Hrusikesh Moharana

Tragedy

2.3  

Hrusikesh Moharana

Tragedy

ଚାକିରୀ

ଚାକିରୀ

5 mins
521



ହଜାରେ ଥର କହିଲିଣି , ମୋ ବିଷୟରେ ମୁଣ୍ଡ ପୁରେଇବୁନି । ମୁଁ ଚାକିରୀ କରେ କି ନକରେ , ତୋର ସେ କଥା ଚିନ୍ତା କରିବା ଦରକାର ନାହିଁ । ମାନ ସମ୍ମାନ ବୋଲି କିଛିନାହିଁ , ଧେତ୍ । ନବଘନ ବିରକ୍ତ ହେଉଥିଲା ତା' ବୋଉ ଉପରେ । ହେମଲତାଙ୍କର ମଧ୍ୟ ଟିକିଏ ବୁଦ୍ଧିଶୁଦ୍ଧି ନାହିଁ । ଯାହାକୁ ନାହିଁ ତାକୁ ପଚାରି ଦେଉଛନ୍ତି । ବାପାରେ ମୋ ପୁଅଟା ବିଏ ପାଶ୍ କରି ବୁଲୁଛି ତାପାଇଁ କାମଧନ୍ଦା ଗୋଟେ ବୁଝିଦିଅନ୍ତୁନି । ନବଘନ ଏସବୁ ଶୁଣିଲେ ତାକୁ ଭାରି ଲାଜ ମାଡ଼େ । ପାଠଶାଠ ପଢିଛି ସେ । ଆଜି ନହେଲେ କାଲି ଚାକିରୀ ମିଳିଯିବ ତାକୁ । ସେ ତ ଦିନରାତି ତା ଚେଷ୍ଟାରେ ଲାଗିଛି । ଚାକିରୀ ତ କୋଉ ଗଛର ଫଳ ହେଇନି ଯେ ଛିଡେଇ ଆଣିବ । ଆଜିକାଲି ଯୋଉ ଭଳି ପ୍ରତିଯୋଗିତାର ଦିନ ହେଲାଣି ଚାକିରୀ ଖଣ୍ଡେ ପାଇଁ କେତେ ଫନ୍ଦିଫିକର କେତେ ହୀନସ୍ତା ହେବାକୁ ପଡୁଛି । ଗଲାବର୍ଷ ପୋଷ୍ଟ ପିଅନ ପରୀକ୍ଷାରେ ଭଲ ନମ୍ବର ରଖିଥିଲା । ହେଲେ କ'ଣ ହେବ ଅନୁସୂଚିତ ଜାତି , ଜନଜାତି ପିଲାଙ୍କ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା ଥିଲା ସେଥିରେ ପଛରେ ପଡିଗଲା ନବଘନ । ସହପାଠୀ କରୁଣା ୬୩ ନମ୍ବର ରଖି ଚାକିରୀ ପାଇଲା ହେଲେ ନବଘନ ୭୧ ନମ୍ବର ରଖି ମଧ୍ୟ ଅଯୋଗ୍ୟ ସାବ୍ୟସ୍ତ ହେଲା । ଖୁବ୍ ବାଧିଥିଲା ସେଦିନ ତାକୁ , ହେଲେ ସେ ବା କ'ଣ କରିପାରିବ ..? ଇଚ୍ଛା ହେଉଥିଲା ପ୍ରତିବାଦ କରିବାକୁ ହେଲେ ଇଏ କ'ଣ ପ୍ରଥମ । ଆଗରୁ ଏମିତି ହଜାରେ କି ଲକ୍ଷେ ପ୍ରତିବାଦ ହୋଇଛି । କିନ୍ତୁ ଫଳାଫଳ ..? 

