ଅନୁଚିନ୍ତା ୨
ଅନୁଚିନ୍ତା ୨
"Upbringing"
ଏହି ଲେଖାଟିର ଶୀର୍ଷକ ଇଂଗ୍ରାଜୀରେ ବୋଲି ହୁଏତ ପାଠକ ଙ୍କୁ ଟିକେ କଷ୍ଟ ହେଇପାରେ | କିନ୍ତୁ ଲେଖକଙ୍କ ଅନୁସାରେ ବିଷୟବସ୍ତୁ ଟିକୁ ଅନୁଧ୍ୟାନ କରିବା ପରେ ଶୀର୍ଷକଟି ଇଂଗ୍ରାଜୀ ରେ ହେବା ଉଚିତ ବୋଲି ମନେହେଲା | ସେଥିପାଇଁ ଲେଖକଙ୍କ ତରଫରୁ ପାଠକ ମାନଙ୍କୁ କ୍ଷମା ପ୍ରାଥନା | "Upbringing" ଶବ୍ଦଟିର ଅର୍ଥ ହେଉଛି "the treatment and instruction received by a child from its parents throughout its childhood" | ଏହି ବାଖ୍ୟା ସହିତ ଏହା କହିବା ଠିକ ହେବଯେ ପିତାମାତା ଙ୍କ ଠାରୁ ପିଲାଟିଦିନରୁ ପିଲା କୁ ମିଳୁଥିବା ଉପଚାର ଏବଂ ଅନୁଦେଶ କୁ upbringing କୁହାଯାଏ, ଅର୍ଥାତ ପିଲାମାନଙ୍କର ଲାଳନ ପାଳନ କୁ upbringing କୁହାଯାଏ ଏବଂ ଏଥି ପ୍ରତି ପିତାମାତା ଙ୍କ ଗୁରୁତ୍ତ୍ୱ ଅଧିକ ବେଶି ବୋଲି ଏଡେଇ ଦିଆଯାଇନପାରେ |
ଏହିସବୁ କଥା ଅତିବ ସାଧାରଣ | ହେଲେ ଅଭିନାଶ ଙ୍କର କାହାଣୀ ଟିକେ ନିଆରା | ଅତ୍ୟନ୍ତ ଗରିବ ନହେଲେ ବି ସାଧାରଣ ମଧ୍ୟବିତ ପରିବାରରୁ କହିବା ବି ତାଙ୍କ ପକ୍ଷରେ ଉଚିତ ହବନି | ଅନେକ ଘାତ ପ୍ରତିଘାତ ସହିତ ସେ ବଡ ହୋଇଥିଲେ ବି ତାଙ୍କର ବାପା ମା ତାଙ୍କର ଲାଳନ ପାଳନରେ କେବେବି ଉଣା କରି ନାହାନ୍ତି | ସଠିକ ଲାଳନ ପାଳନ ପାଇଁ ଅର୍ଥ ଯେ ସର୍ବସ୍ବ ଏମିତି ଏକ ମାନସିକତା ବର୍ତ୍ତମାନ ସମାଜ ରେ ଉଣା ଅଧିକେ ସମସ୍ତଙ୍କ ମନରେ ଘର କରିସାରିଛି | କିନ୍ତୁ ଏହିସବୁକୁ ମିଥ୍ୟା ପ୍ରମାଣିତ କରିଛନ୍ତି ଅଭିନାଶଙ୍କର ପିତାମାତା | ସେ କରିଦେଖାଇଛନ୍ତି ଯେ ଉପଯୁକ୍ତ ଦାୟିତ୍ୱ ବଦ୍ଧତା ଏବଂ ସୁସ୍ଥ ମାନସିକତା ପିଲା ମାନଙ୍କ ଲାଳନ ପାଳନ ପାଇଁ ଅତ୍ୟନ୍ତ ଜରୁରୀ | ଅଭିନାଶଙ୍କ ଙ୍କର ପିତା ଉଣା ଅଧିକେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ହେଲେ ମା ଜମାରୁ ବିଦ୍ୟାଳୟ ଘର ମାଡି