ଅଗଷ୍ଟ ୩
ଅଗଷ୍ଟ ୩
କର୍ତ୍ତବ୍ୟ ତାଡ଼ନାରେ ଗାଁ ଠାରୁ ଦୂରରେ ରହୁଥିଲି । ଗାଁକୁ ଯିବା ପାଇଁ ଇଚ୍ଛା ହେଉଥାଏ କିନ୍ତୁ ଜରୁରୀ କାମ ଯୋଗୁଁ ଯାଇପାରେନାହିଁ। ମାଆର ଦେହ ଭୀଷଣ ଖରାପ ବୋଲି ଆମ ଗାଁର ହରିଆ ଭାଇ ଟେଲିଗ୍ରାମ କରିଲା। ମୋ ମନ ବିଚଳିତ ହୋଇପଡୁଥାଏ। ଗାଁକୁ ଯିବାକୁ ବାଧ୍ୟ ହେଲି।ଡ଼୍ରାଇଭରକୁ ଗାଡ଼ି ବାହାର କରିବା ପାଇଁ କହିଲି ଏବଂ ବାହାରିପଡ଼ିଲି ଗାଁ ଅଭିମୁଖେ। ବ୍ରହ୍ମପୁର ଠୁ ଆମ ଗାଁ ଦିଗପହଣ୍ଡି ୩୫କି.ମି.।
ବାପା ତ କେବେ ଠୁ ଚାଲିଗଲେଣି। ମାଆ ଘରେ ଏକୁଟିଆ। ଗାଡ଼ି ରେ ବସି ମାଆ କଥା ଭାବୁଥାଏ। ହଠାତ୍ ଗାଡ଼ି ଅଟକିଗଲା। ମୁଁ ଡ୍ରାଇଭରକୁ ପଚାରିଲି- କିରେ! କଣ ହେଲା ଅଟକିଗଲୁ?
ପ୍ରତ୍ୟୁତ୍ତରରେ ଡ଼୍ରାଇଭର କହିଲା- ବାବୁ ଇଞ୍ଜିନ ଅସୁବିଧା।
ମୁଁ କହିଲି- ହଉ ହଉ ଦେଖ ଏଠାରେ କେଉଁଠି ଗ୍ୟାରେଜ ଥିବ।
ତାପରେ ଡ୍ରାଇଭର ଜଣେ ମେକାନିକକୁ ନେଇ ଆସିଲା ଏବଂ ସେ ଗାଡ଼ି ଠିକ୍ କଲାପରେ ତାକୁ ପଇସା ଦେଇ ବାହାରିପଡିଲି।
ଏମିତିରେ ଗାଁ ମୁଣ୍ଡ ପାଖେ ପହଞ୍ଚି ଗଲି। ସେତେବେଳେ ସୂର୍ଯ୍ୟ ପାହାଡ଼ ପଛ ପଟେ ଲୁଚିବାକୁ ଯାଉଥାନ୍ତି। ମୁଁ ଯେ ଚାତକ ପକ୍ଷୀ ପରି ଚାହିଁ ରହିଥାଏ ଗାଁର ଚାରିପାଖକୁ। ଆଉ ଦେଖୁ ଥାଏ ସେହି ଦେବୀ ମାଆ ଙ୍କ ମନ୍ଦିର, ସେହି ପାହାଡ଼, ସେହି ଝଙ୍କାଳିଆ ବୁଢ଼ା ବରଗଛ ଏଵଂ ସେହି ଖେଳ ପଡିଆ ଓ ନଈ ସବୁ ପୂର୍ବ ଭଳି ଅଛନ୍ତି। ମୋତେ ଯେମିତି ସେମାନେ ସ୍ଵାଗତ କରୁଥିଲେ। କିନ୍ତୁ ବଦଳି ଯାଇଛି ଗାଁ ଲୋକ ମାନଙ୍କ ସ୍ନେହ ଓ ଆଦର।