       ନବଘନ ମାନସିକ ଭାବେ ଯେତେ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ଅନ୍ୟମାନଙ୍କ ଆଗରେ ହସେ । ତା' ଭିତରେ କିଛି ଘଟୁନଥିଲା ପରି ଅଭିନୟ କରିପାରେ । ତଥାପି ତା ପଡ଼ିଶାଘରୁ କିମ୍ବା ସାଙ୍ଗ ସାଥି କେହି ଚାକିରୀ ପାଇଯାଇଥିବା ଖବର ଶୁଣିଲେ ତା ଛାତି ଧଡ଼ପଡ଼ ହୁଏ । ନିଜ ଭାଗ୍ୟକୁ ନିନ୍ଦେ । ଚାକିରୀ ପାଇଥିବା ପିଲା ପ୍ରତି ଈର୍ଷା ହୁଏ । ସେ ଭାବେ ଏତେ ସହଜରେ ସେ କେମିତି ଚାକିରୀ ପାଇଗଲା । ଯା ଭିତରେ ନିଶ୍ଚୟ କିଛି ଗୋଟାଏ ରହସ୍ୟ ଅଛି । ହୁଏତ ତା'ର କେହି ସଂପର୍କୀୟଙ୍କୁ ହାତକରି ପାଇଛି ନଚେତ୍ କିଛି ପଇସାପତ୍ର କାରବାର କରିଛି । ଭାରି ରାଗ ହୁଏ କିନ୍ତୁ ତା'ପାଖରେ କିଛି ପ୍ରମାଣ ନଥିବାରୁ ନୀରବ ରହିବାକୁ ବାଧ୍ୟ ହୁଏ । ବେଳେବେଳେ ତା ବୋଉ ଉପରେ ରାଗି ସୁଝାଏ । ତୋ'ରି ପାଇଁ ମୁଁ କିଛି କରିପାରିଲିନି , ଯେତେବେଳେ ଏମ୍ ଏ ପଢ଼ିବାକୁ ପଇସା ମାଗିଲି ସେତେବେଳେ ତ ଦେଲୁନି , ନହେଲେ ଏତେବେଳକୁ କୋଉ କଲେଜରେ ପ୍ରଫେସର ହେଇ ସାରନ୍ତିଣି । ବିଏ ପାଠକୁ ଆଜିକାଲି ଆଉ କେହି ପଚାରୁ ନାହାଁନ୍ତି । ଲକ୍ଷ ଲକ୍ଷ ପିଲା ବିଏ ପାଶ୍ କରି ବୁଲୁଛନ୍ତି । ପ୍ରତିଯୋଗିତା ପରୀକ୍ଷା ପାଇଁ ଆଜିକାଲି କୋଚିଙ୍ଗ ସେଣ୍ଟର ସବୁ ଖୋଲିଗଲାଣି । ଯିଏ ଟଙ୍କା ଖର୍ଚ୍ଚ କରି ସେଠିକି ଯାଉଛନ୍ତି ସହଜରେ ଉତ୍ତର ବାହାର କରିବାର ନୂଆ ପ୍ରଣାଳୀ ସବୁ ଶିଖି ଆସୁଛନ୍ତି । ଚାକିରୀ ପାଉଛନ୍ତି । ମୁଁ ହଜାରେ ଥର ଭାବିଲିଣି ସେଠିକି ଯିବି ବୋଲି । ହେଲେ କ'ଣ ହେବ ଯାହା ତ ମାସକୁ ମାସ ଟିଉସନ୍ ପଇସା ମିଳୁଛି , ଘର ଖର୍ଚ୍ଚକୁ ନିଅଣ୍ଟ । ଆଉ ପାଠ ପଢିବି କ'ଣ , ଚାକିରୀ କରିବି କ'ଣ । ଚାକିରୀ ତ ଆକାଶ କଇଁଆ ହେଲାଣି । ଗୋଟାଏ ପଦବୀ ପାଇଁ ଦଶ ହଜାରେ ପିଲା , କୋଉଠୁ ଆସିବ ଏତେ ଚାକିରୀ ..?

      ତା' ବୋଉ ବିଚାରୀ ହେମଲତା କାନ୍ଦେ । ନବଘନକୁ କିଛି କହେନି , ସବୁ ଦୋଷ ତା ବାପା ଆଡ଼କୁ ପେଲିଦିଏ । ତୋ ବାପଟା ତା ଗୁଣ୍ଠେ ପଦିକାଏ କୋଉଠି କରିନାହିଁ । ଯାହା ଗୁଣ୍ଠେ ବିଶ୍ୱାଏ ଥିଲା , ତାକୁ ତ ବିକି ଭାଙ୍ଗି ଖାଇଲା । ସେତିକିରେ ସରିନଥିଲା ଯେ ବର୍ଷ ଗୋଟାଏ ରୋଗରେ ପଡ଼ିଲା । ବାସନକୁସନ ସୁନାଗହଣା ଆଳିଅଳଙ୍କାର ବିକି ସବୁତକ ଡାକ୍ତରଖାନାରେ ଦେଲି । ଡିହଖଣ୍ଡକ ବନ୍ଧାପକେଇ ଶୁଦ୍ଧିକ୍ରିୟା କଲି । ଆଉ କ'ଣ ଅଛି ଯେ ତୋତେ ହାକିମ କରିଥାନ୍ତି । ମୋ ସକ୍ଷମ ଅନୁସାରେ ତତେ ତ ବିଏ ଯାଏ ପଢେଇଲି , ଏଣିକି ତୋ ନିଜ ଶିଙ୍ଗରେ ତୁ ମାଟି ତାଡିବୁ । ମୁଁ ଆଉ ପାରିବିନିରେ ବାପା .!!