ନାହାନ୍ତି | ବାପା ମାଙ୍କର ଗୋଟିଏ ଝିଅ ଏବଂ ସମସ୍ତ ଭାଇ ମାନଙ୍କ ଠାରୁ ଛୋଟ ହୋଇଥିବାରୁ ବିଦ୍ୟାଳୟର ପ୍ରଥମ ଦିନରେ ଶିକ୍ଷକଙ୍କ ଠାରୁ ମାଡ଼ ଖାଇବାପରେ ଅଭିନାଶଙ୍କ ଅଜା ତାପରେ ତାଙ୍କୁ କେବେ ବିଦ୍ୟାଳୟକୁ ପଠେଇନାହାନ୍ତି, ଶିକ୍ଷକଙ୍କ ସହ ଝଗଡା କରି | ଏହା ହୁଏତ ତାଙ୍କ ଅତି ଭଲ ପାଇବାର ପ୍ରତିଫଳନ ବୋଲି ଅଭିନାଶଙ୍କର ମା ଅନେକଥର, ଅଭିନାଶଙ୍କୁ କହିଛନ୍ତି |
ବର୍ତ୍ତମାନ ଅଭିନାଶ ବିଦେଶରେ ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ | ଗଣିତ ଶାସ୍ତ୍ର ରେ ଡାକ୍ତରୀ କରି ସାରିବା ପରେ ସେ ଏକ ଉତ୍ତମ ଭବିଷ୍ୟତ ପାଇଁ ସେଠାକୁ ଚାଲିଯାଇଛନ୍ତି | ଏହିସବୁ ଭିତରେ ଗୋଟିଏ ସନ୍ତାନର ବାପା ସାଜିଥିବା ଅଭିନାଶ ନିଜ ପୁଅର ଭବିଷ୍ୟତକୁ ନେଇ ତଥା ତାର ଉତ୍ତମ ଲାଳନ ପାଳନ ପାଇଁ ବ୍ୟତିବ୍ୟସ୍ତ ହେଉଥିଲା ବେଳେ, ପିଲା ଦିନେ ବିତିଥିବା ସେହି ସମୟ ଗୁଡିକୁ ଯେବେ ଯେବେ ମନେ ପକେଇଛନ୍ତି ତାଙ୍କର ମଥା ଆପେ ଆପେ ତାଙ୍କ ମାଙ୍କ ପାଦତଳକୁ ଝୁଙ୍କି ଯାଏ |
ପ୍ରାଥମିକ ବିଦ୍ୟାଳୟ ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଢିଲା ବେଳକୁ ଅଭିନାଶ ଜାଣି ପାରନ୍ତି ତାଙ୍କର ମା ପଢିନାହାନ୍ତି ବୋଲି | କିନ୍ତୁ ପ୍ରାଥମିକ ଶିକ୍ଷା ସମୟରେ ନିଜ ଶ୍ରେଣୀରେ ପ୍ରତେକ ଥର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କେବଳ ତାଙ୍କରି ମା ଙ୍କ ପାଇଁ | ପାଠ ନପଢିଥିଲେ ମଧ୍ୟ ତାଙ୍କର ଉପସ୍ଥିତ ବୁଦ୍ଧି ପାଇଁ ସେ ଅଭିନାଶ ଙ୍କର ସର୍ବଦା ଉପଯୁକ୍ତ ମାର୍ଗଦର୍ଶନ କରିପାରିଛନ୍ତି | ବିଦ୍ୟାଳୟ ଏବଂ ଘରୋଇ ଶିକ୍ଷଙ୍କ ଠାରୁ ପଢାସରି ଘରକୁ ଫେରିବା ପରେ ନୀତିଦିନ ସେ ଅଭିନାଶଙ୍କର ଖାତା ସବୁ ତନ୍ନଖୀ କରି ଦେଖନ୍ତି ଏବଂ କଣ ସବୁ ପଢା ହେଲା ବୋଲି ଗୋଟି ଗୋଟି କରି ପଚାରନ୍ତି | କେବେଳ ଭୁଲ ଏବଂ ଠିକ ପ୍ରତୀକ ର ବ୍ୟବଧାନ ଜାଣି ଥିବା ମା, ଭୁଲ ହୋଇଥିବା