STORYMIRROR

N.sibashankar Reddy

Others

3  

N.sibashankar Reddy

Others

ଜନ୍ମଭୂମି

ଜନ୍ମଭୂମି

3 mins
206


କର୍ତ୍ତବ୍ୟ ତାଡ଼ନାରେ ସେ ଗାଁ ଠାରୁ ଦୂରରେ ରହୁଥାଏ । ଗାଁକୁ ଯିବା ପାଇଁ ତା'ର ଭାରି ଇଚ୍ଛା କିନ୍ତୁ ସେ ଜରୁରୀ କାମ ଯୋଗୁଁ ଯାଇପାରୁନଥାଏ। ହରିଆ ଭାଇ ଖବର ପଠେଇଛି, ମାଆର ଦେହ ଭୀଷଣ ଖରାପ। ତା'ର ମନ ବିଚଳିତ ହୋଇପଡୁଥାଏ। ଗାଁକୁ ଯିବାକୁ ବାଧ୍ୟ ହେଲା।ଡ଼୍ରାଇଭରକୁ ଗାଡ଼ି ବାହାର କରିବା ପାଇଁ କହି, ବାହାରିପଡ଼ିଲା ଗାଁ ଅଭିମୁଖେ।

 ବାପା ତ କେବେ ଠୁ ଚାଲିଗଲେଣି। ମାଆ ଘରେ ଏକୁଟିଆ। ତା'ର ମନ ମାଆ ପାଖରେ। କଣ କରୁଥିବ, ଖାଇଥିବ କି ନାହିଁ, କେମିତି ଥିବ, ଭାରି ଚିନ୍ତା କରେ। ତିନି ଘଣ୍ଟାର ଯାତ୍ରା। ପାହାଡ, ଜଙ୍ଗଲ, ଆଉ ନେଳିଆ ଘାଟି ପାରି ହେଲେ ଆସେ ତା'ର ଜନ୍ମଭୂମି କେଶପୁର। ଗାଁ ମୁଣ୍ଡ ପାଖେ ପହଞ୍ଚି ଗଲା। ସେତେବେଳେ ସୂର୍ଯ୍ୟ ପାହାଡ଼ ପଛ ପଟେ ଲୁଚିବାକୁ ଯାଉଥାନ୍ତି। ସେ ଯେ ଚାତକ ପକ୍ଷୀ ପରି ଚାହିଁ ରହିଥାଏ ଗାଁର ଚାରିପାଖକୁ। ଶୈଶବ ଆଖିରେ ସେ ଦେଖୁଥାଏ ସେହି ଦେବୀ ମାଆ ଙ୍କ ମନ୍ଦିର, ସେହି ପାହାଡ଼, ସେହି ଝଙ୍କାଳିଆ ବୁଢ଼ା ବରଗଛ ଏଵଂ ସେହି ଖେଳ ପଡିଆ ଓ ନଈ ସବୁ ପୂର୍ବ ଭଳି ଅଛନ୍ତି। ସତେ ଯେମିତି ସେମାନେ ତାକୁ ସ୍ଵାଗତ କରୁଥିଲେ। ସେ ନିଜର ଜନ୍ମଭୂମିକୁ ଆଜି ଅନୁଭବ କରୁଛି। ସେହି ମୋର କେଶପୁର, ସେହି ମୋର ଜନ୍ମଭୂମି,ନୈସର୍ଗିକ ପ୍ରାକୃତିକ ଶୋଭା, ସୁନୀଳ କନ୍ଦର, କୀର୍ତ୍ତି ମାଳିନୀ, ସୁରମ୍ୟ ମନ୍ଦିର, ଉତ୍କୃଷ୍ଟ କଳା ବିମଣ୍ଡିତା, ସ୍ଵର୍ଣ୍ଣପୟସା, ଚାରୁ ହାସ୍ୟମୟୀ, ଚାରୁ ଭାଷ୍ୟମୟୀ, ସୁଜଳା, ସୁଫଳା, ଶ୍ୟାମଳା ଅଥଚ ଆଜି ମୋ ଜନ୍ମଭୂମି ଶ୍ରୀହୀନ ହୋଇଗଲା ଭଳି ଲାଗୁଛି। ସମ୍ପର୍କର ଡୋରି ଛିଣ୍ଡି ଯାଇଛି। ସ୍ନେହ, ପ୍ରେମ, ଆଦର ଆଜି ମୃତ୍ତିକାରେ ଅବଲୁପ୍ତ।ଯେଉଁ ପିଲା କୁ ଦିନେ ମାଆ ପଣତ କାନି ଛାଡ଼ୁ ନଥିବାର ଦେଖୁଥିଲି ସେ ଆଜି ସ୍ତ୍ରୀ ବୋଲୋକରା ହୋଇ ମାଆ କୁ ପର କରିଦେଇଛି। ଯେଉଁ ଭାଇ ଦୁଇଜଣ ଜଗାବଳିଆ ପରି ରହୁଥିଲେ, ସେମାନେ ଆଜି ଭିନ୍ନ ହୋଇଯାଇଛନ୍ତି। ଦୂର ଆକାଶ କୁ ପକ୍ଷୀ ଟିଏ ଉଡ଼ିଗଲା ପରି ସାଙ୍ଗ ସାଥୀ ମଧ୍ୟ ବିଚ୍ଛେଦ ହୋଇଯାଇଛନ୍ତି। ସବୁକିଛି ବଦଳି ଯାଇଛି କିନ୍ତୁ ମୋ ଜନ୍ମଭୂମିର ପ୍ରକୃତି ମୋ ସହ ଜଡ଼ିତ ହୋଇ ଅଛି। କେଶପୁର ମାଟିକୁ ସ୍ପର୍ଶ କଲା, ରୋମନ୍ଥନ ହୁଏ ଅତୀତର ସ୍ମୃତି।