       ନବଘନ ମନେମନେ ନିଜକୁ ଧିକ୍କାର କରେ । ନିଜ ଭିତରର ଦୋଷ ତ୍ରୁଟି ଖୋଜେ । କ'ଣ ଭାବେ କେଜାଣି ବହି ଥାକରୁ ଗୋଟାଏ ଗୋଟିଏ ବହି କାଢି ପଡୁଥାଏ । ରାତି ନାହିଁ ଦିନ ନାହିଁ , ଖିଆ ନାହିଁ ପିଆ ନାହିଁ । ପଢ଼ା ଚାଲିଛି ତ ଚାଲିଛି । ସପ ଖଣ୍ଡିକ ପକେଇ ତଳକୁ ମୁହଁପୋତି ବସିଥାଏ । ବେକ ବଙ୍କା ହୋଇ ରହିଥାଏ । ସଳଖ ହେଇ ସେ ଯେତେବେଳେ ପଦାକୁ ଚାହେଁ , ଦେଖେ। ଆଲୁବାଲୁ ଅନ୍ଧାର । କିଏ କୁଆଡେ ଖାଇପିଇ ଶୋଇଲେଣି । ବୋଉ ତା'ର ପଖାଳ ବାଢିଦେଇ ଅନେଇଚି । ନବଘନ ଖାଇସାରିଲେ ସେଇ କଂସାରେ ଖାଇକି ଶୋଇବାକୁ ଯିବ । ନବଘନ ପଢୁଛି ସିନା ହେଲେ ରାତି ଅନିଦ୍ରା ହେଉଛି ହେମଲତା । ତା'ର କେବଳ ଗୋଟିଏ ଇଚ୍ଛା । ନବଘନଟା ଚାକିରୀ ଖଣ୍ଡେ ପାଇଯାଉ । ବୟସ ଆସି ଷାଠିଏ ଟପିଲାଣି । ନବଘନକୁ ଆସି ସତେଇଶି ହେଲାଣି । ଚାକିରୀ ଖଣ୍ଡେ ପାଇଗଲେ ତା'କୁ ହାତକୁ ଦି'ହାତ କରିଦେଲେ , ବୁଢ଼ୀର ଛୁଟି । 

     ସେଦିନ ନବଘନର ପରୀକ୍ଷା ଥାଏ । ଆଠଦିନ ହେଲାଣି ତାକୁ ନିଦନାହିଁ । ଯାହା ବି ହେଉ ଏଇଥରକ ସେ ତାର ସବୁ ଶକ୍ତି ପ୍ରୟୋଗକରି , ଯେମିତି ବି ହେଉ ଚାକିରୀ କରିବ । ଏଇ ଆଶା ନେଇ ପରୀକ୍ଷା ଦେବାକୁ ଗଲା ନବଘନ । ବୋଉ ଦୁଆର ମୁହଁରେ ଢାଳେ ଲୁହ ଆଉ ଆମ୍ବ ପତ୍ର ଥୋଇ କଳସ ବସେଇଲା । ବୃନ୍ଦାବତୀଙ୍କ ପାଦରେ ଆଞ୍ଜୁଳାଏ ଲୁହ ଢାଳି ମାଟି ଓଦା କଲା । ସେଇ ମାଟିରୁ ଟିକିଏ ଆଣି ନବଘନର ମଥାରେ ଲଗେଇଲା । ନବଘନ ପରୀକ୍ଷାକୁ ଗଲା । ପ୍ରଶ୍ନପତ୍ର ଦେଖି ବହୁତ୍ ଖୁସି ହେଇଗଲା ନବଘନ । ଏହିସବୁ ପାଠ ତ ସେ ପଢ଼ୁଥିଲା ଆଠଦିନ ହେବ । ତା ରାତି ଅନିଦ୍ରା ହେବାର ସାର୍ଥକତା ରହିଲା । ଗୋଟିଗୋଟି କରି ସବୁ ପ୍ରଶ୍ନର ଉତ୍ତର କରିଗଲା । ଘରକୁ ଫେରି ବୋଉ ଆଗରେ ସବୁକଥା ଅନର୍ଗଳ ଗପିଗଲା । ହେମଲତା ଦେବୀ ଭାରି ଖୁସି । ଯା ହଉ ଏଇଥରକ ପୁଅ ତାଙ୍କର ଚାକିରୀ ପାଇବ ।