ଯେଉଁ ପିଲା କୁ ଦିନେ ମାଆ ପଣତ କାନି ଛାଡ଼ୁ ନଥିବାର ଦେଖୁଥିଲି ସେ ଆଜି ସ୍ତ୍ରୀ ବୋଲୋକରା ହୋଇ ମାଆ କୁ ପର କରିଦେଇଛି। ଯେଉଁ ଭାଇ ଦୁଇଜଣ ଜଗାବଳିଆ ପରି ରହୁଥିଲେ, ସେମାନେ ଆଜି ଭିନ୍ନ ହୋଇଯାଇଛନ୍ତି। ଦୂର ଆକାଶ କୁ ପକ୍ଷୀ ଟିଏ ଉଡ଼ିଗଲା ପରି ସାଙ୍ଗ ସାଥୀ ମଧ୍ୟ ବିଚ୍ଛେଦ ହୋଇଯାଇଛନ୍ତି।ଯେମିତି ଲାଗୁଥାଏ ମୋ ଜନ୍ମଭୂମି ଆଜି ଶ୍ରୀହୀନ ହୋଇଯାଇଛି। ଭାବୁ ଥାଏ ଏବଂ ଅତୀତର କଥାକୁ ମନପକାଇ ଭାଳି ହେଉଥାଏ।
କେଦାର, ରାଜେନ୍ଦ୍ର, ମହେନ୍ଦ୍ର, ଦେବେନ୍ଦ୍ର, ଓମ୍ ଏଵଂ ମୁଁ ଆମେ ୬ ଜଣ ସାଙ୍ଗ ଥିଲୁ। ସେହି ଗାଁର ମାଟି, ପାଣି, ପବନରେ ଆମେ ବଢ଼ିଛୁ। କିଏ କାହାର ବିଚ୍ଛେଦ ସହିପାରୁନଥାଉ। ଆମେ ସେହି ଗାଁର ଚାଟଶାଳୀ ରେ ସମସ୍ତେ ବାଲ୍ୟ ଶିକ୍ଷା ଆରମ୍ଭ କଲୁ। ପଢାସରିଲେ ଗାଁ ଦଦାଣ୍ଡରେ ଖେଳୁଥାଉ ଲୁଚକାଳି। ଧୂଳି ଧୂସର ହୋଇ ଘରକୁ ଫେରୁ। ମାଆ ସେହି ଧୂଳି ଗୁଡ଼ିକୁ ପୋଛି ଦେଇ ଆଦରରେ କୋଳ କରିଦେଉଥିଲା। ସଞ୍ଜ ହେଲେ ମାଆ ଚଉଁରା ମୂଳେ ପୂଜା କରୁଥାଏ ଏବଂ ଜେଜେ ଓ ଜେଜେ ମାଆ ଦୁହେ ଭାଗବତ ଟୁଙ୍ଗୀରେ ବସି ଭାଗବତ ପଢ଼ୁଥାନ୍ତି ଏବଂ ତାଙ୍କ ଚାରିପାଖେ ଗାଁ ଲୋକ ବସି ଶୁଣୁ ଥାଆନ୍ତି। ବେଶ୍ ମନୋରମ ସେହି ଦୃଶ୍ୟ। ବାପା ସରକାରୀ କର୍ମଚାରୀ ହେତୁ ରାତି ୦୯ ଟାରେ ଘରକୁ ଫେରନ୍ତି।
ଏମିତିରେ ଆମ ଗାଁ ବିଦ୍ୟାଳୟରେ ନାମ ଲେଖାଇଲୁ। ସେଠାରେ ଗୁରୁଜୀ ଗୁରୁମାଙ୍କ ପାଠପଢ଼ାର ଆଦର ରେ ଉତ୍ତୀର୍ଣ୍ଣ ହେଲୁ ଅଷ୍ଟମ ଶ୍ରେଣୀ କୁ। ସେତେବେଳେ ଆମ ମାନଙ୍କୁ ଆରମ୍ଭ ହେଲା କଡ଼ା ତାଗିଦ୍। ଆମ ମାନଙ୍କ ପାଠପଢ଼ା ପ୍ରତି କିଛି ଦୁର୍ବଳତା ନଥିଲା କିନ୍ତୁ ମୋର ଅଙ୍କ ପ୍ରତି ଦୁର୍ବଳତା ଥିଲା। ସେଥିପାଇଁ ଘରେ ଗାଳିଗୁଲଜ ଏଵଂ ବିଦ୍ୟାଳୟରେ ଗୁରୁଜୀ ଗୁରୁମାଙ୍କ ହାତରେ ମାଡ଼ରୁ କେବେ ବଞ୍ଚିତ ହୋଇନି।
