Sachidananda Kar

Tragedy

2  

Sachidananda Kar

Tragedy

ଅପହଞ୍ଚ ଦୂରତା

ଅପହଞ୍ଚ ଦୂରତା

2 mins
780



ଫୋନ୍ ନମ୍ବର ମନେ ରଖିବାକୁ ପଡେ । ନ ହେଲେ ଲେଖି ରଖିବାକୁ ହୁଏ । ଅବଶ୍ୟ ଏବେ ଆଉ ସେପରି ହେଉନାହିଁ । ତଥାପି କେତୋଟି ଫୋନ୍ ନମ୍ବର ମନେ ରହିଯାଉଛି ।

ସେପରି କେତୋଟି ଫୋନ୍ ନମ୍ବର ମନେ ରଖି ପାରିଥିଲା ମଳୟ । ବାରମ୍ବାର ବ୍ୟବହାର କାରଣରୁ ସେପରି ହୋଇଥିଲା । ସେ ଥିଭିତରୁ ଗୋଟିଏ ନମ୍ବର ଥିଲା ବର୍ଷାର । ପ୍ରଥମ ଦେଖାରେ ବର୍ଷାଠାରୁ ସେ ପାଇଥିଲା ସେହି ନମ୍ବରଟି । ଦୁହିଁଙ୍କ ମଧ୍ୟରେ ସଂପର୍କ ବଢାଇବାରେ ତାହା ବେଶ୍ ସାହାଯ୍ୟ କରିଥିଲା । ପ୍ରଥମେ ପ୍ରେମିକା ପରେ ମଳୟର ସ୍ତ୍ରୀ ହୋଇଥିଲା ବର୍ଷା ।

ସ୍ତ୍ରୀ ହେବା ପରେ ନମ୍ବରଟିର ବ୍ୟବହାର ଯଥେଷ୍ଟ କମିଯାଇଥିଲା । ହେଲେ ତାହା ମଳୟର ମନରେ ଅଭୁଲା ହୋଇ ରହିଥିଲା । ଆବଶ୍ୟକ ପଡ଼ିଲେ ସେ ସେହି ନମ୍ବରରେ ହିଁ ବର୍ଷା ସହିତ କଥା ହେଉଥିଲ ।


ସ୍ତ୍ରୀ ହୋଇ ଫ୍ଲାଟକୁ ଆସିବା ପରେ ତା'ର ଅନେକ ଘରୋଇ ଉପକରଣ ଆବଶ୍ୟକ ହେଲା । ଘର ସଜାଇବାକୁ ଚାହିଁଲା ସେ । ଗୋଟିଏ ଫର୍ଣ୍ଣିଚର୍ ଦୋକାନରୁ କିଣାକିଣି ଆରମ୍ଭ କରିଥିଲା ମଳୟ । ତାକୁ ଗୋଟିଏ ପରେ ଗୋଟିଏ ଜିନିଷ କିଣିବାକୁ ପଡୁଥିଲା । ତେଣୁ ସେ ସେହି ଦୋକାନୀର ଫୋନ୍ ନମ୍ବରଟି ମାଗି ରଖିଥିଲା । ବାରମ୍ବାର ଯୋଗାଯୋଗ କରିବାକୁ ପଡୁଥିଲା । ତେଣୁ ସେହି ନମ୍ବରଟି ତା'ର ମନରେ ରହି ଯାଇଥିଲା ।


ସହରରେ ଗୋଟେ ନାମୀ ଫିଲ୍ମ ହଲ୍ ଥିଲା । ବହୁ ସମୟରେ ସେ ବର୍ଷାକୁ ସାଙ୍ଗରେ ନେଇ ସେଠାକୁ ଯାଉଥିଲା । ଇଏ ଯେମିତି ଥିଲା ତା'ର ଜୀବନକୁ ଉପଭୋଗ କରିବାର ଏକ ମାଧ୍ୟମ । କେତେବେଳେ କେଉଁ ଫିଲ୍ମ ଲାଗିବ ତାହା ବୁଝିବାକୁ ପଡୁଥିଲା । ଟିକେଟ ଦୁଇଟି ବି ସଂରକ୍ଷିତ କରିବାକୁ ପଡୁଥିଲା । ତେଣୁ ଟିକେଟ୍ ବୁକିଂ କ୍ଲର୍କ୍ ପାଖରୁ ନମ୍ବର ମାଗି ରଖିଥିଲା ସେ । ସମୟକ୍ରମେ ସେହି ନମ୍ବରଟି ତା'ର ମନରେ ରହି ଯାଇଥିଲା ।


