିଲୁ ଏଇ କଥା ଭାବି ଭାବି ଘରକୁ ଫେରୁଥାଏ । ଘରେ ପହଞ୍ଚିବା ବେଳକୁ ଘର ଆଗରେ ପ୍ରବଳ ଭିଡ଼ । ସାପ ଖେଳ ହଉଚି କି , ଠିକ୍ ସମୟରେ ପହଞ୍ଚିଛି ମୁଁ । ପ୍ରଥମେ ଜିଲୁ ଏଇଆ ଭାବିଲା । ହେଲେ ଲୋକଙ୍କ ମୁହଁରେ ତ ସେତେ ଉତ୍ସାହ ଦିଶୁନି , ହସୁନାହାଁନ୍ତି କେହି । ଏମିତି କାନ୍ଦୁରା ମୁହଁ କରି ସାପଖେଳ ଦେଖିବାକୁ କିଏ ଆସେ ଯେ ! ସାଇକେଲ ଥୋଇ ଭିଡ ଭିତରକୁ ପଶିଲା ଜିଲୁ । ଆରେ ସାଇକେଲ ଚାବି ପକେଇବାକୁ ମନେ ନାହିଁ ଯେ । ଚାବି ପକେଇ ପକେଟରେ ରଖିଲା । ପୁଣି ପଶିଲା ଭିଡ଼ ଠେଲି । ମଝିରେ ଜଣେ କେହି ଶୋଇଥିବା ପରି ଦିଶୁଛି। ଧଳା ଚାଦର ଘୋଡ଼େଇ ଦିଆଯାଇଛି । ଆରେ ଯାଦୁ ଖେଳ ଚାଲିଛି କି ? କାହିଁ କେହି ଯାଦୁଗର ବି ତ ଦିଶୁନାହାନ୍ତି । ଏଇ କ'ଣ ମୋ ବାପା ସେଠି ବସି କ'ଣ କରୁଛନ୍ତି । ତାଙ୍କ ଆଖିରେ ଲୁହ । ଏଇତ ସେ ଜୀବନରେ ପ୍ରଥମ ଥର ପାଇଁ ବାପାଙ୍କୁ କାନ୍ଦିବାର ଦେଖୁଛି । ଜିଲୁ ସିଧା ଯାଇଁ ବାପାଙ୍କ ପାଖରେ ବସିପଡ଼ିଲା । କ'ଣ ହେଇଚି ବାପା , କାନ୍ଦୁଛ କାହିଁକି .?? 

            ବାପା କିଛି କହିବା ଅବସ୍ଥାରେ ନଥିଲେ । ଜିଲୁ ନିଜେଯାଇ କାଢ଼ି ଦେଲା ଚାଦର , ଦେଖିଲା ବୋଉର ଆତ୍ମାହୀନ ଶରୀର , ନୀରବ , ନିସ୍ତେଜ , ନିଶ୍ଚଳ । ଆଃ , ଏଡେ ସୁନ୍ଦର ଦିଶିପାରେ ବୋଉ । ଇଏ କି ରୂପ ତାର , ମୁହଁ ସାରା ବୋଳି ହୋଇଯାଇଥାଏ ସିନ୍ଦୁର । ବନ୍ଦ ହୋଇଯାଇଥାଏ ଆଖି । ଦେହରେ ଲୁଗା ବିପର୍ଯ୍ୟସ୍ତ । ହାତ ଗୋଡ଼ ଶିଥିଳ । ଜିଲୁର ଭାରି ଉଚ୍ଚ ସ୍ୱରରେ କାନ୍ଦିବାକୁ ଇଛା ହେଲା । ଯେମିତି ସମସ୍ତେ କାନ୍ଦନ୍ତି ଚଳଚ୍ଚିତ୍ରରେ । ନା , ଏଇଟା ବେଶୀ ନାଟକୀୟ ହେଇଯିବ । ତା ଆଖିରୁ ଲୁହ ଝରିଲା ଅଥଚ ସେ ଶବ୍ଦ ସୃଷ୍ଟି କରି କାନ୍ଦି ପାରିଲାନି । ସେ ଏବେ ନିଜ ଭିତରେ ଦୃଢ଼ ହେଉଥିଲା । ତା' ସାନ ଭାଇ ଭଉଣୀଙ୍କ ଦାୟିତ୍ଵ ଏବେ ସେ ବୁଝିବ । ସେ ଏବେ ବୋଉର ଭୂମିକାରେ ଅବତୀର୍ଣ୍ଣ ହେବ । ହେଲେ ସେ ବୁଝିପାରୁ ନଥିଲା ବୋଉ ଏମିତି ହଠାତ୍ ମରିଗଲା କାହିଁକି ? କାହାକୁ ପଚାରିବ ସେ , ବାପାଙ୍କୁ । ସେ ଯେ ଏତେ ଅଧିର ହୋଇ କାନ୍ଦି କାନ୍ଦି ଗଡିଯାଉଛନ୍ତି । କାହାକୁ ପଚାରିବ ପଡ଼ୋଶୀଙ୍କୁ । ସେ କଣ କହିପାରିବେ ତା ବୋଉ କାହିଁକି ଏମିତି ଅକାଳରେ ମରିଗଲା । ସେ ତ କହିବେ ନିଶ୍ଚୟ ହେଲେ ସେ ଯାହା କହିବେ ସେଇଟା ସତ ବୋଲି କେମିତି ବିଶ୍ୱାସ କରିବ ଜିଲୁ । ତା ବୋଉ ତ ରାସ୍ତା ଉପରେ ପଡିକି ମରିନଥିବ , ସେ ମରିଥିବ ଘର ଭିତରେ । ଆଉ ତାଙ୍କ ଘରଭିତରେ ତା'ବୋଉ କେମିତି ମଲା , ସେକଥା ପଡ଼ୋଶୀ ଜାଣିବେ କେମିତି.? 

