ଅଭୁଲା ସେ ପିଲାଦିନ
ଅଭୁଲା ସେ ପିଲାଦିନ
ଜୀବନର ସବୁଠାରୁ ମୂଲ୍ୟବାନ ସମୟ ହେଉଛି ବୋଧହୁଏ ପିଲାଦିନ। ସେତେବେଳେ ସରଳ ନିଷ୍କପଟ ଥିଲା ସଭିଙ୍କ ମନ।ଜାତି ଧର୍ମ ଧନୀ ଗରିବ ପାର୍ଥକ୍ୟ ଆଡେ ଆସିନଥିଲା।ସଭିଏଁ ଏକାଠି ମିଶି ଖେଳୁଥିଲେ ବୁଲୁଥିଲେ ଯାହା ମିଳିଲେ ଖାଉଥିଲେ। କଞ୍ଚା କୟାଁ ତେନ୍ତୁଳି ହେଉ ବା କଷି ଆାମ୍ବ ହେଉ ଶିର ଅଅଁଳା ହେଉ ବା ଆଚାର ହେଉ ଜଣେ ଆଣିଲେ ସଭିଏଁ ଭାଗ କରି ଖାଉଥିଲେ। ରବିବାର ଛୁଟିଦିନ ହେଲେ କେବେ ଚାଁଟିଶାଗ ତୋଳିବାକୁ ସାଙ୍ଗ ହୋଇ ଯାଉଥିଲେ ତ କେବେ ଗିରେଲ ଫୁଲ ତୋଳି ଆଣୁଥିଲେ।କେବେ ଜାମୁ ଖାଇବାକୁ ଯାଉଥିଲେ।ଜଣେ ଗଛକୁ ଚଢୁଥିଲା ଆଉ ବାକିମାନେ ତଳେ ଗୋଟାଉ ଥିଲୁ। ବର୍ଷା ହେଲେ ଛୋଟ ଛୋଟ ପାଣି ଧାରରେ କାଗଜ ଡଙ୍ଗା ତିଆରି କରି ଭସାଉ ଥିଲୁ।ଖଜୁରି ପତ୍ରରେ ଫିରିଫିରି ତିଆରି କରି ଉଡାଉଥିଲୁ।ତାଳ ପତ୍ରରେ ମହୁରି ତିଆରି କରି ବଜାଉ ଥିଲୁ।ଆମ୍ବ କୋଇଲି ଗଜା ହେଲେ ତାର ଗୋଟିଏ ପାଖ ଘଷି କଣା କରୁଥିଲୁ । ତା ଫଳରେ ତାକୁ ବଜାଇଲେ ପେଁ ପେଁ ବାଜୁଥିଲା।ଆଷାଢ ମାସ ଆସିଲେ ବେଲୁନ ଓ ବାଉଁଶ ନଳ ମିଳୁଥିଲା।ବାଉଶ ନଳରେ ବେଲୁନକୁ ଲଗାଇ ପବନ ଫୁଙ୍କିଲେ ତାହା ପେଁ ପେଁ ହୋଇ ବାଜୁଥିଲା।
ଖରାଦିନ ନଈ ଗାଧୁଆର ବହୁତ ମଜା ନେଉଥିଲୁ।ଥରେ ବନ୍ଧରେ ଆମେ ଭଉଣୀମାନେ ଉଧୁମାଇ ଗାଧୁଥିବା ବେଳେ ବଡ ନାନୀର ଗୋଡ ଖସି ଯାଇଥିଲା ତଳ ପାହାଚକୁ।ସେ ପାଣିରେ ଉବୁଟୁବୁ ହେଉଥିବା ବେଳେ ତା ବେଣୀର ଫିତାଟି ପାଣି ଉପରେ ଭାସୁଥିବାର ମାଆ ଦେଖିନେଲା ଓ ଫିତାକୁ ଧରି ଟାଣି ଆଣିଲା।
ମରୁ ମରୁ ବଞ୍ଚିଥିଲା ସେଦିନ ହେଲେ ମାଆ ବହୁତ ମାରିଥିଲେ ସେଦିନ ତାକୁ।ବହୁ ବର୍ଷର ପୂଜା ଉପାସ କରି ସନ୍ତାନ ପାଇଥିଲେ।ଆଉ ଏପରି ଭାବରେ ଆମେ ବଦମାସି କରି ବୁଡିଯାଉଥିବା ଦେଖି ସେ ସହି ପାରିଲେନି।ଭଲ ପାଇଲେ ଲୋକ ଚୁମା ଦିଅନ୍ତି କି ଗେଲ କରନ୍ତି।ହେଲେ ମୋ ମାଆ ପ୍ରଥମେ ପିଟୁଥିଲେ ଓ ପରେ ଗେଲ କରି ବୁଝାଉ ଥିଲେ।