ମୁଁ ରାଜୀବ! ଏଇ ଗାଁର ମାଟି, ପାଣି, ପବନରେ ମୁଁ ବଢ଼ିଛି।ଗାଁ ଚାଟଶାଳୀରେ ପଢାସରିଲେ ପରେ ଗାଁ ଦାଣ୍ଡରେ ସାଙ୍ଗ ମାନଙ୍କ ସହ ଆରମ୍ଭ ହୋଇଯାଏ ଲୁଚକାଳି ଖେଳ। ଗୋଧୂଳିକାଳରେ ଘରେ ଯାଇକି ହାଜର ହେବାକୁ ପଡ଼େ। ଧୂଳି ଧୂସର ହୋଇ ଘରକୁ ଫେରୁ। ମାଆ ତା'ର ପଣତ କାନିରେ ଧୂଳି ଧୂସର ଗୁଡ଼ିକୁ ପୋଛି ଦେଇ ଆଦରରେ କୋଳ କରିନିଏ। ସଞ୍ଜ ହେଲେ ମାଆ ଚଉଁରା ମୂଳେ ପୂଜା କରୁଥାଏ ଏବଂ ଜେଜେ ଭାଗବତ ଟୁଙ୍ଗୀରେ ବସି ଭାଗବତ ପଢ଼ୁଥାନ୍ତି, ତାଙ୍କ ଚାରିପାଖେ ଗାଁ ଲୋକ ବସି ଶୁଣୁ ଥାଆନ୍ତି। ବେଶ୍ ମନୋରମ ସେହି ଦୃଶ୍ୟ। ବାପା କାମ ସାରି ରାତି ୦୯ ଟାରେ ଘରକୁ ଫେରନ୍ତି। ମାଆ ରନ୍ଧା ସାରି ଖାଇବା ପରସି ଦେଇଥାଏ, ସମସ୍ତେ ଏକାଠି ବସି ଭୋଜନ କରୁ। ବାପା ମୋ ପାଠ ପଢାକୁ ନେଇ ବେଶୀ ଚିନ୍ତିତ ଥିଲେ। ମୁଁ କେମିତି ଭଲ ପାଠ ପଢିବି, ଭଲ ରୋଜଗାର କରିବି ଏବଂ ନିଜ ଗୋଡ଼ରେ ନିଜେ ଠିଆ ହେବି, ଏହି କଥା ସେ ମନରେ ପ୍ରତିପୋଷଣ କରୁଥିଲେ। ତେଣୁ ବାପା ଆମ ଗାଁ ସ୍କୁଲରେ ମୋର ନାମ ଲେଖାଇଲେ। ଅର୍ଥର ଅଭାବ। ହେଲେ ବି ମୋ ପ୍ରତି ବାପା କେବେ କିଛି ଊଣା କରିନଥିଲେ। ବିଧାତାର ବିଚିତ୍ର ବିଧାନ। ବାପାଙ୍କୁ ହଠାତ୍ ସନ୍ନିପାତ ହୋଇଗଲା। ସେ ଗଙ୍ଗା ଲାଭ କରିଗଲେ। ସେତେବେଳେ ମୁଁ ଏଗାର ବର୍ଷର ଥିଲି।ଘରର ସୁଖ କୁଆଡେ ହଜି ଗଲା। ବୋଝ ଉପରେ ନଳିତା ବିଡା ଏବେ ମୋତେ ପରିବାରକୁ ସମ୍ଭାଳିବାକୁ ହେବ। ମୂଲ ଲାଗି କାମ କରି ପେଟ ପୋଷିବା ଆରମ୍ଭ କଲି। ମୁଁ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ, ପାଦ ଦେଲି କଲେଜ ରେ। ଆଉରି ଅର୍ଥର