ଦିନେ ଆମେ ୬ ଜଣ ସାଙ୍ଗ ଇତିହାସ ଘର କାମ କରିନଥିବାରୁ ବିଦ୍ୟାଳୟ ପଛ ପଟ ଏକ ନାଳ ଦେଇ ଚଂପଟ ମାରିଥିଲୁ। କିନ୍ତୁ ତାର ପରିଣାମ ଭୟଙ୍କର ମାଡ଼ ହୋଇ ଥିଲା।
ସେହି ଅଷ୍ଟମ ଶ୍ରେଣୀରେ ସୁଲଗ୍ନା ବୋଲି ଝିଅଟି ଥିଲା। ଖୁବ୍ ସୁନ୍ଦର। ମୋ ମନରେ ତା ପ୍ରତି ଭଲ ପାଇବା ଆସିଲା। ଏ ବିଷୟରେ ମୋ ସାଙ୍ଗ ମାନଙ୍କୁ କହିଲି। ସୁଲଗ୍ନା ସହ ମୁଁ କଥା ହେଲି, ସେ ବି ମୋ ସହ କଥା ହେଲା। ତାର ମୋର ନୀତି ଏକାଠି ବସି ପଢ଼ୁଥିଲୁ। କାହିଁକି କେଜାଣି ମୁଁ ଯେଉଁ ଦିନ ଠୁ ତାକୁ ଭଲ ପାଇଲି ମୁଁ ପାଠ ପଢ଼ାରେ ଅଧିକ ଧ୍ୟାନ ଦେବାକୁ ଲାଗିଲି।
ମଜା ମସ୍ତି ପ୍ରେମରେ ଆସିଗଲା ଦଶମ ଶ୍ରେଣୀର ବେଳ। ପୂର୍ବପରି ସୁଲଗ୍ନା ଆଉ ମୁଁ ଏକାଠି ବସି ପୁଣି ପାଠ ପଢିଲୁ। ବିଦ୍ୟାଳୟକୁ ମଧ୍ୟ ମିଶିକି ଯିବା ଆସିବା କରୁଥିଲୁ। ମୁଁ ଭାବୁଥାଏ ତାକୁ ଭଲ ପାଇବାର ପ୍ରସ୍ତାବ ଦେବି ବୋଲି କିନ୍ତୁ ସାହାସ ପାଉନଥାଏ। ତାର ମୋ ପ୍ରତି ଏତେ ସ୍ନେହ ଭାବ ଦେଖି ଭାବୁ ଥାଏ ସେ ମୋତେ ଭଲପାଏ ବୋଲି।
ଆଗକୁ ପରୀକ୍ଷା ଆସୁଥାଏ। ସେଥିପାଇଁ ଆମେ ପ୍ରସ୍ତୁତ ହେଲୁ। ବେଳେ ବେଳେ ମୁଁ ତା ସହ ଅଧିକ ସମୟ ବିତାଇବା ପାଇଁ ତାକୁ କିଛି ବିଷୟ ର ପ୍ରଶ୍ନ ପଚାରି ଅଟକେଇ ଦିଏ।
ଆମେ ସବୁ ସାଙ୍ଗ ଦିନେ ମଧ୍ୟାହ୍ନରେ ଗାଁ ମୁଣ୍ଡରେ ଥିବା ବରଗଛ ପାଖରେ ଠିଆ ହୋଇ କଥାହେଉଥାଉ। ସେତିକି ବେଳେ ସୁଲଗ୍ନା ସାହିତ୍ୟ ବହି ଧରି ମୋ ପାଖକୁ ଆସିଲା ଓ କହିଲା- (ମୋ ହାତ କୁ ଧରି)ସାହିତ୍ୟ ର କିଛି ପ୍ରଶ୍ନ ଉତ୍ତର ବୁଝା ପଡୁନି ମୋତେ ଟିକେ ବୁଝେଇ ଦେବୁ।
ମୁଁ- (ହସି ହସି) ହଁ ନିଶ୍ଚୟ! ନିଶ୍ଚୟ!