ବର୍ଷାର ସୁଗାର୍ ବଢିଲା । ତାକୁ ଗୋଟିଏ ଡାକ୍ତର ପାଖକୁ ନେବାପାଇଁ ହେଲା । ଥରଟିଏ ନୁହେଁ, ମଳୟ ବାରମ୍ବାର ତାକୁ ସାଙ୍ଗରେ ନେଇ ଗଲା । ଡାକ୍ତର କେତେବେଳେ ରହୁଥିଲେ ତ କେତେବେଳେ ନାହିଁ । ତେଣୁ ତାଙ୍କ ନମ୍ବରଟି ଆଣିବାକୁ ପଡିଲା । ଆବଶ୍ୟକତା ବଢିଲା । ବାରମ୍ବାର ଫୋନ୍ କରିବାକୁ ହେଲା । ଧୀରେ ଧୀରେ ସେହି ନମ୍ବରଟି ତା'ର ମନରେ ରହିଗଲା ।

ବର୍ଷାର ଦେହ ବହୁତ ବିଗିଡିଗଲା । ତା'ର ଗୋଟିଏ କିଡନୀ ଖରାପ ହୋଇଗଲା । ଡାକ୍ତର କହିଲେ ବର୍ଷା ଆଉ ବଞ୍ଚିବ ନାହିଁ । ସେୟା ହେଲା ବି । ଦିନେ ବର୍ଷା ତାକୁ ଏକୁଟିଆ କରି ଚାଲିଗଲା ।


ବର୍ଷାର ଶବ ଦାହ କରିବାକୁ ହେବ । ଏବେ ସାଙ୍ଗର ଫୋନ୍ ନମ୍ବର ଆବଶ୍ୟକ ପଡିଲା ।


ଯେଉଁଠି ଶବ ଦାହ ହେବ ସାଙ୍ଗର କାଠ ଦୋକାନଟି ଥିଲା ସେଇଠି । କେବେ କେମିତି ସାଙ୍ଗ ସହିତ କଥା ହେଉଥିଲା ସେ । ଏବେ କିନ୍ତୁ ସାଙ୍ଗକୁ ବାରମ୍ବାର ଫୋନ୍ କରିବାକୁ ହେଲା । ବର୍ଷାର ଶବ ଦାହ ପାଇଁ ତା'ର ସହଯୋଗ ଏକାନ୍ତ ଆବଶ୍ୟକ ଥିଲା । ତା' ସହିତ ବାରମ୍ବାର ସଂଯୋଗ ହେବା କାରଣରୁ ତା'ର ଫୋନ୍ ନମ୍ବର ବି ମନରେ ରହିଗଲା ।

ଏବେ ବି ଏଇ ସମସ୍ତ ନମ୍ବର ତା' ମନରେ ଅଛି । ହେଲେ ବର୍ଷାକୁ ଛାଡିଦେଲେ ଆଉ କାହାକୁ ସଂପର୍କ କରିବା କଥା ସେ ଚିନ୍ତା କରି ପାରୁନି । ତା'ର ଯେତେବେଳେ ଇଚ୍ଛା ହେଉଛି ସେ ସେହି ନମ୍ବରରେ ବର୍ଷାକୁ ସଂପର୍କ କରୁଛି । ବର୍ଷା ପାଖରେ ସେ ପହଞ୍ଚି ପାରୁନାହିଁ ସତ,କିନ୍ତୁ ହାରି ଯାଉନାହିଁ ।


ବର୍ଷାକୁ ପ୍ରାଣ ଭରି ଭଲ ପାଉଥିଲା ସେ । ବର୍ଷା ଥିଲା ତା'ର ପ୍ରେରଣା । ତେଣୁ ହାରିଯିବ କାହିଁକି ! ବର୍ଷା ଏବେ ଅପହଞ୍ଚ ଦୂରତାରେ । ଫୋନ୍ ତ ଆଉ ଅଧିକ କିଛି କହୁନାହିଁ !




Rate this content
Log in

Similar oriya story from Tragedy