      ଚାକିରୀର ବର୍ଷକ ଭିତରେ ସେ ତାର ବାହାଘର କରିଦେବେ । ଘରକୁ ବୋହୂ ଆସିବ । ନାତି ନାତୁଣୀ ହେବେ । ଭାରି ମଜାହେବ । ହଁ ଏବେଠାରୁ ବୋହୂ ଖୋଜି ରଖିବାକୁ ପଡିବ । ଆଜିକାଲି ଭଲ ବୋହୂଟିଏ ମିଳିବା ଭାରି କଷ୍ଟ । ହଁ ବା ଯଦି କେହି ନମିଳିଲେ ରାମ ମହାନ୍ତିର ସେଇ ଯେଉଁ ତନୁପାତଳୀ ହଳଦୀଗୋରୀ ଝିଅ ପାଠ ପଢିବା ବାହାନାରେ ବାରମ୍ବାର ନବଘନ ପାଖକୁ ଆସେ , ତାରି ସାଙ୍ଗରେ ବାହାଘରଟା ତୁଟେଇ ଦେଲେ ଗଲା ।

       ଦୁଇମାସ ହେଲାଣି । ଆଜି ପରୀକ୍ଷାର ଫଳାଫଳ ବାହାରିବା କଥା । ସକାଳୁ ଗାଧୋଇ ଖାଇ ମନ୍ଦିର ଯାଇଥିଲା ନବଘନ । ମେଞ୍ଚାଏ ସିନ୍ଦୂର ମୁଣ୍ଡରେ ବୋଳି ଖୁବ୍ ସଂଶୟ ଚିତ୍ତରେ ଫେରିଲା । କହୁଥିଲା ରେଜଲ୍ଟ ଆଉ ବାହାରିବି । ପ୍ରଶ୍ନପତ୍ରରେ ଦୁଇ ତିନିଟା ଭୁଲ ପ୍ରଶ୍ନ ଥିଲା ବୋଲି କେହି ଜଣେ ପିଲା ହାଇକୋର୍ଟରେ ପରୀକ୍ଷା ପରିଚାଳକଙ୍କ ନାଆଁରେ ଏତଲା ଦେଇଛି । ଟିଭିରେ ବି ସେଇକଥା କହୁଥେଲା । ହାଇକୋର୍ଟ ଷ୍ଟେ ଅଡର କରିଛି । ଆଉଥରେ ନୂଆ ପରୀକ୍ଷା ହେବ ।

     ଏଇସବୁ କଥା ଜାଣିଲା ବେଳକୁ ନବଘନ ବାୟା ବାତୁଳାଙ୍କ ପରି ହେଉଛି , ଖାଲି ହାଣିଦେବି ମାରିଦେବି କହି ତାତି ଉଠୁଚି । କୁଆଡେ ଗଲା କେଜାଣି ଟୋକାଟା ..? ଖାଇକି ଗଲାନାହିଁ ଯେ , କୁଆଡେ ବୁଲୁଥିବ ଭୋକ ଉପାସରେ । ବେଳ ଆସି ସଞ୍ଜ ବୁଡିଲାଣି । ମୁଁ ଯାଏ ଦେଖେ କାଳେ ଏଇଠି କୋଉଠି ବୁଲୁଥିବ ।

        ହେମଲତା କବାଟ ଖୋଲି ପଦାକୁ ବାହାରିଲା ବେଳକୁ ପଡ଼ିଶାଘର ଲତା ଆସି କହିଲା - " ହେମବୋଉ , ହେମବୋଉ , ନବଭାଇ ଥଣ୍ଡାରେ ଆମ୍ବଗଛରେ ରଶି ଲଗେଇ ଦେଇଛି । ଗାଁ ବାଲାଏ ସବୁ ସେଇଠି ରୁଣ୍ଡ ହେଇଚନ୍ତି । ହେମବୁଢୀ ହାତରୁ ଠେଙ୍ଗାଟା ଗଳି ପଡ଼ିଲା । ମୁଣ୍ଡଟା ସେଇ ଦୁଆର ବନ୍ଧରେ ପିଟିହୋଇ ଧାରେ ରକ୍ତ ଗଡି଼ଗଲା ।




Rate this content
Log in

Similar oriya story from Tragedy