ସାଙ୍ଗମାନେ- ଟିକେ ରହ ପରେ ବୁଝାଇଲେ ହେବନି।
ହଉ ହଉ ଟିକେ ରୁହ ବୋଲି କହି ସୁଲଗ୍ନା ସହ ଚାଲି ଗଲି।
ତା ପରଦିନ ମାନେ ଅଗଷ୍ଟ ୦୩ରେ ରକ୍ଷାବନ୍ଧନ। ଆମ ବିଦ୍ୟାଳୟରେ ବି ରକ୍ଷାବନ୍ଧନ ପାଳନ ହେଲା କିନ୍ତୁ ସେ ଦିନ ମୋତେ ଯିବା ପାଇଁ ଇଚ୍ଛା ନଥିଲା। କେବଳ ସାଙ୍ଗ ମାନଙ୍କ କଥା ରଖିବାକୁ ଯାଇ ଯିବାକୁ ପଡ଼ିଲା। ମୁଁ ସେଠାରେ ସୁଲଗ୍ନାକୁ ଖୋଜୁ ଥାଏ। ସେଥିକି ବେଳେ ଥାଳିରେ କେତୋଟି ରାକ୍ଷୀ ଧରି ଆମ ଆଡ଼କୁ ମାଡ଼ି ଆସୁଥାଏ। ମୁଁ ଟିକେ ପଛ ଘୁଞ୍ଚା ହୋଇ ରହିଲି। ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧିଲା ପରେ ମୋ ସମ୍ମୁଖ ରେ ଆସି ଠିଆ ହେଲା। ମୋ ହାତରେ ରାକ୍ଷୀ ବାନ୍ଧି ଦେଲା। ମୁଁ ଅବାକ୍ ହୋଇ ଠିଆ ହୋଇଥାଏ। ତାକୁ ଜୀବନ ସାଥୀ ରୂପ ରେ ପାଇବାର ଆଶା ସବୁ ନଷ୍ଟ ହୋଇଗଲା। ମନ ର ଯନ୍ତ୍ରଣା କୁ ମନ ରେ ଚାପି ରଖିଲି। ନିଜକୁ ଧିକ୍କାର ମନେ କଲି। ଏହିପରି ଭୁଲ୍ କରିଥିବାରୁ। ସେହି ଅଗଷ୍ଟ ୦୩ ମୋତେ ଆଜି ମଧ୍ୟ ମନେ ପଡିଲେ ଦଦୁଃର ଜୁଆର ମାଡ଼ି ଆସେ ।ଆଖିରୁ ବୋହି ଗଲା ଦି ଟୋପା ଲୁହ।
ଫେରି ଆସିଲି ବର୍ତ୍ତମାନର ଦୁନିଆକୁ। ଘରକୁ ଗଲି ଏଵଂ ମାଆର ପାଦ ଛୁଇଁ ପ୍ରଣାମ କଲି। ମାଆ ମୋତେ ଦେଖି ଖୁସି ହୋଇଯାଇ ମୋ ମୁଣ୍ଡ କୁ ଆଉଁସି ଦେଲା ।