ଅଭାବ ଦେଖା ଦେଲା। ଖାତା, ବହି, ନୋଟ, ପେନ୍ସିଲ ଇତ୍ୟାଦି ଜିନିଷରେ ଖର୍ଚ୍ଚ ହୁଏ ଏଵଂ ଯେତିକି ବଳକାହୁଏ ଘରେ ମାଆ ଆଉ ଜେଜେଙ୍କ ପାଇଁ ଲାଗିଯାଏ। ବେଳେ ବେଳେ ମୁଁ ଉପବାସ ରହିଯାଏ। ଆଶା ମୋର ଅସୁମାରୀ କିନ୍ତୁ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା କ'ଣ ସମ୍ଭବ! ଭାଗ୍ୟ ମୋର ଫଟା କପାଳ। ତଥାପି ଛାତି ଉପରେ ପଥର ରଖିଛି। କଲେଜରେ ପଢା ସାରି ଆସିଲା ପରେ ମୁଁ ମୂଲ ଲାଗି କାମ କରେ। ଦିନେ ବିରାଡ଼ି କପାଳକୁ ଶିଖା ଛିଣ୍ଡିଲା, ମୋ ସ୍କୁଲର ଇଂରାଜୀ ସାର୍ ମଳୟ ଦାସ, ମୋ ଦୁଃଖ ଜାଣି ସେ ମୋର ବୋଝ ଉଠାଇଲେ। ସେ ମୋତେ କଟକ ପଠାଇ ଦେଇ ସେଠାରେ ପଢ଼ାଇଲେ। ସବୁ ପାଠ ପଢିଲି ଏବଂ ଡିଗ୍ରୀ ମଧ୍ୟ ହାସଲ କଲି। ଚାକିରୀ ପାଇଁ କଟକ ସହର ବୁଲିଲି କିନ୍ତୁ ଲାଞ୍ଚ ନାହିଁ ତ ଚାକିରୀ ନାହିଁ। ଏ ଡିଗ୍ରୀ ସାର୍ଟିଫିକେଟ ଗୁଡାକ ନାମକୁ ମାତ୍ର। ଆଜିର ଏହି ସ୍ୱାଧୀନ ଦେଶରେ ମଧ୍ୟ ପରାଧୀନ ହେଲାଭଳି ଲାଗୁଥାଏ କାରଣ, ଯେଉଁଠି ପଦବୀ ପାଇଁ ଯୋଗ୍ୟତା ଦେଖିବା ଆବଶ୍ୟକ, ସେଠାର ପଦବୀକୁ ଟଙ୍କାରେ ବିକ୍ରି କରାଯାଉଛି। ଶେଷକୁ ମୁଁ ନିରୁପାୟ। ସାର୍ ମଳୟ ଦାସ ତାଙ୍କ ବନ୍ଧୁ ନଳିନୀଙ୍କୁ କହି କିରାଣୀ ପଦବୀରେ ନିଯୁକ୍ତି କରାଇଲେ। ଏବେ ପରିବାର ସ୍ଥିତିରେ ସୁଧାର ଆସିବ। ସାର୍ ମଳୟ ଦାସ କ'ଣ ମୋ ପାଇଁ ଦେବଦୂତ ସାଜି ଆସିଥିଲେ।

   ରାଜୀବ ବାସ୍ତବ ଦୁନିଆକୁ ଆସିଗଲା। ଗାଡ଼ି ଲାଗିଲା ଘର ଆଗରେ। ଦାଣ୍ଡ ପିଣ୍ଡା ରେ ଶୋଇଥିବା ରୋଗିଣା ମାଆକୁ ଦେଖି ରାଜୀବ ର ଆଖିରୁ ବୋହିଗଲା ଦୁଇ ଟୋପା ଲୁହ।



Rate this content
Log in