ବେଳେବେଳେ ଆମେ ସାଙ୍ଗମାନେ ଖାଦ୍ୟ ଜିନିଷ ଯୋଗାଡ କରି ନଈ କୂଳରେ ବା କାହାର ଖଳାରେ ଭୋଜି କରୁଥିଲୁ।ଯିଏ ବଡ ଥିବ ସେ ରୋଷେଇ କରିବ।ବାକି ମାନେ ସାହାଯ୍ୟ କରିବେ। ପ୍ରତ୍ୟେକ ପିଲା ପଇସା ଉକୁରାଇ କୁକୁଡା କିଣା ହେବ ଓ କୁକୁଡାମାଂସ ରୋଷେଇ ହେବ।
ବେଳେବଳେ ସ୍କୁଲରୁ ମିଳୁଥିଲା ମକାଗୁଣ୍ଡକୁ ଏକାଠି କରି ଲୁଣ ଚିନି ମିଶାଇ ତାଓ୍ୱାରେ ତେଲ ଦେଇ ସେକି ପିଠା କରୁଥିଲୁ ଓ ମିଶିକି ଖାଉଥିଲୁ।
ଖରାଦିନ ଆମ୍ବବଗିଚାରେ ତାସ ଖେଳୁଥିଲୁ ଓ ଆମ୍ବ ପଡିଲେ ଗୋଟେଇ ଜମା କରୁଥିଲୁ। ପୂଜା ପର୍ବରେ ସଭିଙ୍କ ଘରକୁ ଯାଉଥିଲୁ ଓ ପ୍ରସାଦ ଖାଉଥିଲୁ।ଗାଆଁମାନଙ୍କରେ ପାଲା, ଦାସକାଠିଆ, ଅପେରା ଆଦି ହେଉଥିଲା। ରାତିସାରା ଅନିଦ୍ରା ରହି ଦେଖୁଥିଲୁ।
ତା ସହିତ ଶବର ନାଚ, ଲକ୍ଷ୍ମୀପୁରାଣ, ସୀତାଚୋରୀ ଆଦି ନାଟ ବି ଯାତ୍ରାରେ ହେଉଥିଲା।ବଡ ଆମୋଦ ପ୍ରମୋଦ ଭିତରେ କଟିଥିଲା ପିଲାବେଳ।
ସମୟ ଅନୁସାରେ ସ୍କୁଲ ଯାଉଥିଲୁ।ଖରା ବର୍ଷାରେ ଛତାଟେ ସାଙ୍ଗରେ ନେଉଥିଲୁ।କେତେଥର ବର୍ଷାଦିନ କାଦୁଅରେ ଖସି କଚାଡି ହେଇ ପଡିଛୁ।ହେଲେ ବିନ୍ଦାସ ଜୀବନ ଥିଲା।କାଦୁଅ ହେଲେ ଖଣ୍ଡିଆ ହେଲେ ବି ଫରକ ପଡୁନଥିଲା।
ସେତେବେଳେ ଆମେ ଗୁରୁମାନଙ୍କୁ ଭଗବାନ ତୁଲ୍ୟ ମାନୁଥିଲୁ।ଯାହା କହୁଥିଲେ ପାଳନ କରୁଥିଲୁ।ପ୍ରାୟ ଘର ଯୌଥ ପରିବାର ଥିଲା।ଆମେ ସବୁ ପିଲା ଭାଗ ବାଣ୍ଟି ଖାଉଥିଲୁ।ଡ୍ରେସଠୁ ଆରମ୍ଭ କରି ରେଜେଇ ପର୍ଯ୍ୟନ୍ତ ପରସ୍ପର ଭାଗ କରୁଥିଲୁ।ଭଲ ପାଇବା ସ୍ନେହ ଭକ୍ତି ରହିଥିଲା ସମସ୍ତଙ୍କ ଭିତରେ।ତ୍ୟାଗ ଭାବନା ରହୁଥିଲା ଆମ ଭିତରେ।ସତରେ ସେ ମହାର୍ଘ ପିଲାଦିନ ଭୁଲି ହେବାର ନୁହେଁ।
ସେ ସବୁଜ ବଣ ଭିତରେ ଛୋଟିଆ ଗାଆଁ,ପାହାଡି ନଈର କୁଳୁକୁଳୁ ସ୍ୱନ,ଗାଈଆଳର ମିଠା ବଇଁଶୀ ସ୍ୱନ ଆଉ ଗୋଠଫେରନ୍ତା ଗାଈ ବାଛୁରୀଙ୍କ ହମ୍ବାରଡି ଆଜିବି କାନରେ ବାଜେ।ଆଖି ମୁଦିଲେ ଗାଆଁ ମୋର ଦିଶିଯାଏ।