            କାହାକୁ ପଚାରିବ ବୋଲି ଭାବିଭାବି କାହାକୁ ବି ପଚାରି ପାରିଲାନି ସେ । ଲୋକେ ତ ଅନେକ କଥା କହୁଥିଲେ । କିଏ କହୁଥିଲା ବିଷ ଖାଇଦେଇଛି ତ କିଏ କହୁଥିଲା ଦଉଡ଼ି ଲଗେଇଥିଲା , ଆଉ କିଏ କହିଲାଣି ହାର୍ଟ ରୋଗଥିଲା , ନିଃଶ୍ୱାସ ବନ୍ଦ ହେଇଗଲା । ଏସବୁ ଭିତରୁ ସତ କଥାଟା ଖୋଜିବା ଭାରି କଷ୍ଟ । ଜିଲୁକୁ ଯଦି ହଜାରେ ବର୍ଷ ତଳର ପ୍ରାଚୀନ ଦୁର୍ଗ ଭିତରୁ ମିଳିଥିବା ଶିଳାଲେଖର ଅକ୍ଷର ପଢ଼ିବାକୁ କୁହାଯାଇଥାନ୍ତା , ସେ ହୁଏତ ଚେଷ୍ଟାକରି ଗୋଟିଏ ଦୁଇଟି ଅକ୍ଷର ପଢିପାରିଥାନ୍ତା । ହେଲେ ବୋଉ କାହିଁକି ମଲା ୟାର ଲକ୍ଷେ କାରଣ ଭିତରୁ ଗୋଟିଏ ନିର୍ଦ୍ଧିଷ୍ଟ କାରଣ ଖୋଜି ପାଉନଥିଲା ସେ । ବୋଉ ଜଳିଗଲା ତା' ମରିବାର ସମସ୍ତ କାରଣର ପ୍ରମାଣକୁ ନଷ୍ଟ କରି । ବାପାଙ୍କୁ ପଚାରି ପଚାରି ଥକିଗଲା ଜିଲୁ । ଗୋଟିଏ ଉତ୍ତର- ମୁଁ ସେ ବିଷୟରେ କିଛି ଜାଣିନି । ବୋଉର ଶୁଦ୍ଧ କ୍ରିୟା ହେବ । ପାଖରେ ଟଙ୍କାଟିଏ ନାହିଁ । ବାପା ସେଥିପ୍ରତି ନିରୁଦ୍ ବେଗ । ମଦ ପିଇବାକୁ ଯାଉନି ଆଉ । ଦୋକାନ ବନ୍ଦ ହେଇ ପଡ଼ିଛି । ଯାହା ଖୋଲା ଯାଇଥାନ୍ତା ତିଆରି କରୁଥିବା ଲୋକଟି ଯେ ସ୍ୱର୍ଗ କି ନର୍କରେ ଘରକରି ଚୁଲି ପାରୁଥିବ ଏବେ ।


          ବାପା ଏବେ ମଦ ପିଉନି ସିନା । ବୋଉ କଥା ତା'ର ଏତେ ମନେ ପଡ଼ୁଚି ଯେ ସେ ଦୁଃଖ ଭୁଲିବା ପାଇଁ ବେଳେ ବେଳେ ବାଡିପଟେ ବସି ଗଞ୍ଜେଇ ଟିକେ ଟାଣିଦେଇ ସେଇଠି ଗଡିପଡୁଛି । ନିଦ ଭାଙ୍ଗିଲେ ଆସି ଖାଇବାକୁ ମାଗୁଛି । ଜିଲୁ ଭାତରାନ୍ଧି , ଖାଇବାକୁ ଦେଉଛି । ବୋଉର ଶୁଦ୍ଧି କ୍ରିୟା ପାଇଁ ଜିନିଷପତ୍ର ଯୋଗାଡ଼ରେ ଲାଗିପଡିଛି । ବୋଉ ପୋଡ଼ା ହେବା ଆଗରୁ ତା'ହାତରୁ ଜିଲୁ ଖୋଲି ରଖିଥିଲା ସୁନା ଚୂଡି ଦୁଇପଟ । କାନ ଫୁଲ ଦୁଇଟା । ସେତକ ବିକ୍ରି କରି ବୋଉକୁ ପିଣ୍ଡ ଦେବ ସେ । ଗାଆଁ ଭୋଜି ଦେବା ତ ସମ୍ଭବ ନୁହେଁ । ତଥାପି ସେ ଚେଷ୍ଟା କରିବ ନିଜ ସାଙ୍ଗ ମାନଙ୍କ ଠାରୁ କିଛି କିଛି ସାହାଯ୍ୟ ଆଣି ସେତକ କରିବାକୁ । 