ସ୍ଥାନ ଗୁଡିକୁ ଅଙ୍ଗୁଳି ନିର୍ଦ୍ଧେଶ କରି ଏପରି କାହିଁକି ହୋଇଛି କିମ୍ବା ହେଲା ବୋଲି ପଚାରନ୍ତି | ଅବଶ୍ୟ ଏହି ସମୟରେ ତାଙ୍କର ସ୍ଵରରେ ସାମାନ୍ୟ ଭାରି ପରିବର୍ତ୍ତନ ଥାଏ | ଏହି ସବୁ କଥା ଶୁଣି ମା କାଳେ ପୁଣି ଆଗାମୀ ସମୟରେ ରାଗିବେ ବୋଲି ପାଠ ପଢାରେ ଅଧିକରୁ ଅଧିକ ଧ୍ୟାନ ଦେଇ ଥିବାର ଅଭିନାଶଙ୍କର ଏବେ ବି ମନେ ଅଛି |
ଏମିତି ଲାଗୁଥିବା ଛୋଟ ଛୋଟ କଥାର ବଡ ବଡ ପ୍ରତିଫଳନ ଅଭିନାଶଙ୍କ ଜୀବନରେ ନିଶ୍ଚିତ ଭାବରେ ହୋଇଥିବାର ସେ ସର୍ବଦା ଅନୁଭବ କରନ୍ତି | ୧୫ ବର୍ଷ ବିତିଯାଇଥିଲେ ବି ଏବେବି ଅଭିନାଶ ଙ୍କର ପାରିଷ୍କାର ଭାବେ ମନେପଡେ ଯେ , ଦଶମ ଶ୍ରେଣୀ ରେ ପଢିଲା ସମୟରେ ରାତିରୁ ଉଠି ପଢ଼ିବାର ଅଭ୍ୟାସ ମାଙ୍କ ପାଇଁ କେବଳ ସାକାର ରୂପ ନେଇ ପାରିଥିଲା | ରାତି ୪ ଟାରେ ଦିଆଯାଇଥିବା ସଂକେତ ଘଣ୍ଟା ର ଶବ୍ଦ କାନକୁ ଆସିବା ପୂର୍ବରୁ ମା ସଠିକ ସମୟରେ ସର୍ବଦା ଅଭିନାଶ ଙ୍କୁ ଉଠେଇଦିଅନ୍ତି | ଜଣେ ମା ପିଲା ର ଭବିଷ୍ୟତ ପାଇଁ କେମିତି ଏତେ ଯତ୍ନବାନ ହୋଇପାରେ ଏବଂ ବଳିଦାନ ଦେଇପାରେ ବୋଲି ଅଭିନାଶ ଙ୍କ ମନରେ ବହୁତ ଥର ପ୍ରଶ୍ନ ଉଠେ | ଅଭିନାଶ ଙ୍କୁ ଏବେ ବହୁତ ଆନନ୍ଦ ଅନୁଭବ ହୁଏ ଯେ ତାଙ୍କ ମା ସବୁ ପ୍ରକାର ପୁସ୍ତକ ନିଜେ ପଢି ପାରନ୍ତି, ଏହାର କାରଣ ଜାଣିଲେ ଆପଣ ବି ନିଜେ ଆନନ୍ଦିତ ହେବେ | ଷଷ୍ଟ ଶ୍ରେଣୀରେ ପଢିଲା ସମୟରୁ ମାଙ୍କର ଆଗ୍ରହ ଦେଖି ଅଭିନାଶ ମାଙ୍କୁ ଗୋଟି ଗୋଟି କରି ସବୁ ଓଡ଼ିଆ ବର୍ଣ୍ଣମାଳା ଏବଂ ଶବ୍ଦ ପଢିବା ଶିଖେଇଛନ୍ତି |ମା ମଧ୍ୟ ନିଜର ଦୃଢ ଇଚ୍ଛାଶକ୍ତି ଏବଂ କଠୋର ପରିଶ୍ରମ ବଳରେ ଏହାକୁ ସାକାର କରି ଦେଖାଇଛନ୍ତି |
ନିଜର ସଫଳତା ଅଭିନାଶ ସଦାବେଳେ ନିଜର ବାପା ମାଙ୍କ ଦ୍ୱାରା ସଠିକ ଲାଳନ ପାଳନର ପ୍ରତିଫଳନ ବୋଲି ଅନୁଭବ କରନ୍ତି | ଏହାରି ଭିତରେ ନିଜ ପିଲାର ଲାଳନ ପାଳନ ତଥା upbringing ଅଭିନାଶ ଙ୍କ ପାଇଁ ଏକ ବଡ ଆହ୍ୱାନ ବୋଲି ସେ ମନେକରନ୍ତି |