          ଟ୍ରଙ୍କ ଖୋଲି ଚୂଡି ଓ କାନଫୁଲକୁ ଗୋଟିଏ ଖବରକାଗଜରେ ଗୁଡେଇଲା ଜିଲୁ । କାନ୍ଥରେ ଟଙ୍ଗା ହୋଇଥିବା ସାଇକେଲ ଚାବିକୁ ପକେଟରେ ପୁରେଇଲା । ଘର ଭିତରୁ ବାହାରିଯିବା ବେଳକୁ ପଛରୁ ଡାକିଲା ତା' ବାପା ଦୀନା । -କୁଆଡ଼େ ଯାଉଛୁ କିରେ । 

  -ନା, ବାପା ଯାଉଥିଲି ବୋଉର ଶେଷ ସନ୍ତକ ଏଇ ଅଳଙ୍କାର ସବୁ ବିକ୍ରି କରି ତା' ଶୁଦ୍ଧିକ୍ରିୟା ପାଇଁ ବ୍ୟବସ୍ଥା କରିବି । 

-ଦେଖେଇଲୁ ସେଗୁଡା ଟିକେ ମୋ ହାତକୁ। ଆରେ ଏଗୁଡାକ ବିକିଦବୁ ..?

 - ୟା ବ୍ୟତୀତ ଆଉ କିଛି ଉପାୟ ନାହିଁ ବାପା 

     - ମୁଁ କ'ଣ କହୁଥିଲି କି , ତୁ ସିନା ଟିକିଏ ବଡ଼ ହେଲୁଣି ହେଲେ ତୋ ସାନ ଭାଇଭଉଣୀ ଗୁଡାକ ଏତେ ସାନ ସାନ, ସେମାନେ କ'ଣ ନିଜେ ବଞ୍ଚିପାରିବେ । କେବଳ ତାଙ୍କରି ପାଇଁ ନିଜର ଅନିଚ୍ଛା ସତ୍ତ୍ବେ ମୁଁ ଦ୍ୱିତୀୟ ବିବାହ ପାଇଁ ରାଜି ହୋଇଛି । ତୋ ମାଉସୀ ସାଙ୍ଗରେ ଆର ମାସକୁ ବାହାଘର । ଏମିତି ଭୋଜିଭାତ କରି ପଇସା ଖର୍ଚ୍ଚ କରିଦେବା ଅପେକ୍ଷା ଏଇତକ ଥାଉ । ତୋ ମାଉସୀ ଆସିଲେ କେତେବେଳେ କେମିତି ପିନ୍ଧିବ ।


        ଜିଲୁ ଏବେ ଆଉ ଛୋଟପିଲା ହେଇକି ନାହିଁ । ସେ ସବୁ ବୁଝି ପାରୁଥିଲା ହେଲେ ବାପା ମୁହଁରେ‌‌ କି ଜବାବ ଦେବ । ସେ ପରା ତା' ବାପା । ତାକୁ ଜନ୍ମ ଦେଇଛନ୍ତି । ଜିଲୁ ଅଳଙ୍କାର ସବୁ ବାପା ହାତରେ ଧରେଇଦେଇ ବାହାରି ଆସିଲା ପଦାକୁ । ସୂର୍ଯ୍ୟ ବୁଡ଼ିଗଲେଣି କେତେବେଳୁ । ଫାଳିକିଆ ଜହ୍ନଟେ ଝୁଲୁଚି ଆକାଶରେ । ଜିଲୁ ଚାହିଁଲା ଜହ୍ନଆଡେ । ତାକୁ ଲାଗିଲା ତା'ବୋଉ ହସୁଛି । ହାତ ବଢ଼େଇ କହୁଛି - ଆ' ମୋ ଧନ , ମୋ ଜିଲୁ , ମୋ କୋଳକୁ ଆ' । ତତେ ଏଇଠି ବାଢିଦେବି ପଖାଳ , ସାଙ୍ଗହୋଇ ଖାଇବା । ଏଇଠି ମୋ କୋଳରେ ଶୁଆଇ ଶୁଣାଇବି ତତେ ଅସରନ୍ତି ଯୁଗର କାହାଣୀ । ଜିଲୁ ଉପରକୁ ହାତ ଟେକୁଥିଲା । ଏତିକିବେଳେ ତା ସାନଭାଇ ଆସି ପଛରୁ ଡାକି କହିଲା - ଭାଇ, ଭୋକ ହେଲାଣି ଖାଇବାକୁ ଦେ । 


Rate this content
Log in

Similar oriya story from Tragedy